ଜାପାନରେ ଏକ ରେସ୍ତୋରାଁ ଖୋଲିଥିବା ଆୟରଲାଣ୍ଡ୍‌ ବାସିନ୍ଦା ଆଲାନ୍‌ ଫିସର ନିକଟରେ ରୋଷେଇ ସଂକ୍ରାନ୍ତ ଦୁଇଟି ଗିନିସ୍‌ ବିଶ୍ବ ରେକର୍ଡ ଭାଙ୍ଗିଛନ୍ତି। ପ୍ରଥମଟିରେ ସେ ବ୍ୟକ୍ତିଗତ ଭାବେ ଦୀର୍ଘ ୧୧୯ ଘଣ୍ଟା ୫୭ ମିନିଟ୍‌ ଲଗାତାର ରୋଷେଇ କରି ଦୀର୍ଘତମ ରୋଷେଇ ମାରାଥନର ବିଶ୍ବ ରେକର୍ଡ ହାସଲ କରିଛନ୍ତି। ପୂର୍ବରୁ ନାଇଜେରୀୟ ସେଫ୍‌ ହିଲଡା ବାସିଙ୍କ ନାମରେ ଏହି ରେକର୍ଡ ଥିଲା, ଯିଏ ଫିସରଙ୍କ ଠାରୁ ୨୪ ଘଣ୍ଟା କମ୍‌ ସମୟ ରୋଷେଇ କରିଥିଲେ।

Advertisment

ସେହିପରି ଫିସର ଦୀର୍ଘ ୪୭ ଘଣ୍ଟା ୨୧ ମିନିଟ୍‌ ଧରି ଲଗାତାର କେକ୍‌ ପ୍ରସ୍ତୁତ କରି ବେକିଂ ମାରାଥନ୍‌ ରେକର୍ଡ ହାସଲ କରିଛନ୍ତି। ତେବେ ସବୁଠୁ ମଜାଦାର କଥାଟି ହେଉଛି, ଫିସର ଲଗାତାର ଭାବେ ଦୁଇଟି ଯାକ ରେକର୍ଡ ହାସଲ କରିପାରିଛନ୍ତି। ଅର୍ଥାତ୍‌ ସେ ଏକାଦିକ୍ରମେ ୧୬୦ ଘଣ୍ଟାରୁ ଅଧିକ ସମୟ ରୋଷଶାଳାରେ ହିଁ ବିତାଇଥିଲେ। ଏପରି ଭାବେ ଦୀର୍ଘ ୯ ଦିନର ରୋଷେଇରେ ସେ ୩୫୭ କେ.ଜି. ଓଜନର କେକ୍‌ ଓ ୫୯୦ କେ.ଜି. ଓଜନର ଅନ୍ୟାନ୍ୟ ଖାଦ୍ୟ (୩୨ ପ୍ରକାର ବ୍ୟଞ୍ଜନ ସମ୍ବଳିତ) ପ୍ରସ୍ତୁତ କରିଥିଲେ। ତାଙ୍କର ଏହି ମାରାଥନ ରୋଷେଇ ବେଳେ ତାଙ୍କୁ ଏକାକୀ ପ୍ରାୟ ତିନି କ୍ବିଣ୍ଟାଲ ଆଳୁରୁ ଚୋପା ଛଡ଼ାଇବାକୁ ପଡ଼ିଥିଲା। ସେହିପରି ସେ ନିଜ ହାତରେ ଆବଶ୍ୟକ ପରିମାଣର ଅଟା ଦଳିଥିଲେ।