ଘଣ୍ଟାକୁ ୩୩ ପ୍ରକାର ରୋଷେଇ କରି ରେକର୍ଡ ସୃଷ୍ଟି କଲେ କେରଳର ୧୦ ବର୍ଷୀୟା ସାନ୍‌ଭି

କୋଚି: କୁହାଯାଏ ରୋଷେଇ ଛୋଟ ପିଲାଙ୍କ ହାତର କଥା ନୁହେଁ। ବୟସ୍କ ଓ ଅଭିଜ୍ଞ ‌ଲୋକମାନେ ହିଁ ଏହାକୁ ଠିକ୍‌ ଭା‌ବେ ତୁଲାଇ ଥାଆନ୍ତି। ମାତ୍ର ଏହି କଥାକୁ ଭୁଲ୍‌ ପ୍ରମାଣ କରିଛନ୍ତି କେରଳର ୧୦ ବର୍ଷୀୟା କୁନି ଝିଅ ସାନଭି ଏମ ପ୍ରଜିତ। ସେ ଘଣ୍ଟାକ ମଧ୍ୟରେ ୩୩ ପ୍ରକାର ଖାଦ୍ୟ ରୋଷେଇ କରିବାର କ୍ଷମତା ରଖନ୍ତି। ସାନଭି ତାଙ୍କର ଏହି କଳା ପାଇଁ ଏବେ ବେଶ୍‌ ଚର୍ଚ୍ଚା ପାଲଟିଛନ୍ତି।

ଜାଣିବାକୁ ମିଳିଛି ଯେ ସାନ‌ଭିଙ୍କ ଖେଳ ରୋଷେଇ ଘରେ ସତସତିକା ରୋଷେଇ ସରଞ୍ଜାମ ଯୋଗାଇ ଦେଇଥିଲେ ବାପାମାଆ। ସେ ତାଙ୍କ ରୋଷେଇ ଘର ମଧ୍ୟରେ ଖେଳରେ ଖେଳରେ ଦୋସା, ଚା ଏବଂ ଅନ୍ୟାନ୍ୟ ଖାଦ୍ୟ ଓ ପାନୀୟ ସବୁ ବନାଇ ପ‌ାରୁଛନ୍ତି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ସାନଭିଙ୍କ ଏପରି ଦକ୍ଷତା ବିଷୟରେ ଆରମ୍ଭରୁ ଜାଣିପାରୁ ନଥିଲେ ବାପାମାଆ। ବର୍ତ୍ତମାନ ୧୦ ବର୍ଷ ବୟସରେ, ଏର୍ନାକୁଲମର ସାନଭି ଏକ ଏସୀୟ ରେକର୍ଡ ସୃଷ୍ଟି କରିଛନ୍ତି।

ଏ ନେଇ ସାନଭିଙ୍କ ମାଆ କହନ୍ତି, ‘ମୁଁ ଭାବୁଛି ରୋଷେଇ କରିବା ତା ଜିନ୍‌ରେ ଅଛି। ଆମେ ଖୁବ୍ ଖାଦ୍ୟ ପ୍ରିୟ ପରିବାର। ଆହୁରି ମଧ୍ୟ, ଯେହେତୁ ତାଙ୍କ ପିତା ୱିଙ୍ଗ କମାଣ୍ଡର ପ୍ରଜିତ ବାବୁ ବାୟୁସେନାରେ ଅଛନ୍ତି, ସେଠାରେ ସର୍ବଦା ବିଭିନ୍ନ ପ୍ରକାରର ସୁଦ୍ବାଦୁ ଖାଦ୍ୟ ସେ ଖାଇ ଆସିଛନ୍ତି। ଖାଦ୍ୟ ପ୍ରତି ଦୁର୍ବଳତା ରହିବା ସାନଭି କ୍ଷେତ୍ରରେ ଏକ ସ୍ବାଭାବିକ କଥା।’

ତାଙ୍କ କହିବାନୁସାରେ, ସାନଭି ଖୁବ୍ କମ୍ ବୟସରେ ରାନ୍ଧିବା ଆରମ୍ଭ କରିଥିଲେ। ଥରେ ସେ ଏକ କୁକିଂ ସୋ’ରେ ଅଂଶଗ୍ରହଣ କରି ଅଦା ପାୟାସ୍ ରାନ୍ଧିଥିଲେ। ଏହାର ସ୍ବାଦ ଖୁବ୍ ଭଲ ଥିଲା ମଧ୍ୟ।

ସମ୍ବନ୍ଧିତ ଖବର