ଯନ୍ତ୍ରଣା ହେଲେ ପେନ୍‌କିଲର ଖାଇ ଦେଉଥିଲେ ୧୩ ବର୍ଷୀୟା ନାବାଳିକା, ୬ମାସ ପରେ ଶରୀରରେ ଦେଖାଗଲା ଏଭଳି ସମସ୍ୟା

ଇନ୍ଦୋର : ଆଖିରେ ଯନ୍ତ୍ରଣା ହେବା ସମୟରେ ଡ଼ାକ୍ତରଙ୍କୁ ନ ଦେଖାଇ ପେନ୍‌କିଲର ଖାଇ ଦେଉଥିଲେ ୧୩ ବର୍ଷୀୟା ନାବାଳିକା । ୬ମାସ ମଧ୍ୟରେ ଅନେକ ଥର ଏପରି କରିବା ପରେ ଯାହା ଘଟିଥିଲା, ତାହାକୁ ନେଇ ଏବେ ପରିବାର ଲୋକେ ଚିନ୍ତାରେ ପଡ଼ି ଯାଇଥିଲେ । ଧୀରେ ଧୀରେ ଦୃଷ୍ଟିଶକ୍ତି କମିବାକୁ ଲାଗିବା ପରେ ନାବାଳିକାଙ୍କୁ ପରିବାର ଲୋକେ ଡ଼ାକ୍ତରଖାନା ନେଇଥିଲେ । କିନ୍ତୁ ସେତେବେଳକୁ ସବୁ କିଛି ସରି ଯାଇଥିଲା । ପରୀକ୍ଷା କରାଯିବା ପରେ ପୀଡ଼ିତାଙ୍କ ହୃଦୟର ଆକାର ବଢ଼ି ଯାଇଥିବା ସହ ସେଥିରେ ପାଣି ଭରି ଯାଇଥିବା ଦେଖିଥିଲେ ଡ଼ାକ୍ତର । ପରୀକ୍ଷା ପରେ ପୀଡ଼ିତା ଭାସ୍କ୍ୟୁଲିଟିସ୍‌ ରୋଗରେ ପୀଡ଼ିତ ବୋଲି ଡ଼ାକ୍ତର ପରିବାର ଲୋକଙ୍କୁ ଜଣାଇଥିଲେ ।

ରବିବାର ଡ଼ାକ୍ତର ସୌରଭ ଭାସ୍କ୍ୟୁଲିଟିସ୍‌ ଏବଂ ରିହୁମାଟୋଲୋଜିକୁ ନେଇ ଆୟୋଜନ କରାଯାଇଥିବା ଏକ କନଫରେନ୍ସରେ ସମସ୍ତଙ୍କୁ ଏହି ଘଟଣା ବିଷୟରେ ଜଣାଇ ସଚେତନ କରିଥିଲେ । ସାମାନ୍ୟ ଜିନିଷ ପାଇଁ ପେନ୍‌କିଲର ନେବା ଶରୀର ପାଇଁ କେତେ ହାନିକାରକ ହୋଇପାରେ ସେ ବିଷୟରେ ଉପସ୍ଥିତ ଲୋକଙ୍କୁ ଜଣାଇଥିଲେ ଡ଼ାକ୍ତର ସୌରଭ । ୧୩ବର୍ଷୀୟା ନାବାଳିକାଙ୍କୁ ଠିକ୍‌ ସମୟରେ ଡ଼ାକ୍ତରଖାନା ଅଣା ନ ଯାଇଥିଲେ, ତାହାର କୁପରିଣାମ ପରିବାର ଲୋକଙ୍କୁ ଭୋଗିବାକୁ ପଡ଼ିଥାନ୍ତା । ନାବାଳିକାଙ୍କ ସମସ୍ୟା ବିଷୟରେ ଜଣା ପଡ଼ିବା ପରେ ତାହାର ତୁରନ୍ତ ଚିକିତ୍ସା କରାଯାଇଥିଲା, ଯାହା ପରେ ତାଙ୍କ ଜୀବନ ବଞ୍ଚା ଯାଇ ପାରିଥିଲା ।

ସମ୍ବନ୍ଧିତ ଖବର