ଗତ ସପ୍ତାହ ପଖାଳ ଦିବସରେ ପଖାଳ ଖାଇବା ପାଇଁ ମୋ ସାଙ୍ଗଘରକୁ ଯାଇଥିଲି। ଦହି ପଖାଳ, ବଡ଼ିଚୂରା, ମାଛଭଜା, ଚିଙ୍ଗୁଡ଼ି ଛେଚା, ପତ୍ରପୋଡ଼ା ଚୂନାମାଛ, ଆଳୁ ଭରତା, ଟମାେଟା ପୋଡ଼ା, ଭେଣ୍ଡି ଆମ୍ବୁଲ ପାଗ, ସୋରିଷ ଆଳୁ ଛୁଇଁ ଭଜା ଓ ବାଇଗଣ ଭରତା। ପଖାଳ ସାଙ୍ଗକୁ ଏତେ ସବୁ ବ୍ୟଞ୍ଜନ ସକାଳୁ ଲାଗିପଡ଼ି ମୋ ସାଙ୍ଗ ଯେତେ ପରିଶ୍ରମରେ ପ୍ରସ୍ତୁତ କରିଥିଲା, ସେତେ ଆଗ୍ରହରେ ଆମେ ଖାଇବାକୁ ବସିଲୁ। ପଖାଳର ମଜା ନେଲାବେଳେ ମୋ ସାଙ୍ଗର ମାଆ କହିଲେ, “ଆଜିକାଲି ସିନା ପଖାଳ ସାଙ୍ଗକୁ ତମମାନଙ୍କର ଏତେ ସାଜସଜ୍ଜା, ଆମବେଳେ ପଖାଳ ସାଙ୍ଗକୁ ଗୋଟେ ଯୋଡ଼େ ଭଜାଭଜି ହେଇଗଲେ ଯଥେଷ୍ଟ। ଯେତେ ଯାହା କୁହ କଇଁନାନୀ ଘର ପଖାଳର ସ୍ବାଦ ଆଉ କୋଉଠି ନାହିଁ।’’ ଆମେ ପଚାରିଲୁ, ‘‘କଇଁନାନୀ ଘର ପଖାଳ କ’ଣ?’’ ତାଙ୍କ ପିଲାଦିନ କଥା ମନେପକାଇ ସେ କହିଲେ, “ମତେ ଛଅ ସାତ ବର୍ଷ ହେଇଥିବ, ସେତେବେଳେ ଆମେ ଉରାଳିରେ ରହୁଥିଲୁ। ଆମ ଘର ପାଚେରି ଭିତରେ ଗୋଟିଏ ଚାଳଘରେ ଆମକୁ କାମଦାମରେ ସାହାଯ୍ୟ କରିବା ପାଇଁ କନ୍ଧ ପରିବାରଟିଏ ରହୁଥିଲେ। କଇଁନାନୀ, ତା’ ବର ଓ ତାଙ୍କର ଗୋଟେ ଛୋଟ ଝିଅ ଜୁଇ। ଆମେ ଦୁହେଁ ସାଙ୍ଗ ହୋଇ ବେଳେବେଳେ ଖେଳୁଥିଲୁ। କିନ୍ତୁ ମୋ ଜେଜୀ ଜୁଇ ସାଙ୍ଗରେ ମିଶିଲେ କଡ଼ା କରି ଗାଳି ଦେଉଥିଲା ଓ ତାଙ୍କ ଘରକୁ ଯିବାକୁ ମନା କରୁଥିଲା। ମୁଁ ଦେଖେ ସବୁଦିନ ସକାଳୁ କଇଁନାନୀ ବାରିରୁ ସଜନା ଶାଗ ତୋଳି ଆଣେ। ସେ, ତା’ ବର ଆଉ ଜୁଇ ଏକାଠି ବସି ପଖାଳ ଭାତ ସାଙ୍ଗକୁ ଶଜନା ଶାଗ ଖାଆନ୍ତି। ମାଟିଚୁଲିରେ କଇଁନାନୀ ଶାଗ ଖରଡ଼ିଲା ବେଳେ ସେ ବାସ୍ନାରେ ହିଁ ମୋ ପାଟିରୁ ଲାଳ ବାହାରିଆସେ। ମୋର ତାଙ୍କ ସାଙ୍ଗରେ ବସି ଖାଇବାକୁ ଭାରି ଇଚ୍ଛା ହୁଏ, ହେଲେ ମତେ ତ ଜେଜୀ ମନା କରିଛି! ଦିନେ ଆମେ ଖେଳିଲାବେଳେ କଇଁନାନୀ ଜୁଇକୁ ଖାଇବାକୁ ଡାକିଲା। ସେଦିନ ମୁଁ ଆଉ ସମ୍ଭାଳି ପାରିଲି ନାହିଁ। ଜୁଇ ପଛେପଛେ ମୁଁ ବି ତା’ ଘରକୁ ଗଲି। ସିଧା ଯାଇ ପଖାଳ ବେଲା ଆଗରେ ଚକା ପକେଇ ବସିପଡ଼ିଲି। ମୋତେ ଏ ଅବସ୍ଥାରେ ଦେଖି କଇଁନାନୀ ଇତସ୍ତତଃ ହେଇଗଲା। ସେ ମୋତେ ଖା’ ବୋଲି କହି ପାରିଲାନି କି ଯା’ ବୋଲି ଫେରେଇ ପାରିଲାନି। କିଛି ନକହିଲେ ବି ମୋ ମୁହଁରେ ସ୍ପଷ୍ଟ ଲେଖାଥିଲା, ଆଜି ତୋ ଘରେ ନଖାଇଲେ ଜମା ଯିବିନି। କଇଁନାନୀ ବେଲାରୁ ମୁଠେ ପଖାଳ ଆଉ ଶାଗ ଭଜା ମତେ ଖୁଆଇଦେଲା। ଓଃ କି ସ୍ବାଦ! ଆନନ୍ଦରେ ମୁଁ ସେଦିନ ସେମାନଙ୍କ ସହ ମିଶି ଖାଇଲି। ସେଦିନ ପୂର୍ବରୁ କି ତା’ପରେ ଆଜିଯାଏଁ ସେମିତିକା ପଖାଳର ସ୍ବାଦ ମୁଁ କେବେ ବି ପାଇନି। ମୁଁ ଘରକୁ ଫେରି ସିଧା ଜେଜୀ ପାଖକୁ ଗଲି। ପ୍ରତିବାଦ କଲାପରି ତାକୁ ପଚାରିଲି, ‘‘ତୁ କାହିଁକି ମତେ କଇଁନାନୀ ଘରକୁ ଯିବାକୁ ମନା କରୁଛୁ, କଇଁନାନୀ ଘର ପଖାଳ କେଡ଼େ ସୁଆଦ! ନିଜେ ତ ଏମିତି କରିବନି, ଆଉ ମତେ ଖାଲି ମନା କରିବ।’’ ମୋ କଥା ଶୁଣି ଜେଜୀ ରାଗରେ ଥରିଗଲା। ପଚାରିଲା, ‘‘ତୁ ଯାଇ କଇଁ ଘରେ ଖାଇଦେଇ ଆସିଲୁ?’’
ମୁଁ କହିଲି, ‘ହଁ’।
‘‘ସେମାନଙ୍କ ସାଙ୍ଗରେ ଗୋଟିଏ ବେଲାରେ ଖାଇଲୁ?’’
‘‘ହଁ, କଇଁନାନୀ ନିଜେ ତା’ ହାତରେ ମୋତେ ଖୁଆଇଦେଲା।’’
ଜେଜୀ ଦାନ୍ତ କଡ଼ମଡ଼ କରି ପୁଣି ପଚାରିଲା, ‘‘ଯେଉଁ ବେଲାରୁ ସେ ନିଜେ ହାତ ବୁଡ଼ାଇ ଖାଉଥିଲା ସେଇ ବେଲାରୁ ତତେ ଖୁଆଇଲା?’’
ମୁଁ କହିଲି, ‘‘ଏତେ କଥା ମୋର ମନେ ନାହିଁ। ପଖାଳ ମତେ ଏତେ ସୁଆଦିଆ ଲାଗିଲା ଯେ ସେ ଖୁଆଇଲା ଆଉ ମୁଁ ଖାଇ ଚାଲିଲି। ତା’ପରେ ପେଟେ ତୋରାଣି ବି ପିଇଲି।’’
ଜେଜୀ ମୁହଁ ସେତେବେଳକୁ ଦେଖିଲା ପରି ଥିଲା। ସାମ୍ନାରେ ଭୂତଟେ ଦେଖିଲା ପରି ସେ ମତେ ଚାହିଁଥିଲା। ମୋ ଉପରେ ଅସରାଏ ବରଷିଯିବା ପରେ ସେ ମାଆ ଉପରେ ଚିତ୍କାର କରିବା ଆରମ୍ଭ କଲା, “ତତେ କେତେଥର ମନା କରିଛି...।’’
କିଛିଦିନ ପରେ ମୁଁ ସ୍କୁଲ୍ରୁ ଫେରିଲା ବେଳକୁ ଦେଖିଲି, ଘରେ କେହି ନାହାନ୍ତି। କଇଁନାନୀ କହିଲା, ‘‘ତୁ ଏଠି ଖେଳୁଥା। ଘର ଲୋକ ଶୀଘ୍ର ଆସିଯିବେ।’’ ଜେଜୀ ଓ ମାଆ ଫେରିଲା ପରେ କଇଁନାନୀକୁ ଦେବାକୁ ଗିଲାସେ କ୍ଷୀର ମାଆକୁ ମାଗିଲି। ଜେଜୀ କୋଉଠି ଥିଲା ଚିହିଁକି ଆସି ପଚାରିଲା, ‘‘କ’ଣ ପାଇଁ ଏତେ କଇଁ ସରାଗ?’’ ମୁଁ କହିଲି, ‘‘ତମେ ତ କେହି ଘରେ ନଥିଲ, ମୁଁ ଜୁଇ ସାଙ୍ଗରେ ଖେଳୁଥିଲି। ମତେ ଭାରି ଭୋକ ଲାଗିଲା। କଇଁନାନୀକୁ ମାଗିବାରୁ ସେ ବ୍ୟସ୍ତ ହୋଇ ମନକୁ ମନ କହିଲା ଘରେ ତ ଦେବାକୁ କିଛି ନାହିଁ। ତା’ପରେ ଡେକ୍ଚିରୁ ଢାଳି ଗିଲାସେ କ୍ଷୀର ମତେ ପିଇବାକୁ ଦେଲା।’ ଜୁଇ ପଚାରିଲା, ‘‘ମୋ କ୍ଷୀର ଅପାକୁ କାହିଁକି ଦେଲୁ! ମୁଁ ଦେଖିଲି ସେ ଡେକ୍ଚିରେ ଆଉ ଟୋପେ ବି କ୍ଷୀର ନାହିଁ। କଇଁ ନାନୀ ଜୁଇକୁ ଯେତେ ବୁଝେଇବାକୁ ଚେଷ୍ଟା କଲେ ବି ସେ ବୁଝିଲା ନାହିଁ। କାନ୍ଦି କାନ୍ଦି ଯାଇ ଶୋଇପଡ଼ିଲା। ତା’ କ୍ଷୀର ପିଇଦେଲି ବୋଲି ସେ ମୋ ଉପରେ ରାଗିଥିବ। ତାକୁ ଯାଇ କ୍ଷୀର ଗ୍ଲାସ୍ ଦେଇଦେଲେ ସେ ବୁଝିଯିବ।’’
ଶିଶୁ ସବୁବେଳେ ସରଳ ଓ ନିଷ୍ପାପ। ଛୁଆଁଅଛୁଆଁ, ପରଆପଣା ଭାବ ସେମାନଙ୍କ ପାଖରେ ନଥାଏ। ଆମେ ଯେମିତି ଶିଖାଉ, ସେମାନେ ସେମିତି ଶିଖନ୍ତି। ଭବିଷ୍ୟତରେ ମଣିଷ-ମଣିଷ ଭିତରେ ସେମାନେ ପାଚେରି ଗଢ଼ିବେ ନାଁ ଭାଙ୍ଗିବେ, ତାହା ଆମ ଉପରେ ନିର୍ଭର କରେ।
ତନୟା ପଟ୍ଟନାୟକ
ସଂପାଦକ