ୟୁନାଇଟେଡ୍‌ କିଙ୍ଗଡମ୍‌ର ରାଜପରିବାର କଥା ଉଠିଲେ ରାଜା ଓ ପୂର୍ବତନ ରାଣୀଙ୍କ ପ୍ରହରୀମାନଙ୍କ ଚିତ୍ର ମନେ ପଡ଼ିଯାଏ। ପୂର୍ବରୁ ମହାରାଣୀଙ୍କ ସମୟରେ ସେମାନେ ‘କୁଇନ୍‌ସ ଗାର୍ଡ’ ନାମରେ ଜଣାଶୁଣା ଥିଲେ। ଏବେ ରାଜା ଚାର୍ଲସ୍‌ଙ୍କ ସିଂହାସନ ଆରୋହଣ ପରେ ସେମାେନ ‘କିଙ୍ଗ୍‌ସ ଗାର୍ଡ’ ନାମରେ ସୁପରିଚିତ। ସାବଧାନ ମୁଦ୍ରାରେ ନିର୍ଲିପ୍ତ ଭାବେ ଛିଡ଼ା ହୋଇଥିବା ଏହି ସେନା ପ୍ରହରୀମାନଙ୍କର ଏକ ସ୍ବାତନ୍ତ୍ର୍ୟ ହେଉଛି ସେମାନଙ୍କ ମୁଣ୍ଡରେ ଏକ ବିଶାଳ ଟୋପି ଶୋଭା ପାଇଥାଏ। ତେବେ ଏହି ସୁନ୍ଦର ଲୋମ ଆଚ୍ଛାଦିତ ଟୋପିର ଏକ ବିମର୍ଷକର ଦିଗ ହେଉଛି ସେଗୁଡ଼ିକୁ ତିଆରି କରିବା ପାଇଁ ଭାଲୁର ଛାଲ ବ୍ୟବହାର କରାଯାଇଥାଏ। ବାସ୍ତବରେ ରାଜାଙ୍କ ପ୍ରହରୀମାନେ ପିନ୍ଧୁଥିବା ଟୋପିର ନାମ ହେଉଛି ଭାଲୁଚମଡ଼ା ଟୋପି।

Advertisment

ଏଭଳି ଗୋଟିଏ ଟୋପି ତିଆରି କରିବା ଲାଗି ଗୋଟିଏ ଭାଲୁର ଚମଡ଼ା ଦରକାର ପଡ଼ିଥାଏ। ଏଗୁଡ଼ିକୁ ତିଆରି କରିବା ପାଇଁ ପ୍ରତିବର୍ଷ ପ୍ରାୟ ୧୦୦ଟି ଭାଲୁ ହତ୍ୟା କରାଯାଇ ଆସୁଛି। ଏହି ଟୋପିର ବ୍ୟବହାର ବ୍ରିଟିସ୍ ରାଜପରିବାରର ପୁରାତନ ପରମ୍ପରାର ଅଂଶବିଶେଷ ହୋଇଥିବାରୁ ସେଗୁଡ଼ିକୁ ସପ୍ତାଦଶ ଶତବ୍ଦୀରୁ ବ୍ୟବହାର କରାଯାଉଥିବା ଜଣାଯାଏ। ବ୍ରିଟିସ୍‌ ସେନାବାହିନୀର ବିଭିନ୍ନ ପଦାଧିକାରୀଙ୍କ ଲାଗି ଭିନ୍ନ ଭିନ୍ନ ପ୍ରକାର ଟୋପି ତିଆରି କରାଯାଏ। ସେନାର ପଦାତିକମାନଙ୍କ ଲାଗି କାନାଡ଼ାର କଳା ଭାଲୁର ଲୋମ ବ୍ୟବହୃତ ହେଉଥିବା ବେଳେ ଉଚ୍ଚ ପଦାଧିକାରୀମାନଙ୍କ ଟୋପି ଲାଗି ଧୂସର ଭାଲୁର ଲୋମ ବ୍ୟବହୃତ ହୋଇଥାଏ। ରାଜପରିବାରର ସେବା ଲାଗି ଜଙ୍ଗଲୀ ଜନ୍ତୁଙ୍କୁ ବଧ କରିବା ପରମ୍ପରାକୁ ଏବେ ଅନେକ ବିରୋଧ କରୁଥିବା ଦେଖାଯାଉଛି। ଅନେକ ପରିବେଶ କର୍ମୀ ଦାବି କରୁଛନ୍ତି ଯେ ପ୍ରହରୀମାନଙ୍କ ଟୋପିରେ ଅବିକଳ ଭାଲୁ ଲୋମ ପରି ଦିଶୁଥିବା ସିନ୍ଥେଟିକ୍ ଲୋମ ବ୍ୟବହାର କରାଯାଉ ଏବଂ ଜୀବ ହତ୍ୟାର ଏହି ନୃଶଂସ ପ୍ରଥାର ଅନ୍ତ ଘଟୁ।