ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ବାଲିପଡ଼ିଆ ଗ୍ରାମର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ବୟସ ଏବେ ଶହେ ଟପିଛି। ଗତ ଫେବ୍ରୁଆରି ମାସରେ ସେ ୧୦୧ ବର୍ଷରେ ପଦାର୍ପଣ କରିଛନ୍ତି। ଏ ବୟସରେ ବି ସେ ଚଳଚଞ୍ଚଳ। ସ୍ବାଭାବିକ ଭାବେ ନିଜର ଦିନଚର୍ଯ୍ୟା କରୁଛନ୍ତି। ନିଜ ଘର ପିଣ୍ଡାରେ ବସିଥିବାବେଳେ ସେହି ବାଟ ଦେଇ ଯାଉଥିବା ଗାଁ ଲୋକଙ୍କୁ ଚିହ୍ନିବା ସହ ସେମାନଙ୍କ ସହ ଭଲମନ୍ଦ କଥା ହେଉଛନ୍ତି। ଶହେବର୍ଷରେ ପହଞ୍ଚିଥିଲେ ବି ଆପଣ ଏତେ ଚଳଚଞ୍ଚଳ କେମିତି ଅଛନ୍ତି ବୋଲି ପ୍ରଶ୍ନରେ ସେ କୁହନ୍ତି, ‘ ଏହା ମୋ ପାଇଁ ଈଶ୍ୱରଙ୍କ ଅବଦାନ ଓ ଆଶୀର୍ବାଦ। ମୋ ଚେହେରା ଖୁବ ପତଳା। ଆଦୌ ମୋଟାପଣ ନାହିଁ। ସେହିପରି ମୋ ଭିତରେ ଆଳସ୍ୟ ନାହିଁ। ମୋର ଇଚ୍ଛାଶକ୍ତିକୁ ମୁଁ ମୋ ଭିତରେ ବେଶ୍‌ ସୁଦୃଢ଼ କରିପାରିଛି। କୌଣସି ମାନସିକ ଦୁଶ୍ଚିନ୍ତାକୁ ମୁଁ ମୋ ଭିତରେ ଆଦୌ ପ୍ରଶ୍ରୟ ଦେଇନାହିଁ।’ ଏହା ହିଁ ମୋ ଦୀର୍ଘ ଜୀବନର ଅସଲ ରହସ୍ୟ ବୋଲି ସଂଗ୍ରାମୀ ଶ୍ରୀ ସାମଲ କୁହନ୍ତି।

Advertisment

publive-image

ଉଲ୍ଲେଖ‌ଯୋଗ୍ୟ ଯେ ଶ୍ରୀ ସାମଲ ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ କମିଟିର ସଭାପତି ଓ କେନ୍ଦ୍ର ସରକାରଙ୍କ ସଂଗ୍ରାମୀ କମିଟିର ସଦସ୍ୟ ଦାୟିତ୍ୱ ତୁଲାଇବା ସହ ଅନେକ ସମୟରେ ବିଭିନ୍ନ ସ୍ଥାନକୁ ଯାଉଛନ୍ତି। ସ୍ୱାଧୀନତା ସଂଗ୍ରାମରେ ମହତ୍ତ୍ୱପୂର୍ଣ୍ଣ ଅବଦାନ ପାଇଁ ସେ ରାଜ୍ୟ ପୁରସ୍କାର ସହିତ ତିନିତିନି ଥର ରାଷ୍ଟ୍ରପତିଙ୍କଠାରୁ ସମ୍ମାନିତ ହୋଇଛନ୍ତି। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ଆଶୀର୍ବାଦ କରୁଥିବାର ​ଫଟୋଚିତ୍ର ତାଙ୍କ ଘରେ ଶୋଭା ପାଉଛି।
-ଭକ୍ତଚରଣ ସାହୁ