ନୂଆଦିଲ୍ଲୀ: ଆପଣ ପିଲାଦିନକୁ ମନେ ରଖିଛନ୍ତି କି? ଯଦି ହଁ, ତେବେ ପିଲାଦିନେ କିଣାଯାଇଥିବା ଜିନିଷଗୁଡ଼ିକର ମୂଲ୍ୟ କେତେ ଥିଲା ତାହାକୁ ମନେ ପକାନ୍ତୁ ତ! କେବଳ ଏତିକି ନୁହେଁ, ଏବେକାର ଜିନିଷଗୁଡ଼ିକର ମୂଲ୍ୟ ଆଉ ଆପଣଙ୍କ ଜେଜେବାପାଙ୍କ ସମୟରେ ସେହି ଜିନିଷଗୁଡ଼ିକର ମୂଲ୍ୟ କେତେଥିଲା ତାହା ଆପଣ ତୁଳନା କଲେ ଆଶ୍ଚର୍ଯ୍ୟ ହୋଇଯିବେ। ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଏହିପରି ପୁରୁଣା ବିଲ ଭାଇରାଲ ହେବାର ଅନେକ ଘଟଣା ସାମ୍ନାକୁ ଆସିଛି। ଏହାକୁ ଲୋକେ ବେଶ ପସନ୍ଦ ବି କରୁଛନ୍ତି।
ସୋସିଆଲ୍ ମିଡିଆରେ ପୂର୍ବରୁ ଏକ ସାଇକେଲ ମୂଲ୍ୟ କେତେ ଥିଲା, ତାହାର ଏକ ବିଲ ଭାଇରାଲ୍ ହେଉଛି। ଏହି ବିଲଟି ପ୍ରାୟ ୯୦ବର୍ଷ ତଳର ଅର୍ଥାତ ୧୯୩୪ ମସିହା ଜାନୁଆରି ୭ ତାରିଖର ବୋଲି କୁହାଯାଉଛି। ସେତେବେଳେ ସାଇକେଲ ମୂଲ୍ୟ ମାତ୍ର ୧୮ ଟଙ୍କା ଥିଲା ବୋଲି ବିଲରେ ଦେଖିବାକୁ ମିଳୁଛି। ଏହି ୯୦ବର୍ଷ ତଳର ସାଇକେଲ ବିଲର ଫଟୋକୁ ସଞ୍ଜୟ ଖେର ନାମକ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଫେସବୁକରେ ସେୟାର କରିଛନ୍ତି।
ଏହି ପୁରୁଣା ବିଲ ସେୟାର କରି ସଞ୍ଜୟ ଖେର କ୍ୟାପସନରେ ଲେଖିଛନ୍ତି, " ସାଇକେଲ ଚଢ଼ିବା ମୋ ଜେଜେବାପାଙ୍କର ସ୍ୱପ୍ନ ଥିଲା। ସାଇକେଲର ଚକ ପରି, ସମୟର ଚକ କେତେ ବଦଳି ଯାଇଛି!"ଏହି ବିଲରେ ଦେଖିପାରିବେ ଦୋକାନ ନାମ ‘କୁମୁଦ ସାଇକେଲ ୱାକର୍ସ’ ଲେଖା ହେବା ସହିତ ଠିକଣା ସପ ନମ୍ବର-୮୫ ଏ, ମାଣିକତାଲା, କୋଲକାତା ଲେଖା ହୋଇଛି।
ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ କରି ଏହି ପୁରୁଣା ବିଲ ଦେଖି ଲେଖିଛନ୍ତି, "ଚମତ୍କାର, ପୁରୁଣା ଜିନିଷକୁ ସାଇତି ରଖିବା ଏକ ବଡ଼ କଥା। ଅର୍ଥର ମୂଲ୍ୟ ତା’ ସ୍ଥାନରେ ଅଛି, କିନ୍ତୁ ସ୍ମୃତି ଅମୂଲ୍ୟ ଅଟେ।"
ସୌଜନ୍ୟ: ଜିନ୍ୟୁଜ