୧୧ବର୍ଷ ବୟସରେ କମାଲ୍‌ ଦେଖାଇଲେ ପାକିସ୍ତାନର ହମ୍ମାଦ୍‌ ସାଫି; ସାଫିଙ୍କ ମାୟାରେ ଏବେ ସମସ୍ତେ ବାୟା!

ପେଶାଓ୍ଵର: ସବୁ ବେଳେ ଅଶାନ୍ତି ଏବଂ କଳହ କରିବାକୁ ନେଇ ଚର୍ଚ୍ଚାରେ ରହୁଥିବା ପାକିସ୍ତାନ ଏବେ ଏକ ନୂଆ କଥା ପାଇଁ ଚର୍ଚ୍ଚାର ପରିସରକୁ ଆସିଛି । କମ ବୟସରେ ପ୍ରଫେସର ହୋଇ ଜଣେ ୧୧ବର୍ଷିୟ ବାଳକ ଇତିହାସ ସୃଷ୍ଟି କରିଛନ୍ତି । ୧୧ବର୍ଷିୟ ହମ୍ମାଦ୍‌ଙ୍କ କଥା ଶୁଣିବା ଏବଂ ତାଙ୍କ ଠାରୁ କିଛି ଶିଖିବା ପାଇଁ ହଜାର ହଜାର ଲୋକ ତାଙ୍କ ପାଖରେ ପହଞ୍ଚନ୍ତି । ହମ୍ମାଦ୍‌ଙ୍କ ଏପରି କାମ ପାକିସ୍ତାନ ପ୍ରତି ଲୋକମାନଙ୍କର ଥିବା ଚିନ୍ତାଧାରାକୁ ପରିବର୍ତ୍ତନ କରିବାରେ ଲାଗିଛି । ବଡ଼ ବଡ଼ ବିଶ୍ୱବିଦ୍ୟାଳୟକୁ ଯାଇ ହମ୍ମାଦ୍‌ ନିଜ ବୟସ ଠାରୁ ଅଧିକ ବୟସ୍କ ଲୋକାମାନଙ୍କୁ ପଢ଼ାଉଥିବା ବେଳେ ତାଙ୍କର ଅନେକ ଭିଡ଼ିଓ ୟୁ ଟ୍ୟୁବ୍‌ରେ ଭାଇରାଲ ହେବାରେ ଲାଗିଛି । ହମ୍ମାଦ୍‌ଙ୍କ ଆତ୍ମବିଶ୍ୱାସ ସମସ୍ତଙ୍କୁ ଅନୁପ୍ରାଣିତ କରୁଥିବା ବେଳେ ନିଜ ଠାରୁ ବଡ଼ ପିଲାମାନଙ୍କୁ ସେ ସ୍ପୋକନ୍‌ ଇଂରାଜି ପାଠ ପଢ଼ାଉଛନ୍ତି । କିପରି ସମସ୍ତେ ଭଲ ଭାବରେ ଇଂରାଜି କହି ପାରିବେ ସେ ନେଇ ୧୧ବର୍ଷିୟ ହମ୍ମାଦ୍‌ ଚେଷ୍ଟା ଚଳାଇଥିବା ଜଣା ପଡ଼ିଛି ।

bhaskar.com

ୟୁ ଟ୍ୟୁବ୍‌ରେ ତାଙ୍କର ଭିଡ଼ିଓ ଭାଇରାଲ ହେଉଥିବା ବେଳେ ଧୀରେ ଧୀରେ ତାଙ୍କର ସବ୍‌ସ୍କ୍ରାଇବର ସଂଖ୍ୟା ମଧ୍ୟ ବଢ଼ୁଥିବାର ଦେଖିବାକୁ ମିଳୁଛି । କିଛି ପିଲା ସୋସିଆଲ ମିଡ଼ିଆରେ ତାଙ୍କ ଭାଷଣ ଶୁଣି ନିଜ ଜୀବନର ବଞ୍ଚିବା ଶୈଳୀରେ ପରିବର୍ତ୍ତନ ଆଣିଥିବା ବେଳେ କିଛି ପିଲା ହମ୍ମାଦ୍‌ଙ୍କୁ ଭଗବାନଙ୍କ ଏକ ରୂପ ବୋଲି କହିଛନ୍ତି । ତାଙ୍କ ଭାଷଣ ଶୁଣିବା ପରେ ଯେ କେହି ବି ତାଙ୍କ ପ୍ରତି ଅନୁପ୍ରାଣିତ ହେବ ବୋଲି ତାଙ୍କ ଭିଡ଼ିଓ ଦେଖୁଥିବା ଦର୍ଶକ କହିବା ଆରମ୍ଭ କରିଛନ୍ତି । ବିଲାଲ ଖାନ୍‌ ନାମକ ଜଣେ ଯୁବକଙ୍କ ଚାକିରି ହେଉ ନଥିବାରୁ ସେ ଆତ୍ମହତ୍ୟା କରିବେ ବୋଲି ଭାବି ନେଇଥିଲେ । ଏହି ସମୟରେ ସେ ହମ୍ମାଦ୍‌ଙ୍କ ଭିଡ଼ିଓ ଦେଖିଥିଲେ । ଯାହା ତାଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ଆଣିଥିଲା । ଅନ୍ୟ ପକ୍ଷରେ ହମ୍ମାଦ୍‌ଙ୍କୁ ଇଂରାଜି ଶିଖାଇଥିବା ଶିକ୍ଷକଙ୍କ କହିବା ଅନୁଯାୟୀ ହମ୍ମାଦ୍‌୍‌ ସାରା ବିଶ୍ୱରେ ପାକିସ୍ତାନର ଏକ ସକରାତ୍ମକ ଛବି ସୃଷ୍ଟି କରିବା ଆରମ୍ଭ କରିଛନ୍ତି । ତାଙ୍କ କହିବା ଶୈଳୀରେ ହିଁ ଯାଦୁ ରହିଛି ।

ସମ୍ବନ୍ଧିତ ଖବର