ନାଇଜେରିଆର ଲୋକପ୍ରିୟ ପାଚିକା  ହିଲ୍‌ଡା ବାସି ନିକଟରେ ଲଗାତାର ସର୍ବାଧିକ ଘଣ୍ଟା ଧରି ରୋଷେଇ କରିବାର ଗିନିସ୍ ବିଶ୍ବ ରେକର୍ଡ ଭାଙ୍ଗିବାରେ ସଫଳ ହୋଇଛନ୍ତି। ତାଙ୍କ ପୂର୍ବରୁ ଭାରତର ଲତା ଟଣ୍ଡନଙ୍କ ନାମରେ ଏହି ରେକର୍ଡ ଥିଲା ଯିଏ ୨୦୧୯ରେ ୮୭ ଘଣ୍ଟା, ୪୫ ମିନିଟ୍‌ ରାନ୍ଧି ଏହି ରେକର୍ଡର ଅଧିକାରିଣୀ ହୋଇଥିଲେ। ଲାଗୋସ୍‌ ସହରର ଲେକ୍କି ଅଞ୍ଚଳର ଏକ ରେସ୍ତୋରାଁରେ ସେ ଗତ ୧୧ ତାରିଖରୁ ରୋଷେଇ ଆରମ୍ଭ କରିଥିଲେ। ସେ ନାଇଜେରିଆର ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରିଥିଲେ।

Advertisment

ରୋଷେଇ ବେଳେ ସେ ଏକ ଘଣ୍ଟାରେ ପାଞ୍ଚ ମିନିଟ୍‌ର ବିରତି ନେଉଥିଲେ ଅଥବା ଲଗାତାର ୧୨ ଘଣ୍ଟା ରୋଷେଇ କରି ଏକାବେଳେ ଏକ ଘଣ୍ଟାର ବିରତି ନେଇ ନିତ୍ୟକର୍ମ, ବିଶ୍ରାମ ଓ ଡାକ୍ତରୀ ପରୀକ୍ଷା ଆଦି କରୁଥିଲେ। ଲଗାତାର ଚାରି ଦିନ ଚାରି ରାତି ସେ ରୋଷେଇ କରିଚାଲିଥିଲେ। ତାଙ୍କର ଏହି ରେକର୍ଡ ଉଦ୍ୟମକୁ ଉତ୍ସାହିତ କରିବା ପାଇଁ ହଜାର ହଜାର ସଂଖ୍ୟାରେ ଜନସାଧାରଣଙ୍କ ସମେତ ବିଭିନ୍ନ ସେଲିବ୍ରିଟି ଓ ରାଜନେତା ସେଠାକୁ ଆସିଥିଲେ। ପୂର୍ବ ରେକର୍ଡ ଭାଙ୍ଗିବା ପରେ ନାଇଜେରିଆ ରାଷ୍ଟ୍ରପତି ମହମ୍ମଦ ବୁହାରି ଟୁଇଟ୍ କରି କହିଥିଲେ ଯେ ନାଇଜେରିଆ ପାଇଁ ତାହା ଏକ ମହାନ ଦିବସ। ହିଲ୍‌ଡାଙ୍କ ଉଚ୍ଚାଭିଳାଷ ନାଇଜେରିଆର ନିଆରା ଖାଦ୍ୟ ପ୍ରତି ଲୋକଙ୍କର ଧ୍ୟାନ ଆକର୍ଷଣ କରିପାରିଛି। ୧୦୦ ଘଣ୍ଟା ରୋଷେଇ କରିବାର ନୂଆ ରେକର୍ଡ କରିବା ପରେ ହିଲ୍‌ଡା ଆଶା ବ୍ୟକ୍ତ କରିଛନ୍ତି ଯେ ପୃଥିବୀବାସୀ ନାଇଜେରିଆର ବ୍ୟଞ୍ଜନ ବିଷୟରେ ଅଧିକ ଜାଣିବେ।