ତାଙ୍କୁ ମାତ୍ର ୯ ବର୍ଷ ହୋଇଥିବା ବେଳେ ଆରପାରିକୁ ଚାଲିଗଲେ ବାପା। ସେତେେବଳେ ଘରେ କେହି ରୋଜଗାରିଆ ନ ଥିଲେ। ସଂସାର ଭାଙ୍ଗି ଅଜାଡ଼ି ହୋଇପଡ଼ିଲା ତାଙ୍କ ଉପରେ। କିନ୍ତୁ, ସେ ହତାଶ ହେଲେନାହିଁ। ପରିବାର ଚଳାଇବା ପାଇଁ ବାପାଙ୍କ ବେଉସା ଚାଲୁ ରଖିବାକୁ ଦୃଢ଼ପ୍ରତିଜ୍ଞ ହେଲେ। ତା’ ସହିତ ପାଠପଢ଼ା ପ୍ରତି ବି ଗୁରୁତ୍ବ ଦେଲେ। ବାପା ଥିଲେ ଜଣେ ପ୍ରତିଷ୍ଠିତ କେଶବିନ୍ୟାସକାରୀ ଓ ମୁମ୍ବାଇର ଜନାକୀର୍ଣ୍ଣ ଭିଣ୍ଡୀ ବଜାରସ୍ଥିତ ବାସଭବନରେ ଖୋଲିଥିଲେ ସେଲୁନ୍। ତାଙ୍କ ପରେ ପୁଣି ସେହି ସେଲୁନ୍ ଖୋଲି କେଶକଟା ଆରମ୍ଭ କଲେ ପୁଅ ଆଲିମ୍। କେଶକଟା ବାବଦକୁ ସେତେବେଳେ ସେ ନେଉଥିଲେ ମାତ୍ର ୨୦ରୁ ୩୦ ଟଙ୍କା।
ଆର୍ଥିକ ଅସୁବିଧା ସତ୍ତ୍ବେ ସେ ମୁମ୍ବାଇର ମିଠିବାଈ କଲେଜରୁ ସ୍ନାତକ ଡିଗ୍ରି ହାସଲ କଲେ। ସେପଟେ, କେଶକଟା ଓ ବିନ୍ୟାସରେ ବି ତାଙ୍କର ଦକ୍ଷତା ବୃୃଦ୍ଧି ପାଇଲା। ଜଣେ ସାଧାରଣ ନାପିତ ଭାବେ କାମ ଆରମ୍ଭ କରିଥିବା ଆଲିମ୍ ଆଜି ଭାରତର ଅନ୍ୟତମ ଶ୍ରେଷ୍ଠ ହେୟାର୍ ଷ୍ଟାଇଲିଷ୍ଟ୍ମାନଙ୍କ ମଧ୍ୟରେ ଅନ୍ୟତମ। ସତେ ଅବା ବାପା ହକିମ୍ କୈରାନବୀଙ୍କଠାରୁ ହେୟାର୍ଷ୍ଟାଇଲିଙ୍ଗ୍ ବା କେଶବିନ୍ୟାସ କଳାକୌଶଳକୁ ଉତ୍ତରାଧିକାରସୂତ୍ରରେ ଆଗେଇ ନେଇଛନ୍ତି ଆଲିମ୍ ହକିମ୍। ଅମିତାଭ ବଚ୍ଚନ, ରାଜେଶ ଖାନ୍ନା, ସୁନୀଲ୍ ଦତ୍ତ, ମେହମୁଦ୍, ସଞ୍ଜୟ ଦତ୍ତ ଏବଂ ଆହୁରି ଅନେକ ବଲିଉଡ୍ କଳାକାରଙ୍କର କେଶବିନ୍ୟାସ ଶୈଳୀ ହେଉଛି ହକିମ୍ କୈରାନବୀଙ୍କ ସୃଷ୍ଟି। ମୁମ୍ବାଇର ସମ୍ମାନଜନକ ତାଜ୍ ହୋଟେଲ୍ରେ ଥିବା ମ୍ୟାଡାମ୍ ଜ୍ୟାକ୍ ସେଲୁନ୍ରେ ଚାକିରି ପାଇବା ଥିଲା ଆଲିମ୍ଙ୍କ କ୍ୟାରିୟର୍ର ଗୁରୁତ୍ବପୂର୍ଣ୍ଣ ସମୟ। ସେଠାରେ ହିଁ ସେ ତାଙ୍କର କେଶକଟା ଚାତୁର୍ଯ୍ୟକୁ ପରିମାର୍ଜିତ କଲେ ଓ ଅସାଧାରଣ ପ୍ରତିଭାଶାଳୀ ଭାବେ ସ୍ବୀକୃତି ପାଇଲେ।
ପରେ ଚାକିରି ଛାଡ଼ି ସେ ବାପାଙ୍କ ଭଳି ଭିଣ୍ଡୀ ବଜାରରେ ନିଜସ୍ବ ସେଲୁନ୍ ଖୋଲିଲେ। ସମ୍ପ୍ରତି କେଶବିନ୍ୟାସ କରାଇବାକୁ ତାଙ୍କ ପାଖକୁ ବଲିଉଡ୍, କ୍ରୀଡ଼ା ଓ ବ୍ୟବସାୟ ଦୁନିଆ ସମେତ ସବୁ ବର୍ଗର ବ୍ୟକ୍ତିଙ୍କ ସୁଅ ଛୁଟୁଛି। ତାଙ୍କର ନାମୀଦାମୀ ଗ୍ରାହକମାନଙ୍କ ମଧ୍ୟରେ ଅଛନ୍ତି, ସଲ୍ମାନ୍ ଖାନ୍, ରଣବୀର କପୁର, ଅଭିଷେକ ବଚ୍ଚନ, ପ୍ରଭାସ, ଅନନ୍ତ ଅମ୍ବାନୀ, ବିରାଟ କୋହଲି ଓ ଏମ୍. ଏସ୍. ଧୋନିଙ୍କ ଭଳି ଅନେକ ସେଲିବ୍ରିଟି। କେଶକଟା ଓ ବିନ୍ୟାସ ପାଇଁ ଆଲିମ୍ ରଖିଥିବା ସର୍ବନିମ୍ନ ଦର େହଉଛି ୧ ଲକ୍ଷ ଟଙ୍କା।