ଯୁଦ୍ଧ ପରିସ୍ଥିତି ମଧ୍ୟରେ ଛୁଆର ଜୀବନ ବଞ୍ଚାଇବା ପାଇଁ ଏକାକି ଟ୍ରେନ ଯାତ୍ରାରେ ପଠାଇଲେ ମା’-ବାପା

ନୂଆଦିଲ୍ଲୀ: ରୁଷର ଆକ୍ରମଣ ପରେ ୟୁକ୍ରେନର ପରିସ୍ଥିତି ଅତ୍ୟନ୍ତ ଖରାପ ହୋଇପଡିଛି। ୟୁକ୍ରେନର ଅଧିକାଂଶ ଲୋକ ଭୟ ହେତୁ ଅନ୍ୟ ଦେଶରେ ଆଶ୍ରୟ ପାଇବା ଉଦ୍ଦେଶ୍ୟରେ ଚାଲି ଯାଉଛନ୍ତି। ଏହି କାରଣରୁ ଗତ କିଛି ଦିନ ମଧ୍ୟରେ ୧୦ଲକ୍ଷରୁ ଅଧିକ ଲୋକ ଶରଣାର୍ଥୀ ହୋଇଛନ୍ତି।

ୟୁକ୍ରେନରେ ରୁଷର ଯୁଦ୍ଧ ମଧ୍ୟରେ ଜଣେ ୧୧ବର୍ଷର ୟୁକ୍ରେନ ବାଳକର ଜୀବନ ବଞ୍ଚାଇବା ପାଇଁ ତାର ପିତା-ମାତା ଏକାକୀ ୧୦୦୦ କିଲୋମିଟର ଯାତ୍ରାରେ ଛାଡ଼ି ଦେଇଥିଲେ। ଏହି ଯାତ୍ରା ସମୟ ବାଳକ ଜଣକ ପାଖରେ ଥିଲା ଏକ ବ୍ୟାକପ୍ୟାକ୍, ତାର ମା’ଙ୍କ ନୋଟ୍ ଏବଂ ଏକ ଟେଲିଫୋନ୍ ନମ୍ବର ।

ବାଳକ ଜଣକ ଦକ୍ଷିଣ-ପୂର୍ବ ୟୁକ୍ରେନର ଜାପୋରିଜିଆର ବାସିନ୍ଦା। ଏହି ଅଞ୍ଚଳକୁ ରୁଷ ସେନା ଗତ ସପ୍ତାହରେ କାବୁ କରି ନେଇଥିଲା। ଅସୁସ୍ଥ ସମ୍ପର୍କୀୟଙ୍କ ଯତ୍ନ ନେବା ପାଇଁ ବାଳକଙ୍କ ପିତାମାତାଙ୍କୁ  ବାଧ୍ୟ ହୋଇ ୟୁକ୍ରେନରେ ହିଁ ରହିବାକୁ ପଡିଥିଲା। ‌ତେଣୁ ପୁଅର ଜୀବନ ବଞ୍ଚାଇବା ପାଇଁ ସମ୍ପର୍କୀୟଙ୍କ ଘରକୁ ପଠାଇ ଦେଇଥିଲେ ବାପା-ମା’।  ଏୖହାପରେ ୧୧ବର୍ଷର ‌ଛୋଟ ପିଲାର ଏହି କଷ୍ଟଦାୟକ ଯାତ୍ରା ଚର୍ଚ୍ଚାର ପରିସରକୁ ଆସିଛି। ଲୋକେ ପିଲାଟିର ସାହାସକୁ ପ୍ରଶଂସା କରୁଛନ୍ତି। ସ୍ଲୋଭାକିଆର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ଏକ ଫେସବୁକ୍ ପୋଷ୍ଟରେ ପିଲାର ନିଷ୍ଠା ଓ ସାହାସକୁ ଦେଖି ଗତକାଲିର ସବୁଠାରୁ ବଡ ହିରୋ ବୋଲି କହିଛି।

ରିପୋର୍ଟ ଅନୁଯାୟୀ, ମାଆ ପୁଅକୁ ସମ୍ପର୍କୀୟଙ୍କ ଘରେ ଛାଡ଼ିବା ପାଇଁ ଟ୍ରେନରେ ସ୍ଲୋଭାକିଆ ପଠାଇଥିଲେ। ଏହି ସମୟରେ ପୁଅ ହାତରେ ଏକ ପ୍ଲାଷ୍ଟିକ୍ ବ୍ୟାଗ୍, ପାସପୋର୍ଟ ଏବଂ ଏକ ନୋଟବୁକ ଆଉ ଫୋନ ନମ୍ବର ଧରାଇଥିଲେ। ଯେତେବେଳେ ବାଳକ ସ୍ଲୋଭାକିଆରେ ପହଞ୍ଚିଲା ଉକ୍ତ ନୋଟ ଓ ଫୋନ ନମ୍ବର ଜରିଆରେ ସୀମା ଅଧିକାରୀମାନେ ରାଜଧାନୀ ବ୍ରାତିସଲାଭାରେ ତାର ସମ୍ପର୍କୀୟଙ୍କ ସହ ଯୋଗାଯୋଗ କରିବାରେ ସକ୍ଷମ ହୋଇଥିଲେ।

ପିଲାଟିର ମାଆ ସ୍ଲୋଭାକିଆ ସରକାର ଏବଂ ପୁଲିସକୁ ପୁଅର ଯତ୍ନ ନେଇଥିବାରୁ ଧନ୍ୟବାଦ ଜଣାଇ ଏକ ବାର୍ତ୍ତା ପଠାଇଥିଲେ ।

ସମ୍ବନ୍ଧିତ ଖବର