ବେଙ୍ଗାଲୁରୁ: ଗୋଟିଏ ମସଲା ଦୋସା ଖାଇଲେ ଜଣେ ବ୍ୟକ୍ତି ଦୈନିକ ଆବଶ୍ୟକ କରୁଥିବା କ୍ୟାଲୋରିର ଅଧା ପରିମାଣ ମିଳିଯିବ। ଜଣେ ମଣିଷ ପାଇଁ ଦୈନିକ ୨, ୨୦୦ କ୍ୟାଲୋରି ଆବଶ୍ୟକ ହୋଇଥାଏ। ଅର୍ଥାତ୍ ଦୈନିକ ୨ଟି ମସଲା ଦୋସା ଖାଇଲେ ଜଣେ ଦିନ ଲାଗି ଆବଶ୍ୟକ କରୁଥିବା କ୍ୟାଲୋରି ପାଇଯିବେ।
ଚାରିଟି ମହାଦେଶ ଏବଂ ପାଞ୍ଚଟି ଦେଶରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ବେଙ୍ଗାଲୁରୁରେ ବିକ୍ରୟ ହେଉଥିବା ମସଲା ଦୋସାରେ ରହିଛି ୧, ୦୨୩ କ୍ୟାଲୋରି। ନିକଟରେ ଏ କଥା ପ୍ରକାଶ ପାଇଛି ବ୍ରିଟିସ୍ ମେଡିକାଲ୍ ଜର୍ଣ୍ଣାଲ୍ରେ।
ସେଣ୍ଟ୍ ଜନ୍ସ୍ ମେଡିକାଲ୍ କଲେଜ ହସ୍ପିଟାଲ୍ର ପ୍ରଫେସର୍ ଏବଂ ନ୍ୟୁଟ୍ରିସନ୍ ଆଣ୍ଡ୍ ଲାଇଫ୍ଷ୍ଟାଇଲ୍ କ୍ଲିନିକ୍ର ମୁଖ୍ୟ ପ୍ରଫେସର ରେବେକା କୁରିୟାନ୍ଙ୍କ ନେତୃତ୍ୱରେ ୨୦୧୭ରେ ପରିଚାଳିତ ହୋଇଥିବା ଏହି ଅଧ୍ୟୟନ ଇଣ୍ଡିଆ, ବ୍ରାଜିଲ୍, ଚୀନ୍, ଫିନ୍ଲାଣ୍ଡ୍ ଏବଂ ଘାନାର ହୋଟେଲ୍ ଓ ଫାଷ୍ଟ୍ଫୁଡ୍ ରେସ୍ତୋରାଁରେ ବରାବର ଦିଆଯାଉଥିବା ଖାଦ୍ୟର କ୍ୟାଲୋରି ପରିମାଣ ମାପୁଥିଲେ।
ପ୍ରଫେସର୍ ରେବେକାଙ୍କ ମତରେ, ଗୋଟିଏ ମିଲ୍ ୬୦୦ କ୍ୟାଲୋରିରୁ କମ୍ ହେବା ଉଚିତ।
ସେ କହନ୍ତି, ଏହି ଅଧ୍ୟୟନ ଦର୍ଶାଉଛି ଯେ ରେସ୍ତୋରାଁରେ ପରିବେଷିତ ଖାଦ୍ୟର ୯୪% ଏବଂ ଫାଷ୍ଟ୍ଫୁଡ୍ ରେସ୍ତୋରାଁରେ ପରିବେଷିତ ୭୪% ଖାଦ୍ୟରେ କ୍ୟାଲୋରି ପରିମାଣ ୬୦୦ ରୁ ଅଧିକ ରହୁଛି।