ଉତ୍ତରପ୍ରଦେଶର ମିରଠ ସ୍ଥିତ ଏକ ମିଠା ଦୋକାନ ଦ୍ବାରା ପ୍ରସ୍ତୁତ ଏକ ବିଶାଳକାୟ ସିଙ୍ଗଡ଼ା ଏବେ ଚର୍ଚ୍ଚାର ବିଷୟ ହୋଇଛି। ‘ବାହୁବଳୀ’ ନାମକ ଏହି ୧୨ କିଲୋଗ୍ରାମ୍ ଓଜନର ତଥା ୧,୧୦୦ ଟଙ୍କା ମୂଲ୍ୟର ସିଙ୍ଗଡ଼ାକୁ କୌଣସି ଗ୍ରାହକ ୩୦ ମିନିଟ୍‌ ଭିତରେ ଖାଇ ଶେଷ କରିଦେଲେ ତାଙ୍କୁ ୭୧,୦୦୦ ଟଙ୍କା ପୁରସ୍କାର ଦିଆଯିବ ବୋଲି ଦୋକାନ ପକ୍ଷରୁ ଘୋଷଣା କରାଯାଇଛି। ଏହାଦ୍ବାରା ଗ୍ରାହକଙ୍କ ଭିତରେ ଉଭୟ କୌତୂହଳ ଓ ଆହ୍ବାନ ସୃଷ୍ଟି ସହ ନୂଆ ନୂଆ ଉପଭୋକ୍ତାଙ୍କୁ ମଧ୍ୟ ଆକର୍ଷିତ କରାଯାଇପାରିବ ବୋଲି ଉକ୍ତ ମିଠାଦୋକାନର ମାଲିକ ଶୁଭମ୍‌ କୌଶଲ ଆଶା ରଖିଛନ୍ତି। ତେବେ ଏଯାଏ କୌଣସି ଗ୍ରାହକ ପୁରସ୍କାର ରାଶି ହାସଲ କରିବାରେ ସଫଳ ହୋଇନାହାନ୍ତି। ସର୍ବଶ୍ରେଷ୍ଠ ଉଦ୍ୟମ କରିଥିବା ଜଣେ ଗ୍ରାହକ ୨୫ ମିନିଟ୍‌ରେ ସିଙ୍ଗଡ଼ାର ୯ କେଜି ଅଂଶ ଖାଇପାରିଛନ୍ତି ବୋଲି ଶୁଭମ୍‌ କହିଛନ୍ତି। ତେବେ ଆଗକୁ କେହି ନା କେହି ତାଙ୍କ ଆହ୍ବାନକୁ ନିଶ୍ଚିତ କରିପାରିବେ ବୋଲି ସେ ଆଶବାଦୀ ଅଛନ୍ତି। ଏଭଳି ଏକ କଷ୍ଟକର ପ୍ରତିଯୋଗିତାରେ ଭାଗନେବା ପାଇଁ ନହେଉ ପଛକେ, ଶୁଭମ୍‌ଙ୍କ ଏହି ସିଙ୍ଗଡ଼ା ଦେଖିବାକୁ ତାଙ୍କ ଦୋକାନରେ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି। ତେବେ ଶୁଭମ୍‌ ପ୍ରଥମ ଥର ପାଇଁ ଏପରି ‘ବାହୁବଳୀ’ ସିଙ୍ଗଡ଼ା ପ୍ରଦର୍ଶନ କରିନାହାନ୍ତି। ସେ ଗତବର୍ଷ ସମାନ ୧,୧୦୦ ଟଙ୍କା ମୂଲ୍ୟର ୮ କେଜି ଓଜନର ଅନୁରୂପ ସିଙ୍ଗଡ଼ା ଛାଡ଼ି ଯୋଗ୍ୟ ଖାଦକ ଗ୍ରାହକଙ୍କ ପାଇଁ ପୁରସ୍କାର ରାଶି ୫୧,୦୦୦ ଟଙ୍କା ରଖିଥିଲେ। ତେବେ ୩୦ ଜଣ ଖାଇଲା ପରି ଉକ୍ତ ସିଙ୍ଗଡ଼ାକୁ କେହି ଜଣେ ଖାଇ ପୁରସ୍କାର ଜିଣିଥିଲେ। ଏଥିରେ ଉତ୍ସାହିତ ହୋଇ ଶୁଭମ୍‌ ‘ବାହୁବଳୀ’ର କଳେବରକୁ ଏ ବର୍ଷ ଦେଢ଼ଗୁଣ ବଡ଼ କରିଦେଇଥିବା ଜଣାପଡ଼ିଛି।

Advertisment