ରୁଷିଆର ଡାଗେସ୍ତାନ ପ୍ରଦେଶର ଜଣେ ୬୯ ବର୍ଷୀୟ ପେନ୍‌ସନ୍‌ଭୋଗୀ ଅଢ଼େଇ ଘଣ୍ଟାରେ ନିଜର ଓଜନ ୧୧ କିଲୋଗ୍ରାମ୍ ହ୍ରାସ କରି ସବୁଠୁ ଦ୍ରୁତତମ ଓଜନହ୍ରାସକାରୀ ଭାବେ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି। ବାହାମା ଐଗୁବୋଭ ନାମକ ଏହି ବୃଦ୍ଧ ଜଣକ ୨୦୧୯ ମସିହାରେ ୫ ଘଣ୍ଟାରେ ୯.୩ କେ.ଜି. ଓଜନ ହରାଇ ରୁଷିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇଥିଲେ। ଏବେ ସେ ମଖାଚକଲାଠାରେ ଆୟୋଜିତ ଏକ ୨୧ କି.ମି. ଦୌଡ଼ ପ୍ରତିଯୋଗିତାରେ ନିଜର ପୁରୁଣା ରେକର୍ଡକୁ ନିଜେ ଭଙ୍ଗ କରିଛନ୍ତି। ତେବେ ତାଙ୍କର ଏହି ବିରଳ କୃତିତ୍ବ ଗିନିସ୍‌ ରେକର୍ଡରେ ସ୍ଥାନ ପାଇନାହିଁ। କାରଣ ଏଭଳି ଦ୍ରୁତ ଓଜନହ୍ରାସ ପରି ବିପଜ୍ଜନକ ପରୀକ୍ଷାନିରୀକ୍ଷାକୁ ଗିନିସ୍‌ ସଂସ୍ଥା ପ୍ରୋତ୍ସାହନ କରିନଥାଏ। ତେବେ ନିଜକୁ ବିଶ୍ବର ଦ୍ରୁତତମ ଓଜନହ୍ରାସକାରୀ ବୋଲି ଐଗୁବୋଭ ଦାବି କରନ୍ତି। ବିଗତ ସାଢ଼େ ତିନି ବର୍ଷ ଭିତରେ ଉଭୟ ଆମେରିକୀୟ ଓ ରୁଷୀୟମାନେ ଚେଷ୍ଟା କରି ମଧ୍ୟ ତାଙ୍କ ରେକର୍ଡକୁ ଭାଙ୍ଗି ପାରିନାହାନ୍ତି।

Advertisment

ଏପରିକି କିଛି ସମ୍ଭ୍ରାନ୍ତ ସୈନିକ ସମେତ ୨୫ ଜଣ ପ୍ରତିଯୋଗୀ ତାଙ୍କୁ ଟପିଯିବାକୁ ଉଦ୍ୟମ କରିଥିବା ବେ​ଳେ ସେମାନଙ୍କ ଭିତରୁ ଅଧିକାଂଶ ଶେଷରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଐଗୁବୋଭ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଅତୀତରେ ଜୁଡ଼ୋ, ସାମ୍ବୋ, ଗ୍ରିକୋ ରୋମାନୋ ଓ ଫ୍ରି-ଷ୍ଟାଇଲ୍‌ କୁସ୍ତିରେ ରୁଷିଆ, ୟୁରୋପ ଓ ଏପରିକି ବିଶ୍ବ ଚାମ୍ପିଆନ୍‌ ହୋଇଥିବା ଐଗୁବୋଭ୍‌ଙ୍କର ଏହିସବୁ ପ୍ରତିଯୋଗିତା ପାଇଁ ଓଜନ ହ୍ରାସ କରିବାର ଅଭିଜ୍ଞତା ରହିଛି। ଏପରିକି ଯୁବାବସ୍ଥାରେ ଏକ ଲଢ଼େଇ ପାଇଁ ତାଙ୍କୁ ଏକଦା ୧୭ କେ.ଜି. ଓଜନ କମ୍ କରିବାକୁ ପଡ଼ିଥିଲା।

ସୂଚନାଯୋଗ୍ୟ, ଜଣେ ସାଧାରଣ ବ୍ୟକ୍ତି ପାଣି ନପିଇ ଦୌଡ଼ିଲେ ମାତ୍ର ଦୁଇ କି.ମି. ପରେ ସେ ବେହୋସ ହୋଇଯିବାର ଆଶଙ୍କା ରହିଛି। କେବଳ ବୃତ୍ତିଗତ କ୍ରୀଡ଼ାବିତ୍‌ମାନେ ଆଗରୁ ଅଭ୍ୟାସ କରି ଦୌଡ଼ ବେଳେ ନିଜ ଶରୀରରୁ ଏପରି ଝାଳ ନିର୍ଗତ କରି ଓଜନ ହ୍ରାସ କରିପାରିଥା’ନ୍ତି।