କଟକ: ବିଶିଷ୍ଟ ଜ୍ୟୋତିର୍ବିଦ୍ ଅଜୟ ବେହେରାଙ୍କ ଆକଳନ ଅନୁସାରେ, ଓଡ଼ିଶା ‘ଓ’ ଅକ୍ଷରରୁ ରୋହିଣୀ ବୃଷ ବିରାଜମାନ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ‘ମୋ’ ଅକ୍ଷରୁ ପୂର୍ବାଫାଲଗୁନୀ ସିଂହ ରହିଛି। ବିରୋଧୀ ଦଳ ନେତା ନବୀନ ବାବୁଙ୍କ ‘ନ’ ଅକ୍ଷରୁ ଅନୁରାଧା ନକ୍ଷତ୍ର ଆସୁଛି। ଏହାକୁ ତର୍ଜମା କଲେ, ରୋହିଣୀ ବୃଷ ପାଇଁ ଜନ୍ମ ବୃହସ୍ପତି ଶୁଭଦାୟୀ ହେଉ ନାହାନ୍ତି। ଯଦିବା ରାଶିର ଏକାଦଶ ଅଧିପତି ଅବସ୍ଥାନ କରୁଛନ୍ତି, ତଥାପି ଅଷ୍ଟମ ରାଶିର ମାଲିକ ବୃହସ୍ପତି। ଏଭଳି ସ୍ଥିତିରେ ଓଡ଼ିଶାରେ ଆର୍ଥିକ ଅବରୋଧ, ଖାଦ୍ୟାଭାବ, ଲୋକଙ୍କ ଅପମୃତ୍ୟୁ, ପ୍ରାକୃତିକ ବିପର୍ଯ୍ୟୟ ଜଟିଳ ହେବ। ରାଜ୍ୟ ତଥା ଦେଶରେ ପ୍ରତି ଦଳରେ ଓ ଅନୁଷ୍ଠାନ-ଅନୁଷ୍ଠାନ ମଧ୍ୟରେ ବିବାଦ ବଢ଼ିବ। ଆଚରଣ ସଂସ୍କାରକାରୀ ବୃହସ୍ପତି ଶତ୍ରୁରାଶିରେ ଗତି କରୁଥିବାରୁ ଏଭଳି ସ୍ଥିତି ସୃଷ୍ଟି ହେବ। ବୃହସ୍ପତି ଦୃଷ୍ଟି କାମ କରେ। ଓଡ଼ିଶାର ଦକ୍ଷିଣାଞ୍ଚଳ କନ୍ୟା ମକର ରାଶିକୁ ଓ ଉତ୍ତର ଦିଗ ବିଛାକୁ ବୃ୍ହସ୍ପତିର ଦୃଷ୍ଟି ରହିଛି। ଏହି ଦୁଇ ଅଞ୍ଚଳର ଉନ୍ନତି ପାଇଁ ଯୋଜନା ହେବ ଓ ଅନ୍ୟ ଅଞ୍ଚଳ ଉପରେ ଦୃଷ୍ଟି ରହିବ ନାହିଁ। ଫଳରେ ଓଡ଼ିଶାର ପଶ୍ଚିମାଞ୍ଚଳରେ ବିରୋଧର ସ୍ବର ଉଠିବ। ବର୍ଷ ଅଧା ହେବାପରେ ପରିସ୍ଥିତି ଶାନ୍ତ ହେବ। ବୃଷ ରାଶି ଖାଦ୍ୟର ରାଶି। ୨୦୨୪ର ଖରିଫ୍ ଫସଲର କ୍ଷତି ୨୦୨୫ରେ ଭରଣା ହେବ। କିନ୍ତୁ ୨୦୨୫ର ପ୍ରଥମ ୪ମାସ ଖାଦ୍ୟଦ୍ରବ୍ୟର କଷ୍ଟ ରହିବ। ଖାଦ୍ୟଦ୍ରବ୍ୟର ଦର ଆକାଶ ଛୁ୍ଆଁ ରହିବ। ଜଳଭଣ୍ଡାରକୁ ଶନି ଯିବେ ଓ ରାହୁ ସ୍ଥାନ ଛାଡ଼ିବେ। ଏଥିପାଇଁ ଜଳ ସମସ୍ୟା ଜଟିଳ ହେବ। ସରକାର ଜଳସେଚନ ଓ ଚାଷ ପାଇଁ ନୂଆ ଯୋଜନା କରିବା ଆବଶ୍ୟକ।
ଏବର୍ଷ ଶନି ମହାଗ୍ରହ ମୀନ ରାଶିରେ ସଂଚାର କରିବ। ଏହାର ପ୍ରଭାବରେ ପ୍ରଶାସକଙ୍କ ହାତରେ ରାଜ୍ୟ/ଦେଶର ଶାସନଭାର ରହିବ। ରାଜ୍ୟ ବା ଦେଶରେ ଅନ୍ତର୍ଦ୍ବନ୍ଦ୍ବ ଦେଖାଦେବ। ଅଧିକାଂଶ ସମୟରେ ୧୪୪ ଧାରା ଭଳି ସ୍ଥିତି ଉପୁଜିବ। ଏବର୍ଷ ଶସ୍ୟ ଅମଳ ଭଲ ହେବା ସହ ଆମ୍ବ, ପଣସ ଭଳି ରସାଳ ଜାତୀୟ ଫଳ ଉତ୍ପାଦନ ଭଲ ହେବ। ଏହା ସତ୍ତ୍ବେ ରାଜ୍ୟ ଓ ଦେଶରେ ବର୍ଷା ବିତ୍ପାତ ଓ ଭୂକମ୍ପ ଭଳି ଦୁର୍ବିପାକ ଦେଖାଯିବ। ମଙ୍ଗଳ ପ୍ରଭାବ ହେତୁ ଟ୍ରେନ୍ ଓ ପ୍ଲେନ୍ ଦୁର୍ଘଟଣାର ଯୋଗ ରହିଛି। ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ଉଚ୍ଚା ରହିବ। ରାଜ୍ୟରେ ବିଜେପି ଶାସନ ରହିବ। କିନ୍ତୁ ପ୍ରବଳ ବିରୋଧର ଶିକାର ହେବ। ବିଜେଡି ମୁଖିଆଙ୍କ ପ୍ରତି ଜନଆବେଗ ବଢ଼ିବ। କିନ୍ତୁ ବିଜେଡି ମୁଖିଆ ଷଡ଼୍ଯନ୍ତ୍ରର ଶିକାର ହେବେ ବୋଲି ରାଜ୍ୟର ବିଶିଷ୍ଟ ଗଣନାକାରମାନେ ଆକଳନ କରିଛନ୍ତି।
ମୋହନ ବାବୁଙ୍କ ନାମାକ୍ଷର ନକ୍ଷତ୍ର ଓ ରାଶିରୁ ଜଣାପଡ଼ୁଛି, ସିଂହ ରାଶି ଉପରେ ଶନି ଦୃଷ୍ଟିକୁ କେତୁ ଓ ମଙ୍ଗଳ ପରି ଉଗ୍ର ଗ୍ରହ ଘେରିଛନ୍ତି। ଅଷ୍ଟମ ରାହୁକୁ ଦଶମ ବୃହସ୍ପତି, ଏସ୍ଥଳରେ ଦଶମ ବୃହସ୍ପତି ହାଇକମାଣ୍ଡ୍ ସିଂହର ଦ୍ବିତୀୟ ଓ ଚତୁର୍ଥକୁ ଦୃଷ୍ଟି ହେଉଥିବାରୁ ରାଜ୍ୟର ଅର୍ଥ, ଖାଦ୍ୟ ସମସ୍ୟାକୁ ସହାୟକ ତଥା ପ୍ରଜାଙ୍କ ମଙ୍ଗଳ ପାଇଁ ମୁଖ୍ୟମନ୍ତ୍ରୀ ସହାୟକ ହେବେ। ମୋହନ ବାବୁଙ୍କ ଶତ୍ରୁ ରାଶି ମକର। ଏଠାକୁ ବୃହସ୍ପତିର ଦୃଷ୍ଟି ରହିଛି। ମୋହନ ବାବୁ ବିରୋଧୀ ଦଳଙ୍କ ସହ କିଛି ସାଲିସ କରିବେ। ଏପ୍ରିଲରୁ ମେ’ରେ ଶନି ଦୃଷ୍ଟିରେ ବୃହସ୍ପତି ରହିବେ। ଏଥି ପାଇଁ ଦଳ ମଧ୍ୟରେ ମୋହନ ବାବୁଙ୍କ କାର୍ଯ୍ୟରେ ବାଧା ସୃଷ୍ଟି ହେବ। ଏହି ସମୟରେ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ସର୍ବତ୍ର ଦ୍ବନ୍ଦ୍ବ ହିଁ ଦ୍ବନ୍ଦ୍ବ ରହିବ। ପ୍ରତି ଦଳରେ ଲୋକେ କଳିତର୍କରେ ଲିପ୍ତ ରହିବେ। ବାବୁଙ୍କ ବିଛା ରାଶି। ତା’ ଉପରେ ଗୁରୁ ଦୃଷ୍ଟି ଅଛି। ଶନି ଦୃଷ୍ଟି, ରାହୁ ଦୃଷ୍ଟି ରହିଛି। ଏଭଳି ତ୍ରିଧାରା ଦୃଷ୍ଟିରେ ଗୁପ୍ତ ଚକ୍ରାନ୍ତକୁ ନବୀନ ବାବୁ ଚିହ୍ନିବା ସହଜ ନୁହେଁ। ନିଜର ହୋଇ ରାହୁ ସବୁ ପଣ୍ଡ କରିବେ। ଅନୁଗତମାନେ ବିଶ୍ବାସଘାତକ ହୋଇ ରାଜପଦ ଲୁଣ୍ଠନ କରିବେ। ଆଗାମୀ ଦିନରେ ରାହୁ ଉପରେ ଗୁରୁଦୃ୍ଷ୍ଟି ଆସିବ ଓ ଗୁରୁ ଉପରେ ରାହୁ ଦୃଷ୍ଟି ଆସିବ। ଏଭଳି ଗଣ୍ଡଗୋଳିଆ ସ୍ଥିତିରେ ବହୁ ସମସ୍ୟା ଉପୁଜିବ। ଲୋକଙ୍କ କ୍ଷୁଧା ନିବାରଣ ସମସ୍ୟା ଆସିବ। ବିରୋଧୀ ଦଳ ନେତା ଭାବେ ନବୀନ ବାବୁ ଏହାର ଫାଇଦା ଉଠାଇବେ।
ଧର୍ମେନ୍ଦ୍ରଙ୍କ ଧନୁ ରାଶି ଏବର୍ଷ ବୃ୍ହସ୍ପତିଙ୍କ ଦୃଷ୍ଟି ଆସିବ। ଏହା ସହ ଶନି ଦୃଷ୍ଟି ଆସିବ। ଫଳରେ ବିଘ୍ନ ଛାଡ଼ିବ ନାହିଁ। ତାଙ୍କ ନାମରେ ବହୁ ଗୁଜବ ରଚନା ହେବ। ପଶ୍ଚିମ ଓଡ଼ିଶା ସହ ତାଙ୍କର ସଂପର୍କ ରହିଥିବାରୁ ଲୋକ ନ ଚିହ୍ନି, ଧର୍ମେନ୍ଦ୍ର ପ୍ରଧାନ ବିଶ୍ବାସଘାତର ଶିକାର ହେବେ। ତାଙ୍କର ଅପବାଦ ବଢ଼ିବ। କଂଗ୍ରେସର ହାତ ଚିହ୍ନ। ହାତ ଚିହ୍ନର ଅର୍ଥ ଅଭୟଦାତା। କିନ୍ତୁ ଆମ ରାଜ୍ୟରେ ପଦ୍ମ ଓ ଶଙ୍ଖ ଶାସନ ଚାଲିଛି। ଏହି ଦୁଇଟି ହେଉଛି ବିଷ୍ଣୁଙ୍କ ଆୟୁଦ୍ଧ। ଆୟୁଦ୍ଧମାନେ ନିଜ ମଧ୍ୟରେ ଯୁଦ୍ଧ କଲେ, ପ୍ରଜାମାନେ ରକ୍ଷା କିପରି ପାଇବେ ? ଏବେ ଅର୍ଥ ବଳ ହେଉଛି ସର୍ବଶ୍ରେଷ୍ଠ ବଳ। ଶଙ୍ଖ ଓ ପଦ୍ମ ସଂଖ୍ୟା ଗରିଷ୍ଠତା ହାସଲ କରିବେ। ଲୋକେ ବାସ୍ତବ ତତ୍ତ୍ବ ବୁଝୁ ନ ଥିବାରୁ କଂଗ୍ରେସ ଶାସନକୁ ଆସିବା କଷ୍ଟ ହେବ। ବିଶିଷ୍ଟ ଜ୍ୟୋତିର୍ବିଦ ଦିବାକର ମିଶ୍ରଙ୍କ ଆକଳନ ଅନୁସାରେ, ୨୦୨୫ ମାର୍ଚ ୨୯ରେ ଶନି ମହାଗ୍ରହ ମୀନ ରାଶିରେ ସଂଚାର କରିବେ। ଏ ବର୍ଷ ରାଜା ରବି ଓ ମନ୍ତ୍ରୀ ମଧ୍ୟ ରବି। ଏଥି ପାଇଁ ପ୍ରଶାସକଙ୍କ ହାତରେ ରାଜ୍ୟ ଶାସନ ଦାୟିତ୍ବ ରହିବ ଓ ରାଜ୍ୟ ବା ଦେଶରେ ଅନ୍ତର୍ଦ୍ବନ୍ଦ୍ବ ଦେଖାଦେବ। ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ଉଚ୍ଚା ରହିବ। ୧୯୬୨ ଫେବ୍ରୁଆରିରେ ଗୋଟିଏ ରାଶି ଓ ନକ୍ଷତ୍ର ରହିଥିବାରୁ ଭାରତ-ଚୀନ ଯୁଦ୍ଧ ହୋଇଥିଲା। ଏବର୍ଷ ମଧ୍ୟ ବିଶ୍ବରେ ଯୁଦ୍ଧ ପରିସ୍ଥିତି ରହିଛି ବୋଲି ଜ୍ୟୋର୍ତିବିଦ୍ ଶ୍ରୀ ମିଶ୍ର ଆକଳନ କରିଛନ୍ତି। ଅସଲି ଖଡ଼ିରତ୍ନ ପଞ୍ଜିକାର ଗଣନାକାର ପଣ୍ଡିତ ଇଞ୍ଜିନିୟର ଦେବଦର୍ଶୀ ଖଡ଼ିରତ୍ନଙ୍କ ଆକଳନ ଅନୁସାରେ, ବିଜେଡି ମୁଖ୍ୟଙ୍କ ପ୍ରତି ଜନସମ୍ବେଦନଶୀଳତା ବଢ଼ିବ। କିନ୍ତୁ ତାଙ୍କୁ ସଂଘର୍ଷ କରିବାକୁ ପଡ଼ିବ। ବିଜେପି ସୁଦୃଢ଼ ହେବ ଓ କଂଗ୍ରେସ ଦଳ ସରକାରଙ୍କ ଦୁର୍ବଳତାର ଫାଇଦା ଉଠାଇବେ। କଂଗ୍ରେସରେ ଦଳ ମୁଖ୍ୟଙ୍କ ପ୍ରତି ଅସନ୍ତୋଷ ଦୃଷ୍ଟିଗୋଚର ହେବ ଓ ଦଳ ବଦଳ ଚିନ୍ତାର କାରଣ ହେବ।
- ସୁଶାନ୍ତ କୁମାର ସ୍ବାଇଁ