ବିମାନ ସେବା ଯୋଗୁଁ ଭ୍ରମଣପ୍ରେମୀମାନେ ଖୁବ୍ କମ୍ ସମୟରେ ବିଶ୍ବ ଭ୍ରମଣ କରିବାର ସ୍ବପ୍ନ ସାର୍ଥକ କରିପାରୁଛନ୍ତି। ହେଲେ ଡେନମାର୍କର ଜଣେ ପରିବ୍ରାଜକ ଗତ ୧୦ ବର୍ଷ ଭିତରେ ଆଦୌ ବିମାନ ଯାତ୍ରା ନ କରି ବିଶ୍ବର ୨୦୩ଟି ଦେଶ ବୁଲି ଆସିବାର ବିରଳ ରେକର୍ଡ କରିଛନ୍ତି। ତୋର୍ବଜର୍ଣ୍ଣ ‘ଥର୍’ ପେଡେରସେନ ନାମକ ଏହି ୪୪ ବର୍ଷୀୟ ଭ୍ରମଣକାରୀ ତାଙ୍କର ଏହି ଅଭିଯାନ ଭିତରେ ମହାମାରୀ କୋଭିଡ୍-୧୯ ପରି ସଂକଟଜନକ ପରିସ୍ଥିତିର ମଧ୍ୟ ମୁକାବିଲା କରିଛନ୍ତି। ଗତ ମାସ ୨୬ ତାରିଖରେ ସେ ଡେନମାର୍କର ଆର୍ହସ ବନ୍ଦରରେ ଏକ ଯାତ୍ରୀବାହୀ ଜାହାଜରୁ ଓହ୍ଲାଇ ତାଙ୍କର ୧୦ ବର୍ଷର ବିଶ୍ବ ପରିକ୍ରମା ସମାପ୍ତ କରିଛନ୍ତି।
ଡେନମାର୍କର ସାମରିକ ବାହିନୀରେ ଯୋଗ ଦେବା ପରେ ତାଙ୍କୁ କେତେକ ଦେଶ ବୁଲିଯିବାର ସୁଯୋଗ ମିଳିଥିଲା। ଏହା ପରେ ସେ ବିଶ୍ବ ଭ୍ରମଣ କରିବାର ସ୍ବପ୍ନ ଦେଖିଥିଲେ। ତେବେ ୨୦୧୩ ମସିହାରେ ତାଙ୍କ ବାପା ତାଙ୍କ ପାଖକୁ ପଠାଇଥିବା ଏକ ଇ-ମେଲ୍ ପେଡେରସନ୍ଙ୍କ ଯୋଜନାକୁ ଭିନ୍ନ ରୂପ ଦେଇଥିଲା। ‘ପୃଥିବୀରେ କେହି ବି ଏଯାଏ ବିମାନ ଯାତ୍ରା ବିନା ସବୁ ଦେଶ ବୁଲି ନାହିଁ’ ବୋଲି ତାଙ୍କ ବାପାଙ୍କ ଟିପ୍ପଣୀ ତାଙ୍କ ମନରେ ଏକ ଆହ୍ବାନ ସୃଷ୍ଟି କରିଥିଲା। ତେଣୁ କୌଣସି ବି ପରିସ୍ଥିତିରେ ବିମାନରେ ବସିବେ ନାହିଁ ବୋଲି ସଂକଳ୍ପ କରି ସେ ୨୦୧୩ ଅକ୍ଟୋବର ୧୦ରେ ଡେନ୍ମାର୍କରୁ ତାଙ୍କର ବିଶ୍ବ ଭ୍ରମଣ ଅଭିଯାନ ଆରମ୍ଭ କରିଥିଲେ।
ଦୀର୍ଘ ୩,୫୭୬ ଦିନର ଯାତ୍ରା ଭିତରେ ସେ ମୋଟ ୩.୫୮ ଲକ୍ଷ କି.ମି. ଅତିକ୍ରମ କରିବା ସହ ୩୭୯ଟି ଜାହାଜ, ୧୫୮ଟି ଟ୍ରେନ୍, ୩୫୧ଟି ବସ୍, ୨୧୯ଟି କାର୍, ୩୩ଟି ଡଙ୍ଗା ଓ ୪୩ଟି ରିକ୍ସାରେ ଯାତ୍ରା କରିଥିବା କହିଛନ୍ତି। ଖାଲି ସେତିକି ନୁହେଁ, ସେ ପରିଭ୍ରମଣ ସାରିଥିବା ୨୦୩ଟି ଯାକ ଦେଶର ପ୍ରତ୍ୟେକଟିରେ ଅତି କମ୍ରେ ୨୪ ଘଣ୍ଟା ବିତାଇଛନ୍ତି। କୋଭିଡ୍ ମହାମାରୀ ବେଳେ ଆଉ ମାତ୍ର ୯ଟି ଦେଶ ବୁଲିବାକୁ ବାକି ଥିବା ବେଳେ ତାଙ୍କୁ ହଂକଂରେ ଦୀର୍ଘ ଦୁଇ ବର୍ଷ କାଳ ଅପେକ୍ଷା କରିବାକୁ ପଡ଼ିଥିଲା ବୋଲି ସେ କହିଛନ୍ତି।