ଗୁଣସୂତ୍ର, ଜଳଶୂନ୍ୟତା, ଖାଦ୍ୟ ଓ କିଛି ସ୍ୱାସ୍ଥ୍ୟ ସମସ୍ୟା କିଡ୍‌ନିରେ ପଥର ଗଠନର କାରଣ ହୋଇଥାଏ। କିଛି ଖାଦ୍ୟ ପରିସ୍ରାରେ ଅକ୍ସାଲେଟ୍‌, କ୍ୟାଲ୍‌ସିଅମ୍‌, ୟୁରିକ୍ ଏସିଡ୍‌, ସୋଡିଅମ୍‌ର ସ୍ତର ବୃଦ୍ଧି କରାଇ କିଡ୍‌ନିରେ ଷ୍ଟୋନ୍‌ ଗଠନ କରାଇଥା’ନ୍ତି। ସେଭଳି ୧୦ଟି ଖାଦ୍ୟ ବାବଦରେ ଆସନ୍ତୁ ଜାଣିବା। ପାଳଙ୍ଗ ଯଦିଓ ପୁଷ୍ଟିକର, ତେବେ ଅଧିକ ପରିମାଣରେ ସେବନ କରିବା କିଡ୍‌ନି ଷ୍ଟୋନ୍‌ ବିପଦକୁ ବଢ଼ାଇପାରେ। ପାଳଙ୍ଗରେ ଅକ୍ସାଲେଟ୍‌ର ପରିମାଣ ଅଧିକ ଥାଏ, ଯାହା କ୍ୟାଲ୍‌ସିୟମ୍‌ ସହିତ ବାନ୍ଧି ହୋଇ କ୍ୟାଲ୍‌ସିୟମ୍‌ ଅକ୍ସାଲେଟ୍‌ ପଥର ତିଆରି କରେ। ବିଟ୍‌ରେ ମଧ୍ୟ ଅକ୍ସାଲେଟ୍‌ର ପରିମାଣ ଅଧିକ ଥାଏ। ରୁବାର୍ବ ହେଉଛି ଆଉ ଏକ ପରିବା ଯାହା ପରିସ୍ରାରେ ଅକ୍ସାଲେଟ୍‌ ସ୍ତର ବଢ଼ାଇ ଦେଇଥାଏ। ସେହିପରି ବାଦାମ, ଆଲମଣ୍ଡ ଓ କାଜୁ ମଞ୍ଜି ଯଦିଓ ସୀମିତ ପରିମାଣରେ ଖାଇବା ସ୍ୱାସ୍ଥ୍ୟକର, ତେବେ ସେଗୁଡ଼ିକ ଅକ୍ସାଲେଟ୍‌ରେ ଭରପୂର। ତେଣୁ କିଡ୍‌ନି ଷ୍ଟୋନ୍‌ ଇତିହାସ ଥିବା ଲୋକଙ୍କ ପାଇଁ ଏଗୁଡ଼ିକ କ୍ଷତିକାରକ। ଡାର୍କ ଚକୋଲେଟ୍‌ ଓ କୋକୋରେ ମଧ୍ୟ ଅକ୍ସାଲେଟ୍‌ ଅଧିକ ପରିମାଣରେ ଥାଏ। 

Advertisment

ସେହିପରି ବ୍ଲାକ୍‌ ଟି’ ହେଉଛି ଆଉ ଏକ ଅକ୍ସାଲେଟ୍‌-ଭରା ପାନୀୟ। ପର୍ଯ୍ୟାପ୍ତ ପାଣି ବିନା ଅତ୍ୟଧିକ ଚା’ ପିଇଲେ ଅକ୍ସାଲେଟ୍‌ର ସ୍ତର ବୃଦ୍ଧି ପାଇ ପଥର ଗଠନରେ ସହଯୋଗ କରିପାରେ। ଲାଲ ମାଂସରେ ପ୍ୟୁରିନ୍‌ର ପରିମାଣ ଅଧିକ ଥାଏ, ଯାହା ଶରୀରରେ ୟୁରିକ୍ ଏସିଡ୍‌ର ସ୍ତର ବୃଦ୍ଧି କରିପାରେ। ସୋଡିଅମ୍‌-ସମୃଦ୍ଧ ପ୍ରକ୍ରିୟାକୃତ ଖାଦ୍ୟ ପରିସ୍ରାରେ ଅଧିକ କ୍ୟାଲସିଅମ୍‌ ନିର୍ଗତ କରେ, ଯାହା କ୍ୟାଲସିଅମ୍‌ ପଥର ଗଠନକୁ ପ୍ରୋତ୍ସାହିତ କରେ। ସେହିପରି କୋଲା ଓ ଚିନି ମିଶ୍ରିତ ପାନୀୟରେ ଫସ୍‌ଫୋରିକ ଏସିଡ୍ ଥାଏ, ଯାହା ପଥର ଗଠନ କରିପାରେ। ସେହିପରି ଅଧିକ ପରିମାଣ ‘ଭିଟାମିନ୍ ସି’ର ନିୟମିତ ସେବନ ଅକ୍ସାଲେଟ୍ ପଥର ଗଠନର ବିପଦ ବଢ଼ାଇପାରେ। ତେଣୁ ଡାକ୍ତରୀ ମାର୍ଗଦର୍ଶନ ବିନା ଭିଟାମିନ୍‌ ବଟିକା ଖାଇବା ଅନୁଚିତ।