ଲକ୍‌ଡାଉନ୍‌ରେ ସ୍କୁଲ୍‌ ବନ୍ଦ ହୋଇଯିବା ପରେ ପଡ଼ୋଶୀ ପିଲାଙ୍କୁ ଶିକ୍ଷାଦାନ ଦେଇ ଚର୍ଚ୍ଚାରେ ୧୨ ବର୍ଷୀୟା ନାବାଳିକା

କାଇରୋ: କରୋନା ମହାମାରୀ ପାଇଁ ଦେଶରେ ସ୍କୁଲ୍‌ ବନ୍ଦ ହୋଇଯିବା ପରେ ପଡ଼ୋଶୀମାନଙ୍କୁ ପାଠ ପଢ଼ାଇ ଚର୍ଚ୍ଚା ପାଲଟିଛନ୍ତି ମିଶରର ଜଣେ ୧୨ ବର୍ଷୀୟା ନାବାଳିକା। ଉତ୍ତର ଡାକାଲିଆ ପ୍ରଦେଶର ଏକ ଅଣଓସାରିଆ ଗାଁ ରାସ୍ତାରେ ଛାତ୍ରମାନଙ୍କୁ ଶିକ୍ଷା ଦେବା ଆରମ୍ଭ କରି ସେ ଏବେ ଅନେକଙ୍କୁ ପ୍ରେରିତ କରିଛନ୍ତି। ଏହି କୁନି ଶିକ୍ଷୟିତ୍ରୀଙ୍କ ନାଁ ରିମ୍‌ ଏଲ୍‌ ଖୌଲି। ସେ କାଇରୋର ଉତ୍ତର-ପୂର୍ବରେ ପ୍ରାୟ ୮୦ କିଲୋମିଟର ଦୂରରେ ଥିବା ଅତିମିଡାରେ ପ୍ରାୟ ୩୦ ଜଣ ପିଲାଙ୍କୁ ଶିକ୍ଷା ଦେଇ ସୁନାମ ଅର୍ଜନ କରିଛନ୍ତି।

ସେ ନିଜର ଏହି ମହାନ କାର୍ଯ୍ୟ ବିଷୟରେ ମତ ରଖି କୁହନ୍ତି କି ‘ମୁଁ ଭାବିଲି ଯେ ସେମାନେ ରାସ୍ତାରେ ଖେଳିବା ପରିବର୍ତ୍ତେ ମୁଁ ସେମାନଙ୍କୁ ସେଇଠା‌ରେ ହିଁ ଶିକ୍ଷା ‌ଦେଇଦେବି। ମୁଁ ସକାଳେ ଉଠେ, ପ୍ରାର୍ଥନା କରେ ଏବଂ ମୁଁ ସେମାନଙ୍କୁ କ୍ଲାସ ଆରମ୍ଭ କରିବାକୁ ଡାକେ। ସେମାନେ ଆସିବା ପରେ ମୁଁ ସେମାନଙ୍କୁ ଆରବୀ, ଗଣିତ, ଧର୍ମ ଏବଂ ଇଂରାଜୀ ବିଷୟରେ ଶିକ୍ଷା ଦିଏ।’

ରିମ୍‌ ପ୍ରଥମେ ତାଙ୍କ ନୋଟ୍‌ବୁକ୍‌ରୁ ଶିକ୍ଷାଦାନ କରିବା ଆରମ୍ଭ କରିଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ ତାଙ୍କୁ ଏକ କଳାପଟା ଓ ଚକ୍‌ ଖଡ଼ି ପ୍ରଦାନ କରାଯାଇଥିଲା। ଧୀରେ ଧୀରେ ତାଙ୍କ ବିଷୟରେ ସେହି ଅଞ୍ଚଳରେ ପ୍ରଘଟ ହୋଇଯିବା ପରେ ଏକ ସ୍ଥାନୀୟ କମ୍ପାନି ରିମ୍‌ଙ୍କୁ ଧଳାପଟା ଓ ମାର୍କର ପ୍ରଦାନ କରିଥିବା ଜାଣିବାକୁ ମିଳିଛି।

ତାଙ୍କ ପାଠ ପଢ଼ା ଶୈଳୀକୁ ଛାତ୍ରଛାତ୍ରୀମାନେ ବେଶ୍‌ ପସନ୍ଦ କରୁଛନ୍ତି। ଏପରିକି ସେମାନଙ୍କ କହିବା କଥା ହେଲା ରିମ୍‌ ଯେପରି ଭାବେ ପଢ଼ାଉଛନ୍ତି ତାହା ଜୀବନ ଯାକ ଭୁଲି ହେବ ନାହିଁ।

ସମ୍ବନ୍ଧିତ ଖବର