ନୂଆଦିଲ୍ଲୀ: ସାନ ସିନା ଦାନ ତା ମହାନ! ଛୋଟ ବୟସରେ ନିଜର ବଡ଼ପଣ ଦେଖାଇ ଚର୍ଚ୍ଚା ପାଲଟିଛନ୍ତି ଦିଲ୍ଲୀର ୧୫ ବର୍ଷିଅ ବାଳକ ବିହାନ ରେଖି। ଦିଲ୍ଲୀସ୍ଥିତ ବ୍ରିଟିଶ ସ୍କୁଲ୍ରେ ପଢୁଥିବା ଏହି ବାଳକ ବୃଦ୍ଧାଶ୍ରମର ବୟସ୍କ ଲୋକମାନଙ୍କ ସୁବିଧା ପାଇଁ ଏକ ଆମ୍ବୁଲାନ୍ସ କିଣିବାକୁ ୧୨.୫ ଲକ୍ଷ ଟଙ୍କାର ପାଣ୍ଠି ସଂଗ୍ରହ ଏବେ ଚାରିଆଡ଼େ ଚର୍ଚ୍ଚା ପାଲଟିଛନ୍ତି।
ସେ ୨୦୧୯ ମସିହା ଏପ୍ରିଲ୍ ମାସରେ ଏକ ଜନ ସଂଗ୍ରହ ପାଣ୍ଠି(କ୍ରାଉଡ୍ ଫଣ୍ଡିଂ) ଅଭିଯାନ ଆରମ୍ଭ କରି ଏହି ଟଙ୍କା ସଂଗ୍ରହ କରିଥିଲେ। ଏକ ଭ୍ୟାନ୍ କିଣିବାକୁ ଟାର୍ଗେଟ ୫ ଲକ୍ଷ ଟଙ୍କା ଥିବା ବେଳେ ବିହାନ ଦ୍ବିଗୁଣ ପାଣ୍ଠି ସଂଗ୍ରହ କରିବାରେ ସମର୍ଥ ହୋଇଥିଲେ।
ବିହାନ ଗ୍ରେଟର କୈଳାସର ଏକ ବ୍ୟବସାୟୀ ପରିବାରର ପୁଅ। ସେ ଏତେ ସାନ ବୟସରୁ ବିଭିନ୍ନ ପ୍ରକାରର ସମାଜର ହିତ ସାଧନ କାର୍ଯ୍ୟ କରି ସମସ୍ତଙ୍କ ପ୍ରିୟ ଭାଜନ ହୋଇ ପାରିଛନ୍ତି। ବିହାନ ଗତ କିଛି ବର୍ଷ ହେବ ବିଭିନ୍ନ ବୃଦ୍ଧ-ବୃଦ୍ଧାଙ୍କ ସହ ଯୋଡ଼ି ହୋଇ ରହିବା ସହ ସେମାନଙ୍କୁ ଭଲମନ୍ଦ ବୁଝି ଆସୁଛନ୍ତି।
/sambad/media/post_attachments/wp-content/uploads/2020/09/Vivhan-Rescue-behicle-300x157.jpg)
ବିହାନ ତାଙ୍କ ଫେସ୍ବୁକ୍ ପୋଷ୍ଟ୍ରେ ଲେଖିଛନ୍ତି, ‘ମୁଁ ମୋ ଜେଜେବାପା-ଜେଜେମାଆଙ୍କ ସହ ବଢ଼ିଛି। ସେମାନଙ୍କ ନିସର୍ତ୍ତ ଭଲପାଇବା ବି ପାଇଛି। ମାତ୍ର ଥରେ ଭାବନ୍ତୁ, ଦଶଂଧି ଦଶଂଧି ଧରି ଆମ ପରିବାରକୁ ସମର୍ଥନ ଦେଇ ଆସିଥିବା ସେମାନଙ୍କୁ ଆମେ ନିଜର ସଫଳ ସମୟରେ ପହଞ୍ଚିବା ପରେ ରାସ୍ତାରେ ଛାଡ଼ି ଦେଉ। ଏହିଭଳି ଭାବେ ହଜାର ହଜାର ବୃଦ୍ଧ-ବୃଦ୍ଧା ନିଜ ପରିବାର ଦ୍ବାରା ପରିତ୍ୟକ୍ତ ହେଉଛନ୍ତି।’
ବିହାନ ଦୁଇ ବର୍ଷ ଧରି ଦିଲ୍ଲୀ-ଏନ୍ସିଆର୍ ଅଞ୍ଚଳରେ ଥିବା ଗୁରୁ ଆଶ୍ରମ ବୃଦ୍ଧାଶ୍ରମରେ ସ୍ବେଚ୍ଛାସେବୀ ଭାବେ କାମ କରିବା ପରେ ଶେଷରେ ସେ ନିଜେ ‘ରେସ୍କ୍ୟୁଇଂ ୱିସ୍ଡମ୍’ ନାମକ ଏକ ସଂଗଠନ ଗଠନ କରିଛନ୍ତି, ଯାହାକି ଆର୍ଥ ସେଭିୟର୍ସ ଫାଉଣ୍ଡେସନ ପରି ବୃଦ୍ଧମାନଙ୍କ ଯତ୍ନ ନେବା ପାଇଁ କାର୍ଯ୍ୟ କରୁଥିବା ବିଭିନ୍ନ ସ୍ବେଚ୍ଛାସେବୀ ସଂସ୍ଥାକୁ ସହାୟତା ଦେଇଥାଏ।