ଗୋଟାଏ ବର୍ଷ ଅତିକ୍ରାନ୍ତ ହୋଇ ଯେତେବେଳେ ନୂତନ ବର୍ଷର ଆଗମନ ହୁଏ, ସେତେବେଳେ ଆମ ଭିତରେ ତା’ ସଂପର୍କରେ ଆଗୁଆ ଜାଣିବା ଲାଗି ଉତ୍ସୁକତା ସୃଷ୍ଟି ହୋଇଥାଏ। ଆଗାମୀ ବର୍ଷଟି ମୋଟାମୋଟି କିପରି ରହିବ ତାହା ଗଣନାକରି ଜ୍ୟୋତିଷୀମାନେ ସମ୍ଭାବ୍ୟ ଫଳାଫଳ ସଂପର୍କରେ ସୂଚନା ଦେଇଥାଆନ୍ତି। ଯଦିଓ ଭାରତୀୟ ପରମ୍ପରାରେ ନୂଆ ପାଞ୍ଜି ଆମ ନବବର୍ଷ ଅର୍ଥାତ୍ ପଣାସଂକ୍ରାନ୍ତିରେ ପ୍ରକାଶିତ ହୋଇଥାଏ, କିନ୍ତୁ ଖ୍ରୀଷ୍ଟୀୟ ନବବର୍ଷ ବହୁ ପ୍ରଚଳିତ ହୋଇଥିବାରୁ ଜ୍ୟୋତିଷୀ ଓ ପାଞ୍ଜିକାରମାନେ ଏହାକୁ ଚାହିଁ ଗ୍ରହନକ୍ଷତ୍ରର ସ୍ଥିତି ଓ ପ୍ରଭାବକୁ ଅନୁଶୀଳନକରି ରାଷ୍ଟ୍ରଫଳ ଓ ରାଜ୍ୟଫଳ ପରିବେଷଣ କରିଥାଆନ୍ତି। ଏହି କ୍ରମରେ ଆସନ୍ତୁ ଅବଗତ ହେବା ଖ୍ରୀଷ୍ଟୀୟ ନବବର୍ଷ ୨୦୨୬ ଦେଶଦୁନିଆ ଲାଗି କିଭଳି ରହିବ।
ଉପସ୍ଥାପନା: ଦୋଳଗୋବିନ୍ଦ ପଣ୍ଡା
ଜ୍ୟୋତିଷିକ ଗଣନା ଅନୁସାରେ ୨୦୨୬ ମାର୍ଚ୍ଚ ୧୯ ତାରିଖ ଗୁରୁବାର ବିକ୍ରମ ସମ୍ବତ୍ସର ୨୦୮୩ ଆରମ୍ଭ ହେଉଛି। ଚୈତ୍ର ଶୁକ୍ଳ ପ୍ରତିପଦା ତିଥିରେ ଆରମ୍ଭ ହେଉଥିବା ଏହି ସମ୍ବତ୍ସରରେ ମୀନରାଶିରେ ଶନି, ଶୁକ୍ର, ରବି ଓ ଚନ୍ଦ୍ରଙ୍କ ଚତୁର୍ଗ୍ରହା ଯୋଗ ରହିଛି। ଶାସ୍ତ୍ରାନୁସାରେ ବର୍ଷାରମ୍ଭରେ ଏହା ଶୁଭଯୋଗ ନୁହେଁ। ଏହା ଅତିବୃଷ୍ଟି, ଅନାବୃଷ୍ଟି, ଭୂକମ୍ପ, ଯୁଦ୍ଧବିଗ୍ରହ, ରାଜନୈତିକ ଅସ୍ଥିରତା ଆଦିର କାରଣ ହୋଇପାରେ। ସେହିପରି ବର୍ଷପ୍ରବୋଧ ମତରେ କେବଳ ମୀନଶନି ଯୋଗୁ ଆସନ୍ତା ବର୍ଷ ପୃଥିବୀରେ କମ୍ପନ, ତୀବ୍ର ବେଗରେ ପବନ ବହିବା (ବଡ଼ ବାତ୍ୟା), ନାଗଲୋକରେ କମ୍ପନ (ଭୂକମ୍ପ), ସମୁଦ୍ର ଉଛୁଳିବା (ସୁନାମି), ପର୍ବତର ହାନି (ବରଫ ତରଳିବା), ସମସ୍ତ ବୃକ୍ଷର ହାନି (ଜଙ୍ଗଲକ୍ଷୟ ଓ ବନାଗ୍ନି) ଆଦି ପ୍ରାକୃତିକ ବିପର୍ଯ୍ୟୟର ଆଶଙ୍କା ରହିଛି। ଏହି ଯୋଗରେ ପୃଥିବୀପତିଙ୍କ ବିନାଶ (କୌଣସି ପ୍ରମୁଖ ନେତା-ମନ୍ତ୍ରୀଙ୍କ ଉପରେ ଆକ୍ରମଣ, ମୃତ୍ୟୁ ବା ରାଜନୈତିକ ଓଲଟପାଲଟ) ଭଳି ଘଟଣା ଘଟିବା ଦେଖାଯାଇଥାଏ। ତେଣୁ ୨୦୨୬ ମାର୍ଚ୍ଚ ୨୦ ପରେ ଏପରି ଘଟଣାବଳି ଦେଶଦୁନିଆରେ ଦେଖାଯିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ।
ତେଣେ ୨୦୨୬ ଖ୍ରୀଷ୍ଟୀୟ ବର୍ଷ ଆରମ୍ଭ ସମୟରେ ସିଦ୍ଧାର୍ଥ (୫୩) ନାମକ ବାର୍ହସ୍ପତ୍ୟ ସମ୍ବତ୍ସର ରହିଛି ଏବଂ ଆସନ୍ତା ମେ ୬ ତାରିଖ ବୁଧବାରଠାରୁ ରୌଦ୍ର (୫୪) ନାମକ ସମ୍ବତ୍ସର ଆରମ୍ଭ ହେବ। ଶାସ୍ତ୍ରାନୁସାରେ ସିଦ୍ଧାର୍ଥ ବର୍ଷରେ ପ୍ରଜା ଜ୍ଞାନବୈରାଗ୍ୟଯୁକ୍ତ ହୁଅନ୍ତି। ପୂରା ବିଶ୍ବରେ ପ୍ରସନ୍ନତା ବିରାଜମାନ କରେ ଏବଂ ଜଳ-ଅନ୍ନ (ବୃଷ୍ଟିପାତ ଓ ଫସଲ) ଭଲ ହୁଏ। ତେବେ ରୌଦ୍ର ବର୍ଷରେ ରାଜାମାନଙ୍କ ଭିତରେ କ୍ଷୋଭ ତଥା କ୍ଳେଶ ଦେଖାଯାଏ ଏବଂ ଜଳ-ଅନ୍ନ ମଧ୍ୟମ ହୁଏ। ଅନ୍ୟପକ୍ଷରେ ନାରଦ ସଂହିତା ମତରେ- ଚୈତ୍ର ଶୁକ୍ଳ ପ୍ରତିପଦାର ବାରାଧିପତି ବୃହସ୍ପତି ରାଜା ହୋଇଥିବାରୁ ଉପଯୋଗୀ ଜଳ ବର୍ଷିବ। ବଡ଼ ବଡ଼ ଉତ୍ସବ ହେବ। କିନ୍ତୁ ସମ୍ବତ୍ସରାଧିପତି ନୌକା ବାହନରେ ଆସୁଥିବାରୁ ଉତ୍ପାଦନରେ ହାନି, ଲୋକମାନେ ଗାଁ ଛାଡ଼ି ସହରକୁ ବା ନିଜ ସହର ଛାଡ଼ି ଅନ୍ୟ ସହରକୁ ଜୀବିକା ସନ୍ଧାନରେ ଯିବେ। ଗୋଚାଲାଣ ବୃଦ୍ଧି ଓ ଦୁଷ୍ଟ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ବଢ଼ିବ। ମଙ୍ଗଳ ମନ୍ତ୍ରୀ ହୋଇଥିବାରୁ ଲୋକମାନେ ଅଧିକ ରୋଗରେ ପୀଡ଼ିତ ହେବେ। ବୃହସ୍ପତି ଶସ୍ୟେଶ ହୋଇଥିବାରୁ ବେଦବିହିତ ମାର୍ଗର ପ୍ରଚାର ଅଧିକ ହେବ ଓ ଲୋକେ ସୁଖୀ ହେବେ। ବୃଷ୍ଟି ଓ ଫସଲ ଭଲ ହେବ। ଯଦି ଆମେ ବୃହସ୍ପତି ବଦଳରେ ପାରମ୍ପରିକ ମତେ ଶୁକ୍ରଙ୍କୁ ନେବା ତେବେ ମଧ୍ୟ ଭଲ ବର୍ଷା ହେବ ଏବଂ ଗହମ, ଧାନ, ଆଖୁ ପ୍ରଭୃତି ଭଲ ଅମଳ ହେବ। ତେଣୁ ଆସନ୍ତା ଖ୍ରୀଷ୍ଟୀୟ ବର୍ଷରେ ଉଭୟ ଭଲ ଓ ମନ୍ଦର ମିଶ୍ରିତ ଫଳ ପ୍ରାପ୍ତ ହେବ।
/filters:format(webp)/sambad/media/media_files/2025/12/28/shfshfshfsbxbv-2025-12-28-01-05-21.jpg)
ତେଣେ ଶନି ରସେଶ ହୋଇଥିବାରୁ ଆକାଶରୁ ମେଘ ବଦଳରେ ରୋଗ ବର୍ଷିବ। ଛେଳି, ଗାଈ, ହାତୀ, ଘୋଡ଼ା, ଓଟ ଭଳି ପଶୁସମ୍ପଦରେ ହାନି ଘଟିବ ଓ ମନୁଷ୍ୟଙ୍କ ମଧ୍ୟରେ ନୀରସତା ରହିବ। ବୃହସ୍ପତି ନୀରସେଶ ହୋଇଥିବାରୁ ହଳଦୀ ଓ ହଳଦିଆ ରଙ୍ଗର ସାମଗ୍ରୀ ଶସ୍ତା ହେବ। ଏହା ସୁନା ଦର କମିବାକୁ ସୂଚିତ କରୁଛି। ଚନ୍ଦ୍ର ଫଳେଶ ହୋଇଥିବାରୁ ଗଛଗୁଡ଼ିକରେ ଫଳଫୁଲ ଭଲ ହେବ ଏବଂ ରାଜ୍ୟ ଓ ଦେଶମୁଖ୍ୟମାନଙ୍କ ବିଦେଶ ଗସ୍ତ ବୃଦ୍ଧି ପାଇବ। ବୃହସ୍ପତି ଧନେଶ ହୋଇଥିବାରୁ ବଣିକ-ବ୍ୟବସାୟୀମାନେ ସୁଖୀ ହେବେ। ଚନ୍ଦ୍ର ଦୁର୍ଗେଶ ହୋଇଥିବାରୁ ରାଜା (ସରକାର) ସୁଶାସନ ପ୍ରଦାନ କରିବେ। ଚାଷୀ ଆନ୍ଦୋଳନ କମ୍ ହେବ। ରୋହିଣୀ ବାସ ପର୍ବତରେ ଓ ସମ୍ବତ୍ସର ବାସ କୁମ୍ଭାର ଘରେ ହୋଇଥିବାରୁ ବ୍ୟାପକ ବର୍ଷା ହେବ ଏବଂ ବଜାର ଭାଉ ପ୍ରାୟ ସ୍ଥିର ରହିବ। ମୋଟାମୋଟି ୨୦୨୬ରେ ଦେଶର ବ୍ୟାବସାୟିକ ସ୍ଥିତି ଅନୁକୂଳ ରହିବ ବୋଲି ମନେହୁଏ।
ସିଦ୍ଧାର୍ଥ ସମ୍ବତ୍ସର ପାଇଁ ରାଜା ବୃହସ୍ପତି, ମନ୍ତ୍ରୀ ମଙ୍ଗଳ ଓ ମେଘାଧିପତି ଚନ୍ଦ୍ର- ଏହି ସଂଯୋଗ ଅଧିକ ବୃଷ୍ଟି, ଅନିୟମିତ ବୃଷ୍ଟି ଓ ଝଡ଼ତୋଫାନଯୁକ୍ତ ବୃଷ୍ଟି ସହ ରୋଗବୃଦ୍ଧିର ସୂଚନା ଦିଏ। ଆର୍ଦ୍ରାପ୍ରବେଶ କୁଣ୍ଡଳୀରେ କନ୍ୟା ଲଗ୍ନରେ ଚନ୍ଦ୍ର, ଷଷ୍ଠରେ ରାହୁ, ସପ୍ତମରେ ଶନି, ନବମରେ ମଙ୍ଗଳ, ଦଶମରେ ରବି-ବୁଧ, ଏକାଦଶରେ ବୃହସ୍ପତି-ଶୁକ୍ର ଓ ଦ୍ୱାଦଶରେ କେତୁ ଅବସ୍ଥିତ। ଏଥିସହ ରବି ଓ ଚନ୍ଦ୍ର ଉଭୟ ସ୍ତ୍ରୀ ନକ୍ଷତ୍ରରେ ଥିବାରୁ ଏବଂ ସପ୍ତନାଡ଼ିଚକ୍ରରେ ଚନ୍ଦ୍ର ସୌମ୍ୟ ନାଡ଼ିରେ ଥିବାରୁ ବିଜୁଳି-ଘଡ଼ଘଡ଼ି ସହ ବର୍ଷା ଅଧିକ ହେବାର ସମ୍ଭାବନା ଦେଖାଉଛି।
ଇଂରାଜୀ ନବବର୍ଷ ୨୦୨୬ରେ ବିଶ୍ୱ, ଦେଶ ଓ ରାଜ୍ୟରେ କ’ଣ ଘଟିବ? ଯଦି ଏହାର ବିଚାର କରାଯିବ ତେବେ ଉଭୟ ଶୁଭ-ଅଶୁଭ ଫଳାଫଳ ଦୃଷ୍ଟିଗୋଚର ହେବ। ୨୦୨୬ ଜାନୁଆରି ପହିଲା ଗୁରୁବାର ବୃଷ ରାଶିରେ ଚନ୍ଦ୍ର ରୋହିଣୀ ନକ୍ଷତ୍ର ଶୁକ୍ଳପକ୍ଷ ତ୍ରୟୋଦଶୀରେ ପ୍ରବେଶ କରିବେ। ଯଦି ଗ୍ରହମାନଙ୍କର ଅବସ୍ଥିତିକୁ ବିଚାର କରିବା ତେବେ ମିଥୁନ ରାଶିରେ ବୃହସ୍ପତି, ସିଂହ ରାଶିରେ କେତୁ, ଧନୁ ରାଶିରେ ରବି, ମଙ୍ଗଳ, ବୁଧ, ଶୁକ୍ର, କୁମ୍ଭ ରାଶିରେ ରାହୁ, ମୀନ ରାଶିରେ ଶନି ବର୍ଷ ଆରମ୍ଭରୁ ବିଦ୍ୟମାନ ଅଛନ୍ତି। ବୃହସ୍ପତି ୨.୦୬.୨୦୨୬ (ମଙ୍ଗଳବାର) ପୂନର୍ବସୁ ନକ୍ଷତ୍ର କର୍କଟ ରାଶିକୁ ଚଳନ କରିବେ ଏବଂ ୩୧.୧୦.୨୬ ( ଶନିବାର) ବୃହସ୍ପତି କର୍କଟ ରାଶିରୁ ମଘା ନକ୍ଷତ୍ର ସିଂହ ରାଶିକୁ ଚଳନ କରିବେ। ବର୍ଷ ସାରା ଶନି ମୀନ ରାଶିରେ ଅବସ୍ଥାନ କରିବେ। ବର୍ଷ ଆରମ୍ଭରୁ ରାହୁ ତା ୨୮.୧୧.୨୦୨୬ (ଶନିବାର) ପର୍ଯ୍ୟନ୍ତ କୁମ୍ଭ ରାଶିରେ ଅବସ୍ଥାନ କରିବେ ଏବଂ ୨୮.୧୧.୨୦୨୬ (ଶନିବାର) କୁମ୍ଭ ରାଶିରୁ ମକର ରାଶିକୁ ଚଳନ କରିବେ ଏବଂ ସେହି ସମୟରେ କେତୁ କର୍କଟ ରାଶିକୁ ଚଳନ କରିବେ। ଏହି ଗ୍ରହଚଳନର ସ୍ଥିତିକୁ ବିବେଚନା କରାଯାଇ ବିଶ୍ୱ, ଦେଶ ଓ ରାଜ୍ୟର ଫଳାଦେଶ ନିମ୍ନରେ ପ୍ରଦାନ କରାଗଲା।
ବିଶ୍ୱ ପାଇଁ ଫଳାଫଳ: ଚଳିତବର୍ଷ ପୃଥିବୀ ଅସ୍ଥିରତା ଭିତରେ ଗତି କରିବ। ବିଶେଷ ଭାବରେ ସ୍ୱାସ୍ଥ୍ୟ ସଂଗଠନଗୁଡ଼ିକର ପାରଦର୍ଶିତାକୁ ନେଇ ଅବିଶ୍ୱାସର ବାତାବରଣ ସୃଷ୍ଟି ହେବେ। ଯୁକ୍ତରାଷ୍ଟ୍ର ଆମେରିକାକୁ ଅନେକ ରାଷ୍ଟ୍ର ବିରୋଧ କରିବେ। ଆମେରିକାର ଆର୍ଥିକ ସ୍ଥିତି ଉପରେ କୁପ୍ରଭାବ ପଡ଼ିବ। ଅଗ୍ନିକାଣ୍ଡ, ଭୂମିକମ୍ପ ଓ ପ୍ରାକୃତିକ ବିପର୍ଯ୍ୟୟ ବିଶ୍ୱବାସୀଙ୍କୁ ହତବାକ୍ କରିବ। ଚୀନ୍ରେ ଆର୍ଥିକ ସଂକଟ ଦେଖାଦେବ। ରୁଷିଆ ବିପକ୍ଷରେ ଆମେରିକା, ସିରିୟା, କୋରିଆ ଭଳି ଦେଶମାନେ ଏକତ୍ର ହୋଇ ଯୁଦ୍ଧଂ ଦେହି ଡାକରା ଦେବେ। ଜାପାନର ବୈଜ୍ଞାନିକ ଗବେଷଣା କ୍ଷେତ୍ରରେ ଅଗ୍ନିର ବିଭୀଷିକା ଦେଖାଦେବ। ଅନେକ ଛୋଟ ରାଷ୍ଟ୍ର ସଂଘବଦ୍ଧ ଭାବରେ ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କୁ ଆକ୍ରମଣ କରି ପାଶ୍ଚାତ୍ୟର ମେରୁଦଣ୍ଡକୁ ଦୋହଲାଇ ଦେବେ। ସାମୁଦ୍ରିକ ଯାତ୍ରା ଓ ବିମାନ ଯାତ୍ରାରେ ବିଭିନ୍ନ ପ୍ରକାର ଦୁର୍ଘଟଣା ଓ ଅସ୍ୱାଭାବିକ ସ୍ଥିତି ଦେଖାଦେଇପାରେ। ଇସଲାମିକ ରାଷ୍ଟ୍ରମାନଙ୍କରେ ଶାସନ ତନ୍ତ୍ରରେ ଅସ୍ଥିରତା ଦେଖାଦେବ। ସେମାନେ ଭାରତକୁ ପ୍ରଭାବିତ କରିବା ପାଇଁ ଚେଷ୍ଟା କରିବେ। ଫଳରେ ଦେଶର ତୈଳ ଆମଦାନୀ ପ୍ରଭାବିତ ହେବ। ଦେଶ-ଦେଶ ମଧ୍ୟରେ ଯୁଦ୍ଧ ଲାଗି ରହିବ ଏବଂ ଯୁଦ୍ଧ ବିଭୀଷିକା ସମୟେ ସମୟେ ସାରା ପୃଥିବୀରେ ଦେଖାଦେବ ଓ ବ୍ୟାପକ ନରସଂହାର ହେବ।
ଭାରତ ପାଇଁ ଫଳାଫଳ: ବର୍ଷର ଆରମ୍ଭରୁ ମିଶ୍ରିତ ଫଳ ଭୋଗ ହେବ। ଆର୍ଥିକ ସ୍ଥିତି ମଜଭୁତ ହେବା ସହିତ ବିଶ୍ୱରେ ଭାରତର ଯଶ ଓ ସମ୍ମାନ ବୃଦ୍ଧି ପାଇବ। ଅର୍ଥନୈତିକ, ରାଜନୈତିକ କ୍ଷେତ୍ରରେ ବିଶ୍ୱସ୍ତରରେ ଭାରତ ଶକ୍ତିଶାଳୀ ଦେଶ ରୂପରେ ପ୍ରସିଦ୍ଧି ପାଇବ। ମାତ୍ର ଆଭ୍ୟନ୍ତରୀଣ ଅଶାନ୍ତି-ଅସନ୍ତୋଷ ଲାଗିରହିବ ଏବଂ ମାନବିକ ମୂଲ୍ୟବୋଧରେ ହ୍ରାସ ଦେଖାଦେବ। ରାଜନୈତିକ କ୍ଷେତ୍ରରେ ଗୃହଯୁଦ୍ଧକୁ ଏଡ଼ାଇ ଦିଆଯାଇ ନପାରେ। ଏହା ସହିତ ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ଅନେକ ଧନଜୀବନ ନଷ୍ଟ ହେବାର ଆଶଙ୍କା ରହିଛି। ଚୀନ୍, ରୁଷ୍ ଓ ଜାପାନ ଆଦି ଦେଶ ଭାରତର ଅର୍ଥନୈତିକ ଅଭିବୃଦ୍ଧିରେ ସହଯୋଗ କରିବେ। ସ୍ୱାସ୍ଥ୍ୟ କ୍ଷେତ୍ରରେ ବି ଉନ୍ନତି ପରିଲକ୍ଷିତ ହେବ। ନେତୃସ୍ଥାନୀୟ ବ୍ୟକ୍ତିଙ୍କ ସମାବେଶ କିମ୍ବା ଧର୍ମୀୟ ସ୍ଥାନରେ ମାନବ ବୋମା ଆକ୍ରମଣର ଆଶଙ୍କା ରହିଛି। ବର୍ଷର ଶେଷ ଆଡ଼କୁ ସ୍ଥିତି ଭୟଙ୍କର ହୋଇପାରେ। ପାକିସ୍ତାନର ଦୋମୁହାଁ ନୀତି ଓ ଆତଙ୍କବାଦୀ ଆକ୍ରମଣର ଦୃଢ଼ ଜବାବ ଦେବ ଭାରତୀୟ ସେନା। ୨୦୨୬ରେ କଂଗ୍ରେସର ସ୍ଥିତି ଦୁର୍ବଳ ରହିବ ଏବଂ ଦେଶରେ ଛୋଟ ଛୋଟ ଦଳମାନ ଗଢ଼ିଉଠିବ।
ଓଡ଼ିଶା ପାଇଁ ବିଚାର: ରାଜ୍ୟରେ ରାଜନୈତିକ ସ୍ଥିରତା ବଜାୟ ରହିବ। ବିରୋଧୀଙ୍କ ଭୂମିକା ପୂର୍ବବତ୍ ଗୌଣ ହେବ। ୨୦୨୬ରେ େହବାକୁ ଥିବା ନିର୍ବାଚନରେ ଶାସକ ଦଳ ବିଜୟ ଲାଭ କରିବା ସମ୍ଭାବନା ଅଧିକ। ବର୍ଷର ପ୍ରଥମ ପର୍ଯ୍ୟାୟରେ ସମ୍ଭବତଃ ଫେବ୍ରୁଆରି ଆଡ଼କୁ ରାଜନୀତିରେ ନୂତନ ସମୀକରଣ ଓ ନୂତନ ରାଜନୈତିକ ଦଳ ଗଠନ ହୋଇପାରେ। କୃଷିକ୍ଷେତ୍ର ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ ହେବାର ଆଶଙ୍କା ରହିଛି। ଓଡ଼ିଶାକୁ ଭୂସ୍ଖଳନ ଓ ଘୂର୍ଣ୍ଣିଝଡ଼ ପ୍ରଭାବିତ କରିବା ସହିତ ରାଜ୍ୟର ଦକ୍ଷିଣ-ପୂର୍ବ ଭାଗକୁ ବାତ୍ୟାଜନିତ ବନ୍ୟା କ୍ଷତିଗ୍ରସ୍ତ କରିବା ଆଶଙ୍କା ରହିଛି। ଓଡ଼ିଶାରେ ମାଓବାଦୀମାନେ ମୁଖ୍ୟସ୍ରୋତରେ ସାମିଲ ହେବେ। ରପ୍ତାନି ଓ ଆତ୍ମନିର୍ଭରଶୀଳତା କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ ହେବ। କ୍ରୀଡ଼ା, କଳା, ସଂସ୍କୃତି ଓ ଧାର୍ମିକ କ୍ଷେତ୍ରରେ ଓଡ଼ିଶା ବିଶ୍ୱ ଦରବାରରେ ସ୍ୱତନ୍ତ୍ର ସ୍ଥାନ ଜାହିର କରିବ। ଶିକ୍ଷା ଓ କୃଷି କ୍ଷେତ୍ରରେ ବୈଜ୍ଞାନିକ ପଦ୍ଧତିକୁ ଆପଣଇବା ଦ୍ୱାରା ଉନ୍ନତି ଦେଖାଦେବ। ଏବର୍ଷ ଡାଲିଜାତୀୟ ପଦାର୍ଥର କୃଷିକାର୍ଯ୍ୟ ଯଥେଷ୍ଟ ଅର୍ଥ ପ୍ରଦାନ କରିବ। ମତ୍ସ୍ୟ ରପ୍ତାନିରେ ଓଡ଼ିଶାର ଭୂମିକା ଅତୁଳନୀୟ ହେବ। ଏତେ ଶୁଭ ପରେ ମଧ୍ୟ ବର୍ଷର ଦ୍ୱିତୀୟାର୍ଦ୍ଧରେ ବୟୋବୃଦ୍ଧ ରାଜନୈତିକ ବ୍ୟକ୍ତିତ୍ବଙ୍କର ନିଧନ ଓଡ଼ିଶାର ଜନମାନସକୁ ବ୍ୟଥିତ କରିବ। ମୋହନ ସରକାର ସଫଳତାର ପାହାଚ ଚଢ଼ିବା ବେଳେ କଂଗ୍ରେସରେ ନେତୃତ୍ୱ ପରିବର୍ତ୍ତନର ସମ୍ଭାବନା ରହିଛି। ରାଜନୈତିକ କ୍ଷେତ୍ରରେ ବିଜେଡିର ସ୍ଥିତି ପୂର୍ବାପେକ୍ଷା ଦୁର୍ବଳ ହେବ।
-ଜ୍ୟୋର୍ତିବିତ୍ ଓ ବାସ୍ତୁବିତ୍
ଜ୍ୟୋତିଷ-ଦର୍ପଣରେ ୨୦୨୬
/filters:format(webp)/sambad/media/media_files/2025/12/28/sdffshfvxbvb-2025-12-28-01-05-33.jpg)
ମାର୍ଚ୍ଚ ୧୯ ପରଠାରୁ ମୀନଲଗ୍ନରେ ରବି, ଶନି, ଚନ୍ଦ୍ର ଓ ଶୁକ୍ର, ଚତୁର୍ଥରେ ବୃହସ୍ପତି, ଷଷ୍ଠରେ କେତୁ ଏବଂ ଦ୍ୱାଦଶରେ ବକ୍ରୀ ବୁଧ, ମଙ୍ଗଳ ଓ ରାହୁ ରହିବେ। ଏହାର ପ୍ରଭାବରେ ସରକାରୀ କର୍ମଚାରୀ, ସରକାରୀ ନୀତି, କଳାକାର, ମନୋରଞ୍ଜନ ଶିଳ୍ପ ଓ ମହିଳାମାନେ ଦେଶର ରାଜନୀତିକୁ ପ୍ରଭାବିତ କରିବେ। ଗଣମାଧ୍ୟମ ଭିନ୍ନ ଦିଗରେ ଗତି କରିବାର ସମ୍ଭାବନା ଅଛି। କେତେକ ଆର୍ଥିକ ଦୁଃସ୍ଥିତି କାରଣରୁ କୁମାର୍ଗ ଆପଣେଇବା ଅସମ୍ଭବ ନୁହେଁ।
ବର୍ଷ ପ୍ରବେଶ ଲଗ୍ନର ଗ୍ରହସ୍ଥିତି ସୂଚାଏ ଯେ, ଏ ବର୍ଷ ପ୍ରତିରକ୍ଷା ବିଭାଗର ବଜେଟ୍ ବୃଦ୍ଧି ପାଇବ ଏବଂ ପ୍ରଯୁକ୍ତିବିଦ୍ୟା ଓ ଏଆଇକୁ ପ୍ରମୁଖ ଭାବରେ ବ୍ୟବହାର କରାଯିବ। ଟଙ୍କାର ବିନିମୟ ମୂଲ୍ୟ ହ୍ରାସ ପାଇବ। ତୃତୀୟାଧିପତି ଶୁକ୍ରଙ୍କ ଉଚ୍ଚସ୍ଥିତି ଦେଶର ଗମନାଗମନ, ପରିବହନ, ସୂଚନା-ପ୍ରସାରଣ ଓ ମିଡିଆ କ୍ଷେତ୍ରର ସମୃଦ୍ଧିକୁ ସୂଚିତ କରେ। ଚତୁର୍ଥରେ ବୃହସ୍ପତିଙ୍କ ସ୍ଥିତି ଗୃହବିଭାଗକୁ ସୁଦୃଢ଼ କରିବ। ଦେଶର ଭୋଟ୍ବ୍ୟାଙ୍କ୍କୁ ପ୍ରଭାବିତ କରୁଥିବା ବେଆଇନ ପ୍ରବାସୀମାନେ ବିଦାହେବେ। ସାଧାରଣ ଜନତା ନେତାଙ୍କ ସହ ସୁସମ୍ପର୍କରେ ରହିବେ। ରିୟଲ୍ ଇଷ୍ଟେଟ୍ ବ୍ୟବସାୟରେ ବୃଦ୍ଧି ଘଟିବ। ଷଷ୍ଠରେ କେତୁଙ୍କ ଅବସ୍ଥିତି ଶତ୍ରୁ ଉପରେ ବିଜୟର ସୂଚନା ଦିଏ। ଅର୍ଥାତ୍ ଆତଙ୍କବାଦୀ ଦମନ କାର୍ଯ୍ୟକ୍ରମ ଜୋର୍ସୋର୍ରେ ଚାଲିବ।
ଜଗଲଗ୍ନ ବିଚାର ଅନୁସାରେ ମିଥୁନ ଲଗ୍ନସ୍ଥ ବୃହସ୍ପତି ୫ମ, ୭ମ ଓ ୯ମକୁ ପୂର୍ଣ୍ଣ ଦୃଷ୍ଟିରେ ଦେଖୁଥିବାରୁ ଏପ୍ରିଲ୍ ୧୪ ତାରିଖ ମଙ୍ଗଳବାର ପରଠାରୁ ଦେଶରେ ସାମଗ୍ରିକଭାବେ ଆଧ୍ୟାତ୍ମିକ ଭାବନା ବୃଦ୍ଧି ପାଇବ ଏବଂ ପ୍ରେମ ବିବାହ ଓ ଜନ୍ମହାର ବଢ଼ିବ। ସପ୍ତମ ଭାବକୁ ଶନିଙ୍କର ମଧ୍ୟ ଦୃଷ୍ଟି ଥିବାରୁ ଦେଶରେ ଛାଡ଼ପତ୍ର ହାର ବଢ଼ିବ। ଲୋକମାନେ ଅଧିକ ଖେଳ ଓ ମଉଜମଜଲିସ୍ରେ ସମୟ ଅତିବାହିତ କରିବେ। କ୍ରୀଡ଼ା ଓ ସିନେମା ଶିଳ୍ପ ସଂପ୍ରସାରିତ ହେବ। କିଛି ମୌଳବାଦୀ ଦେଶ ସହ ତିକ୍ତତାକୁ ଛାଡ଼ିଦେଲେ ଭାରତର ବିଦେଶ ନୀତି ଏହାକୁ ସମଗ୍ର ବିଶ୍ୱରେ ସମ୍ମାନ ପ୍ରଦାନ କରିବ। ମିତ୍ର ଓ ପ୍ରଭାବଶାଳୀ ଦେଶଗୁଡ଼ିକ ସହିତ ଭାରତର ରଣନୈତିକ ସମ୍ବନ୍ଧ ମଜଭୁତ ହେବ। ଅନ୍ୟାନ୍ୟ ଗ୍ରହଙ୍କ ସ୍ଥିତିରୁ ଜଣାଯାଏ, ଦେଶରେ ପରିବହନ, ପର୍ଯ୍ୟଟନ ଶିଳ୍ପରେ ବୃଦ୍ଧି ଘଟିବ। ସଡ଼କ ଓ ରାଜପଥରେ ଅନେକ ସମ୍ପ୍ରସାରଣ ଘଟିବ। ସ୍ବାସ୍ଥ୍ୟସେବାରେ ଉନ୍ନତି ଘଟିବ। କିଛି ନୂଆ ମେଡିକାଲ୍ କଲେଜ୍ ପ୍ରତିଷ୍ଠା ହୋଇପାରେ। କିନ୍ତୁ ଷଷ୍ଠାଧିପତିଙ୍କ ସହ ଶନିଙ୍କ ସମ୍ପୃକ୍ତି ହସ୍ପିଟାଲ୍ଗୁଡ଼ିକର ଶୋଷଣ ଓ କେତେକ କଳାକାରନାମାକୁ ସୂଚିତ କରେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜାତକରେ ତା୨୯-୦୫-୨୬ରୁ ମଙ୍ଗଳ ମହାଦଶାରେ କେତୁ ଅନ୍ତର ଚାଲିବ। ମଙ୍ଗଳ ତାଙ୍କର ଲଗ୍ନାଧିପତି ଓ ସ୍ବଗୃହୀ ହୋଇଥିବାରୁ ଏବଂ ୨ୟ-ପଞ୍ଚମାଧିପତି ବୃହସ୍ପତିଙ୍କ ନକ୍ଷତ୍ରରେ ଥିବାରୁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ। କେତୁ ମଧ୍ୟ ଏକାଦଶରେ ଉଚ୍ଚସ୍ଥ ବୁଧ ଓ ୧୦ମାଧିପତି ରବି ସହ ଶୁଭସ୍ଥିତିରେ ଅଛନ୍ତି। ବର୍ଷ ଭିତରେ ପରବର୍ତ୍ତୀ ଅନ୍ତର୍ଦ୍ଦଶାଧିପତି ଶୁକ୍ର ଓ ରବି ମଧ୍ୟ ଉତ୍ତମ ଫଳ ପ୍ରଦାନ କରିବେ। ଫଳରେ ପ୍ରଧାନମନ୍ତ୍ରୀ ଭାବେ ତାଙ୍କର ସ୍ଥିତି ମଜଭୁତ ରହିବ ଏବଂ ଦେଶ ଓ ବିଦେଶରେ ସୁନାମ ବଢ଼ିବ।
୧୯୩୬ ଏପ୍ରିଲ୍ ପହିଲାରେ ଗଠିତ ସ୍ବତନ୍ତ୍ର ଓଡ଼ିଶାର ଜାତକ ଓ ଗୋଚରଫଳ ଅନୁସାରେ ବର୍ତ୍ତମାନ ବୃହସ୍ପତି ମହାଦଶାରେ ଶନି ଅନ୍ତର ଚାଲିଛି। ଏହାଫଳରେ ରାଜ୍ୟରେ ଚିକିତ୍ସା, ଶିକ୍ଷା ଓ ଶିଳ୍ପ କ୍ଷେତ୍ରରେ ଉନ୍ନତି ଘଟିବ। ଧାର୍ମିକ ସ୍ଥଳ, ପର୍ଯ୍ୟଟନ କ୍ଷେତ୍ର ଓ ମନ୍ଦିରଗୁଡ଼ିକର ଉନ୍ନୟନ ପାଇଁ ସରକାର ଅଧିକ ପାଣ୍ଠି ବିନିଯୋଗ କରିବେ। ରାଜ୍ୟ ସଡ଼କପଥର ଉନ୍ନୟନ ପାଇଁ ସରକାର ଦୃଷ୍ଟି ଦେଲେ ମଧ୍ୟ କାର୍ଯ୍ୟାନ୍ବୟନରେ ବିଳମ୍ବ ହେବ। ଏ କ୍ଷେତ୍ରରେ ପୂର୍ବରୁ କାର୍ଯ୍ୟ କରିଆସୁଥିବା ପୁରୁଣା ଅଧିକାରୀମାନଙ୍କୁ ବଦଳି ନ କଲେ ଦୁର୍ନୀତି କାରଣରୁ ସଡ଼କପଥର ଆଶାନୁରୂପ ବିକାଶ ହୋଇପାରିବ ନାହିଁ ଏବଂ ସରକାର ଅସନ୍ତୋଷର ଶିକାର ହେବେ।
ସଂକଟର ସାମ୍ନା କରିବ ବିଶ୍ବ ଅର୍ଥନୀତି
ଆମେରିକାର ଅର୍ଥନୀତି ଓ ଡଲାର୍ ନିମ୍ନଗାମୀ ହେବ। ଆମେରିକୀୟ ସମ୍ପତ୍ତି ଓ ଷ୍ଟକ୍ ମାର୍କେଟରେ ବ୍ୟାପକ ହ୍ରାସ ଘଟିବ, ବହୁ ଲୋକ ଚାକିରି ହରାଇବେ, ବେରୋଜଗାରୀ ସହ କମ୍ପାନିଗୁଡ଼ିକ ଦେବାଳିଆ ହେବେ। ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ଙ୍କ ଲୋକପ୍ରିୟତା ହ୍ରାସ ପାଇବ। ତ୍ରୁଟିପୂର୍ଣ୍ଣ ନୀତି କାରଣରୁ କେବଳ ବିରୋଧୀ ଦଳ କାହିଁକି ନିଜ ଦଳରୁ ବି ସେ ସମାଲୋଚନା ଓ ବିରୋଧର ସମ୍ମୁଖୀନ ହେବେ। ଭାରତ ସମେତ ସ୍ବଦେଶୀ ବଜାର ଉପରେ ବେଶି ନିର୍ଭର କରୁଥିବା ଦେଶଗୁଡ଼ିକୁ ଛାଡ଼ିଦେଲେ ଅନ୍ୟତ୍ର ଆର୍ଥିକ ମାନ୍ଦାବସ୍ଥା ଦେଖିବାକୁ ମିଳିବ। ଅର୍ଥନୈତିକ କଟକଣା ଓ ଶୀତଳ ଯୁଦ୍ଧ ବିଶ୍ୱ ଅର୍ଥନୀତିକୁ ହ୍ରାସ କରିବ। ବିଶ୍ବ ମାନ୍ଦାବସ୍ଥା ଆମେରିକୀୟ ଡଲାର୍ ଓ ଚାଇନିଜ୍ ୟୁଆନ୍ର ପତନ ଆଣିବ। ପ୍ରତିରକ୍ଷା ପ୍ରାଥମିକତା ଓ ଆମେରିକା-ୟୁରୋପୀୟ ସଂଘ ସମ୍ପର୍କକୁ ନେଇ ନାଟୋରେ ମତଭେଦ ସୃଷ୍ଟି ହୋଇପାରେ। ବଢୁଥିବା ଜାତୀୟତାବାଦ ଏବଂ ‘ଆମେରିକା ପ୍ରଥମ’ ପରି ନୀତି ନାଟୋ ଦେଶଗୁଡ଼ିକର ଏକତା ଓ ଅର୍ଥନୀତିକୁ ଚାପଗ୍ରସ୍ତ କରିବ। ତେବେ ଭାରତୀୟ ଅର୍ଥନୀତି ବିଶ୍ବ ପ୍ରଭାବରୁ ଅନେକାଂଶରେ ମୁକ୍ତ ରହିବ।
ବନ୍ଦ ହେବ କି ଯୁଦ୍ଧ?
ଏ ବର୍ଷ ରୁଷ୍-ୟୁକ୍ରେନ୍ ଯୁଦ୍ଧର ପରିସମାପ୍ତି ପାଇଁ ଅନେକ ଚେଷ୍ଟା ହେବ। କିନ୍ତୁ ଏକ ସ୍ଥାୟୀ ସମାଧାନରେ ପହଞ୍ଚିବା କଷ୍ଟକର ହେବ। ରୁଷ୍ ନିଜର ମୂଳ ଦାବିରୁ ଓହରିବ ନାହିଁ ଏବଂ ୟୁକ୍ରେନ୍ ମଧ୍ୟ ରୁଷ୍ର ଦାବିକୁ ମାନିବା ପାଇଁ ପ୍ରସ୍ତୁତ ହେବ ନାହିଁ। ପୃଥିବୀର ଅନେକ ସ୍ଥାନରେ ଛୋଟବଡ଼ ଯୁଦ୍ଧ ଓ ଗୃହଯୁଦ୍ଧ ଲାଗିରହିବ। ବାଂଲାଦେଶରେ ହିଂସା ଏବଂ ପାକିସ୍ତାନ ଆଡୁ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧିର ସୂଚନା ମିଳେ। ଏହି ଦୁଇଟି ଦେଶ ମାନବାଧିକାରର ଉଲ୍ଲଂଘନ ପାଇଁ ଅନ୍ତର୍ଜାତୀୟ ନିନ୍ଦାର ସମ୍ମୁଖୀନ ହେବେ।
ଅତଏବ ସାମଗ୍ରିକ ଭାବେ ବିଚାର କଲେ ଜଳବାୟୁ ଓ ପାଣିପାଗ ପରିସ୍ଥିତିରେ ବିଶେଷ କିଛି ସୁଧାର ଆସିବାର ନାହିଁ। ବର୍ଷାର ଅନିୟମିତତା କିଛି ଅଞ୍ଚଳରେ ପ୍ରଭାବ ପକାଇଲେ ମଧ୍ୟ ମୋଟାମୋଟି ଭାବେ ଫସଲ ଅମଳ ଭଲ ହେବ। ଖାଦ୍ୟଦ୍ରବ୍ୟ ଓ ଜିନିଷପତ୍ରର ଦରଦାମ୍ ସ୍ଥିର ରହିବ। ବିଶ୍ବରେ ଆର୍ଥିକ ମାନ୍ଦାବସ୍ଥା ଭଳି ପରିସ୍ଥିତି ଦେଖାଦେଲେ ମଧ୍ୟ ଭାରତ ଅନେକାଂଶରେ ସେଥିରୁ ରକ୍ଷା ପାଇବ। ବିରୋଧୀଙ୍କ ହଟଚମଟ ସତ୍ତ୍ବେ କେନ୍ଦ୍ର ସରକାରରେ ସ୍ଥିରତା ରହିବ। କେତେକ ରାଜ୍ୟ ନିର୍ବାଚନରେ ପରିବର୍ତ୍ତନକାରୀ ପରିଣାମ ଦେଖିବାକୁ ମିଳିବ। ଯୁଦ୍ଧ, ହିଂସା ଓ ଆତଙ୍କବାଦୀ କାର୍ଯ୍ୟକଳାପରେ ସୁଧାର ଆସିବାର ସମ୍ଭାବନା ନାହିଁ। ୨୦୨୬ ନୂଆବର୍ଷରେ ଆମେ ନିଜକୁ ସଜାଡ଼ିବା ସହିତ ପରିବେଶ ସୁରକ୍ଷା ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି।
-ଜ୍ୟୋତିର୍ବିଦ୍ୟାବାଚସ୍ପତି,
ମୋ- ୭୦୦୮୯୬୦୫୦୨
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/12/28/horoscopes-2025-12-28-01-05-10.jpg)