୧୩୦ବର୍ଷର କୁମ୍ଭୀରର ଅନ୍ତିମ ସଂସ୍କାରରେ ସାମିଲ ହେଲେ ୫୦୦ରୁ ଊର୍ଧ୍ୱ ଲୋକ, ପୂରା ଗାଁ କାନ୍ଦବୋବାଳିରେ ଫାଟି ପଡ଼ିଲା

କୁମ୍ଭୀର ଖାଉଥିଲା ଡାଲି ଓ ଚାଉଳ, ନାମ ଥିଲା ଗଙ୍ଗାରାମ

ବେମେତରା : ଛତିଶଗଡ଼ର ବେମେତରା ଜିଲ୍ଲାର ବଓ୍ଵାମୋହତରା ଗ୍ରାମରେ ମଙ୍ଗଳବାର ଏକ କୁମ୍ଭୀରର ମୃତ୍ୟୁ ହୋଇଥିଲା। ଏହି କୁମ୍ଭୀର ଅନ୍ତିମ ସଂସ୍କାରରେ ୫୦୦ରୁ ଊର୍ଧ୍ୱ ଲୋକ ସାମିଲ ହୋଇଥିବା ଜଣାପଡ଼ିଛି। ବନ ବିଭାଗର କହିବାନୁସାରେ, ଏହି କୁମ୍ଭୀରର ବୟସ ପାଖାପାଖି ୧୩୦ବର୍ଷ ହେବ। ଏହାର ଲମ୍ବ ତିନି ମିଟରରୁ ଅଧିକ । ଗ୍ରାମବାସୀ କୁମ୍ଭୀର ନାମ ‘ଗଙ୍ଗାରାମ’ ରଖିଥିଲେ। ମୃତ୍ୟୁ ପରେ ଗଙ୍ଗାରାମକୁ ବଓ୍ଵାମୋହତରା ଗ୍ରାମରେ ସମାଧି ଦିଆଯାଇଥିଲା।

ଗତ ମଙ୍ଗଳବାର ସକାଳେ କିଛି ଗ୍ରାମବାସୀ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ଗଙ୍ଗାରାମ ହଲଚଲ ନହୋଇ ପାଣି ଉପରେ ଭାସୁଥିବା ଦେଖିବାକୁ ପାଇଥିଲେ। କିଛି ସମୟରେ ପରେ ଗ୍ରାମବାସୀ ଏକାଠି ହୋଇ କୁମ୍ଭୀରକୁ ପାଣି ଭିତରୁ ବାହାରକୁ ଆଣିଥିଲେ। ବନବିଭାଗ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି କୁମ୍ଭୀରକୁ ପରୀକ୍ଷା କରିବା ପରେ ଗଙ୍ଗାରାମ ମୃତ ବୋଲି ଘୋଷଣା କରିଥିଲେ।

ଗଙ୍ଗାରାମ ମୃତ୍ୟୁ ଖବର ପ୍ରଘଟ ହେବାପରେ ଗ୍ରାମବାସୀ କୁମ୍ଭୀରକୁ ଧରି ଭୋ ଭୋ ହୋଇ କାନ୍ଦିବାକୁ ଲାଗିଥିଲେ। ଗ୍ରାମବାସୀଙ୍କ ଉପସ୍ଥିତିରେ କୁମ୍ଭୀରର ବ୍ୟବଚ୍ଛେଦ ହୋଇଥିଲା। ଏହି ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା କି କୁମ୍ଭୀର ମୃତ୍ୟୁ ପ୍ରାକୃତିକ କାରଣ ହେତୁ ହୋଇଥିଲା। ଗ୍ରାମବାସୀ ସମ୍ମାନ ସହକାରେ କୁମ୍ଭୀର ଗଙ୍ଗାରାମକୁ ଫୁଲ ଓ ସିନ୍ଦୁରରେ ସଜାଇ ଅନ୍ତିମ ସଂସ୍କାର କରିଥିଲେ।

ଗ୍ରାମରେ ବସବାସ କରୁଥିବା ବସାଓ୍ଵନ ନାମକ ଜଣେ ବ୍ୟକ୍ତିଙ୍କ କହିବାନୁସାରେ, ଗଙ୍ଗାରାମ ଏକ କୁମ୍ଭୀର ନଥିଲା, ସେ ଗ୍ରାମବାସୀଙ୍କ ସାଥୀ ଥିଲା। ପୋଖରୀରେ ତା’ ପାଖ ଦେଇ ପିଲାମାନେ ଗାଧୋଉ ଥିଲେ ବି ସେ କାହାରି କିଛି ଏଯାତବ୍‌ କ୍ଷତି କରି ନଥିଲା। ଗ୍ରାମବାସୀ ଏହି କୁମ୍ଭୀରକୁ ଦେବତା ମାନି ପୂଜା ବି କରୁଥିଲେ।

ସମ୍ବନ୍ଧିତ ଖବର