ଭାରତରେ କର୍କଟ ରୋଗ ହାର ନିରନ୍ତର ବୃଦ୍ଧି ପାଇବା ସହ ପ୍ରତି ବର୍ଷ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଉଛି। ୨୦୧୫-୨୦୧୯ ମସିହା ମଧ୍ୟରେ ସଂଗୃହୀତ ୪୩ଟି ଜନସଂଖ୍ୟା-ଆଧାରିତ କର୍କଟ ରୋଗୀ ତାଲିକାର ଅଧ୍ୟୟନରୁ ଜଣାପଡ଼ିଛି, ପ୍ରତି ୧୦୦ ଜଣ ଭାରତୀୟଙ୍କ ମଧ୍ୟରୁ ୧୧ ଜଣଙ୍କ ଜୀବନର କୌଣସି ନା କୌଣସି ସମୟରେ କର୍କଟ ନିରୂପିତ ହୋଇପାରେ। କେବଳ ୨୦୨୪ ମସିହାରେ ଭାରତରେ ପ୍ରାୟ ୧୫.୬ ଲକ୍ଷ ନୂତନ କର୍କଟ ରୋଗୀ ଚିହ୍ନଟ ହେବା ସହ ଏଥିରେ ପ୍ରାୟ ୮.୭୪ ଲକ୍ଷ ଆକ୍ରାନ୍ତଙ୍କର ମୃତ୍ୟୁ ପଞ୍ଜୀକୃତ ହୋଇଛି। ଯଦିଓ ଏହି ରୋଗୀ ପଞ୍ଜୀକରଣ ତଥ୍ୟରେ ୨୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦%ରୁ ୧୮% ଜନସଂଖ୍ୟାକୁ ଅନ୍ତର୍ଭୁକ୍ତ କରାଯାଇଛି, ତେବେ ଏହା କର୍କଟ ରୋଗର ଶୈଳୀ, ମୃତ୍ୟୁହାର ଓ ଆଞ୍ଚଳିକ ତାରତମ୍ୟ ବିଷୟରେ ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଦୃଷ୍ଟି ପ୍ରଦାନ କରିଛି। ତଥ୍ୟ ଅନୁଯାୟୀ, ୫୧.୧% କର୍କଟ ମାମଲା ମହିଳାଙ୍କଠାରେ ଦେଖାଯାଇଛି। ତେବେ କର୍କଟ ପୀଡ଼ିତ ମହିଳାଙ୍କ ମୃତ୍ୟୁହାର ହେଉଛି ୪୫%, ଯାହା ପୁରୁଷଙ୍କ ତୁଳନାରେ କମ୍। ସେଥି ମଧ୍ୟରୁ ପ୍ରାୟ ୪୦% ମହିଳା ସ୍ତନ ଏବଂ ସର୍ଭାଇକାଲ୍ କର୍କଟରେ ପୀଡ଼ିତ, ଯାହାକୁ ପ୍ରାରମ୍ଭିକ ସ୍ତରରେ ଚିହ୍ନଟ କରି ଚିକିତ୍ସାର ଉତ୍ତମ ଫଳାଫଳ ପାଇବାର ସମ୍ଭାବନା ଅଧିକ। ସେହିପରି ପୁରୁଷମାନେ ସାଧାରଣତଃ ଫୁସ୍ଫୁସ୍ ଓ ପେଟ କର୍କଟ ରୋଗରେ ପୀଡ଼ିତ ହୁଅନ୍ତି, ଯାହାକୁ ପ୍ରାରମ୍ଭିକ ସ୍ତରରେ ଚିହ୍ନଟ କରିବା କଷ୍ଟକର। ବିଳମ୍ବିତ ରୋଗ ନିରୂପଣ ହିଁ ପୁରୁଷମାନଙ୍କ ମୃତ୍ୟୁହାରକୁ ଯଥେଷ୍ଟ ବୃଦ୍ଧି କରିଥାଏ।
୨୦୧୫-୨୦୧୯ ବର୍ଷକୁ ନେଇ ୪୩ଟି ଜନସଂଖ୍ୟା-ଆଧାରିତ କର୍କଟ ରୋଗ ତାଲିକାର ଅଧ୍ୟୟନରୁ ଜଣାପଡ଼ିଛି ଯେ ପ୍ରତି ୧୦୦ ଜଣ ଭାରତୀୟଙ୍କ ମଧ୍ୟରୁ ୧୧ ଜଣଙ୍କ ଜୀବନର କୌଣସି ନା କୌଣସି ସମୟରେ କର୍କଟ ନିରୂପିତ ହୋଇପାରେ।
ଆଶ୍ଚର୍ଯ୍ୟଜନକ ଭାବରେ, ତମାଖୁ ବ୍ୟବହାର ହ୍ରାସ ସତ୍ତ୍ୱେ ଭାରତରେ ପୁରୁଷମାନଙ୍କ ମଧ୍ୟରେ ଫୁସ୍ଫୁସ୍ କର୍କଟକୁ ପଛରେ ପକାଇ ମୁଖ କର୍କଟ ସବୁଠାରୁ ସାଧାରଣ କର୍କଟ ରୋଗରେ ପରିଣତ ହୋଇଛି। ଗ୍ଲୋବାଲ୍ ଆଡଲ୍ଟ ଟବାକୋ ସର୍ଭେ ଅନୁଯାୟୀ, ୨୦୦୯-୧୦ରେ ବୟସ୍କମାନଙ୍କ ମଧ୍ୟରେ ତମାଖୁ ସେବନ ୩୪.୬%ରୁ ହ୍ରାସ ପାଇ ୨୦୧୬-୧୭ରେ ୨୮.୬% ହୋଇଛି। ତଥାପି ମଦ୍ୟପାନ ଏବେ ମୁଖ କର୍କଟ ରୋଗ ବୃଦ୍ଧିର ମୁଖ୍ୟ କାରଣ ବୋଲି ଡାକ୍ତରମାନଙ୍କ ମତ। ମଦ୍ୟପାନ କେବଳ ଯକୃତ କର୍କଟ ନୁହେଁ, ବରଂ ମୁଖ, ଗଳା, ପେଟ ଓ କୋଲନ କର୍କଟର ଆଶଙ୍କା ମଧ୍ୟ ବୃଦ୍ଧି କରେ। ତମାଖୁ ଓ ମଦ୍ୟପାନର ମିଶ୍ରଣ ଏହି ବିପଦକୁ ଆହୁରି ତୀବ୍ର କରିଥାଏ। ଭାରତର ଉତ୍ତର-ପୂର୍ବ ରାଜ୍ୟର ମହିଳାଙ୍କ ମଧ୍ୟରେ ସର୍ବାଧିକ ସର୍ଭାଇକାଲ୍, ଫୁସ୍ଫୁସ୍ ଓ ମୁଖ କର୍କଟ ରୋଗ ଦେଖାଦେଉଥିବା ବେଳେ ଏହା ପଛରେ ଅନେକ ସାମାଜିକ-ସାଂସ୍କୃତିକ କାରଣ ରହିଛି। ମିଜୋରାମରେ ପୁରୁଷମାନଙ୍କ ମଧ୍ୟରେ ୨୧.୧% ଓ ମହିଳାଙ୍କ ମଧ୍ୟରେ ୧୮.୯% ପରି କର୍କଟ ରୋଗର ସର୍ବାଧିକ ବିପଦ ରହିଛି, ଯାହା ଜାତୀୟ ହାରାହାରିର ପ୍ରାୟ ଦୁଇଗୁଣ। ତେବେ ନିୟମିତ ସ୍କ୍ରିନିଂ, ଟିକାକରଣ, ଜନସଚେତନତା ଓ ଜୀବନଶୈଳୀରେ ପରିବର୍ତ୍ତନ ପରି ହସ୍ତକ୍ଷେପ ଦ୍ବାରା ଉଭୟ କର୍କଟ ରୋଗ ଏବଂ ମୃତ୍ୟୁହାରକୁ ଉଲ୍ଲେଖନୀୟ ଭାବରେ ହ୍ରାସ କରିପାରିବ ବୋଲି କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/10/sfhsfhhfxvvb-2025-09-10-01-36-41.jpg)