ସପ୍ତମ ଶ୍ରେଣୀରେ ପାଠପଢ଼ୁଥିବା ଛାତ୍ରୀ ସ୍କୁଲରେ ପାଉଁରୁଟି ବିକ୍ରି କରି କିଣିଲେ ଆଇଫୋନ

ନୂଆଦିଲ୍ଲୀ: ଦୁବାଇରେ ଜଣେ ଭାରତୀୟ ବ୍ୟକ୍ତିଙ୍କ ୧୨ବର୍ଷର ଝିଅ ନିଜ ରୋଜଗାରରେ ଆଇଫୋନ ୧୪ କିଣିଥିବା ଘଟଣା ସାମ୍ନାକୁ ଆସିଛି। ସପ୍ତମ ଶ୍ରେଣୀରେ ପାଠପଢ଼ୁଥିବା ବିୟାଙ୍କା ଜେମି ବାରିୟାବା ନିଜେ ପ୍ରସ୍ତୁତ କରୁଥିବା ପାଉଁରୁଟିକୁ ସ୍କୁଲରେ ବିକ୍ରି କରୁଥିଲେ। ପାଉଁରୁଟି ବିକ୍ରି କରି ସେ ଯେତିକି ଟଙ୍କା ପ୍ରାପ୍ତ କରୁଥିଲେ ତାହାକୁ ସେ ସଞ୍ଚୟ କରି ରଖୁଥିଲେ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବ ବିୟାଙ୍କା ପାଉଁରୁଟି ବିକ୍ରି କରି ୬ସପ୍ତାହ ମଧ୍ୟରେ ୬୭ହଜାର ୩୬୨ଟଙ୍କା ରୋଜଗାର କରି ପାରିଥିଲେ। ଏହି ଟଙ୍କାରେ ସେ ନିକଟରେ ଏକ ଆଇଫୋନ କିଣିଛନ୍ତି।

ସୂଚନାଯୋଗ୍ୟ, ବିୟାଙ୍କାଙ୍କୁ ଆଇଫୋନ ଖବୁ ପସନ୍ଦ ଥିଲା। ସେ ଆଇଫୋନ ୧୪କୁ ତାଙ୍କ ପାଖରେ ରଖିବାକୁ ଚାହୁଁଥିଲେ। ବିୟାଙ୍କାଙ୍କ ବାପା ଓ ମା’ଙ୍କ ପାଖରେ ସେତିକି ଟଙ୍କା ବି ନଥିଲା କି ସେମାନେ ତାଙ୍କ ଝିଅକୁ ଏତେ ମହଙ୍ଗା ଫୋନ କିଣିକି ଦେଇ ପାରିବେ। କିନ୍ତୁ ବିୟାଙ୍କା ମନେମନେ ସ୍ଥିର କରି ସାରିଥିଲେ କି  ଯେମିତି ହେଲେ ବି ସେ ଫୋନ କିଣିବେ।
ଦିନେ ବିୟଙ୍କାଙ୍କ ମା’ ଜେମିନି ୱାରିୟାୱା ସ୍କୁଲ ଯାଉଥିବା ବେଳେ ଟିଫିନରେ ପାଉଁରୁଟି ଦେଇଥିଲେ। ସ୍କୁଲରେ ଯେତେବେଳେ ସେ ତାଙ୍କ ସାଙ୍ଗମାନଙ୍କୁ ତାଙ୍କ ମା’ଙ୍କ ହାତ ତିଆରି ପାଉଁରୁଟି ଖାଇବାକୁ ଦେଇଥିଲେ, ସମସ୍ତଙ୍କୁ ଖୁବ ପସନ୍ଦ କରିଥଲେ। ସେମାନେ ବିୟଙ୍କାଙ୍କୁ ଏହି ପାଉଁରୁଟିକୁ ପୁଣି ଆଣିବାକୁ କହିଥିଲେ।

ଏମିତି କିଛିଦିନ ଚାଲିବା ପରେ ବିୟାଙ୍କା ମନେମନେ ଏକ ଉପାୟ ପାଛଞ୍ଚିଥିଲେ। ସେ ଚିନ୍ତା କରିଥିଲେ ଏହି ପାଉଁରୁଟି ତିଆରି କରି ସ୍କୁଲରେ ବିକ୍ରି କଲେ ଭଲ ଦୁଇ ପଇସା ରୋଜଗାର ହୋଇ ପାରନ୍ତା। ବିୟାଙ୍କାଙ୍କ ବାପା-ମା’ ଦୁହେଁ ଏକ ପାଞ୍ଚ ତାରକା ହୋଟେଲରେ ବେକେରି ବିଭାଗରେ କାମ କରନ୍ତି। ତେଣୁ ସେ ଅନେକ ସମୟରେ ତାଙ୍କ ବାପା-ମା’ଙ୍କୁ ବେକେରି ତିଆରି କରୁଥିବା ଦେଖିଛନ୍ତି। ଏହିଠାରୁ ସେ ପାଉଁରୁଟି ପ୍ରସ୍ତୁତ କରିବା ବି ଶି୍ଖିଥିଲେ।

ବିୟାଙ୍କା ଏକଥାକୁ ବାପା ଓ ମା’ଙ୍କ ସହିତ ଆଲୋଚନା କରିବା ପରେ ସେମାନେ ବି ଝିଅକୁ ସମର୍ଥନ କରିଥିଲେ। ବିୟାଙ୍କା ବାପାଙ୍କ ଠାରୁ ୨ହଜାର ୨୪୫ଟଙ୍କା ଆଣି ପାଉଁରୁଟି ପ୍ରସ୍ତୁତି କରି ସ୍କୁଲରେ ବିକ୍ରି କରିଥିଲେ। ପ୍ରଥମେ ପ୍ରଥମେ ବିୟାଙ୍କାଙ୍କ ଏଭଳି କାମ ପାଇଁ କିଛି ପିଲା ତାଙ୍କ ମଜାକ ଉଡାଇଥିଲେ। କିନ୍ତୁ ଦେଖୁଦେଖୁ ବିୟାଙ୍କାଙ୍କ ଏହି ପାଉଁରୁଟିର ଚାହିଦା ବଢ଼ିବାକୁ ଲାଗି ଥିଲା। ବିୟାଙ୍କାଙ୍କ ସ୍କୁଲରେ ହାତ ତିଆରି ପାଉଁରୁଟି ବିକ୍ରି କରି ଆଇଫୋନ ୧୪କୁ କିଣି ନିଜର ସ୍ବପ୍ନକୁ ପୁରା କରିଥିଲେ।

ସମ୍ବନ୍ଧିତ ଖବର