୧୮’ରେ କଂଗ୍ରେସ: ନୂଆ ଅଧିନାୟକ, ନୂଆ ଜୋଶ୍‌

ଭୁବନେଶ୍ୱର (ସରୋଜ ଦାଶ)  : ଘଟଣାବହୁଳ ୨୦୧୮ ମସିହା ଏବେ ଆସି ବିଦାୟ ବେଳାରେ। ଆଉ ଦିନ କେଇଟା ପରେ ଏହି ୨୦୧୮ ମସିହା ଶେଷ ସୂର୍ଯ୍ୟ ଅସ୍ତମୀତ ହେବା ପରେ ସବୁ ଦିନ ପାଇଁ ଏହା ଇତିହାସ ହୋଇଯିବ। ୨୦୧୮କୁ ବିଦାୟ ଦେଇ ୨୦୧୯ ମସିହାକୁ ସ୍ୱାଗତ କରିବା ପାଇଁ ଚାରିଆଡ଼େ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଏ ପ୍ରସ୍ତୁତି ଅଗକୁ ବଢ଼ିବାର ଆଶା ଓ ଆକାଂକ୍ଷାକୁ ନେଇ। କିନ୍ତୁ ଧରାପୃଷ୍ଠରୁ ୨୦୧୮ ମସିହା ବିଦାୟ ନେବା ପୂର୍ବରୁ ଭାରତୀୟ ରାଜନୀତିରେ ଛାଡ଼ିଯାଇଛି ବହୁ ଅଭୁଲା ସ୍ମୃତି। କିଏ ଏହି ବର୍ଷ ରାଜେନ୍ଦ୍ରାସନରେ ବସିଛି ତ ଆଉ କାହା ଅହଂକାର, ଅହମିକା ଉପରେ ବୁଲଡୋଜର ଚଳାଇ ଦେଇଛି ଏହି ବିଦାୟୀ ବର୍ଷ ୨୦୧୮। ଏହି ସମୟରେ ଜାତୀୟ ରାଜନୀତି ଯେମିତି ବର୍ଷ ତମାମ ସରଗରମ ରହିଛି, ଓଡ଼ିଶା ରାଜନୀତିରେ ମଧ୍ୟ ନୂଆ ଚମକ ପରିଲକ୍ଷିତ ହୋଇଛି। କେଉଁ ରାଜନେତା ମୁଣ୍ଡରେ ନୂଆ ଦାୟିତ୍ୱର ଶିରପା ବନ୍ଧା ଯାଇଛି ତ କାହା ମୁଣ୍ଡରୁ ମୁକୁଟ କାଢ଼ି ନିଆଯାଇଛି। ୨୦୧୮ ମସିହାରେ ଓଡ଼ିଶା ରାଜନୀତିରେ ତିନି ପ୍ରମୁଖ ରାଜନୈତିକ ଦଳରେ ଘଟିଥିବା ହଟଚମଟକୁ ନେଇ ‘ସମ୍ବାଦ ଡଟ୍‌ ଇନ୍‌’ର ସ୍ୱତନ୍ତ୍ର ଉପସ୍ଥାପନା ଅବସରରେ ପ୍ରଥମେ ରାଜ୍ୟ କଂଗ୍ରେସ ପାଇଁ ୨୦୧୮ ମସିହା କିପରି ଥିଲା ତା’ ଉପରେ ସମୀକ୍ଷା।

ରାଜ୍ୟ କଂଗ୍ରେସର ନୂଆ ଅଧିନାୟକ


୨୦୧୯ ମସିହା ସାଧାରଣ ନିବାଚନ ବର୍ଷେ ଥଲେ ମଧ୍ୟ ରାଜ୍ୟ କଂଗ୍ରେସର ସାଙ୍ଗଠନିକ ସମସ୍ୟା ୨୦୧୮ ବର୍ଷର ପ୍ରଥମ ୩ ମାସ ଯାଏ ଲାଗି ରହିଥିଲା। ପିସିସି ସଭାପତି ଦାୟିତ୍ୱ ନେବା ପରେ ବିଶେଷ କରି ‘ମୁଁ ନୁହେଁ, ଆମେ’ର ସ୍ଲୋଗାନ ଦେଇ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବେ ବୋଲି ପ୍ରତିଶ୍ରୁତିି ଦେଇଥିବା ପ୍ରସାଦ ହରିଚନ୍ଦନ ବାରମ୍ବାର ଝୁଣ୍ଟିବା ଦ୍ୱାରା ନା ସିଏ ନିଜେ ଚାଲିପାରିଲେ ନା ଦଳୀୟ ସଙ୍ଗଠନକୁ ରାଜ୍ୟରେ ଶାସକ ଦଳର ବିକଳ୍ପ ଭାବେ ଗଢ଼ିପାରିଲେ। ପରିସ୍ଥିିିତି ଏମିତି ହୋଇଥିଲା ଯେ ୨୦୧୭ ପଞ୍ଚାୟତ ନିର୍ବାଚନରେ ରାଜ୍ୟରେ କଂଗ୍ରେସ ଦଳ ତୃତୀୟ ସ୍ଥାନକୁ ଖସିଯାଇଥିଲା। ସେହିପରି ପିସିସି ସଭାପତି ଓ କଂଗ୍ରେସ ବିଧାୟକ ଦଳ ନେତା ତଥା ବିଧାନସଭାରେ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଟିମ୍‌ ମଧ୍ୟରେ ସମ୍ପର୍କ ଏତେ ତିକ୍ତ ହୋଇ ପଡ଼ିଲା ଯେ ବାରମ୍ବାର କଂଗ୍ରେସ ଲୋକେ ଦଲ୍ଲୀ ଦୌଡ଼ିବାକୁ ବାଧ୍ୟ ହୋଇଥିଲେ। ଗୋଟିଏ ପଟେ ଦଳୀୟ ସଙ୍ଗଠନ ଭୁଶୁଡ଼ି ପଡୁଥିବା ବେଳେ କର୍ମୀମାନେ ଦୃଢ଼ ନେତୃତ୍ୱର ଅଭାବରୁ ହତୋତ୍ସାହିତ ହୋଇପଡ଼ିଥିଲେ।

ଏଭଳି ପରିସ୍ଥିତିରେ ପିସିସି ନେତୃତ୍ୱରେ ପରିବର୍ତ୍ତନ ଅବଶ୍ୟମ୍ଭାବୀ ହୋଇପଡ଼ିଥିଲା। ଆଉ କଂଗ୍ରେସର ତତ୍‌୍‌କାଳୀନ ଉପାଧ୍ୟକ୍ଷ (ବର୍ତ୍ତମାନ ଅଧ୍ୟକ୍ଷ) ରାହୁଳ ଗାନ୍ଧୀ ଓଡ଼ିଶା ପିସିସି ପରିବର୍ତ୍ତନ ପାଇଁ ମନ ସ୍ଥିର କରିଥିଲେ। ରାଜ୍ୟ କଂଗ୍ରେସର ରଣନୀତି ଦୃଷ୍ଟିରୁ ୨୦୧୮ ମସିହା ଏପ୍ରିଲ ମାସ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଥିଲା। ପିସିସି ସଭାପତି ବଦଳିବେ ନାହିଁ ଏ ସେ ନେଇ ଅନିଶ୍ଚିତତା, ଦ୍ୱନ୍ଦ୍ୱ ଲାଗି ରହିଥିବା ବେଳେ କିଏ ଦଳର ଦାୟିତ୍ୱ ନେଲେ ସମସ୍ତଙ୍କୁ ସଙ୍ଗଠନ ସହିତ ଯୋଡ଼ି ରଖିପାରିବେ ସେ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇ ଯାଇଥିଲା। କେବଳ କଂଗ୍ରେସ ଦଳ ନୁହେଁ, ଶାସକ ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟି ମଧ୍ୟ ରାଜ୍ୟରେ କଂଗ୍ରେସର ନେତୃତ୍ୱ କିଏ ନେଉଛନ୍ତି ତା’ ଉପରେ ନଜର ରଖିଥିଲେ। ୨୦୧୨ ମସିହା ସେପ୍ଟେମ୍ବର ମାସରେ କଂଗ୍ରେସ ଦଳ ତତ୍‌କାଳୀନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟର ଶାସକ ଦଳ ବିରୋଧରେ ଯେପରି ରଣ ହୁଙ୍କାର ଦେଇଥିଲା, ତାକୁ ଲକ୍ଷ୍ୟ କରିଥିବା ଲୋକେ ଯେତେବେଳେ ୨୦୧୪ ନିର୍ବାଚନ ପୂର୍ବରୁ ଶ୍ରୀ ପଟ୍ଟନାୟକଙ୍କୁ ପଦବୀରୁ ହଟାଗଲା, ସେତେବେଳେ ରାଜ୍ୟ କଂଗ୍ରେସ ତଳିତଳାନ୍ତ ହୋଇଯିବ ବୋଲି ଆଶଙ୍କା ପ୍ରକାଶ ପାଇଥିଲା। ଆଉ ନିର୍ବାଚନ ଫଳ ମଧ୍ୟ ସେହିପରି ହୋଇଥିଲା। କଂଗ୍ରେସ ମାତ୍ର ୧୬ଟି ଆସନରେ ବିଜୟୀ ହୋଇଥିଲା। ତେଣୁ ୨୦୧୯ ନିର୍ବାଚନ ପୂର୍ବରୁ କେନ୍ଦ୍ରୀ ନେତୃତ୍ୱ କେଉଁ କଂଗ୍ରେସ ନେତାଙ୍କ ମୁଣ୍ଡରେ ଶିରପା ବାନ୍ଧିବେ ତାକୁ ନେଇ ରାଜନୈତିକ ବିଶ୍ଳେଷକମାନେ ବେଶ୍‌ ଆଗ୍ରହର ସହିତ ଅପେକ୍ଷା କରିଥିଲେ।

ଶେଷରେ ୨୦୧୮ ଏପି୍ରଲ ମାସ ୧୯ ତାରିଖ ଦିନ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଦ୍ୱିତୀୟ ଥର ପାଇଁ ରାଜ୍ୟ କଂଗ୍ରେସର ଅଧିନାୟକ ଭାବ ନିଯୁକ୍ତି ଦେଇଥିଲେ। ସେହିିପରି ନିରଞ୍ଜନ ପଟ୍ଟନାୟକଙ୍କୁ ସାହାଯ୍ୟ କରିବା ପାଇଁ ଉପକୂଳ ଓଡ଼ିଶା, ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ୩ ଜଣ ଯୁବ ନେତୃତ୍ୱଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ଶ୍ରୀ ଗାନ୍ଧୀ ନିଯୁକ୍ତି ଦେଇଥିଲେ। ଦକ୍ଷିଣରୁ ପ୍ରଦୀପ ମାଝି, ପଶ୍ଚିମ ଓଡ଼ିଶାରୁ ନବକିଶୋର ଦାସ ଓ ଉପକୂଳ ଓଡ଼ିଶାରୁ ଚିରଞ୍ଜିବୀ ବିଶ୍ୱାଳଙ୍କୁ ଦଳ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ଦେଇଥିଲା। ଆଉ ଶ୍ରୀ ପଟ୍ଟନାୟକ ପିସିସି ସଭାପତି ଭାବେ ନିଯୁକ୍ତି ପାଇବା ପରେ ୩ ଜଣ କାର୍ଯ୍ୟକାରୀ ସଭାପତିଙ୍କୁ ନେଇ ତାଙ୍କ ଟିମ୍‌ ଗଠନ କରିବା ସହିତ ସଙ୍ଗଠନକୁ ସଜାଡ଼ିବା ପାଇଁ ଉଦ୍ୟମ ଚଳାଇଛନ୍ତି। ତେବେ ଗୋଷ୍ଠୀକନ୍ଦଳରେ ୨୦୧୮ ମସିହା କଟିଯାଇଥିବା ବେଳେ ୨୦୧୯ରେ କଂଗ୍ରେସ ଦଳ ଅଧିକ ସଙ୍ଗଠିତ ହୋଇ ରାଜନୀତି ମଇଦାନକୁ ଓହ୍ଲାଇବ ବୋଲି ଅଶା କରାଯାଏ।

କର୍ଣ୍ଣ ମରୁ ଅବା ଅର୍ଜୁନ- ପାଣ୍ଡବ ପାଞ୍ଚ


କର୍ଣ୍ଣ ମରନ୍ତୁ ଅବା ଅର୍ଜୁନ, ଯାହା ବି ହେଲେ ପାଣ୍ଡବ ପାଞ୍ଚ ଜଣ ରିହିବେ। କୁନ୍ତିଙ୍କ ପୁଅ ବୋଲି କର୍ଣ୍ଣ ନିଜକୁ ଆବିଷ୍କାର କରିବା ପରେ ଏହି କଥା ମାତା କୁନ୍ତିଙ୍କୁ କର୍ଣ୍ଣ- ଅର୍ଜୁନ ଯୁଦ୍ଧ ପୂର୍ବରୁ କହିଥିଲେ ବୋଲି ଏକ ସୁନ୍ଦର ଆଖ୍ୟାନ ମହାଭାରତରେ ରହିଛି। ତେବେ ଆମେ ଏଠାରେ ମହାଭାରତ କଥା କହୁ ନାହୁଁ। ଆମେ କଂଗ୍ରେସ ରାଜନୀତି ମହାଭାରତ କଥା କହିବାକୁ ଯାଉଛୁ ।୨୦୧୮ ମସିହା ଏହିଭଳି ଏକ ତିକ୍ତ ପରିସ୍ଥିତି ସୃଷ୍ଟି କରିଥିଲା କଂଗ୍ରେସ ଦଳ ପାଇଁ। ଶ୍ରୀକାନ୍ତ ଜେନାଙ୍କ ସମର୍ଥକ ଓ ତାରା ବାହିନୀପତିଙ୍କ ବିରୋଧୀ ଭାବେ ଜଣାଶୁଣା ଥିଲେ କୋରାପୁଟର ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ ଆକସ୍ମିକ ବିଧାୟକ ପଦରୁ ଇସ୍ତଫା ଦେବେ ବୋଲି କହି ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଥିଲେ।। ଅପରପକ୍ଷେ ତାରା ବାହିନୀପତି ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ପାଖଲୋକ ହୋଇଥିବା ବେଳେ ଶ୍ରୀକାନ୍ତ ଜେନାଙ୍କର କୁଆଡ଼େ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ସହିତ ସମ୍ପର୍କ ଟିକେ ଖଟା ଥିଲା। ତେଣୁ ଶ୍ରୀ ଶଗରିଆଙ୍କ ଜରିଆରେ ଗୋଟି ଚାଳନା ହୋଇଥିଲା କଂଗ୍ରେସ ରାଜନୀତିରେ ଭୂକମ୍ପ ସୃଷ୍ଟି ପାଇଁ। ଅବଶ୍ୟ ଶ୍ରୀ ଶଗରିଆ ଭିନ୍ନ ପ୍ରସଙ୍ଗରେ ଇସ୍ତଫା ଦେଲେ ବୋଲି କହିଛନ୍ତି। କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ଦେବାରେ ବିଫଳ ହୋଇଥିବାରୁ ନିର୍ବାଚନ ମାତ୍ର ୫ ମାସ ଥିବା ବେଳେ କଂଗ୍ରେସ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ ତାଙ୍କ ବିଧାୟକ ପଦବିରୁ ଇସ୍ତଫା ଦେଇଛନ୍ତି। ଶ୍ରୀ ଶଗରିଆଙ୍କ ଇସ୍ତଫା ସହିତ କଂଗ୍ରେସର ସଂଖ୍ୟା ୧୫କୁ ଖସିଆସିଥିଲା। ବିଧାନସଭାରେ ବିରାଧୀ ଦଳ ନେତା ପଦବୀ ବଜାୟ ରଖିବାକୁ ହେଲେ ୧୦ ପ୍ରତିଶତ ନିୟମ ଅନୁଯାୟୀ ୧୫ ଜଣ ବିଧାୟକ କଂଗ୍ରେସ ଦଳର ରହିବା କଥା। ଶ୍ରୀ ଶଗରିଆଙ୍କ ଇସ୍ତଫା ପରିପ୍ରେକ୍ଷୀରେ କଂଗ୍ରେସ ବିଧାୟକ ଦଳର ସଂଖ୍ୟା ୧୫କୁ ଖସି ଆସିଥିଲା। ତେବେ ଏହି ସମୟରେ ସମତା କ୍ରାନ୍ତି ଦଳର ବିଧାୟକ ଜର୍ଜ ତିର୍କୀ କଂଗ୍ରେସ ଦଳରେ ସାମିଲ ହୋଇଥିଲେ। ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀ ତିର୍କୀଙ୍କୁ କଂଗ୍ରେସ ବିଧାୟକ ଭାବେ ଗ୍ରହଣ କରି ନେଇଥିଲେ। ତେଣୁ ଶଗରିଆଙ୍କ ଆଉଟ୍‌ ସହିତ ଶ୍ରୀ ତିର୍କୀଙ୍କ ଇନ୍‌ କଂଗ୍ରେସ ଦଳର ବାଲାନ୍ସ ସିଟ୍‌କୁ ବରାବର କରିଥିବା ଚର୍ଚ୍ଚା ହେଉଛି।

ଶ୍ରୀକାନ୍ତଙ୍କ  ପକ୍ଷ ଛେଦନ


୨୦୧୨ ମସିହାରେ କୁଆଡେ ପିସିସି ସଭାପତି ପଦରୁ ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇବାରେ ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ଗୋଟି ଚାଳନା କରିଥଲେ ବୋଲି ଏବେ ବି ରାଜନୈତିକ ମହଲରେ ଚର୍ଚ୍ଚା ହୁଏ। ନିରଞ୍ଜନଙ୍କୁ ୨୦୧୨ ମସିହା ଅକ୍ଷୟ ତୃତୀୟା ଦିନ ପିସିସି ପଦରୁ ହଟାଇ ଜୟଦେବ ଜେନାଙ୍କ ମୁଣ୍ଡରେ ପିସିସି ମୁକୁଟ ପିନ୍ଧାଇ ରିମୋଟ୍‌ କଂଣ୍ଟ୍ରୋଲ୍‌ରେ ରାଜ୍ୟ କଂଗ୍ରେସକୁ ନିୟନ୍ତ୍ରଣ କରିବେ ବୋଲି ଶ୍ରୀକାନ୍ତ ଜେନା ଉଦ୍ୟମ କରିଥିଲେ ବୋଲି ଚର୍ଚ୍ଚା ହୁଏ। ଆଉ ଏଥିରେ ସଫଳ ମଧ୍ୟ ହୋଇଥିଲେ ଶ୍ରୀ ଜେନା। କିନ୍ତୁ ୨୦୧୪ ନିର୍ବାଚନରେ ଜୟଦେବ ଜେନାଙ୍କ ନେତୃତ୍ୱରେ ଲଢ଼ିଥିବା କଂଗ୍ରେସ ଦଳର ବିପର୍ଯ୍ୟୟ ସ୍ଥିତି , କଂଗ୍ରେସ ହାଇକମାଣ୍ଡଙ୍କୁ ପିସିସି ପରିବର୍ତ୍ତନ ପାଇଁ ବାଧ୍ୟ କରିଥିଲା। ଜୟଦେବ ଜେନାଙ୍କ ପରେ ପ୍ରସାଦ ହରିଚନ୍ଦନ ରାଜ୍ୟ କଂଗ୍ରେସର ମଙ୍ଗ ସମ୍ଭାଳିଥିଲେ। ମାତ୍ର ପଞ୍ଚାୟତ ନିର୍ବାଚନ ସହିତ ଅନ୍ୟ ଉପନିର୍ବାଚନରେ କଂଗ୍ରେସର ଦୟନୀୟ ସ୍ଥିତି ଓ ରାଜ୍ୟରେ କଂଗ୍ରେସ ଦଳରେ ଗୋଷ୍ଠୀ କନ୍ଦଳ କର୍ମୀମାନଙ୍କୁ ହତୋତ୍ସାହିତ କରିଥିଲା।

ଶେଷରେ ୨୦୧୮ ଏପ୍ରିଲ ମାସରେ ନିରଞ୍ଜନ ପଟ୍ଟନାୟକଙ୍କୁ କଂଗ୍ରେସ ହାଇକମାଣ୍ଡ ପିସିସି ସଭାପତି ଭାବେ ନିଯୁକ୍ତି ଦେଇଥିିଲେ। ଆଉ ଦଳୀୟ ଅସନ୍ତୋଷ ଯେପରି ନ ରହିବ ସେଥିପାଇଁ ୩ ଜଣ କାର୍ଯ୍ୟକାରୀ ସଭାପତି ସହିତ ବରିଷ୍ଠ ନେତାମାନଙ୍କୁ ବିଭିନ୍ନ ପଦବୀରେ ନିଯୁକ୍ତି ଦିଆଯାଇଥିଲା। ଏହି କ୍ରମରେ ବରିଷ୍ଠ ନେତା ଶ୍ରୀକାନ୍ତ ଜେନାଙ୍କୁ ରାଜ୍ୟ କଂଗ୍ରେସ ଇସ୍ତାହାର କମିଟିର ଅଧ୍ୟକ୍ଷ ଭାବେ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ନିଯୁକ୍ତି ଦେଇଥିଲେ। କିନ୍ତୁ ନିରଞ୍ଜନ ପଟ୍ଟନାୟକଙ୍କୁ ପିସିସି ସଭାପତି ପଦରେ ବସାଇ ନ ଦେବାକୁ ପ୍ରାଣପ୍ରଣେ ଉଦ୍ୟମ କରି ବିଫଳ ହୋଇଥିବା ଶ୍ରୀ ଜେନା ତାଙ୍କ ଏହି ନୂତନ ନିଯୁକ୍ତିରେ ଖୁସି ନ ଥିଲେ। ତେଣୁ ଇସ୍ତାହାର କମିଟି ଜରିଆରେ ସେ ନିରଞ୍ଜନ ପଟ୍ଟନାୟକଙ୍କୁ ଟାର୍ଗେଟ କରି ପ୍ରଥମ ବାଣ ମାରିବା ସହିତ ନିଜ ଭିତରେ ଚାପି ରଖିଥିବା ଗୁପ୍ତ ଇଚ୍ଛାଟିକୁ ପ୍ରକଟ କରି ଦେଇଥିଲେ। ଶ୍ରୀକାନ୍ତ ଜେନା କହିଥିଲେ କଂଗ୍ରେସ ଦଳ ରାଜ୍ୟର କ୍ଷମତାକୁ ଆସିଲେ ଜଣେ ଓବିସି ପ୍ରାର୍ଥୀ ମୁଖ୍ୟମନ୍ତ୍ରୀ ହେବେ। ଏହା କହିି ତାଙ୍କ ଭିତରେ ଥିବା ଗୋପନ ଇଚ୍ଛାଟି (ଶ୍ରୀକାନ୍ତ ଜେନା ଓବିସି ବର୍ଗର) ପ୍ରକଟ କରିଦେଇଥିବା ସହିତ ନିରଞ୍ଜନ ପଟ୍ଟନାୟକ ଯେପରି ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବି କରି ନ ପାରିବେ ସେ ଦିଗରେ ଉଦ୍ୟମ ଆରମ୍ଭ କରି ଦେଇଥିଲେ।

ତେବେ ଶ୍ରୀକାନ୍ତଙ୍କ ଏହି ଚକ୍ରାନ୍ତଙ୍କୁ ବେଶ୍‌ ବୁଝି ପାରିଥିଲେ କଂଗ୍ରେସ ହାଇକମାଣ୍ଡ ଓ ରାଜ୍ୟର କଂଗ୍ରେସ ନେତୃତ୍ୱ ଠାରୁ ଆରମ୍ଭ କରି କର୍ମୀ ପର୍ଯ୍ୟନ୍ତ। ତେଣୁ ଏକ ଗୁରତ୍ୱପୂର୍ଣ୍ଣ ଘଟଣାକ୍ରମରେ ଶ୍ରୀକାନ୍ତ ଜେନାଙ୍କ ପକ୍ଷ ଛେଦନ ଆରମ୍ଭ ହୋଇଥିଲା। ରାଜ୍ୟ କଂଗ୍ରେସର ଇସ୍ତାହାର କମିଟିକୁ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ପୁନର୍ଗଠନ କରିବା ସହିତ ଶ୍ରୀକାନ୍ତ ଜେନାଙ୍କ ବଦଳରେ ଗଣେଶ୍ୱର ବେହେରାଙ୍କୁ ଇସ୍ତାହାର କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ। ଆଉ ଇସ୍ତାହାର କମିଟି ଅଧ୍ୟକ୍ଷ ପଦ ହରାଇବା ପରେ କୁଆଡେ କଂଗ୍ରେସ ଶୃଙ୍ଖଳାଗତ କମିଟି ଶ୍ରୀକାନ୍ତ ଜେନାଙ୍କ ଆଚରଣ ନେଇ ତଦନ୍ତ କରୁଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର