ମାଟି, ପାଣି ଓ ଆକାଶ ପରି ବିଭିନ୍ନ ପରିସରର ପରିବେଶ ପ୍ରଦୂଷଣ ପାଇଁ ସମ୍ପ୍ରତି ପ୍ଲାଷ୍ଟିକ୍ ମୁଖ୍ୟ ପ୍ରଦୂଷଣକାରୀ ସାଜିଛି। ନଦୀ, ନାଳରେ ପ୍ଳାଷ୍ଟିକ୍ ଆବର୍ଜନା ସବୁ ଭାସି ଯାଇ ସମୁଦ୍ରରେ ପଡୁଛି। କାନାଡାର ଟରୋଣ୍ଟୋ ବିଶ୍ବବିଦ୍ୟାଳୟ ଓ ଅଷ୍ଟ୍ରେଲିଆର ଜାତୀୟ ବିଜ୍ଞାନ ସଂଗଠନ ‘ସିଏସ୍ଆଇଆର୍ଓ’ ଦ୍ବାରା କରାଯାଇଥିବା ଆକଳନ ଅନୁଯାୟୀ, ସମ୍ପ୍ରତି ସମୁଦ୍ର ଶଯ୍ୟାମାନଙ୍କରେ ୧୧ ନିୟୁତ ମେଟ୍ରିକ୍ ଟନ୍ ପରିମାଣର ପ୍ଳାଷ୍ଟିକ୍ ବର୍ଜ୍ୟ ଗଚ୍ଛିତ ହୋଇ ପଡ଼ି ରହିଛି। ଏଥି ଯୋଗୁଁ ଜଳଚର ପ୍ରାଣୀ ଓ ଉଦ୍ଭିଦଙ୍କ ପାଇଁ ବିପଦ ଲାଗି ରହିବା ସହ ସାମୁଦ୍ରିକ ଜୈବ ପ୍ରଣାଳୀ ପ୍ରତି ସାଂଘାତିକ ସଂକଟ ସୃଷ୍ଟି ହୋଇଛି। ତେଣୁ ଏହାର ତୁରନ୍ତ ପ୍ରତିକାର ପାଇଁ ବିଶ୍ବସ୍ତରରେ ପଦକ୍ଷେପ ନେବାକୁ ସେମାନେ ପରାମର୍ଶ କରିଛନ୍ତି।
ସେମାନଙ୍କ ଆକଳନ ଅନୁୟାୟୀ, ପ୍ରତି ମିନିଟ୍ରେ ସମୁଦ୍ର ପାଣିରେ ପ୍ରାୟ ଏକ ଟ୍ରକ୍ ଭର୍ତ୍ତି ପ୍ଳାଷ୍ଟିକ୍ ବର୍ଜ୍ୟ ମିଶିବାରେ ଲାଗିଛି। ଏହି ପରିମାଣ ଆସନ୍ତା ୨୦୪୦ ମସିହା ବେଳକୁ ଦୁଇଗୁଣା ହୋଇଯିବାର ଆଶଙ୍କା ରହିଛି। ସୁତରାଂ ସାମୁଦ୍ରିକ ଜୈବପ୍ରଣାଳୀ ଉପରେ ତାହାର ନକାରାତ୍ମକ ପ୍ରଭାବ କିପରି ପଡ଼ିବ, ତାହା ସହଜରେ ଅନୁମେୟ। ସମୁଦ୍ର ପାଣିରେ ମିଶୁଥିବା ଏହି ପ୍ଲାଷ୍ଟିକ୍ ଭିତରୁ ପ୍ରାୟ ଅଧା ଭାଗ ସମୁଦ୍ର ଜଳର ୨୦୦ ମିଟର ଗଭୀରତା ଉପରେ ରହିଯାଉଥିବା ବେଳେ ବାକିତକ ତାହା ତଳେ ଏବଂ ତାହାର ସିଂହଭାଗ ସମୁଦ୍ରଶଯ୍ୟାରେ ହିଁ ପଡ଼ି ରହୁଛି। ଅପରପକ୍ଷେ, ସମୁଦ୍ର ପାଣିରେ ଭାସୁଥିବା ପ୍ଳାଷ୍ଟିକ୍ ବର୍ଜ୍ୟ ତୁଳନାରେ ସମୁଦ୍ର ଶଯ୍ୟାରେ ପଡ଼ିରହିଥିବା ପ୍ଳାଷ୍ଟିକ୍ ଶହେଗୁଣା ଅଧିକ କ୍ଷତି ପହଞ୍ଚାଇବ ବୋଲି ସେମାନଙ୍କ ମତ। ତେଣୁ ପ୍ଳାଷ୍ଟିକ୍ ବ୍ୟବହାର କମାଇବା ସହ ସମୁଦ୍ର ଶଯ୍ୟାରେ ଠୁଳ ହେଉଥିବା ପ୍ଳାଷ୍ଟିକ୍ ବର୍ଜ୍ୟ କିପରି କମ୍ ରହିବ, ତା’ ଉପରେ ପ୍ରତ୍ୟେକ ରାଷ୍ଟ୍ର ପଦକ୍ଷେପ ନେବାକୁ ସେମାନେ ଗୁରୁତ୍ବାରୋପ କରିଛନ୍ତି।