ନୂଆଦିଲ୍ଳୀ: ଦେଶରେ ୨ହଜାର ଟଙ୍କିଆ ନୋଟ ବନ୍ଦ ହେବାର ସୂଚନା ପରେ ହିମାଚଳପ୍ରଦେଶ କଙ୍ଗଗ୍ରା ଜିଲ୍ଲାରେ ଅବସ୍ଥିତି ମା’ ଜ୍ବାଳାମୁଖୀ ମନ୍ଦିରରେ ଜଣେ ଶ୍ରଦ୍ଧାଳୁ ଦୁଇ ହଜାର ଟଙ୍କାର ୪୦୦ ‌ନୋଟ ଅର୍ଥାତ ୮ଲକ୍ଷ ଟଙ୍କା ଅର୍ପଣ କରିଥିବା ଘଟଣା ସାମ୍ନାକୁ ଆସିଛି। ଏହି ଖବର ଏ‌ବେ ଚର୍ଚ୍ଚାରେ ରହିଛି।

Advertisment

ମନ୍ଦିର କମିଟିର ଜଣେ ସଦସ୍ୟ କହିଛନ୍ତି, ମା’ଙ୍କୁ ଦର୍ଶନ କରିବା ପାଇଁ ପ୍ରତିଦିନ ଅନେକ ଭକ୍ତ ମନ୍ଦିରକୁ ଆସି ଥାଆନ୍ତି। ଆଉ ସେମାନଙ୍କ ସାମର୍ଥ୍ୟ ଅନୁସାରେ ଦାନ ଓ ଦକ୍ଷିଣା ଦେଇ ଯାଇଥାଆନ୍ତି। ନିକଟରେ ଜଣେ ଭକ୍ତ ମା’ ଜ୍ବାଳାମୁଖୀଙ୍କୁ ୨ହଜାର ଟଙ୍କାର ୮ଲକ୍ଷ ଟଙ୍କା ଅର୍ପଣ କରିଛନ୍ତି।

ଜ୍ବାଳାମୁଖୀ ମନ୍ଦିର ପୂଜକ କହିଛନ୍ତି, ‘ଏଭଳି ଭକ୍ତଙ୍କ ଦ୍ବାରା ଦାନ ମନ୍ଦିରକୁ ଲାଭ ମିଳିବ।   କାରଣ ୨୦୦୦ଟଙ୍କିଆ ନୋଟ ବନ୍ଦ ହେବା ଖବର ସାମ୍ନାକୁ ଆସିବା ପରେ ଲୋକେ  ଭୟରେ ମନ୍ଦିରରେ ତାଙ୍କ ପାଖରେ ଥିବା ଜମା ଟଙ୍କାକୁ ଦାନ କରି ଯାଉଛନ୍ତି। ଆମ ପାଖରେ ସରକାର ଦେଇଥିବା ସୂଚନା ଅନୁଯାୟୀ ଏହି ୨୦୦୦ଟଙ୍କିଆ ନୋଟ ବଦଳାଇବା ପାଇଁ ଯଥେଷ୍ଟ ସମୟ ରହିଛି।’

ଜ୍ବାଳମୁଖ୍ୟ ମନ୍ଦିରର ବିଶେଷତ୍ବ ହେଉଛି ଏଠାରେ କୌଣସି ପତ୍ରିମାକୁ ପୂଜା କରାଯାଏ ନାହିଁ। ବରଂ ମାଟି ତଳୁ ବାହାରୁଥିବା ଜ୍ବାଳାକୁ ପୂଜା କରାଯାଏ। ମା’ ଜ୍ବାଳାମୁଖୀଙ୍କୁ ଦର୍ଶନ କରିବା  ପାଇଁ  ଦୂରଦୂରାନ୍ତରୁ ଭକ୍ତମାନେ ଆସି ପହଞ୍ଚି ଥାଆନ୍ତି। ଏହି ଜ୍ବାଳା ପାଇଁ ବାହାରୁ କୌଣସି ଇନ୍ଧନ ବ୍ୟବହୃଦ ହୁଏ ନାହିଁ। ସେ ଆପଣାଛାଏଁ ଜଳିଥାଏ।