ନାରାୟଣପାଟଣା: ବୃଦ୍ଧ ଦଂପତିଙ୍କ ପ୍ରତି ମାନବିକତା କିମ୍ବା ଦେଖାଇଲା ନାହିଁ ପ୍ରଶାସନ। ପଞ୍ଚାୟତ କାର୍ଯ୍ୟାଳୟକୁ ଆସି ଚାଉଳ ନେବାକୁ ବାଧ୍ୟ କଲା। ତେଣୁ ୪୫କିଲୋ ଚାଉଳ ପାଇଁ ଶହେ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଛି। ରୋଗଶଯ୍ୟାରେ ପଡ଼ିଥିବା ୮୫ବର୍ଷୀୟ ବୃଦ୍ଧଙ୍କୁ ଟ୍ରଲିରିକ୍ସାରେ ବୋହିବାକୁ ପଡ଼ିଛି। ଗରିବ ତଥା ବୃଦ୍ଧ ହିତାଧିକାରୀଙ୍କ ପ୍ରତି ପ୍ରଶାସନର ଉପହାସ ଦୃଶ୍ୟ ନାରାୟଣପାଟଣା ବ୍ଲକ୍ ମହକୁମାରେ ଦେଖିବାକୁ ମିଳିଛି।
ସ୍ଥାନୀୟ ଚମ୍ପିକୋଟ ସାହିର ଲିଙ୍ଗୁର ଟ୍ରେପେକାଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ଯୋଗାଇ ଦିଆଯାଉଛି। ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ୩ମାସ ହେଲା ଶଯ୍ୟାଶାୟୀ ଅଛନ୍ତି। ତେଣୁ ଲିଙ୍ଗୁରଙ୍କ ବଦଳରେ ପତ୍ନୀ ତୁଳସୀ ଟ୍ରେପେକା ଚାଉଳ ଆଣିବାକୁ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇଥିଲେ। କିନ୍ତୁ ତାଙ୍କୁ ଚାଉଳ ଦେବାକୁ ମନା କରିଥିଲେ ଅଧିକାରୀ। ହିତାଧିକାରୀ ନିଜେ ଆସି ବାୟୋମେଟ୍ରିକ୍ ମେସିନ୍ରେ ଟିପଚିହ୍ନ ନ ଦେବା ପର୍ଯ୍ୟନ୍ତ ଚାଉଳ ମିଳିବ ନାହିଁ ବୋଲି କହି ପ୍ରତ୍ୟେକ ଥର ଫେରାଇ ଦେଲେ। ତୁଳସୀ କାକୁତିମିନତି ହୋଇଥିଲେ ସୁଦ୍ଧା କେହି ଶୁଣିନଥିଲେ। ସରକାରୀ ଚାଉଳ ମିଳିଲେ ଦଂପତିଙ୍କ ଘରେ ଚୁଳି ଜଳେ। ତେଣୁ ୩ମାସର ଚାଉଳ ଆଣିବା ପାଇଁ ଶେଷରେ ତୁଳସୀ ସଂଚିତ ଭତ୍ତା ଟଙ୍କାରୁ ୧୦୦ଟଙ୍କା ଆଜି ଖର୍ଚ୍ଚ କରି ଗୋଟିଏ ଟ୍ରଲିରିକ୍ସା ଭଡ଼ା କରିଥିଲେ। ସ୍ବାମୀଙ୍କୁ ସେଥିରେ ଶୁଆଇ ପଞ୍ଚାୟତ କାର୍ଯ୍ୟାଳୟକୁ ବାହାରିଥିଲେ। ଆଗେ ଆଗେ ରିକ୍ସା ଚାଲିଥିଲା, ପଛେ ପଛେ ବ୍ୟାଗ୍ ଧରି ଚାଲିଥିଲେ ତୁଳସୀ। ଏହି କରୁଣ ଦୃଶ୍ୟକୁ ଦେଖି ସ୍ଥାନୀୟ କିଛି ଲୋକ ତୁଳସୀଙ୍କୁ ପଚାରିଥିଲେ। ଚାଉଳ ପାଇଁ ଶଯ୍ୟାଶାୟୀ ସ୍ବାମୀଙ୍କୁ ନେଇ ଯାଉଥିବା ଜାଣିବା ପରେ କିଛି ସଚେତନ ନାଗରିକ ମଧ୍ୟ ତୁଳସୀଙ୍କ ସହ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇଥିଲେ।
୩ମାସ ଧରି ଦଂପତିଙ୍କୁ ହତାଦର କରି ଆସିଥିବା ଯୋଗାଣ ସହାୟକ ଏବଂ ପିଇଓ ଏଥର ସଚେତନ ନାଗରିକଙ୍କୁ ଦେଖି ଛାନିଆ ହୋଇଯାଇଥିଲେ। କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବା ସହ ନିଜ ମୁଣ୍ଡରୁ ଦୋଷ ଛଡ଼ାଇବା ପାଇଁ ଦଂପତିଙ୍କୁ ଦାୟୀ କରିବାକୁ ପଛାଇ ନଥିଲେ। ପ୍ରତି ମାସରେ ଗୋଟିଏ ଟିମ୍ ଘରକୁ ଯାଇ ଚାଉଳ ଦେଇ ଆସୁଥିଲା। ଚଳିତ ମାସରେ ମାଉସୀ ନିଜେ କାହିଁକି ଚାଉଳ ନେବାକୁ ଆସିଲେ ଆମେ ଜାଣିନୁ ବୋଲି ସଫେଇ ଦେଇଥିଲେ। ଏପରିକି ଚୌକି ଛାଡ଼ି ଲିଙ୍ଗୁର ଶୋଇଥିବା ରିକ୍ସା ନିକଟକୁ ଦୌଡ଼ି ଯାଇଥିଲେ। ଟିପଚିହ୍ନ ନେଇ ତୁରନ୍ତ ଚାଉଳ ଦେବା ବ୍ୟବସ୍ଥା କରିଥିଲେ। ବୃଦ୍ଧବୃଦ୍ଧା ତଥା ଦିବ୍ୟାଙ୍ଗ କ୍ଷେତ୍ରରେ ଘରେ ଭତ୍ତା ଓ ଚାଉଳ ନେଇ ଦେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ତୁଳସୀ ଏବଂ ଲିଙ୍ଗୁରଙ୍କ କ୍ଷେତ୍ରରେ ତାହାର ଖୋଲାଖୋଲି ଉଲ୍ଲଂଘନ ହୋଇଛି। ସ୍ଥାନୀୟ ପିଇଓ କହିଛନ୍ତି, ସରକାର ଘରେ ନେଇ ଚାଉଳ ଦେବାକୁ ବ୍ୟବସ୍ଥା କରିଛନ୍ତି। ଆଜିର ଘଟଣା ନିଶ୍ଚିତ ରୂପେ ଦୁର୍ଭାଗ୍ୟଜନକ। ଆସନ୍ତା ମାସଠାରୁ ସମସ୍ତ ବୃଦ୍ଧବୃଦ୍ଧାଙ୍କୁ ଚିହ୍ନଟ କରି ଘରେ ଚାଉଳ ଦେବା ବ୍ୟବସ୍ଥା କରିବୁ। ସେହିପରି ବିଡିଓ ପୀୟୂଷ ଲୋହର ମଧ୍ୟ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ଆସନ୍ତା ମାସଠାରୁ ଜଣେ ମଧ୍ୟ ବୃଦ୍ଧବୃଦ୍ଧାଙ୍କୁ ଚାଉଳ ନେବାକୁ ଆସିବାକୁ ପଡ଼ିବ ନାହିଁ ବୋଲି କହିଛନ୍ତି।