ଗୋପବନ୍ଧୁ ଚୌଧୁରୀ ଓ ରମାଦେବୀଙ୍କ କନ୍ୟା ଥିଲେ ଅନ୍ନପୂର୍ଣ୍ଣା ମହାରଣା। ଶୈଶବରୁ ପିତା-ମାତାଙ୍କର ସଂଗ୍ରାମମୟ ଜୀବନର ଛିଟା ତାଙ୍କ ଉପରେ ପଡ଼ିଥିଲା। ତେର ବର୍ଷ ବୟସରୁ ଆରମ୍ଭ ହୋଇଥିଲା ଅନ୍ନପୂର୍ଣ୍ଣାଙ୍କ ସଂଗ୍ରାମୀ ଜୀବନ। ୧୯୩୪ରେ ଗାନ୍ଧୀଙ୍କ ହରିଜନ ପଦଯାତ୍ରାରେ ସହଯୋଗୀ ଥିଲେ। ହରିଜନ ସେବା, ନିଶା ନିବାରଣ, ମୌଳିକ ଶିକ୍ଷା, ଖଦି, ଗ୍ରାମ ସଫେଇ ଭଳି କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ। କୁଜଙ୍ଗ ଲବଣ ସତ୍ୟାଗ୍ରହ ଓ ଭାରତ ଛାଡ଼ ଆନ୍ଦୋଳନରେ ସାମିଲ ହୋଇ ଦୁଇ ବର୍ଷରୁ ଅଧିକ ସମୟ କାରାବରଣ କରିଥିଲେ। ସର୍ବୋଦୟ, ଭୂଦାନ ଓ ସମାଜ ସେବାରେ ଅନ୍ନପୂର୍ଣ୍ଣା ନିଜକୁ ସମର୍ପିତ କରିଥିଲେ। ବନ୍ୟା, ବାତ୍ୟା, ଦୁର୍ଭିକ୍ଷ ପ୍ରପୀଡ଼ିତଙ୍କ ସେବା ସହ ଛାତ୍ର ଆନ୍ଦୋଳନରେ ସାମିଲ ହୋଇ ବହୁ ସମସ୍ୟାର ସମାଧାନ କରିଥିଲେ। ପଛୁଆବର୍ଗ, ମହିଳା ଓ ଆଦିବାସୀଙ୍କ ସେବାକୁ ସେ ଗୁରୁତ୍ୱ ଦେଇଥିଲେ। ରାୟଗଡ଼ା ଜିଲ୍ଲା ଗୋପାଳବାଡ଼ିରେ ପ୍ରତିଷ୍ଠା କରିଥିଲେ ଆଦିବାସୀ ଛାତ୍ରୀନିବାସ; ଯାହା ଏବେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଶିକ୍ଷା ବିକାଶ କ୍ଷେତ୍ରରେ ଏକ ମାଇଲଖୁଣ୍ଟ। ସୃଜନଶୀଳତା କ୍ଷେତ୍ରରେ ତାଙ୍କର ସ୍ୱାକ୍ଷର ସ୍ୱତନ୍ତ୍ର। ନିର୍ଦିଷ୍ଟ ଶିକ୍ଷାଗତ ଯୋଗ୍ୟତା ନ ଥାଇ, ଅନୁଭବରୁ ଲେଖିଥିଲେ ‘ଦସ୍ୟୁ ହୃଦୟର ଦେବତା।’ ଗୀତା ପ୍ରବଚନ, ଭାଗବତ, ଧର୍ମସାର, ସ୍ଥିତପ୍ରଜ୍ଞ ଦର୍ଶନ, ନାରୀଶକ୍ତି, ଶାନ୍ତି ସେନା, ଦକ୍ଷିଣ ଆଫ୍ରିକା ସତ୍ୟାଗ୍ରହ, ହିନ୍ଦ ସ୍ୱରାଜ ଆଦି ତାଙ୍କର କେତେକ ମୂଲ୍ୟବାନ ପୁସ୍ତକ। ଆତ୍ମଚରିତ ‘ଅମୃତ ଅନୁଭବ’ ପାଇଁ ତାଙ୍କୁ ମିଳିଥିଲା ସାରଳା ପୁରସ୍କାର। ୧୯୧୭ ନଭେମ୍ବର୍ ଆଜିର ଦିନରେ ସେ ଜନ୍ମ ହୋଇଥିଲେ।
-ହିମାଂଶୁ ଶେଖର ଆଚାର୍ଯ୍ୟ,
ଫୋନ୍-୯୯୩୭୧୫୧୦୫୨
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/Arnapurna-Moharana..jpg)