ମଣିଷ ଦେହ ବିଷୟରେ ପ୍ରଚଳିତ ୧୦ଟି ମିଛ; ଜାଣିଲେ ଆଚମ୍ବିତ ହେବେ

ମଣିଷ ଦେହ ବିଷୟରେ କୁହାଯାଉଥିବା କେତୋଟି କଥା ଆମକୁ ନିୟନ୍ତ୍ରଣରେ ରଖୁଛି। ଆମେ ସେ କଥାକୁ ଏତେ ବିଶ୍ୱାସ କରୁଛୁ ଯେ ତାହା ସତ ହୋଇଯାଉଛି।

ମଣିଷ ମସ୍ତିଷ୍କକୁ ୧୦% କାମରେ ଲଗାଏ: ଲୋକବିଶ୍ୱାସ ଅନୁସାରେ ମଣିଷ ନିଜ ମସ୍ତିଷ୍କର ମାତ୍ର ୧୦% ବ୍ୟବହାର କରନ୍ତି। ଯଦି ଆମେ ଅଧିକ ମସ୍ତିଷ୍କ ଶକ୍ତି କାଢ଼ି ପାରନ୍ତେ ତେବେ ସେ ସବୁ ଆମର ଦୈନିନ୍ଦିନ କାର୍ଯ୍ୟରେ ସରି ଯାଆନ୍ତା। ଏହା ମିଛ। ଯେହେତୁ ଦିନ ତମାମ ଆମର ଭିନ୍ନ ଭିନ୍ନ କାମ କରିବାକୁ ଥିବାରୁ ସେ ସବୁ ସମାପନ କରିବାକୁ ଆମ ମସ୍ତିଷ୍କର ଭିନ୍ନ ଭିନ୍ନ ଅଂଶ କ୍ରିୟାଶୀଳ ହୁଅନ୍ତି।

ଚିନି ଖାଇଲେ ଶକ୍ତି ବଢ଼େ: ଚିନି ଖାଇବା ଦ୍ୱାରା ଅସ୍ୱାଭାବିକ ଭାବେ ଶକ୍ତି ବଢ଼ିଯାଏ ବୋଲି କୁହାଯାଏ। କିନ୍ତୁ, ଏହାର କୌଣସି ବଳିଷ୍ଠ ପ୍ରମାଣ ନାହିଁ। ଚିନି ଖାଇବା ଦ୍ୱାରା ଦନ୍ତକ୍ଷୟ, ଚର୍ବି ବୃଦ୍ଧି ହୋଇଥାଏ।

କେତେ ପାଣି ପିଇବା: ଅନେକ ଡାକ୍ତର ଏବଂ ସ୍ୱାସ୍ଥ୍ୟ ବିଶେଷଜ୍ଞ କହନ୍ତି ଯେ ଦେହରେ ଜଳୀୟ ଅଂଶ ବଜାୟ ରଖିବାକୁ ଦୈନିକ ୮ ଗ୍ଲାସ୍‌ ପିଇବା ଆବଶ୍ୟକ। କିନ୍ତୁ, ବାସ୍ତବରେ ଦୈନିକ ବସାବସି ଭଳି କାମ କରୁଥିବା ଅର୍ଥାତ୍‌ ଘରେ କି, ଅଫିସ୍‌ରେ କାଗଜପତ୍ର କାମ କରୁଥିବା ବ୍ୟକ୍ତିମାନଙ୍କର ଏତେ ପରିମାଣରେ ପାଣି ପିଇବା ଦରକାର ନାହିଁ।

ଦୃଷ୍ଟିଶକ୍ତି କ୍ଷୟ: କୁହାଯାଏ ମଳିନ ଆଲୁଅରେ ପଢ଼ିବା ଓ ଟେଲିଭିଜନ୍‌ର ଖୁବ୍‌ ନିକଟରେ ବସିବା ଦୃଷ୍ଟିଶକ୍ତି ପ୍ରତି ହାନିକାରକ। କିନ୍ତୁ, ପ୍ରକୃତ କଥା ହେଲା ପରିବେଶ ପରିସ୍ଥିତିକୁ ଚାହିଁ ଆଖି ନିଜକୁ ଆଡ୍‌ଜଷ୍ଟ୍‍ କରିନିଏ।

ମାତ୍ର ପାଞ୍ଚଟି ଇନ୍ଦ୍ରିୟ: ଆବହମାନ କାଳରୁ କୁହାଯାଉଛି ଜିହ୍ଵା, ଚକ୍ଷୁ, ଘ୍ରାଣ, ସ୍ପର୍ଶ ଓ ଶ୍ରବଣ ଆଦି ପାଞ୍ଚଟି ଇନ୍ଦ୍ରିୟ ଅଛି। କିନ୍ତୁ ଗବେଷକ ଓ ବିଜ୍ଞାନୀମାନେ କହନ୍ତି ମଣିଷ ଶରୀରରେ ଅଗଣିତ ଇନ୍ଦ୍ରିୟ ରହିଛି।

ଦାନ୍ତର ରଙ୍ଗ ଧଳା: କୁହାଯାଏ ସୁଖ ଓ ସ୍ୱାସ୍ଥ୍ୟକର ହସର ରଙ୍ଗ ଧଳା। ଅର୍ଥାତ୍‌ ଦାନ୍ତର ରଙ୍ଗ ଧଳା ହେବା ଉଚିତ। ଟୁଥ୍‌ପେଷ୍ଟ୍‍ କମ୍ପାନି ମଧ୍ୟ ଧଳା ଦାନ୍ତ ସମ୍ବନ୍ଧରେ ବିଜ୍ଞାନପନ ଦେଉଛନ୍ତି। କିନ୍ତୁ, ବାସ୍ତବରେ ଦାନ୍ତର ରଙ୍ଗ ହଳଦିଆ।

ଜିଭର ସ୍ୱାଦ ବାରିବା ଜାଗା: ଜିଭର ଭିନ୍ନ ଭିନ୍ନ ଅଂଶରେ ଲୁଣି, ମିଠା, ଖଟା ଆଦି ସ୍ୱାଦ ବାରେ ବୋଲି କଥିତ ଅଛି। କିନ୍ତୁ, ପ୍ରକୃତ କଥା ହେଲା କୌଣସି ସ୍ୱାଦ ବାରିବାକୁ ସବୁ ସ୍ୱାଦକଢ଼ି ଏକତ୍ର କାମ କରନ୍ତି।

ଆଙ୍ଗୁଠି ଫୁଟାଇଲେ ବାତ ଧରେ: ଆଙ୍ଗୁଠି ଫୁଟାଇବା ଶବ୍ଦ ବିରକ୍ତିକର ଲାଗେ ସତ କିନ୍ତୁ, ଏହାଦ୍ୱାରା ଯେ ଗଣ୍ଠିବାତ ହୁଏ- ଏ କଥାଟି ନିହାତି ମିଛ। ୨୦୧୧ରେ ଏହା ଉପରେ କରାଯାଇଥିବା ଗବେଷଣାରୁ ଜଣା ପଡ଼ିଛି ଯେ ଗଣ୍ଠିବାତ ସହ ଗଣ୍ଠିଫୁଟାର କୌଣସି ସମ୍ପର୍କ ନାହିଁ।

ଖିଅର ହେଲେ ରୁମ ଟାଅାଁଶା ହୁଏ: ଖିଅର ହେବା ଯୋଗୁଁ ସମ୍ପୃକ୍ତ ସ୍ଥାନର ଲୋମ ଗହଳିଆ ଓ ଟାଅାଁଶା ହୁଏ ବୋଲି କୁହାଯାଏ। କାଳେ ଭାଲୁ ଭଳି ଦିଶିବେ- ଏଇ ଭୟରେ ଅନେକ ଯୁବତୀ ମୁହଁ ଓ ଗୋଡ଼ ହାତରୁ ଅବାଞ୍ଛିତ ଲୋମ ଖିଅର ହୋଇ ପାରନ୍ତି ନାହିଁ। ଏହା ସମ୍ପୂର୍ଣ୍ଣ ମିଛି।

ଦେହ ପାଣି ପିଇଗଲେ ଚମ ଲୋଚା ହୁଏ: ଦୀର୍ଘ ସମୟ ଧରି ଗାଧୋଇଲେ କି, ପହଁରା ପହଁରି କଲେ ହାତଗୋଡ଼ ଲୋଚାକୋଚା ହୋଇଯାଏ। କୁହାଯାଏ ଦେହ ଭିତରକୁ ପାଣି ଶୋଷି ହୋଇ ଯିବାରୁ ଏମିତି ହୁଏ। କିନ୍ତୁ ପାଣି ଭଳି ଖସରା ପଦାର୍ଥରେ ଲାଗି ରହିବାକୁ ଲୋଚାକୋଚା ହୋଇ ଦେହ ଆପଣାଛାଏଁ ନିଜକୁ ପ୍ରସ୍ତୁତ କରିଥାଏ।

ସମ୍ବନ୍ଧିତ ଖବର