ଆସନ୍ତୁ ଜାଣିବା ୧୫ଜଣ ଦିବ୍ୟାଙ୍ଗଙ୍କ ସଫଳତା ଓ ସଂଘର୍ଷମୟ ଜୀବନ ସମ୍ପର୍କରେ

ବିଶ୍ୱର ସର୍ବଶ୍ରେଷ୍ଠ ବୈଜ୍ଞାନିକ ଭାବେ ସ୍ୱୀକୃତ ଷ୍ଟିଫେନ୍‌ ହକିଂଙ୍କର ଏଇ ମାର୍ଚ୍ଚ ୧୪ ତାରିଖରେ ୭୬ ବର୍ଷ ବୟସରେ ଦେହାନ୍ତ ଘଟିଛି। ହକିଂଙ୍କୁ ୨୨ ବର୍ଷ ହୋଇଥିବା ବେଳେ ସେ ଏକ ବିରଳ ରୋଗ ‘ମୋଟର୍‌ ନ୍ୟୁରୋନ୍‌’ରେ ପୀଡ଼ିତ ହୋଇଥିଲେ। ଏପରିକି କଲମରେ ଲେଖିବା ମଧ୍ୟ ତାଙ୍କ ଦ୍ୱାରା ସମ୍ଭବ ହେଲା ନାହିଁ। ସେବେଠାରୁ ହିଁ ମୃତ୍ୟୁ ତାଙ୍କ ଚାରିପାଖେ ଘୂରି ବୁଲୁଥିବା କଥା ଜାଣି ମଧ୍ୟ ତିଳେ ମାତ୍ର ଖାତିର୍‌ ନ କରି ସେ ନିଜର ଗବେଷଣା କାର୍ଯ୍ୟ ଜାରି ରଖିଥିଲେ। ଯାହା ଫଳରେ ବିଜ୍ଞାନ, ବିଶେଷକରି ବ୍ରହ୍ମାଣ୍ଡର ସୃଷ୍ଟି ସମ୍ବନ୍ଧୀୟ ଅନେକ ନୂତନ ତଥ୍ୟ ପୃଥିବୀବାସୀଙ୍କ ସାମ୍‌ନାକୁ ଆଣି ପାରିଥିଲେ।

ଆଜୀବନ ସଂଘର୍ଷ କରି ମଧ୍ୟ ବ୍ରହ୍ମାଣ୍ଡକୁ ବୁଝିବା ଓ ବୁଝାଇବାରେ ଟିକେ ବି ପଛଘୁଞ୍ଚା ଦେଇ ନ ଥିଲେ ଷ୍ଟିଫେନ୍‌। କୌଣସି ଦୁର୍ଘଟଣା ବା ରୋଗ କେବଳ ଶରୀର ଉପରେ ପ୍ରଭାବ ପକାଇପାରେ, ମନ ଉପରେ ନୁହେଁ- ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଷ୍ଟିଫେନ୍‌ ହକିଂ।

ମାନସିକ ଦୃଢ଼ତା ଥିଲେ ପଙ୍ଗୁ ପର୍ବତ ଚଢ଼ିପାରେ ବୋଲି ଯେଉଁ ପୁରୁଣା କଥାଟି କୁହା ଯାଇଛି, ତାହାକୁ ପ୍ରମାଣ କରି ଦେଖାଇଛନ୍ତି ହକିଂଙ୍କ ଭଳି ଅନେକ ଦୃଢ଼ମନା ବ୍ୟକ୍ତିତ୍ୱମାନେ। ସେମାନେ ଭିନ୍ନକ୍ଷମ ହୋଇ ମଧ୍ୟ ବହୁ ଘାତ ପ୍ରତିଘାତ ସତ୍ତ୍ୱେ ବି ନିୟତି ଆଗରେ ହାର ମାନି ନାହାନ୍ତି। ନିଜର ଶାରୀରିକ ଅକ୍ଷମତାକୁ ତିଳେ ମାତ୍ର ଖାତିର ନ କରି ସେମାନେ କେବଳ ନିଜର ଅଦମ୍ୟ ଉତ୍ସାହ ଓ ଦୃଢ଼ ମନୋବଳ ଯୋଗୁ ସମାଜରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରି ନାହାନ୍ତି, ତଥାକଥିତ ସକ୍ଷମମାନଙ୍କୁ ମଧ୍ୟ ଟପି ଯାଇଛନ୍ତି। ସେମାନେ ନିଜର କାର୍ଯ୍ୟକଳାପ ଦ୍ୱାରା ପ୍ରମାଣିତ କରିଛନ୍ତି ଯେ କୌଣସି କାର୍ଯ୍ୟ ଅସମ୍ଭବ ନୁହେଁ। ବିଭିନ୍ନ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା କେତେଜଣ ଭାରତୀୟଙ୍କ କାହାଣୀ ଆସନ୍ତୁ ଶୁଣିବା:

ସୁଧା ଚନ୍ଦ୍ରନ୍‌
ଟେଲିଭିଜନ୍‌ ଦୁନିଆର ଜଣେ ପରିଚିତ ଚେହେରା ହେବା ସାଙ୍ଗେ ସାଙ୍ଗେ ସୁଧା ଚନ୍ଦ୍ରନ୍‌ ଶାସ୍ତ୍ରୀୟ ନୃତ୍ୟରେ ମଧ୍ୟ ବେଶ୍‌ ପାରଙ୍ଗମ। ପିଲାଟିବେଳୁ ସୁଧାଙ୍କର ନୃତ୍ୟ ଓ ଅଭିନୟ ପ୍ରତି ରୁଚି ଥିଲା। ସ୍କୁଲ୍‌ ଓ କଲେଜରେ

ପଢ଼ିଲା ବେଳେ ଅଭିନୟ ଓ ନୃତ୍ୟ ପ୍ରତିଯୋଗିତାରେ ଭାଗ ନେଇ ସେ ଅନେକ ପୁରସ୍କାର ପାଇଥିଲେ। ତେବେ ସୁଧାଙ୍କୁ ମାତ୍ର ୧୬ ବର୍ଷ ହୋଇଥିବାବେଳେ ସେ ଏକ ଦୁର୍ଘଟଣାର ଶିକାର ହୋଇଥିଲେ। ଫଳରେ ତାଙ୍କ ପାଦର ଗଣ୍ଠିରେ ଏକ କ୍ଷତ ସୃଷ୍ଟି ହୋଇଥିଲା। ଚିକିତ୍ସା କରା ଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ତାହା ସଂକ୍ରମିତ ହୋଇଯାଇଥିଲା। ଜୀବନ ବଞ୍ଚାଇବାଲାଗି ଅନ୍ୟ କୌଣସି ବିକଳ୍ପ ନ ପାଇ ଶେଷରେ ବାଧ୍ୟହୋଇ ଉକ୍ତ ଗୋଡ଼ଟିକୁ କାଟିବାକୁ ପଡ଼ିଥିଲା। ଏହା ବଦଳରେ ସେ ଏକ କୃତ୍ରିମ ‘ଜୟପୁର ଫୁଟ୍‌’ ଲଗାଇଥିଲେ। ପ୍ରଥମେ ଗୋଟିଏ ଗୋଡ଼ରେ ଚାପଦେଇ ଚାଲିବା ବା ନୃତ୍ୟ କରିବା ତାଙ୍କ ପକ୍ଷେ କଷ୍ଟକର ହୋଇପଡୁଥିଲା। ଏତେ ସତ୍ତ୍ୱେ ବି ସେ ନୃତ୍ୟ ଓ ଅଭିନୟର ଅଭ୍ୟାସ ଜାରି ରଖିଥିଲେ। ବହୁ ପରିଶ୍ରମ ପରେ ସେଇ ଜୟପୁର ଫୁଟ୍‌ ସାହାଯ୍ୟରେ ସ୍ୱାଭାବିକ ଭାବେ ଚାଲିବା ଓ ନୃତ୍ୟ କରିବାରେ ସେ ଅଭ୍ୟସ୍ତ ହୋଇଗଲେ। ପରିସ୍ଥିତି ତାଙ୍କ ଆଗରେ ହାର ମାନିଲା, ମାନିବାକୁ ବାଧ୍ୟ ହେଲା। ସମୟକ୍ରମେ ସେ ଭାରତର ଜଣେ ପରିଚିତ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ଭାବେ ପରିଚିତ ହେଲେ। ପରେ ଫିଲ୍ମ ଓ ଟେଲିଭିଜନ୍‌ ଦୁନିଆରେ ମଧ୍ୟ ନିଜର ପରିଚୟ ସୃଷ୍ଟି କରିବାରେ ସେ ସକ୍ଷମ ହେଲେ।

ରବୀନ୍ଦ୍ର ଜୈନ୍‌
ବଲିଉଡ୍‌ର ଅନ୍ୟତମ ପରିଚିତ ଓ ଲୋକପ୍ରିୟ ସଙ୍ଗୀତକାର ରବୀନ୍ଦ୍ର ଜୈନ୍‌ ୧୯୪୪ ମସିହା ଫେବ୍ରୁଆରି ୨୮ରେ ଆଲିଗଡ଼ ଠାରେ ଜନ୍ମ ହୋଇଥିଲେ। ସେ ଜନ୍ମରୁ ଦୃଷ୍ଟିହୀନ ଥିଲେ। ତେବେ ପିଲାବେଳୁ ହିଁ ତାଙ୍କର ସଙ୍ଗୀତ ପ୍ରତି ଅନେକ ଆଗ୍ରହ ଓ ଉତ୍ସାହ ରହିଥିଲା। ହେତୁ ପାଇବା ଦିନଠୁ ସେ ଗୀତ ଗାଇବା ଆରମ୍ଭ କରିଦେଇଥିଲେ। ସମୟକ୍ରମେ ସେ ବଲିଉଡ୍‌ରେ ପାଦ ଦେଇଥିଲେ। ସେ ଥିଲେ ୭୦ ଦଶକର ବଲିଉଡ୍‌ର ଜଣେ ସଫଳ ଓ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ। ସେ ନିଜ କାର୍ଯ୍ୟ ପ୍ରତି ବେଶ୍‌ ନିଷ୍ଠାବାନ ଥିଲେ। ସେ ନିଜ କାମ ପ୍ରତି ଏତେ ପରିମାଣରେ ସମର୍ପିତ ଥିଲେ ଯେ, ଏକ ଗୀତର ରେକର୍ଡିଂ ଚାଲୁଥିବା ସମୟରେ ତାଙ୍କ ବାପାଙ୍କ ଦେହାନ୍ତର ଖବର ଆସିଥିଲେ ବି ଗୀତର ରେକର୍ଡିଂ ଶେଷ କରି ହିଁ ଘରକୁ ଯାଇଥିଲେ। ରବୀନ୍ଦ୍ରଙ୍କ ସୁପର୍‌ହିଟ୍‌ ଗୀତର ତାଲିକା ବେଶ୍‌ ଲମ୍ବା। ସେ ଅନେକ ଗୀତ ନିଜେ ମଧ୍ୟ ଗାଇଥିଲେ।

ଗିରୀଶ ଶର୍ମା
ଗିରୀଶଙ୍କର ପିଲାବେଳୁ ପାଠ ଠାରୁ ଖେଳକୁଦ ପ୍ରତି ଅଧିକ ରୁଚି ରହିଥିଲା। ଖେଳ ଭିତରେ ବ୍ୟାଡ୍‌ମିଣ୍ଟନ୍‌ ତାଙ୍କର ସବୁଠୁ ପ୍ରିୟ ଥିଲା। ହେଲେ ଅଳ୍ପ ବୟସରେ ଏକ ଭୟଙ୍କର ଦୁର୍ଘଟଣାରେ ସେ ତାଙ୍କ ଗୋଟିଏ ଗୋଡ଼ ହରାଇଥିଲେ। ହେଲେ ଏଭଳି ପରିସ୍ଥିତି ତାଙ୍କର ବ୍ୟାଡ୍‌ମିଣ୍ଟନ୍‌ ଚାମ୍ପିଅନ୍‌ ହେବାରେ କୌଣସି ବାଧକ ସାଜି ପାରି ନ ଥିଲା। ସେ ଗୋଟିଏ ଗୋଡ଼ରେ ଖେଳିବାର ଅଭ୍ୟାସ କରିଥିଲେ। କଠିନ ପରିଶ୍ରମ ଓ ଅଭ୍ୟାସ ପରେ ସେ ସଫଳ ମଧ୍ୟ ହେଲେ। ଗୋଟିଏ ଗୋଡ଼ରେ ହିଁ ଗିରୀଶ ଚମତ୍କାର ଭାବେ ବ୍ୟାଡ୍‌ମିଣ୍ଟନ୍‌ ଖେଳି ପାରନ୍ତି। ଗୋଟିଏ ଗୋଡ଼ରେ ଡେଇଁ ଡେଇଁ କୋର୍ଟର ସମସ୍ତ ଅଂଶକୁ ଯାଇ ଖେଳି ପାରନ୍ତି। ସେ ଆଜି ଅନେକଙ୍କ ଆଦର୍ଶ ହୋଇପାରିଛନ୍ତି।

ଶେଖର ନାୟକ
କର୍ଣ୍ଣାଟକର ସିମୋଗା ଠାରେ ଜନ୍ମ ହୋଇଥିବା ଶେଖର ଜନ୍ମରୁ ଦୃଷ୍ଟିହୀନ। ତାଙ୍କ ବାପା ଜଣେ କୃଷକ ଥିଲେ। ତାଙ୍କର ଆର୍ଥିକ ପରିସ୍ଥିତି ଦୃଢ଼ ନ ଥିଲା। ହେଲେ ଅନେକ ବାଧାବିଘ୍ନ ସତ୍ତ୍ୱେ ସେ ହାର ମାନି ନାହାନ୍ତି। ଭିନ୍ନକ୍ଷମ ହେଲେ ମଧ୍ୟ ସେ ନିଜେ କିଛି କରି ଦେଖାଇବାର ଶପଥ ନେଇଥିଲେ। ଶେଖର ଦୁଇଥର ଦୃଷ୍ଟିହୀନ ଟି-୨୦ କ୍ରିକେଟ୍‌ ବିଶ୍ୱକପ୍‌ରେ ଭାରତୀୟ ଦଳର ଅଧିନାୟକ ହୋଇଛନ୍ତି। ସେ ଭାରତ ସରକାରଙ୍କ ଦ୍ୱାରା ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ମଧ୍ୟ ହୋଇଛନ୍ତି।

ଏଚ୍‌ ରାମକୃଷ୍ଣ
ରାମକ୍ରିଷ୍ଣଙ୍କୁ ମାତ୍ର ୨ ବର୍ଷ ବୟସ ହୋଇଥିବା ବେଳେ ତାଙ୍କର ଦୁଇଟିଯାକ ଗୋଡ଼ ପୋଲିଓରେ ଆକ୍ରାନ୍ତ ହୋଇ ସଂପୂର୍ଣ୍ଣ ଭାବେ ଅକ୍ଷମ ହୋଇପଡ଼ିଥିଲା। ତା’ପରେ ତାଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା। ଏହି କାରଣ ଯୋଗୁ ସେ ନିୟମିତ ସ୍କୁଲ୍‌ ଯିବାରୁ ମଧ୍ୟ ବଞ୍ଚିତ ହେଲେ। ଏମିତିକି ସେ ପାଇଥିବା ଏକ ଚାକିରିରୁ ବି ତାଙ୍କୁ ବାହାର କରି ଦିଆ ଯାଇଥିଲା। ଏତେସବୁ ପରେ ମଧ୍ୟ ସେ ତିଳେ ମାତ୍ର ପଛଘୁଞ୍ଚା ଦେଇ ନ ଥିଲେ। ପରେ ସେ ସାମ୍ବାଦିକ ଭାବେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ ଓ ସଫଳ ମଧ୍ୟ ହୋଇଥିଲେ। ୪୦ ବର୍ଷ ଧରି ସାମ୍ବାଦିକତା କରିବା ପରେ ବର୍ତ୍ତମାନ ସେ ଏକ ଟେଲିଭିଜନ୍‌ ଚ୍ୟାନେଲ୍‌ରେ ସିଇଓ ଭାବେ କାର୍ଯ୍ୟ କରୁଛନ୍ତି। ସେ ଭଲ ଗୀତ ମଧ୍ୟ ଗାଇପାରନ୍ତି। ସଙ୍ଗୀତ ସମେତ ଆହୁରି ଏକାଧିକ କ୍ଷେତ୍ରରେ ନିଜର ପ୍ରତିଭା ପ୍ରଦର୍ଶନ କରି ବେଶ୍‌ ଲୋକପ୍ରିୟତା ହାସଲ କରିପାରିଛନ୍ତି ରାମକ୍ରିଷ୍ଣ। ସେ ‘କୃପା’ ନାମରେ ଏକ ସ୍ୱେଚ୍ଛାସେବୀ ସଂସ୍ଥା ମଧ୍ୟ ଆରମ୍ଭ କରିଛନ୍ତି, ଯାହା ଭିନ୍ନକ୍ଷମମାନଙ୍କର ବିକାଶ ପାଇଁ କାର୍ଯ୍ୟ କରୁଛି।

ସତେନ୍ଦ୍ର ସିଂ
ସତେନ୍ଦ୍ର ସିଂ ଦିଲ୍ଲୀର ୟୁନିଭର୍‌ସିଟି କଲେଜ୍‌ ଅଫ୍‌ ମେଡିକାଲ୍‌ ସାଇନ୍ସ ଓ ଗୁରୁ ତେଗ୍‌ ବାହାଦୁର ହସ୍ପିଟାଲ୍‌ରେ ଡାକ୍ତର ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କୁ ମାତ୍ର ୯ ମାସ ହୋଇଥିବା ସମୟରେ ସେ ପୋଲିଓରେ ଆକ୍ରାନ୍ତ ହୋଇଥିଲେ। ହେଲେ ଏହି ଅକ୍ଷମତା ତାଙ୍କ ସଫଳତାରେ କୌଣସି ବାଧକ ସାଜି ନ ଥିଲା। ସେ ଆଜି ଜଣେ ଭଲ ଡାକ୍ତର ଭାବେ ପରିଚିତ ହୋଇ ପାରିଛନ୍ତି। ସେ ହେଉଛନ୍ତି ‘ହେନେରି ଭିସାକାର୍ଡି ଆଚିଭ୍‌ମେଣ୍ଟ୍‌’ ସମ୍ମାନରେ ସମ୍ମାନିତ ହୋଇଥିବା ପ୍ରଥମ ଭାରତୀୟ। ସେ ତାଙ୍କ ଭଳି ଭିନ୍ନକ୍ଷମ ଲୋକଙ୍କ ପାଇଁ ଅନେକ କାମ କରି ଆସୁଛନ୍ତି। ସେମାନଙ୍କ ସୁବିଧା ନିମନ୍ତେ ଏଟିଏମ୍‌, ପୋଷ୍ଟ୍‌ ଅଫିସ୍‌ ଓ ପୋଲିଙ୍ଗ୍‌ ବୁଥ୍‌ ଇତ୍ୟାଦିର ସପକ୍ଷରେ ସେ ଲଗାତାର ଭାବେ ଦାବି କରି ଆସୁଛନ୍ତି। ଏଥି ସହିତ ଭିନ୍ନକ୍ଷମ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସେ ‘ଅସୀମ କ୍ଷମତା’ ନାମରେ ଏକ ସଂସ୍ଥା ମଧ୍ୟ ଖୋଲିଛନ୍ତି।

ଏଚ୍‌ ବୋନିଫେସ୍‌ ପ୍ରଭୁ
କର୍ଣ୍ଣାଟକ ଠାରେ ଜନ୍ମ ହୋଇଥିବା ପ୍ରଭୁ ଜଣେ ହ୍ଵିଲ୍‌ଚେୟାର୍‌ ଟେନିସ୍‌ ଖେଳାଳି। ଭାରତୀୟ କ୍ରୀଡ଼ା ଜଗତରେ ସେ ବେଶ୍‌ ଜଣାଶୁଣା। ତାଙ୍କୁ ୪ ବର୍ଷ ବୟସ ହୋଇଥିବା ବେଳେ ଏକ ରୋଗରେ ତାଙ୍କର ଦୁଇଟିଯାକ ଗୋଡ଼ ଅକାମୀ ହୋଇପଡ଼ିଲା, ଯାହା ଫଳରେ ସେ ଚାଲିବାକୁ ଅକ୍ଷମ ହୋଇପଡ଼ିଲେ। ଏତେ ଅସୁବିଧା ସତ୍ତ୍ୱେ ବି ସେ ଭାଙ୍ଗିଯାଇ ନ ଥିଲେ। ଅନ୍ୟ ପିଲାଙ୍କ ପରି ନିୟମିତ ସ୍କୁଲ୍‌ ମଧ୍ୟ ଯାଉଥିଲେ। ନିଜର କଠିନ ପରିଶ୍ରମ ଓ ଆନ୍ତରିକ ନିଷ୍ଠା ଯୋଗୁ ସେ ଭାରତର ଜଣେ ଜଣାଶୁଣା ଟେନିସ୍‌ ଖେଳାଳି ଭାବେ ପରିଚିତ ହୋଇପାରିଥିଲେ। ୧୯୯୮ ମସିହାରେ ସେ ବିଶ୍ୱ ହ୍ଵିଲ୍‌ଚେୟାର୍‌ ଟେନିସ୍‌ ଚାମ୍ପିଅନ୍‌ରେ ପଦକ ଜିତି ସଫଳତାର ଶୀର୍ଷରେ ପହଞ୍ଚିଥିଲେ। ୨୦୧୪ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରା ଯାଇଥିଲା।

ସାଇ ପ୍ରସାଦ ବିଶ୍ୱନାଥନ୍‌
ବିଶ୍ୱନାଥନ୍‌ ଛୋଟ ଥିବା ଅବସ୍ଥାରେ ତାଙ୍କ ସ୍ପର୍ଶ ଶକ୍ତି ହରାଇଥିଲେ। ତାଙ୍କ ଶରୀରର ଅଧା ଅଂଶ ଏକ ପ୍ରକାରର ବଧିରା ହୋଇଯାଇଥିଲା। ତେବେ ବି ସେ ଏହାକୁ ତାଙ୍କ ଜୀବନ ଉପରେ କୌଣସି ପ୍ରଭାବ ପକାଇବାକୁ ଦେଇ ନାହାନ୍ତି। ନିଷ୍ଠାର ସହିତ ଅଭ୍ୟାସ କରି ସେ ଜଣେ ସଫଳ ସ୍କାଏ ଡାଇଭର୍‌ ଭାବେ ନିଜକୁ ପ୍ରତିଷ୍ଠିତ କରିଛନ୍ତି। ‘ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡ’ରେ ସ୍ଥାନ ପାଇବାରେ ସେ ହେଉଛନ୍ତି ପ୍ର୍ରଥମ ଭାରତୀୟ ସ୍କାଏ ଡାଇଭର୍‌। ସେ ‘ସହଶ୍ର’ ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନର ସହ-ସଂସ୍ଥାପକ। ଏହି ସଂସ୍ଥା ଭିନ୍ନକ୍ଷମମାନଙ୍କ ପାଇଁ ଅନେକ କାମ କରୁଛି। ସାଇ ବର୍ତ୍ତମାନ ଡେଲଏଟ୍‌ ୟୁ.ଏସ୍‌ ଇଣ୍ଡିଆରେ ରିସ୍କ୍‌ କନ୍‌ସଲ୍‌ଟାଣ୍ଟ୍‌ ଭାବେ କାର୍ଯ୍ୟ କରୁଛନ୍ତି।

ଅରୁଣିମା ସିହ୍ନା
ଉତ୍ତର ପ୍ରଦେଶର ଆମ୍ବେଦକର ନଗରରେ ଅରୁଣିମାଙ୍କ ଜନ୍ମ। ଭଲିବଲ୍‌ରେ ଜାତୀୟ ସ୍ତରରେ ସେ ବେଶ୍‌ ସୁନାମ ଅର୍ଜନ କରିଥିଲେ। ତେବେ ଥରେ ସେ ଟ୍ରେନ୍‌ରେ ଯାଉଥିବା ସମୟରେ କିଛି ଲୁଟେରା ତାଙ୍କୁ ଚଳନ୍ତା ଟ୍ରେନ୍‌ରୁ ତଳକୁ ଠେଲି ଦେଇଥିଲେ। ଫଳରେ ତାଙ୍କର ଏକ ଗୋଡ଼ କଟିଯାଇଥିଲା। ପରେ ତାଙ୍କର କୃତ୍ରିମ ଗୋଡ଼ ଲଗାଯାଇଥିଲା। ତାଙ୍କ ପ୍ରତି କେହି ଦୟା ଓ ସହାନୁଭୂତି ଦେଖାନ୍ତୁ ତାହା ସେ ଚାହୁ ନ ଥିଲେ। ଗୋଡ଼ ହରାଇ ସେ ସିନା ଆଉ ଭଲିବଲ୍‌ ଖେଳିଲେ ନାହିଁ, କିନ୍ତୁ ଆରମ୍ଭ କଲେ ପର୍ବତାରୋହଣ। ଅରୁଣିମା ହେଉଛନ୍ତି ମାଉଣ୍ଟ୍‌ ଏଭରେଷ୍ଟ୍‌ ଚଢ଼ିଥିବା ପ୍ରଥମ ଭାରତୀୟ ଭିନ୍ନକ୍ଷମ।

ଜାଭେଦ୍‌ ଅବିଦି
ପିଲାବେଳୁ ରୋଗାକ୍ରାନ୍ତ ଜାଭେଦ୍‌ କେବେ ବି ହାରି ଯାଇନାହାନ୍ତି। ଉତ୍ତର ପ୍ରଦେଶର ଆଲିଗଡ଼ ଠାରେ ଜନ୍ମ ହୋଇଥିବା ଜାଭେଦଙ୍କର ଛୋଟବେଳୁ ହିଁ ମେରୁଦଣ୍ଡ ଜନିତ ସମସ୍ୟା ଦେଖାଯାଇଥିଲା। ତାଙ୍କ ବୟସ ବଢ଼ିବା ସହିତ ତାଙ୍କ ସମସ୍ୟା ମଧ୍ୟ ଧୀରେ ଧୀରେ ବଢ଼ିବାକୁ ଲାଗିଥିଲା। ଫଳରେ ମାତ୍ର ୧୫ ବର୍ଷ ବୟସରେ ହ୍ଵିଲ୍‌ ଚେୟାରରେ ବସିବାକୁ ପଡ଼ିଥିଲା। ଏହା ସତ୍ତ୍ୱେ ବି ସେ ତାଙ୍କ ପାଠପଢ଼ାରେ କୌଣସି ହେଳା କରି ନ ଥିଲେ। ଜୀବନରେ କିଛି ଅଲଗା କରି ଦେଖାଇବାର ସ୍ୱପ୍ନ ତାଙ୍କୁ ବହୁତ ଆଗକୁ ନେଇଯାଇଥିଲା। ପାଠପଢ଼ା ପରେ ସେ ସାମ୍ବାଦିକତାରେ ନିଜ ବୃତ୍ତି ଆରମ୍ଭ କରିଥିଲେ। ବର୍ତ୍ତମାନ ସମୟରେ ସେ ନ୍ୟାସ୍‌ନାଲ୍‌ ସେଣ୍ଟର ଫର୍‌ ପ୍ରମୋସନ୍‌ ଅଫ୍‌ ଏମ୍ପ୍ଲଏମେଣ୍ଟ୍‌ ଫର୍‌ ଡିସାବଲ୍ଡ ପିପୁଲ୍‌ ଅଫ୍‌ ଇଣ୍ଡିଆର ନିର୍ଦ୍ଦେଶକ ଦାୟିତ୍ୱରେ ଅଛନ୍ତି। ତାଙ୍କ ସ୍ୱେଚ୍ଛାସେବୀ ସଂସ୍ଥା ଦ୍ୱାରା ଅନେକ ଲୋକ ଉପକୃତ ହୋଇପାରୁଛନ୍ତି।

ରାଜେନ୍ଦ୍ର ସିଂ ରାହେଲୁ
ରାଜେନ୍ଦ୍ର ପଞ୍ଜାବର ମେହେଶାମ୍‌ପୁର ଗ୍ରାମର ବାସିନ୍ଦା। ରାଜେନ୍ଦ୍ରଙ୍କୁ ମାତ୍ର ୮ ମାସ ହୋଇଥିବା ବେଳେ ସେ ପୋଲିଓ ରୋଗରେ ପୀଡ଼ିତ ବୋଲି ଜଣାପଡ଼ିଥିଲା। ସେବେଠାରୁ ହିଁ ଚାଲିବାବୁଲିବା ତାଙ୍କ ପକ୍ଷେ କଷ୍ଟକର ହୋଇପଡ଼ିଲା। ସେ ଏକରକମର ଅକାମୀ ହୋଇଗଲେ। ତେବେ ବି ସେ ଏହି ରୋଗ ଆଗରେ ନିଜ ସ୍ୱପ୍ନକୁ ବଳି ପକାଇ ନ ଥିଲେ। ଖେଳକୁଦ ପ୍ରତି ତାଙ୍କର ପିଲାଦିନୁ ହିଁ ରୁଚି ରହି ଆସିଥିଲା। ସେଥିପାଇଁ ସେ ସ୍କୁଲ୍‌ ପରଠାରୁ ନିଜ ପାଠପଢ଼ା ବନ୍ଦ କରିବକୁ ସ୍ଥିର କଲେ। ଏହା ପରେ ସେ ତାଙ୍କ ସବୁଯାକ ଧ୍ୟାନ ଖେଳ ପ୍ରତି ଦେଇଥିଲେ। ସେ ଭାରତ୍ତୋଳନ ଆରମ୍ଭ କଲେ। ମନ ପ୍ରାଣ ଦେଇ ଅଭ୍ୟାସ କରି ସେ ଜାତୀୟ ଦଳରେ ମଧ୍ୟ ସ୍ଥାନ ପାଇଲେ। ରାଜେନ୍ଦ୍ର ୨୦୧୪ରେ କମନ୍‌େଓ୍ଵଲ୍‌ଥ ଗେମ୍‌ସ୍‌ରେ ରୌପ୍ୟ ପଦକ ଜିତି ଏକ ଇତିହାସ ରଚିଲେ।

ଡ. ସୁରେଶ ଆଡଭାନି
ଖେଳିବା ବୁଲିବା ବୟସରେ ହ୍ଵିଇଲ୍‌ ଚେୟାରରେ ବସିବାକୁ ପଡ଼ିଥିଲା ସୁରେଶଙ୍କୁ। ମାତ୍ର ୮ ବର୍ଷ ବୟସରେ ପୋଲିଓ ରୋଗରେ ଆକ୍ରାନ୍ତ ହୋଇଥିଲେ ସୁରେଶ। ବୟସ ବଢ଼ିବା ସାଙ୍ଗେ ସାଙ୍ଗେ ଅନେକ ଅସୁବିଧାର ମଧ୍ୟ ସାମ୍‌ନା କରିବାକୁ ପଡ଼ିଥିଲା ସୁରେଶଙ୍କୁ। ହେଲେ ସେ ଏଭଳି ପରିସ୍ଥିତିରେ ପଛଘୁଞ୍ଚା ଦେଇ ନ ଥିଲେ। ବର୍ତ୍ତମାନ ସେ ଭାରତର ଜଣେ ଜଣାଶୁଣା ଅନ୍‌କୋଲୋଜିଷ୍ଟ୍‍ ଭାବେ ପରିଚିତ। ସେ ଭାରତର ପ୍ରଥମ ଅନ୍‌କୋଲୋଜିଷ୍ଟ୍‍, ଯିଏ ସଫଳତାର ସହିତ ଅସ୍ଥିମଜ୍ଜା ରୋପଣ କରିବାରେ ସକ୍ଷମ ହୋଇଛନ୍ତି। ଏହି କ୍ଷେତ୍ରରେ ତାଙ୍କର ବହୁ ଅବଦାନ ମଧ୍ୟ ରହିଛି, ଯେଉଁଥିପାଇଁ ସେ ଅନେକ ସମ୍ମାନରେ ମଧ୍ୟ ସମ୍ମାନିତ ହୋଇଛନ୍ତି। ୨୦୦୨ରେ ପଦ୍ମଶ୍ରୀ ଓ ୨୦୧୨ରେ ପଦ୍ମ ଭୂଷଣ ସମ୍ମାନରେ ତାଙ୍କୁ ସମ୍ମାନିତ କରାଯାଇଛି।

ସାଧନା ଧାଣ୍ଡ
ଛତିଶଗଡ଼ର ରାୟପୁରରେ ରହୁଥିବା ସାଧନା ପିଲାବେଳୁ ହିଁ ହାଡ଼ଭଙ୍ଗା ରୋଗର ଶିକାର ଥିଲେ। ଏତିକିରେ ଦୁର୍ଭାଗ୍ୟ ତାଙ୍କ ପିଛା ଛାଡ଼ି ନ ଥିଲା। ଧୀରେ ଧୀରେ ତାଙ୍କ ଶ୍ରବଣ ଶକ୍ତି ମଧ୍ୟ ହ୍ରାସ ପାଇବାକୁ ଲାଗିଲା। ଏମିତିରେ ବି ତାଙ୍କ ଉଚ୍ଚତା ମାତ୍ର ୩.୩ ଫୁଟ୍‌। ହେଲେ ତାଙ୍କ ଭିତରେ କଳା ପ୍ରତି ଥିବା ନିଶାକୁ ମାରିବାରେ ଏହି ରୋଗର ଶକ୍ତି ନ ଥିଲା। ଚିତ୍ର କରିବାର ନିଶା ତାଙ୍କୁ ବହୁତ ଆଗକୁ ଟାଣି ଆଣିଥିଲା। ସେ ଶାରୀରିକ ଦୃଷ୍ଟିରୁ ଅକ୍ଷମ ହେଲେ ମଧ୍ୟ ତାଙ୍କ ହାତର ଚିତ୍ର ଅନେକ ଦେଖଣାହାରିଙ୍କ ମନକୁ ଆକର୍ଷିତ କରିପାରୁଛି। ଖାଲି ସେତିକି ନୁହେଁ ଏହି ଚିତ୍ର ଯୋଗୁ ଅନେକ ସମ୍ମାନର ହକ୍‌ଦାର ମଧ୍ୟ ହୋଇଛନ୍ତି ସାଧନା। ଏହାଛଡ଼ା ଶାରୀରିକ ଓ ମାନସିକ ଦୃଷ୍ଟିରୁ ଭିନ୍ନକ୍ଷମ ପିଲାମାନଙ୍କୁ ସେ ଚିତ୍ରକଳା ମଧ୍ୟ ଶିଖାଉଛନ୍ତି। ସେ ଜଣେ ଚିତ୍ରକର ହେବା ସଙ୍ଗେ ସଙ୍ଗେ ସମାଜସେବୀ ମଧ୍ୟ।

ମାଲାଥି କ୍ରିଷ୍ଣମୂର୍ତ୍ତି ହୋଲା
ମାଲାଥିଙ୍କୁ ବର୍ଷେ ହୋଇଥିବା ବେଳେ ତାଙ୍କୁ ଭୀଷଣ ଜ୍ୱର ହୋଇଥିଲା। ତାଙ୍କ ଶରୀରର ତାପମାତ୍ରା ଏତେ ଅଧିକ ହୋଇଯାଇଥିଲା ଯେ ତାଙ୍କ ପୂରା ଶରୀର ଏକରକମ ଅଚଳ ଅବସ୍ଥାକୁ ଚାଲିଆସିଥିଲା। ପରେ ବିଦ୍ୟୁତ୍‌ ଝଟକା ଦ୍ୱାରା ତାଙ୍କର ଚିକିତ୍ସା କରାଗଲା। ମାତ୍ର ଏହାଦ୍ୱାରା ତାଙ୍କ ଶରୀରର ଉପରି ଭାଗରେ ହିଁ କେବଳ ପରିବର୍ତ୍ତନ ଦେଖାଦେଇଥିଲା। ହେଲେ ଶରୀରର ତଳ ଭାଗ ସେହିଭଳି ଅକାମୀ ହୋଇ ରହିଗଲା। ହୋଲା ଏତିକିରେ ଭାଙ୍ଗି ନ ଯାଇ ଏକ ସୁନ୍ଦର ଜୀବନ ବଞ୍ଚିବାକୁ ସ୍ଥିର କଲେ। ନିଜ ମନକୁ ଦୁର୍ବଳ ନ କରି ଅନ୍ୟ କାର୍ଯ୍ୟ ପ୍ରତି ଧ୍ୟାନ ଦେବାକୁ ଲାଗିଲେ। ଏଭଳି ଭାବେ ସେ ପ୍ରତିଟି ଖେଳରେ ଭାଗ ନେବା ଆରମ୍ଭ କଲେ। ଖାଲି ଯେ ଭାଗ ନେଲେ ତାହା ନୁହେଁ ଅତି ଆଗ୍ରହ ଓ ଉତ୍ସାହର ସହିତ ଖେଳିଲେ ଓ ଜିତିଲେ ମଧ୍ୟ। ୧୯୮୯ରେ ଡେନ୍‌ମାର୍କରେ ଅନୁଷ୍ଠିତ ହୋଇଥିବା ବିଶ୍ୱ ମାଷ୍ଟର ଖେଳରେ ସଟ୍‌ପୁଟ୍‌, ଡିସ୍‌କସ୍‌, ଜାଭେଲିନ୍‌ ଥ୍ରୋରେ ସେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ତାଙ୍କୁ ଅର୍ଜୁନ ପୁରସ୍କାର ଓ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି।

ସମ୍ବନ୍ଧିତ ଖବର