ସନ୍ତାନସନ୍ତତିଙ୍କ ନାମକୁ ସୁଦୀର୍ଘ କରାଇବାରେ ଅନେକଙ୍କର ରୁଚି ରହିଥାଏ। ମାତ୍ର ଲମ୍ବା ନାଆଁରୁ ଆତ୍ମସୁଖ ପାଇବାକୁ ଚାହୁଁଥିବା ବ୍ୟକ୍ତିମାନେ ସ୍ପେନ୍‌ର ନବଜାତ ରାଜକନ୍ୟାଙ୍କ କଥା ଥରେ ବିଚାର କରିବା ଉଚିତ, ଯାହାଙ୍କର ନାମଟି ୧୫୭ ଅକ୍ଷର ତଥା ୨୫ ଶବ୍ଦ ବିଶିଷ୍ଟ। ତେବେ ନିଜ ଝିଅର ନାମକୁ ଯଥେଷ୍ଟ ଛୋଟ ନକଲେ ତାହା ନ୍ୟାୟିକ ଭାବେ ଗୃହୀତ ହେବନାହିଁ ବୋଲି ସ୍ପେନ୍‌ର ରାଜଦମ୍ପତିଙ୍କୁ ସତର୍କ କରାଇ ଦିଆଯାଇଛି। ସ୍ପେନ୍‌ ରାଜା ଫର୍ଣ୍ଣାଣ୍ଡୋ ଫିଜ୍‌-ଜେମ୍‌ସ ଷ୍ଟୁଆର୍ଟ ନିଜ ନବଜାତ ଝିଅର ନାମକୁ ‘ସୋଫିଆ ଫର୍ଣ୍ଣାଣ୍ଡା ଡୋଲୋର୍, କେଟାନା ଟେରେସା ଆଞ୍ଜେଲା ଡି ଲା କ୍ରୁଜ୍‌ ମାଇକେଲା ଡେଲ ସେଣ୍ଟିସିମୋ ସାକ୍ରାମେଣ୍ଟୋ ଡେଲ୍‌ ପର୍ପେଚୁଓ ସୋକୋରୋ ଡି ଲା ସାଣ୍ଟିସିମା ଟ୍ରିନିଦାଦ  ୱାଇ ଡି ଟୋଡୋସ ଲସ୍‌ ସାଣ୍ଟୋସ’ ରଖିବାକୁ ଚାହିଁଥିଲେ।

Advertisment

ରାଜକନ୍ୟାଙ୍କର ଏହି ନାମଟି ତାଙ୍କ ମା’, ଜେଜେମା’, ଆଲବାର ପୂର୍ବତନ ରାଣୀ, ବିଭିନ୍ନ ପରିବାର ସଦସ୍ୟ ଓ ଧାର୍ମିକ ଚରିତ୍ର ପ୍ରତି ଉତ୍ସର୍ଗୀକୃତ ବୋଲି କୁହାଯାଇଛି। ଉଲ୍ଲେଖଯୋଗ୍ୟ, ୨୦୧୪ରେ ପରଲୋକ ଗମନ କରିଥିବା ଆଲବାର ରାଣୀ ସର୍ବାଧିକ ୫୭ ସଂଜ୍ଞା ବିଶିଷ୍ଟ ନାମ ଧାରଣ କରିଥିବାର ଗିନିସ ରେକର୍ଡ କରିଥିଲେ। ତେବେ ସରକାରୀ ଭାବେ ନବଜାତ ସ୍ପେନ୍‌ ରାଜକନ୍ୟାଙ୍କର ଏଭଳି ନାମର ପଞ୍ଜୀକରଣ ପାଇଁ କୌଣସି ପ୍ରାବଧାନ ନାହିଁ। ତେଣୁ ତାହାକୁ ଆବଶ୍ୟକତା ଅନୁଯାୟୀ କ୍ଷୁଦ୍ର କରିବାକୁ ରାଜଦମ୍ପତି ରାଜି ହୋଇଛନ୍ତି।