କ୍ୟାବ୍‌ ଚାଳକଙ୍କ ମାନବିକତା : ରାତି ୧ଟା ସମୟରେ ଦୁଇ ମହିଳା ଯାତ୍ରୀଙ୍କ ଘର ବନ୍ଦ ଥିବାରୁ ସୁରକ୍ଷିତ ଭାବେ ଛାଡ଼ିବା ପାଇଁ ଅଢ଼େଇ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରି ରହିଲେ କ୍ୟାବ୍‌ ଚାଳକ

ନୂଆଦିଲ୍ଲୀ : #ମି ଠୁ ଅଭିଯାନ ମାଧ୍ୟମରେ ଅନେକ ଅବିଶ୍ୱାସ କଲା ଭଳି ଘଟଣା ସାମ୍ନାକୁ ଆସୁଥିବା ବେଳେ ଏବେ ଦେଶରେ ମାନବିକତା ମରିଗଲାଣି ବୋଲି ଲୋକେ ବିଶ୍ୱାସ କରିବାକୁ ଲାଗିଲେଣି । ସବୁ କ୍ଷେତ୍ରରେ ମହିଳାମାନଙ୍କୁ ଯୌନ ଶୋଷଣର ଶିକାର ହେବାକୁ ପଡ଼ୁଥିବା ବେଳେ ଘରୁ ବାହାରିବାକୁ ମଧ୍ୟ ଡ଼ର ଲାଗିଲାଣି । ଅଫିସରୁ ଆରମ୍ଭ କରି କ୍ୟାବ୍‌ ପର୍ଯ୍ୟନ୍ତ କେଉଁଠି ମଧ୍ୟ ମହିଳାମାନେ ସୁରକ୍ଷିତ ନୁହନ୍ତି ବୋଲି ଅନେକ ସମୟରେ ଘଟୁଥିବା ଘଟଣା ପ୍ରମାଣ କରି ସାରିଛି । ଏତେ ସବୁ ନକାରାତ୍ମକ କଥା ମଧ୍ୟରେ ଏକ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଜଣେ ଉବେର ଚାଳକଙ୍କ ମାନବିକତାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଆରମ୍ଭ ହୋଇଛି ।

ସୂଚନା ମୁତାବକ, ପ୍ରିୟସ୍ମିତା ଗୁହା ଏବଂ ତାଙ୍କ ମା’ ଏକ ଉବେର କ୍ୟାବ୍‌ ବୁକ୍‌ କରି ଘରକୁ ଫେରୁଥିଲେ । ଘରେ ପହଞ୍ଚିବା ବେଳେ ରାତି ୧ଟା ହୋଇ ଯାଇଥିବାରୁ ରହୁଥିବା ଘରର କବାଟ ବନ୍ଦ ହୋଇ ଯାଇଥିଲା । ଫଳରେ ପ୍ରିୟସ୍ମିତା ଗୁହା ଏବଂ ତାଙ୍କ ମା’ଙ୍କୁ ଘର ବାହାରେ ଅଢ଼େଇ ଘଣ୍ଟା ଅପେକ୍ଷା କରିବାକୁ ପଡ଼ିଥିଲା । ଏହି ସମୟରେ ନିଜ ଟଙ୍କା ନେଇ ଫେରିଯିବା ପରିବର୍ତ୍ତେ ତାଙ୍କ ସହ ରହିବାକୁ ନିଷ୍ପତ୍ତିି ନେଇଥିଲେ ଉବେର ଚାଳକ ସନ୍ତୋଷ ।

ପ୍ରିୟସ୍ମିତା ଗୁହା ଏବଂ ତାଙ୍କ ମା’ ସନ୍ତୋଷଙ୍କୁ ଫେରିଯିବା ପାଇଁ କହିଥିଲେ ମଧ୍ୟ ସେ ଏତେ ରାତିରେ ଜନଶୂନ୍ୟ ରାସ୍ତାରେ ଏକା ଛାଡ଼ି ଯିବେ ନାହିଁ ବୋଲି ମନା କରିଥିଲେ । ଏହା ସହ ଅଢ଼େଇ ଘଣ୍ଟା ପର୍ଯ୍ୟନ୍ତ ତାଙ୍କ ପାଖକୁ ଆସୁଥିବା ଅନେକ ବୁକିଂକୁ ମଧ୍ୟ ରଦ୍ଦ କରି ଦେଇଥିଲେ । ଅଢ଼େଇ ଘଣ୍ଟା ପରେ ପ୍ରିୟସ୍ମିତା ଗୁହା ଏବଂ ତାଙ୍କ ମା’ ଘରକୁ ଯିବା ପରେ ଟଙ୍କା ନେଇ ଫେରିଥିଲେ ସନ୍ତୋଷ । ଏ ବିଷୟରେ ପ୍ରିୟସ୍ମିତା ଗୁହା ଉବେର ଇଣ୍ଡିଆକୁ ଟୁଇଟ୍‌ କରି ସନ୍ତୋଷଙ୍କ ମହାନତା ବିଷୟରେ ଜଣାଇବା ସହ ଧନ୍ୟବାଦ୍‌ ଜଣାଇଥିଲେ । ପ୍ରିୟସ୍ମିତା ଗୁହାଙ୍କ ଏହି ଟୁଇଟ୍‌ ପରେ ସନ୍ତୋଷଙ୍କ ଏଭଳି କାମକୁ ସମସ୍ତେ ପ୍ରଶଂସା କରିବା ଆରମ୍ଭ କରିଛନ୍ତି ।

ସମ୍ବନ୍ଧିତ ଖବର