ବିଶ୍ୱରେ ପ୍ରଦୂଷଣ କରୁଥିବା ୧୫ ପ୍ରମୁଖ ସହର ମଧ୍ୟରେ ଭାରତର ୧୪ଟି ସହର!

ପରିବେଶକୁ ସଫାସୁତୁରା ରଖିବା ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏପରିକି ସ୍କୁଲ, କଲେଜ ଠାରୁ ଆରମ୍ଭ କରି ବିଭିନ୍ନ ଅନୁଷ୍ଠାନମାନ ପ୍ରତିବର୍ଷ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ମାଧ୍ୟମରେ ପରିବେଶକୁ ସଫାସୁତୁରା ରଖିବା ପାଇଁ ସଚେତନତା କାର୍ଯ୍ୟକ୍ରମ କରୁଛନ୍ତି। ଏସବୁ ସତ୍ତ୍ୱେ ମଧ୍ୟ ଦେଶରେ ପ୍ରଦୂଷଣର ମାତ୍ରା ବଢ଼ିବାରେ ଲାଗିଛି। ଯାହା ଏବେ ଚିନ୍ତାର କାରଣ ପାଲଟିଛି।

ଦିନକୁ ଦିନ ଭାରତର ପ୍ରମୂଖ ସହରଗୁଡ଼ିକରେ ପ୍ରଦୂଷଣର ମାତ୍ରା ବଢ଼ିବାରେ ଲାଗିଛି। ଯେଉଁଥି ପାଇଁ ଦେଶର ପ୍ରମୂଖ ସ୍ମାର୍ଟ ସିଟି ବୋଲାଉଥିବା ସହରଙ୍କ ପାଇଁ ଏକ ପ୍ରକାର ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ( ଡବ୍ଲୁଏଚ୍‌ଓ) ପକ୍ଷରୁ ଜାରି ହୋଇଥିବା ଏକ ରିପୋର୍ଟରେ ବିଶ୍ୱରେ ପ୍ରଦୂଷଣ କରୁଥିବା ୧୫ ପ୍ରମୂଖ ସହରକୁ ଚିହ୍ନଟ କରାଯାଇଛି। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ ସେହି ପ୍ରଦୂଷଣ କରୁଥିବା ୧୫ ସହର ମଧ୍ୟରେ ଭାରତର ୧୪ଟି ସହରର ନାମ ଉଲ୍ଲେଖ ଅଛି। ଯାହାକୁ ନେଇ ଏବେ ଦେଶରେ ସ୍ମାର୍ଟ ସିଟି ଆଖ୍ୟା ପାଇଥିବା ବିଭିନ୍ନ ସହର ହରଡଘଣାରେ ପଡିଛି।

ଦେଶର ପ୍ରମୂଖ ପ୍ରଦୂଷିତ ସହର :

ବିଶ୍ୱ ସଂଗଠନ ପକ୍ଷରୁ ଚଳିତ ବର୍ଷ ମେ ପ୍ରଥମ ସପ୍ତାହରେ ବିଶ୍ୱରେ ପ୍ରଦୂଷଣ କରୁଥିବା ସହରକୁ ନେଇ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଏହି ରିପୋର୍ଟରେ କାନପୁର, ମୁମ୍ବାଇ, ଦିଲ୍ଲୀ, ପାଟନା, ଆଗ୍ରା, ମୁଜାଫାରପୁର, ଶ୍ରୀନଗର, ଗୁଡଗାଓଁ, ଜୟପୁର, ପଟିଆଲା ଭଳି ୧୪ଟି ସହରରେ ପ୍ରଦୂଷଣର ମାତ୍ରା ଅଧିକ ଥିବା ରିପୋର୍ଟରେ ଦର୍ଶାଯାଇଛି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରଦୂଷଣ ମାପକ ସ୍କେଲ୍‌ ପାର୍ଟିକ୍ୟୁଲେଟେଡ୍‌ ମାଟର (ପି.ଏମ)ରେ ସବୁଠାରୁ ପ୍ରଦୂଷିତ ସହର ଭାବେ ଭାରତର କାନପୁରକୁ ଦର୍ଶାଯାଇଛି। କାନପୁର ପ୍ରଦୂଷଣ ମାତ୍ରା ୨.୫ ପିଏମ ଥିବାବେଳେ ଦେଶର ଅନ୍ୟାନ୍ୟ ସହର ମଧ୍ୟରେ –
ଫରିଦାବାଦ-ଦ୍ୱିତୀୟ (୧୭୩ ମାଇକ୍ରେନ୍‌ସ) ପ୍ରତି କ୍ୟୁବିକ୍‌ ମିଟର
ବନାରସ-ତୃତୀୟ (୧୭୩ ମାଇକ୍ରେନ୍‌ସ) ପ୍ରତି କ୍ୟୁବିକ୍‌ ମିଟର
ମୁମ୍ବାଇ-ଚତୁର୍ଥ (୧୭୩ ମାଇକ୍ରେନ୍‌ସ) ପ୍ରତି କ୍ୟୁବିକ୍‌ ମିଟର
ଗୟା-ପଞ୍ଚମ (୧୭୩ ମାଇକ୍ରେନ୍‌ସ) ପ୍ରତି କ୍ୟୁବିକ୍‌ ମିଟର
ଦିଲ୍ଲୀ – ଷଷ୍ଠ (୧୭୩ ମାଇକ୍ରେନ୍‌ସ) ପ୍ରତି କ୍ୟୁବିକ୍‌ ମିଟର
ପାଟନା-ସପ୍ତମ (୧୫୬ ମାଇକ୍ରେନ୍‌ସ) ପ୍ରତି କ୍ୟୁବିକ୍‌ ମିଟର
ଆଗ୍ରା-ଅଷ୍ଟମ ( ୧୫୦ ମାଇକ୍ରୋନ୍‌ସ) ପ୍ରତି କ୍ୟୁବିକ୍‌ ମିଟର
ପଟିଆଲା- ନବମ (୧୪୭ ମାଇକ୍ରୋନ୍‌ସ) ପ୍ରତି କ୍ୟୁବିକ୍‌ ମିଟର
ଜୟପୁର- ଦଶମ ( ୧୪୫ ମାଇକ୍ରୋନ୍‌ସ) ପ୍ରତି କ୍ୟୁବିକ୍‌ ମିଟର
ପଟିଆଲା- ଏକାଦଶ (୧୪୫ ମାଇକ୍ରୋନ୍‌ସ) ପ୍ରତି କ୍ୟୁବିକ୍‌ ମିଟର
ଜୋଧପୁର-ଦ୍ୱାଦଶ( ୧୪୦ ମାଇକ୍ରୋନ୍‌ସ) ପ୍ରତି କ୍ୟୁବିକ୍‌ ମିଟର
ଶ୍ରୀନଗର- ତ୍ରୟୋଦଶ (୧୩୮ ମାଇକ୍ରୋନ୍‌ସ) ପ୍ରତି କ୍ୟୁବିକ୍‌ ମିଟର
ମୁଜାଫାରପୁର- ଚର୍ତୁଦଶ ( ୧୩୫ ମାଇକ୍ରୋନ୍‌ସ) ପ୍ରତି କ୍ୟୁବିକ୍‌ ମିଟର ପ୍ରଦୂଷଣ ମାତ୍ରା ରହିଛି ।

ତେବେ ସାଧାରତଃ ମଣିଷ ଶରୀର ୫୦-୭୦ ମାଇକ୍ରୋନ୍‌ସ ପ୍ରତି କ୍ୟୁବିକ୍‌ ମିଟର ବୟୁ ପ୍ରଦୂଷଣକୁ ସହ୍ୟ କରିପାରିବାର କ୍ଷମତା ରହିଛି। କିନ୍ତୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିବା ମୁତାବିକ ଯଦି ୯୦ ମାଇକ୍ରୋନ୍‌ସ ପ୍ରତି କ୍ୟୁବିକ୍‌ ମିଟର ବାୟୁ ପ୍ରଦୂଷଣ ହୁଏ ତେବେ ମାନବ ଶରୀରେ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ଦେଖିବାକୁ ମିଳିଥାଏ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ୨୦୧୦ ମସିହାରେ ହୋଇଥିବା ସର୍ଭେରେ ବିଶ୍ୱର ପ୍ରଦୂଷିତ ୧୫ ସହର ମଧ୍ୟରୁ ଭାରତର ମାତ୍ର ୨ଟି ସହର ଉଲ୍ଲେଖ ଥିଲା। ସେହିଭଳି ୨୦୧୫ ରିପୋର୍ଟରେ ୧୫ ସହର ମଧ୍ୟରେ ୬ଟି ସହର ଭାରତର ପ୍ରଦୂଷଣ କରୁଥିବା ସହର ହୋଇଥିବା ଜଣାପଡିଥିଲା। କିନ୍ତୁ ଚଳିତ ବର୍ଷ ରିପୋର୍ଟ ଆଧାରରେ କ୍ରମାଗତ ବୃଦ୍ଧି ହୋଇ ବିଶ୍ୱର ୧୫ ସହର ମଧ୍ୟରୁ ୧୪ ସହର ସର୍ବାଧିକ ପ୍ରଦୂଷଣ କରୁଥିବା ସାମ୍ନାକୁ ଆସିଛି। ଯେଉଁଥି ପାଇଁ ପ୍ରମୂଖ ସହରର ବାୟୁ ପ୍ରଦୂଷଣକୁ ନେଇ ଚିନ୍ତାରେ ପଡିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର। ଭାରତକୁ ସ୍ୱଚ୍ଛ ଓ ପରିଷ୍କାର ପ୍ରଦୂଷଣ ମୁକ୍ତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରକାର ଯୋଜନା, ସ୍ୱଚ୍ଛ ଭାରତ ମିଶନ୍‌ ଭଳି ଅନେକ କାର୍ଯ୍ୟକ୍ରମ କରୁଛନ୍ତି। ହେଲେ ଏହାସତ୍ତ୍ୱେ ଭାରତରେ ପ୍ରଦୂଷଣ ମାତ୍ରା ଏକ ପ୍ରକାର ଭାରତକୁ ବିନାଶ ପଥରେ ନେଇଚାଲୁଥିବା ପ୍ରମାଣିତ ହେଉଛି।

ସମ୍ବନ୍ଧିତ ଖବର