ନୂଆଦିଲ୍ଲୀ: ଫ୍ଲୋରିଡା ତଟର ସେହି ମୁହୂର୍ତ୍ତ । ମହାକାଶରୁ ଉଲକା ପିଣ୍ଡ ପରି ଖସୁଥିବା ସ୍ପେସ୍ ଏକ୍ସର ଡ୍ରାଗନ ସ୍ପେସକ୍ରାଫ୍ଟ ଯେତେବେଳେ ସମୁଦ୍ରରେ ପଡିଥିଲା ସେତେବେଳେ ସମୁଦ୍ର ଭିତରେ ମହାଶୂନ୍ୟରୁ ଖସିଥିଲା ଜୀବନ, ଖସିଥିଲା ଖୁସି । ଏ ଖୁସି ଦିନେ ଦୁଇ ଦିନର ନୁହେଁ ମାସ ମାସ, ପୂରା ୯ ମାସର । ଭାରତୀୟ ସମୟ ଭୋର୍ ୩ଟା ୨୭ ମିନିଟ୍ । ଯେତେବେଳେ ସମୁଦ୍ରରେ ଲ୍ୟାଣ୍ଡିଂ କଲା ନାସାର ସ୍ବତନ୍ତ୍ର ସ୍ପେସକ୍ରାଫ୍ଟ ସେତେବେଳେ ସମୁଦ୍ରରୁ ହସି ହସି ବାହାରିଥିଲେ ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋର୍ । ମହାକାଶରୁ ଆସି ମାଟି ଛୁଇଁବା ପରେ ସେମାନଙ୍କ ମୁହଁରେ ଥିଲା ଚେନାଏ ହସ ।
ଫ୍ଲୋରିଡା ସମୁଦ୍ର ତଟର ସେହି ସ୍ମରଣୀୟ ମୁହୂର୍ତ୍ତକୁ ଦେଖୁଥିଲା ସାରା ଦୁନିଆ । ଖୁସିରେ ନାଚୁଥିଲେ ଅନେକ । କାରଣ ମହାକାଶରୁ ଫେରିଛନ୍ତି ସୁନୀତା । ଏକାଧିକ ଚେଷ୍ଟା ପରେ ୯ ମାସ ପରେ ପୃଥିବୀକୁ ଫେରିଛନ୍ତି ସୁନୀତା ୱିଲିୟମ୍ସ ଓ ବୁଚ୍ ୱିଲମୋର ଏବଂ ଅନ୍ୟ ଦୁଇ ମହାକାଶଚାରୀ ଆଲେକଜାଣ୍ଡର ଗୋର୍ବୁନୋଭ ଓ ନିକ୍ ହେଗ୍ । ଦୀର୍ଘ ୧୭ ଘଣ୍ଟାର ଯାତ୍ରା ପରେ ସ୍ପେସ ଷ୍ଟେସନରୁ ପୃଥିବୀ ପୃଷ୍ଠରେ ପହଞ୍ଚିଥିଲେ ମହାକାଶଚାରୀ । ଯାହା ମହାକାଶ ବିଜ୍ଞାନ କ୍ଷେତ୍ରରେ ଏକ ବଡ଼ ସଫଳତା । ଆଉ ସେହି ସ୍ମରଣୀୟ ସମୟକୁ ମନେରଖିବାକୁ ସବୁଛି ସେଲିବ୍ରେସନ ମାହୋଲ । ସୁନୀତାଙ୍କୁ ସ୍ବାଗତ ପାଇଁ ଭବ୍ୟ ଆୟୋଜନ ।
A pod of Dolphins stopped by to say welcome home to the Astronauts! 🐬 pic.twitter.com/0XXdMJbKG8
— DogeDesigner (@cb_doge) March 18, 2025
ମହାକାଶରୁ ସୁନୀତାଙ୍କୁ ପ୍ରଥମେ ସ୍ବାଗତ କରିଥିଲା ସମୁଦ୍ର । ନୀଳ ଜଳରାଶିର ମାଳମାଳ ଢେଉ ସୁନୀତାଙ୍କୁ ଅଭିନନ୍ଦନ ଜଣାଉଥିଲା ଆଉ ଅଥଳ ଜଳର ଗର୍ଜନ ସୁନା ଝିଅକୁ ସଲାମ୍ କରୁଥିଲା । ଫ୍ଲୋରିଡା ତଟର ଏହି ଦୃଶ୍ୟକୁ ଆହୁରି ଚମତ୍କାର ଏବଂ ସ୍ମରଣୀୟ କରିଛି ସମୁଦ୍ରରେ ଖେଳୁଥିବା ୩ଟି ଡଲଫିନଙ୍କ ସ୍ବାଗତ । ସୁନୀତା ପୃଥିବୀରେ ପହଞ୍ଚିବା ପରେ ହିଁ ତାଙ୍କୁ ସ୍ବାଗତ କରିଥିଲେ ଦୁଇଟି ଡଲଫିନ୍ । ସ୍ବତନ୍ତ୍ର ସ୍ପେସକ୍ରାଫ୍ଟ ପାଖରେ ଦୁଇ ଡଲଫିନଙ୍କୁ ଦେଖିବାକୁ ମିଳିଥିଲା ।
କେହି କେହି ଏ ଦୃଶ୍ୟକୁ ସଂଯୋଗ କହୁଥିବା ବେଳେ କେହି କେହି କହୁଛନ୍ତି, ସତେକି ଡଲଫିନମାନେ ଜାଣିଥିଲେ ଆଜି ସୁନୀତା ଫେରୁଛନ୍ତି ବୋଲି ତେଣୁ ସେମାନେ ବି ମହାକାଶଚାରୀଙ୍କୁ ସ୍ବାଗତ ପାଇଁ ସେହି ସ୍ଥାନରେ ଆଗୁଆ ଅପେକ୍ଷା କରିଥିଲେ ।