ଏମିତି ଏକ ସମୟ ଥିଲା, ମତେ ଓଡ଼ିଆ ଗୀତ ଶୁଣିବାକୁ ଆଦୌ ଭଲ ଲାଗୁ ନଥିଲା। ପୁନେରୁ ଉଚ୍ଚଶିକ୍ଷା ସାରି ଯେତେବେଳେ ମୁଁ ଭୁବନେଶ୍ୱରରେ ପହଞ୍ଚିଲି, ସେତେବେଳେ ଯେଉଁସବୁ ଓଡ଼ିଆ ଗୀତ ବଜାରକୁ ଆସୁଥିଲା ତାକୁ ଶୁଣିଲେ ମତେ ବିରକ୍ତ ଲାଗୁଥିଲା। ଶସ୍ତା ଲେଖା, ଦ୍ବିଅର୍ଥବୋଧକ ଶବ୍ଦ ସଂଯୋଜନା, ପୁଣି ମୌଳିକତାର ନାଁ ଗନ୍ଧ ନଥିଲା।
୨୦୧୦ ମସିହାର କଥା। ଗୋଟିଏ କାମରେ ମତେ ସମ୍ବଲପୁର ଯିବାକୁ ପଡ଼ିଲା। ଭବନେଶ୍ୱରରୁ ସମ୍ବଲପୁର ସାତଘଣ୍ଟାର ଲମ୍ବା ଯାତ୍ରା। କିଛି ବାଟ ଯିବାପରେ ମନେପଡ଼ିଲା, ମୁଁ ମୋ ପେନ୍‌ଡ୍ରାଇଭ୍‌ଟା ଘରେ ଛାଡ଼ି ଆସିଛି। ସେଇ ପେନ୍‌ଡ୍ରାଇଭ୍‌ରେ ମୋର ପସନ୍ଦର ହିନ୍ଦୀ ଗୀତଗୁଡ଼ିକୁ ମୁଁ ସାଇତି ରଖିଥାଏ। ଘରକୁ ଫେରି ପେନ୍‌ଡ୍ରାଇଭ୍‌ ଆଣିବା ସମ୍ଭବ ନଥିଲା। ଏଇ ଭୁଲାପଣ ଯୋଗୁଁ ମନେମନେ ମୁଁ  ନିଜ ଉପରେ ଭାରି ବିରକ୍ତ ହେଉଥିଲି। ଏଇ ସମୟରେ ମୋ ଡ୍ରାଇଭର ମତେ ପଚାରିଲା, ‘‘ଅପା! ମୋ ପାଖରେ ବଢ଼ିଆ ସିଡିଟେ ଅଛି। ବଜେଇବି?’’ ମୁଁ ଚିଡ଼ିଲା ସ୍ୱରରେ କହିଲି, ‘‘ନା। ମତେ ସେ ବେକାର ଓଡ଼ିଆ ଗୀତସବୁ ଶୁଣିବାର ନାହିଁ।’’ ମୋ କଥାରେ ଅଟକି ନଯାଇ ସେ ପୁଣିଥରେ କହିଲା, ‘‘ଥରେ ଶୁଣିକି ତ ଦେଖନ୍ତୁ। ବଛାବଛା ପୁରୁଣା ଗୀତ ରଖିଛି। ବଢ଼ିଆ ଲାଗିବ।’’ ପୁରୁଣା ଗୀତ କଥା ଶୁଣି ଭାବିଲି, ଏସବୁ ତ ତଦ୍ରୂପ  ହୋଇଥିବ। ହେଲେ ସେ ଏତେ ଆଗ୍ରହରେ କହୁଛି, ମୁଁ ତା’ ମନ ଭାଙ୍ଗିବାକୁ ଚାହୁଁ ନଥିଲି। ମୁଁ କହିଲି, ‘‘ହଉ, ବଜାଅ।’’
ମୋର ସ୍ପଷ୍ଟ ମନେଅଛି, ପ୍ରଥମ ଗୀତ ଥିଲା ଅକ୍ଷୟ ମହାନ୍ତିଙ୍କ ‘ଯା ଯାରେ ଭାସି ଭାସି ଯାଆ...’। ଗୀତଟା ଟିକେ ଲମ୍ବା ମନେହେଲା, କିନ୍ତୁ ଭଲ ଲାଗିଲା। ତା’ପରେ ‘ଚନ୍ଦ୍ରମଲ୍ଲୀ ହସେ...’। ମତେ ଏତେ ଭଲ ଲାଗିଲା ଯେ ଏଇ ଗୀତଟି ଶୁଣୁଶୁଣୁ ମୁଁ ତା’ ପ୍ରେମରେ ପଡ଼ିଗଲି। ତା’ ପରେ ଚିତ୍ତ ଜେନାଙ୍କ ଗୀତ ‘ମୋ ପ୍ରିୟାଠାରୁ କିଏ ଅଧିକ ସୁନ୍ଦର...’, ରଘୁନାଥ ପାଣିଗ୍ରାହୀଙ୍କ ‘ନୂପୁର ବଜାଏ କିଏ...’, ପ୍ରଫୁଲ୍ଲ କର ଗାଇଥିବା ‘ଏ ରାତି ଏଇ ଜହ୍ନ ଏ ଫୁଲ ଏ ଫଗୁଣ...’, ପ୍ରଣବ ପଟ୍ଟନାୟକଙ୍କ ‘ସୀମାହୀନ ଦରିଆ...’, ଅକ୍ଷୟ ମହାନ୍ତିଙ୍କ ‘ଏ ଫଗୁଣ ତୁମେ ଗଲା ପରେ ପରେ...’, ନିର୍ମଳା ମିଶ୍ରଙ୍କ ‘ଜୋଛନା ଲୁଚନା...’, ସିକନ୍ଦର ଆଲାମ୍‌ଙ୍କ କଣ୍ଠରେ ‘ମାୟାବିନୀ ବନ ଜୋଛନା..’ ଓ ‘ସପନର ପଥେ ପଥେ...’, ଶେଖର ଘୋଷଙ୍କ ‘ହୃଦୟର ଏଇ ଶୂନ୍ୟତାକୁ...’, ଗୋଟିଏ ପରେ ଗୋଟିଏ ଏକକୁ ଆରେକ ବଳି ଚମତ୍କାର ଗୀତସବୁ ବାଜୁଥାଏ। ବାଟ କେମିତି ସରିଗଲା, ଜଣା ପଡ଼ିଲାନି। ସେ ଦିନକୁ ମୁଁ କେବେ ଭୁଲି ପାରିବିନି। ଓଡ଼ିଆ ଗୀତକୁ ନେଇ ମୋର ଧାରଣା ସମ୍ପୂର୍ଣ୍ଣ ବଦଳିଗଲା। ମତେ ଲାଗିଲା, ମୁଁ ଯେମିତି ସଙ୍ଗୀତର ରତ୍ନଭଣ୍ଡାରଟେ ପାଇଯାଇଛି। ଘରେ ଆସି ମା’କୁ ପଚାରିଲି, ‘‘ଓଡ଼ିଆରେ ଏତେ ଭଲ ଭଲ ଗୀତ ଅଛି। ତୁ କାହିଁକି କେବେ ଆମକୁ କହିନୁ କି ଶୁଣେଇନୁ?’’ ମା’ କହିଲା, ‘‘ତମେମାନେ ତ ସବୁ ହିନ୍ଦୀରେ ମାତିଛ। ଓଡ଼ିଆ ଗୀତ ଶୁଣିବାକୁ ତମର ଆଗ୍ରହ କୋଉଠୁ ଆସିବ!’’
୨୦୦୭ରେ ଯେବେ ରେଡିଓ ଚକଲେଟ୍ ଆରମ୍ଭ ହେଲା, ନିଷ୍ପତ୍ତି ହେଲା ଆମେ ଉଭୟ ଓଡ଼ିଆ ଓ ହିନ୍ଦୀ ଗୀତ ବଜେଇବା ସହ ସମସ୍ତ କାର୍ଯ୍ୟକ୍ରମ ଓଡ଼ିଆ ଭାଷାରେ ପ୍ରସ୍ତୁତ କରିବୁ। ସେତେବେଳେ ଜାତୀୟସ୍ତରର ଖୁବ୍‌ ବଡ଼ ବଡ଼ ରେଡିଓ ଷ୍ଟେସନ୍ ଆମର ପ୍ରତିଦ୍ବନ୍ଦ୍ବୀ। ସେମାନଙ୍କ ଭିତରୁ ଗୋଟିଏ ଚ୍ୟାନେଲ୍‌ରେ କେବଳ ହିନ୍ଦୀ ଗୀତ ଓ ହିନ୍ଦୀ କାର୍ଯ୍ୟକ୍ରମ, ଅନ୍ୟଟିରେ ସର୍ବାଧିକ ହିନ୍ଦୀ ଗୀତ ଓ କାର୍ଯ୍ୟକ୍ରମ ବାଜୁଥିଲା। ଅନେକେ ଆମକୁ କହିଥିଲେ, ସେମାନେ ସବୁ ଏତେ ବଡ଼ ବଡ଼ କମ୍ପାନି। ନିଶ୍ଚୟ  ସର୍ଭେ କରି ଆସିଥିବେ। ଆଜିକାଲି ଓଡ଼ିଆ କିଏ ଶୁଣୁଛି! ହେଲେ ଆମେ ବୁଝିବିଚାରି, ପାଦେପାଦେ ଜଗିରଖି ପ୍ରସ୍ତୁତ କରିଥିବା କାହାଣୀ, ନାଟକ, ପାଲା, ଗୀତ, ଆମ ପର୍ବପର୍ବାଣି; ଯେମିତି ରଜ, ସାବିତ୍ରୀ, ରଥଯାତ୍ରା, କାର୍ତ୍ତିକ ପୂର୍ଣ୍ଣିମାକୁ ନେଇ ପ୍ରସ୍ତୁତ କାର୍ଯ୍ୟକ୍ରମମାନ ଓଡ଼ିଆ ଶ୍ରୋତାଙ୍କ ମନ କିଣିନେଲା। ଶ୍ରୋତାମାନେ ଏତେ ଭଲପାଇବା ଅଜାଡ଼ି ଦେଲେ ଯେ, ରେଡିଓ ଚକଲେଟ୍‌ର ଲୋକପ୍ରିୟତା ବିଷୟରେ ବାହାର ରାଜ୍ୟମାନଙ୍କରେ ତଥା ଜାତୀୟସ୍ତରରେ ଚର୍ଚ୍ଚା ହେଲା। ସମୟ ଏମିତି ଆସିଲା, ଧୀରେ ଧୀରେ ଅନ୍ୟ ଏଫ୍ଏମ୍ ରେଡିଓ ଚ୍ୟାନେଲ୍‌ମାନେ ମଧ୍ୟ ସେମାନଙ୍କ କାର୍ଯ୍ୟକ୍ରମରେ ଓଡ଼ିଆ ଭାଷାକୁ ସ୍ଥାନ ଦେବାପାଇଁ ବାଧ୍ୟ ହେଲେ।
ରେଡିଓ ହେଉ କିମ୍ବା ଓଡ଼ିଆ ଗୀତ, ମଞ୍ଚ ନାଟକ, ଯାତ୍ରା, ଟିଭି ଅବା ଚଳଚ୍ଚିତ୍ର; ସମସ୍ତଙ୍କ ପାଇଁ ନିୟମ ସମାନ। ଭଲ ଲାଗିବାର ମୂଳମନ୍ତ୍ର ହେଉଛି, ନିଜ ମାଟି ସହ ଯୋଡ଼ିହୋଇ ରହିବା। ତା’ ସହିତ ବିଦେଶର ଟେକ୍ନୋଲୋଜିକୁ ଆପଣେଇବାରେ କୌଣସି ଅସୁବିଧା ନାହିଁ। କିନ୍ତୁ ‘ବିଷୟବସ୍ତୁ’ ନିଜର ହେଇଥିବା ଦରକାର। ଆମ ମାଟି-ପାଣି-ପବନର ଛୁଆଁ ରହିଥିବା ଦରକାର। ପର ଘର ପଲଙ୍କ ଯେତେ ଦାମିକା ହେଲେ ବି, ନିଜ ଖଟରେ ନିଦ ଶୀଘ୍ର ଆସିଥାଏ। କିନ୍ତୁ ଏକଥା ବି ସତ ଯେ କେବଳ ଅସ୍ମିତାର ଅହମିକାରେ ଫୋପାଡ଼ି ଫିଙ୍ଗି ଦେଲା ଭଳି କାମ କଲେ ଚଳିବ ନାହିଁ। ଓଡ଼ିଆ ଭାଷା ଥିବ, ମାଟିର ମହକ ଥିବ, ପ୍ରସ୍ତୁତିରେ ମନପ୍ରାଣ ଅଜଡ଼ା ହୋଇଥିବ। ଯଦି କେବେ ଆମେ ଝୁଣ୍ଟି ପଡ଼ିବା, ନିଜ ଉପରେ ବିଶ୍ୱାସ ହରେଇବା, ସେତେବେଳେ ଆମେ ଆମ ଗୌରବମୟ ଅତୀତ ଏବଂ ଅତୀତର କୃତିକୁ ମନେପକେଇବା। ଅତୀତ କଥା ଛାଡ଼ନ୍ତୁ, ନିକଟରେ ମୁକ୍ତିଲାଭ କରିଥିବା ‘ଦମନ’, ‘ପାବାର’ ଓ ‘ପ୍ରତୀକ୍ଷା’ ଭଳି ସଫଳ ଚଳଚ୍ଚିତ୍ରକୁ ଦୃଷ୍ଟାନ୍ତ ଭାବରେ ନିଅନ୍ତୁ। ଓଡ଼ିଶାର କଥା, ଓଡ଼ିଶାର ସୌନ୍ଦର୍ଯ୍ୟ ଭରା ଲୋକେସନ୍ ଓ ମନଛୁଆଁ ପରିବେଷଣ-ଏଇତ ସଫଳତାର ଚାବିକାଠି। ଜାତୀୟ ସ୍ତରରେ ଟେଲିଭିଜନ୍‌ରେ ଏତେ ପ୍ରତିଭାଧାରୀ କଳାକାର କଳା ପରିବେଷଣ କରୁଛନ୍ତି, କାହିଁକି ବର୍ଣ୍ଣାଳି ହୋତାଙ୍କ ‘ଉଠ କଙ୍କାଳ..’ ଗୀତ ସବୁରି ଓଠରେ ଗୁଣୁଗୁଣୁ ହୋଇ ଘୂରିବୁଲୁଛି? ବିକଳ ହୋଇ ସଫଳ ହେବା ପାଇଁ ଏଠୁ କେଞ୍ଚେ, ସେଠୁ ମେଞ୍ଚେ ନ ଆଣି ଆମ ଗୀତ ଶୁଣନ୍ତୁ। ଆମ ସାହିତ୍ୟ ପଢ଼ନ୍ତୁ। ଆମ ପାହାଡ଼ପର୍ବତ, ସବୁଜବନାନୀ ବୁଲି ଦେଖନ୍ତୁ। ଆମ ଭାଷାର ମାଧୁର୍ଯ୍ୟକୁ ବୁଝନ୍ତୁ। ଓଡ଼ିଆ ଆଉ ଓଡ଼ିଶା, ଏଇଠି ଲୁଚିରହିଛି ଅପର୍ଯ୍ୟାପ୍ତ ସମ୍ଭାବନା।

Advertisment

ତନୟା ପଟ୍ଟନାୟକ
ସଂପାଦକ