ରେସ୍ତୋରାଁରେ ବସି ମନପସନ୍ଦ ଖାଦ୍ୟ ଖାଇବା, ସିନେମା ଦେଖିବାକୁ ଯିବା ଏବଂ ପରିବାର ଓ ସାଙ୍ଗସାଥୀଙ୍କ ସହ ମଉଜ ମଜଲିସ କରିବା ଆଦି କାର୍ଯ୍ୟ ଆଧୁନିକ ଲୋକଙ୍କ ଜୀବନର ଗୁରୁତ୍ବପୂର୍ଣ୍ଣ ଅଂଶ। କିନ୍ତୁ କିଛି ଲୋକଙ୍କ ପାଇଁ ଏହା ସୁଦୂର ସ୍ବପ୍ନ ହୋଇ ରହିଛି, କାରଣ ପୃଥିବୀରେ ଏମିତି ଅନେକ ସ୍ଥାନ ଅଛି ଯାହା ଏବେ ବି ବିକଶିତ ହୋଇପାରିନାହିଁ। ସୁତରାଂ ସେଭଳି ସ୍ଥାନରେ ବଜାର, ରେସ୍ତୋରାଁ, ମଲ୍ ଆଦିର ଅଭାବ ରହିଛି। ଆମେରିକାର ଆଲାସ୍କା ଅନ୍ତର୍ଗତ ଅଲ୍‌ସଵର୍ଥ ଦ୍ବୀପ ହେଉଛି ସେଭଳି ଏକ ସ୍ଥାନ। ସେଠାରେ ରହୁଥିବା ସାଲିନା ଅଲ୍‌ସଵର୍ଥ ନାମ୍ନୀ ଜଣେ ୨୫ ବର୍ଷୀୟା ତରୁଣୀଙ୍କ ଅନୁଭୂତି ଏବେ ଚର୍ଚ୍ଚାର ବିଷୟ ହୋଇଛି। କିଣାକିଣି କରିବା ପାଇଁ ସେ ଦୀର୍ଘ ୨୦୦ ମାଇଲ୍‌ ବିମାନ ଯାତ୍ରା କରନ୍ତି।

Advertisment

ସେ ରହୁଥିବା ଅପନ୍ତରା ଦ୍ବୀପରେ ଭଲ ରାସ୍ତାଟିଏ ନାହିଁ କି ଭଲ ରେସ୍ତୋରାଁ, ଦୋକାନ ବା ଡାକ୍ତରଖାନା ନାହିଁ। ସେଠାରେ ଏବେ ୧୮୬ ଜଣ ଲୋକ ବସବାସ କରୁଥିବା ବେଳେ ପର୍ଯ୍ୟଟନ ଋତୁ ବେଳେ ତାହା ୪୦୦କୁ ବୃଦ୍ଧି ପାଇଥାଏ। ୧୯୪୦ ଦଶକରେ ସାଲିନାଙ୍କ ଅଣଜେଜେବାପା ସେଠାକୁ ଆସି ବସତି ସ୍ଥାପନ କରିଥିଲେ। ସେହି ଦ୍ବୀପରେ ତାଙ୍କର ପୈତୃକ ଗୃହ ଥିବାରୁ ନାନା ଅସୁବିଧା ସତ୍ତ୍ବେ ସାଲିନା ସେଠାରେ ରହିବାକୁ ବାଧ୍ୟ ହେଉଛନ୍ତି। ସେଠାକୁ ବୁଲିବାକୁ ଆସିଥିବା ଜଣେ ପର୍ଯ୍ୟଟକଙ୍କ ସହ ସାଲିନାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ଏବଂ ସେ ତାଙ୍କୁ ବିବାହ କରି ଉକ୍ତ ଦ୍ବୀପରେ ରହୁଛନ୍ତି। ତେବେ କୌଣସି ଭଲ ଖାଦ୍ୟ ପାଇଁ କିମ୍ବା ମନପସନ୍ଦର ସାମଗ୍ରୀ କିଣିବା ପାଇଁ ତାଙ୍କୁ ୨୦୦ ମାଇଲ୍‌ ବିମାନ ଯାତ୍ରା କରିବାକୁ ପଡ଼ିଥାଏ। ବୁଲିବା ପାଇଁ ଅଲ୍‌ସଵର୍ଥ ଦ୍ବୀପଟି ଭଲ ହୋଇପାରେ, ମାତ୍ର ସେଠାରେ ବାସ କରିବା ଅତ୍ୟନ୍ତ ଆହ୍ବାନପୂର୍ଣ୍ଣ ବୋଲି ସାଲିନା କହିଛନ୍ତି।