ଲୋକମାନେ ନିଜ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ପ୍ଲାଷ୍ଟିକ୍ ସର୍ଜରି କରିବା ଏବେ ଏକ ସାଧାରଣ କଥା ହୋଇଯାଇଛି। ବିଶେଷ କରି ନିଜ ରୂପକୁ ପୁଞ୍ଜି କରି ଜୀବିକା ଅର୍ଜନ କରୁଥିବା ମଡେଲ୍, ଅଭିନେତା ପ୍ରମୁଖ ଏଭଳି ଅସ୍ତ୍ରୋପଚାର କରୁଥିବା କାହାରିକୁ ଅଛପା ନାହିଁ। ତେବେ ସେମାନେ ଆଜିକାଲି ନିଜ ଉଚ୍ଚତା ବୃଦ୍ଧି ଲାଗି ଆଉ ଏକ ବ୍ୟୟବହୁଳ ତଥା ଭୀଷଣ କଷ୍ଟଦାୟକ ଅସ୍ତ୍ରୋପଚାର କରିବା ଆରମ୍ଭ କରିଛନ୍ତି। ୩୧ ବର୍ଷୀୟା ଜର୍ମାନ ମଡେଲ୍ ଥେରେସିଆ ଫିଚର୍ ସେମାନଙ୍କ ମଧ୍ୟରୁ ଜଣେ। ନିଜ ଉଚ୍ଚତାକୁ ନେଇ ସେ ଖୁବ୍ ଅସନ୍ତୁଷ୍ଟ ଥିଲେ। ସେଥିପାଇଁ ସେ ଅନେକ ଥଟ୍ଟାମଜାର ଶରବ୍ୟ ହେବା ପରେ ଉଚ୍ଚତା ବୃଦ୍ଧି ପାଇଁ ଅସ୍ତ୍ରୋପଚାର କରିବାକୁ ସ୍ଥିର କରିଥିଲେ। ଦୁଇଟି ଅସ୍ତ୍ରୋପଚାର ପରେ ତାଙ୍କ ଦୁଇ ଗୋଡ଼ରେ ଟେଲିସ୍କୋପିକ୍ ରଡ୍ ଖଞ୍ଜି ଦିଆଯାଇଥିଲା। ତିନି ମାସ ପରେ ତାଙ୍କ ଉଚ୍ଚତା ପୂର୍ବ ତୁଳନାରେ ୧୪ ସେଣ୍ଟିମିଟର୍ ବୃଦ୍ଧି ପାଇ ଛଅ ଫୁଟ୍ରେ ପହଞ୍ଚିଛି। ଏଥିପାଇଁ ତାଙ୍କ ଆତ୍ମବିଶ୍ବାସ ବଢ଼ିଛି ଏବଂ ତାଙ୍କୁ ଜଣେ ନୂଆ ବଏଫ୍ରେଣ୍ଡ୍ ମିଳିଛନ୍ତି। ଏହା ତାଙ୍କର ପ୍ରସିଦ୍ଧିକୁ ମଧ୍ୟ ବହୁଗୁଣିତ କରିଦେଇଛି।
ଏବେ ଇନ୍ଷ୍ଟାଗ୍ରାମ୍ରେ ତାଙ୍କର ପ୍ରାୟ ଦେଢ଼ ଲକ୍ଷ ଅନୁଗାମୀ ହେଲେଣି। ଏଥିପାଇଁ ତାଙ୍କୁ କମ୍ ମୂଲ୍ୟ ଦେବାକୁ ପଡ଼ି ନାହିଁ। ଉଚ୍ଚତା ବୃଦ୍ଧି ଅସ୍ତ୍ରୋପଚାର ଓ ଆନୁଷଙ୍ଗିକ ଖର୍ଚ୍ଚ ମିଶି ସେ ପ୍ରାୟ ୧ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିସାରିଛନ୍ତି। ଉଚ୍ଚତା ବୃଦ୍ଧି ତାଙ୍କୁ ଅନେକ ଖୁସି ଓ ସନ୍ତୁଷ୍ଟି ଦେଇଛି ସତ, ହେଲେ ତାଙ୍କୁ ଏବେ ଅନ୍ଲାଇନ୍ରେ ଅନେକ ଲୋକ ବ୍ୟଙ୍ଗବିଦ୍ରୂପ କରୁଛନ୍ତି। ଯାହାର ଉଚ୍ଚତା ପୂର୍ବରୁ ୫ ଫୁଟ୍ ୭ ଇଞ୍ଚ ଥିଲା ସେ ଅସୁରକ୍ଷାବୋଧ କରିବାର କୌଣସି କାରଣ ନାହିଁ, ଏହା କେବଳ ତାଙ୍କ ବିକୃତ ମାନସିକତାର ଫଳଶ୍ରୁତି ବୋଲି କିଛି ଲୋକ ମନ୍ତବ୍ୟ ଦେଉଛନ୍ତି।