ଅଚ୍ୟୁତ ସାମନ୍ତ
କିଟ୍ ବିଶ୍ୱବିଦ୍ୟାଳୟର ଏକବିଂଶ ବାର୍ଷିକ ସମାବର୍ତ୍ତନ ଉତ୍ସବ ଚଳିତ ବର୍ଷ ସେପ୍ଟେମ୍ବର ୨୬ ରୁ ୨୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି । ଏହା ଆମର ଆନୁଷ୍ଠାନିକ ଯାତ୍ରାର ଏକ ମହାର୍ଘ ତଥା ଗୌରବମୟ ପର୍ବ। ଏହି ସମାବର୍ତ୍ତନ ଉତ୍ସବ ତିନି ଦିନ ଧରି ଆୟୋଜିତ ହେବା ହିଁ ଏହାର ବିଶେଷତ୍ବ। ଯାହା ଫଳରେ ବହୁ ସଂଖ୍ୟାରେ ସ୍ନାତକ ଛାତ୍ରଛାତ୍ରୀ ସେମାନଙ୍କ ପିତାମାତା ତଥା ଅଭିଭାବକଙ୍କ ସହ ସୁବିଧାରେ ଉତ୍ସବରେ ସାମିଲ ହୋଇପାରିବେ। ଶ୍ରୀଲଙ୍କା ଓ ଟ୍ୟୁନିସିଆର ଦୁଇ ଜଣ ନୋବେଲ ବିଜେତା, ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍ ଜଷ୍ଟିସ୍ର ବିଚାରପତି ନ୍ୟାୟମୂର୍ତ୍ତି ଏ. ଅହମ୍ମଦ ୟୁସୁଫ୍ ଓ ନ୍ୟାୟମୂର୍ତ୍ତି ଦଲବୀର ଭଣ୍ଡାରିଙ୍କ ସମେତ ପୃଥିବୀର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଗରିମାମୟ ଉପସ୍ଥିତିରେ ଉତ୍ସବ ମହିମା ମଣ୍ଡିତ ହେବ । ପୂର୍ବରୁ ୨୨ଜଣ ନୋବେଲ୍ ବିଜେତା କିଟ୍ ଓ କିସ୍ ପରିଦର୍ଶନ କରିବା ସହ ସେମାନଙ୍କ ଉପଲବ୍ଧି ବୌଦ୍ଧିକ ବିଚାର, ପ୍ରଜ୍ଞା ଓ ଅନ୍ତର୍ଦୃଷ୍ଟି ମାଧ୍ୟମରେ ଅନୁପ୍ରାଣିତ କରିଛନ୍ତି । ସେହି ଉଜ୍ଜ୍ୱଳ ଐତିହ୍ୟକୁ ଚଳିତ ବର୍ଷର ଦୁଇଜଣ ନୋବେଲ ଲରେଟ୍ଙ୍କ ଉପସ୍ଥିତି ଓ ମାର୍ଗଦର୍ଶନ ଆହୁରି ପରିପୁଷ୍ଟ କରିବ । ଅନ୍ୟ କୌଣସି ଭାରତୀୟ ବିଶ୍ୱବିଦ୍ୟାଳୟ ଏଭଳି ସୌଭାଗ୍ୟ ପାଇନାହିଁ । ଏହା ବିଶ୍ୱ ଶିକ୍ଷା ଜଗତରେ କିଟ୍ର ଅନନ୍ୟତାର ଅନ୍ୟ ଏକ ପରିଚୟ। ମୁଁ ଏ କଥା କହିଲା ବେଳେ ମୋ ସ୍ମୃତିରେ ଭାସି ଉଠୁଛି କିଭଳି ଏକ ସାଧାରଣ ସ୍ୱପ୍ନ ବୈଷୟିକ ଶିକ୍ଷା କେନ୍ଦ୍ରରେ ବିକଶିତ ହୋଇପାରିଛି; ତାହା ପୁଣି ମାତ୍ର ୨୮ ବର୍ଷର ଅନୁଷ୍ଠାନ ଓ ୨୧ ବର୍ଷର ବିଶ୍ୱବିଦ୍ୟାଳୟ ଯାତ୍ରାପଥଗାମୀ। ୧୯୯୭ ମସିହାର ଏକ ନମ୍ର ପ୍ରୟାସ ସମ୍ପ୍ରତି ଭାରତର ଏକ ପ୍ରମୁଖ ବିଶ୍ୱବିଦ୍ୟାଳୟରେ ପରିଣତ ହୋଇଛି। ଗୁଣାତ୍ମକ ଶିକ୍ଷା ପାଇଁ ପୂର୍ଣ୍ଣ ଅଙ୍ଗୀକାର ସହ କିଟ୍ ଅଗ୍ରସର ହୋଇଛି । ୪୦ ହଜାରରୁ ବେଶି ଭାରତୀୟ ଓ ୨ ହଜାରରୁ ଅଧିକ ଅନ୍ତର୍ଜାତୀୟ ଛାତ୍ରଛାତ୍ରୀଙ୍କ ମାଧ୍ୟମରେ କିଟ୍ର ଶୈକ୍ଷିକ ପରିବେଶ ସ୍ପନ୍ଦିତ। ୩୬ବର୍ଗ କିଲୋମିଟର ପରିମିତ କ୍ୟାମ୍ପସ୍ ବିବିଧ ସଂସ୍କୃତି ଓ ପ୍ରଜ୍ଞାନର ଛନ୍ଦ ଓ ସ୍ୱରରେ ଅନୁରଣିତ। ୨୩ଟି ସ୍କୁଲର ପ୍ରାୟ ତିନି ହଜାରରୁ ଊର୍ଦ୍ଧ୍ୱ ପ୍ରଖ୍ୟାତ ଶିକ୍ଷକ, ଅଧ୍ୟାପକ ଓ ଗବେଷକ କାର୍ଯ୍ୟରତ। ଏବଂ ସେମାନଙ୍କ ପ୍ରୟାସରେ ଇଞ୍ଜିନିୟରିଂ, ମେଡ଼ିସିନ, ଆଇନ, ମ୍ୟାନେଜମେଣ୍ଟ, ବାୟୋଟେକ୍ନୋଲୋଜି ଆଦି ଅନେକ ବିଭାଗରେ ନୂତନ ମାନକ ନିର୍ମାଣ ହୋଇପାରିଛି। ଟାଇମସ୍ ହାୟର ଏଜୁକେସନ ରାଙ୍କିଙ୍ଗ୍ରେ କିଟ୍ ଇଞ୍ଜିନିୟରିଂ ବିଶ୍ୱର ଶ୍ରେଷ୍ଠ ଅନୁଷ୍ଠାନ ମଧ୍ୟରେ ସ୍ଥାନିତ । ଭାରତର ଶ୍ରେଷ୍ଠ ୧୦ଟି ଲ ସ୍କୁଲ ମଧ୍ୟରେ କିଟ୍ ଲ ସ୍କୁଲ ସ୍ଥାନ ପାଇବା ଗୌରବର କଥା। ଭାରତରେ ମେଡ଼ିକାଲ ଶିକ୍ଷା କ୍ଷେତ୍ରରେ କଳିଙ୍ଗ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡ଼ିକାଲ୍ ସାଇନ୍ସେସ୍ (କିମ୍ସ)ର ସ୍ଥାନ ୨୪ରେ । କିଟ୍ ସ୍କୁଲ୍ ଅଫ୍ ବାୟୋଟେକ୍ନୋଲୋଜି ଏକ ଉତ୍କର୍ଷ କେନ୍ଦ୍ରର ମାନ୍ୟତା ପାଇଛି। ଭାରତର ବେସରକାରୀ ବାୟୋ ଇନ୍କ୍ୟୁବେଟର ଭାବରେ ‘ଦି ଟେକ୍ନୋଲୋଜି ବିଜିନେସ୍ ଇନ୍କ୍ୟୁବେଟର’ର ସ୍ଥାନ ଶୀର୍ଷରେ ‘କିଟ୍’ ଥିବାବେଳେ ନବାଚାର ଓ ଷ୍ଟାର୍ଟଅପ୍ କ୍ଷେତ୍ରରେ ବେଶ୍ ପ୍ରେରଣାଦାୟୀ। ଶତକଡ଼ା ୬୦ ବା ତଦୂର୍ଦ୍ଧ୍ୱ ମାର୍କ ରଖିଥିବା ଛାତ୍ରଛାତ୍ରୀଙ୍କୁ କିଟ୍ରେ ଶିକ୍ଷା ଆହରଣର ସୁଯୋଗ ମିଳେ। ଫଳରେ ଗତ ୨୦ ବର୍ଷ ଧରି ଶୈକ୍ଷିକ ଉତ୍କର୍ଷ ବଜାୟ ରହିବା ସହ ଏହା ମେଧାବୀ ଛାତ୍ରଛାତ୍ରୀଙ୍କ ଆକର୍ଷଣର କେନ୍ଦ୍ର ହୋଇ ପାରିଛି। ଏବେ ଆମେ କ୍ୟୁଏସ୍ ୟୁନିଭରସିଟି ରାଙ୍କିଙ୍ଗ୍ ଓ ଟାଇମସ୍ ହାୟର ଏଜୁକେସନ ରାଙ୍କିଙ୍ଗ୍ରେ ଉଭୟ ଜାତୀୟ ଓ ବିଶ୍ୱସ୍ତରରେ ଶୀର୍ଷ ପର୍ଯ୍ୟାୟରେ ସ୍ଥାନିତ ଏବଂ ଆମକୁ ଆଇଇଟି (ୟୁକେ) ଓ ଏବିଇଟି (ୟୁଏସ୍ଏ)ର ଆକ୍ରେଡ଼ିଟେସନ ମିଳିଛି ।
ଆରମ୍ଭରୁ କ୍ୟାମ୍ପସ୍ ପ୍ଲେସ୍ମେଣ୍ଟ୍ରେ କିଟ୍ର ବିଶେଷ ପରିଚୟ ଓ ପ୍ରସିଦ୍ଧି ରହିଛି। ଜାତୀୟ ଓ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ କମ୍ପାନୀମାନେ କ୍ୟାମ୍ପସ୍କୁ ଆସୁଛନ୍ତି। ଆମର ଅନେକ ଛାତ୍ରଛାତ୍ରୀ ବିଶ୍ୱପ୍ରସିଦ୍ଧ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଉଚ୍ଚତର ଅଧ୍ୟୟନର ସୁଯୋଗ ପାଇଥାନ୍ତି। ସନ୍ତୋଷଜନକ ପରିସଂଖ୍ୟନ ବାଦ୍ ମୋତେ ବ୍ୟକ୍ତିଗତ ଭାବରେ ଯାହା ଖୁସି ଓ ଆନନ୍ଦ ଦେଇଥାଏ, ତାହା ହେଉଛି ଛାତ୍ର କୈନ୍ଦ୍ରିକ ଶିକ୍ଷଣ ଧାରା ଓ ପରିବେଶ। ଯାହା ମେଣ୍ଟରିଙ୍ଗ ଓ ଟ୍ୟୁଟରିଙ୍ଗ ମାଧ୍ୟମରେ ବିକଶିତ ହୋଇଛି । ଏଥିପାଇଁ ଭାରତରେ କିଟ୍ ଏକ ଛାତ୍ର-ଅଭିଭାବକ ଅନୁକୂଳ ବିଶ୍ୱବିଦ୍ୟାଳୟ ଭାବରେ ବିଶେଷ ଖ୍ୟାତି ଅର୍ଜନ କରିଛି । ମୁଁ ଜାଣେ ଏବଂ ମର୍ମେ ମର୍ମେ ଅନୁଭବ କରେ, ପିଲାମାନଙ୍କର ଶିକ୍ଷା ପାଇଁ ପରିବାରକୁ କିଭଳି ସଙ୍ଘର୍ଷ ଭିତର ଦେଇ ଯିବାକୁ ପଡ଼େ । ଦିନେ ମୁଁ ଛାତ୍ର ଥିଲି; ସମ୍ବଳ ସୀମିତ; ସ୍ୱପ୍ନ ଅସୀମିତ । ମୋ ଉପଲବ୍ଧିରୁ ମୁଁ ସତତ ଚେଷ୍ଟିତ ଯେ, ଯେଭଳି ଅର୍ଥ ଶିକ୍ଷା ପଥରେ ବାଧକ ନ ସାଜେ। ଏଭଳି ଏକ ପରିବେଶ ନିର୍ମାଣକୁ ମୁଁ ପ୍ରାଥମିକତା ଦେଇଆସିଛି । ଶୈକ୍ଷିକ ଉତ୍କର୍ଷ ପାଇଁ ବିଶ୍ୱସ୍ତରୀୟ ଭିତ୍ତିଭୂମି ଏକାନ୍ତ ଆବଶ୍ୟକ। କିଟ୍ ବିଶ୍ୱବିଦ୍ୟାଳୟରେ ଅଛି ଅତ୍ୟାଧୁନିକ ଶ୍ରେଣୀଗୃହ, ଉଚ୍ଚମାନର ଗବେଷଣାଗାର, ନିକଟରେ ୨୬୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେସିଆଲିଟି କିମ୍ସ୍ ହସ୍ପିଟାଲ, ସାତ ମହଲା ବିଶିଷ୍ଟ ପାଠାଗାର, ଗବେଷଣା ଓ ନବସର୍ଜନା ପାଇଁ ୨୨ ମହଲାର ଟାୱାର। ଗବେଷଣା, ଜ୍ଞାନାର୍ଜନ ଓ ନବାଚାର ପାଇଁ ପ୍ରଭୂତ ବ୍ୟବସ୍ଥା। ଅନେକ ଅତ୍ୟାଧୁନିକ ପ୍ରେକ୍ଷାଳୟ, ଯାହା ମଧ୍ୟରେ ଅଛି ପାଞ୍ଚ ହଜାର ବ୍ୟକ୍ତି ବସିପାରିବା ଭଳି ଏକ ପ୍ରେକ୍ଷାଳୟ; ଯେଉଁଠି ଜ୍ଞାନର ଆଦାନ ପ୍ରଦାନ, ମନନ, ଚିନ୍ତନ ପାଇଁ ଏକ କ୍ରିୟାଶୀଳ ପରିବେଶ ରହିଛି। କ୍ୟାମ୍ପସ୍ରେ ମଧ୍ୟ ଉପଲବ୍ଧ ବିବିଧ ରୁଚିର ୩୦ଟି ଫୁଡ୍କୋର୍ଟ, ୧୮ଟି ଉନ୍ନତ ମାନର କ୍ରୀଡ଼ା କମ୍ପେକ୍ସ, ସବୁଜିମା ଭରା କ୍ୟାମ୍ପସ୍ ଯାହା ଏକ ସାମଗ୍ରିକ ଅନୁକୂଳ ପରିମଣ୍ଡଳ ପ୍ରଦାନ କରିଥାଏ। ଏହି ଭିତ୍ତିଭୂମି ସରଂଚନା ଫଳରେ କ୍ୟାମ୍ପସ୍ଟି ଜ୍ଞାନାନୁକୂଳ ଶିକ୍ଷଣ ପରିବେଷ୍ଟନୀରେ ସମୃଦ୍ଧ ହେବା ସହ ଏକ ପ୍ରେରଣାଦାୟୀ ଅବବୋଧ ପାଇଁ ଆଲୋକବର୍ତ୍ତିକା ହୋଇପାରିଛି। ବିଶ୍ୱସ୍ତରୀୟ ପରିବେଶ ଉତ୍ପନ୍ନ କରିଛି ବିଶ୍ୱସ୍ତରୀୟ ପ୍ରତିଭା- ଏହା ହିଁ ସୁଖପ୍ରଦ ଉପଲବ୍ଧି ।
ଆମ ପୂର୍ଣ୍ଣାଂଶ ଶିକ୍ଷା ଦର୍ଶନର କ୍ରୀଡ଼ା ହେଉଛି ଅବିଚ୍ଛେଦ୍ୟ ଅଂଶ। ସମ୍ପ୍ରତି କିଟ୍ରେ ୨୪ଜଣ ଅଲିମ୍ପିଆନ ଅଧ୍ୟୟନରତ। କ୍ରୀଡ଼ାର ଏକ ଅଗ୍ରଣୀ ଉତ୍କର୍ଷ କେନ୍ଦ୍ର ଭାବେ କିଟ୍ ଭାରତରେ ଚର୍ଚ୍ଚିତ। ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର, ସ୍ପୋର୍ଟ୍ଷ୍ଟାର ଆୱାର୍ଡ଼, ଫିକି ଇଣ୍ଡିଆ ସ୍ପୋର୍ଟସ୍ ଆୱାର୍ଡ଼ ଏବଂ ସିଆଇଆଇ ବିଜିନେସ୍ ଆୱାର୍ଡ଼ ମାଧ୍ୟମରେ କ୍ରୀଡ଼ା କ୍ଷେତ୍ରକୁ ଆମର ଅବଦାନ ସ୍ୱୀକୃତ ଓ ପ୍ରଶଂସିତ। ଫିଫା ଫୁଟ୍ବଲ୍ ଫର୍ ସ୍କୁଲ୍ସ ଏବଂ ଏଫ୍ଆଇଭିବିର ଭଲିବଲ୍ ଫର୍ ଅଲ୍ ପ୍ରୋଗ୍ରାମ ଇନ୍ ଏସିଆର ନୋଡ଼ାଲ ସେଣ୍ଟର ହେଉଛି କିଟ୍ । କିଟ୍ର ଉପସ୍ଥିତି ଓ ସମ୍ପର୍କ ୧୦୦ରୁ ଅଧିକ ଦେଶକୁ ପରିବ୍ୟାପ୍ତ । କିଟ୍ ୩୫୦ରୁ ଊର୍ଦ୍ଧ୍ୱ ବୁଝାମଣାପତ୍ର ସ୍ୱାକ୍ଷର କରି ନିଜର ସୀମାକୁ ପ୍ରସାରିତ କରିଛି, ଯାହା ମଧ୍ୟରେ ଅଛନ୍ତି ବିଶ୍ୱର ଅଗ୍ରଣୀ ବିଶ୍ୱବିଦ୍ୟାଳୟ, ଇନୋଭେଟିଭ୍ ଟୁଇନସ୍ ପ୍ରୋଗ୍ରାମ ଭଳି ଅନେକ। କିଟ୍ ୟୁଏନ୍ ଭଲ୍ୟୁଣ୍ଟିଅର୍ସ ଓ ଆମେରିକାନ କାଉନ୍ସିଲ୍ ଅଫ୍ ୟଙ୍ଗ ପଲିଟିକାଲ ଲିଡ଼ର୍ସର ସହଭାଗିତା ବରଣ କରିଛି । କିଟ୍ ହେଉଛି ୟୁଏନ୍-ଇକୋସକ୍ର ସ୍ପେସାଲ କନ୍ସଲଟେଟିଭ ଷ୍ଟାଟସ୍ ପାଇବାରେ ଦକ୍ଷିଣ ଏସିଆର ଏକମାତ୍ର ଘରୋଇ ବିଶ୍ୱବିଦ୍ୟାଳୟ, ଯାହା ଅତ୍ୟନ୍ତ ମର୍ଯ୍ୟାଦାଜନକ। କିଟ୍କୁ ଆସିଛନ୍ତି ୨୪ ନୋବେଲ ବିଜେତା, ୧୨୦ ରାଷ୍ଟ୍ରଦୂତ, ୨୦ ରାଷ୍ଟ୍ରମୁଖ୍ୟ ଓ ଏକ ହଜାରରୁ ଊର୍ଦ୍ଧ୍ୱ ବିଖ୍ୟାତ ନୀତି ନିର୍ଦ୍ଧାରକ ଓ ଚିନ୍ତକ। ସେମାନଙ୍କ ସହ ସମ୍ପ୍ରିତି ଓ ସାନିଧ୍ୟ ଆମ ଛାତ୍ରଛାତ୍ରୀମାନଙ୍କୁ ଅନନ୍ୟ ପ୍ରେରଣା ଦେବା ସହ ବିଶ୍ୱସ୍ତରୀୟ ଚେତନାର ଦିଗ ଓ ଦିଗନ୍ତ ସହ ପରିଚୟ କରାଇଛି। ସକଳ ଉପକ୍ରମର କେନ୍ଦ୍ରରେ ରହିଛି ଆମର ମାର୍ଗଦର୍ଶିକା ଦର୍ଶନ: ଶିକ୍ଷା ସହିତ ସଂସ୍କାର । ପ୍ରଯୁକ୍ତି ଓ ଜଗତୀକରଣର ବିଶ୍ୱକୁ ନୂତନ ରୂପ ପ୍ରଦାନ କରିଆସୁଛି । ଏହାକୁ ଦୃଷ୍ଟିରେ ରଖି ଆମେ ଏଭଳି କୃତୀ ସମ୍ପନ୍ନ ବ୍ୟକ୍ତି ନିର୍ମାଣରେ ପ୍ରୟାସୀ ଯେ, ଯେଉଁମାନେ ଦୟା, ନମ୍ରତା, ନବସର୍ଜନା ଓ ଦାୟିତ୍ୱବୋଧ ଏବଂ ସଫଳତାର ଜୀବନ୍ତ ପ୍ରତୀକ ହୋଇପାରିବେ। ଏମାନେ ଉଚ୍ଚ ମୂଲ୍ୟବୋଧର ଧାରକ ଓ ବାହକ ହେବେ ।
ମୁଁ ୨୦୨୫ ଶିକ୍ଷାବର୍ଷର ସ୍ନାତକ ମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି । ଛାତ୍ରଛାତ୍ରୀମାନେ କ୍ୟାମ୍ପସ୍ରୁ ଯାଇ ବୃହତ୍ତର ଜଗତରେ ପ୍ରବେଶ କରିବେ। ମୋର ଆଶା ଓ ବିଶ୍ୱାସ ଛାତ୍ରଛାତ୍ରୀମାନେ କିଟ୍ର ମୂଲ୍ୟବୋଧକୁ ନିଜ ଜୀବନର ଧ୍ୟେୟ କରିବେ। ତାହା ହେଉଛି ଜ୍ଞାନ ସହ ବିନୟଭାବ, ସଫଳତା ସହ ସେବାଭାବ ଏବଂ ନେତୃତ୍ୱ ସହ ବ୍ୟକ୍ତିଗତ ସାଧୁତା। ଛାତ୍ରଛାତ୍ରୀମାନେ ରଚିବେ ସାହସ, ପ୍ରତିବଦ୍ଧତା ଓ ଆତ୍ମବିଶ୍ୱାସ ସହ ନୂତନ ଭବିଷ୍ୟତ । ଛାତ୍ରଛାତ୍ରୀମାନେ ଦ୍ରଷ୍ଟା ଓ ଭବିଷ୍ୟ ନିର୍ମାତା । ଆମେ ପାଳନ କରୁଛେ ଏକବିଂଶ ବାର୍ଷିକ ସମାବର୍ତ୍ତନ। ତିନି ଦିନ ଧରି ଆୟୋଜିତ ଏହି ଉତ୍ସବରେ ସଫଳତା, ସ୍ୱୀକୃତି, ଆନନ୍ଦ, ଉଲ୍ଲାସ ଓ ପୁରୋଦୃଷ୍ଟିର ଝଲକ ଦେଖିବାକୁ ମିଳୁଛି । ଏହି ଅବସରରେ ଆମେ ସମସ୍ତ କର୍ମଚାରୀ, ଅଂଶୀଦାର, ଛାତ୍ରଛାତ୍ରୀ, ଅଭିଭାବକ, ଶୁଭେଚ୍ଛୁମାନଙ୍କ ଅବାରିତ ସହଯୋଗ ଓ ଶୁଭେଚ୍ଛା ପାଇଁ କୃତଜ୍ଞତା ଜ୍ଞାପନ କରୁଛୁ। ଉତ୍କର୍ଷ ପାଇଁ ଆମର ପ୍ରତିବଦ୍ଧତାକୁ ପୁନଃ ନବୀକରଣ କରିବା ସହିତ ଆହୁରି ପ୍ରଭାବଶାଳୀ ଢଙ୍ଗରେ ଆଗକୁ ଯିବାର ସଙ୍କଳ୍ପ ନେଉଛୁ । ନବସର୍ଜନା ଓ ଗବେଷଣା ମାଧ୍ୟମରେ ଏବଂ ଅନ୍ତର୍ଜାତୀୟ ସହଭାଗିତା ଓ ମାନ୍ୟତା ଜରିଆରେ ବିଶ୍ୱରେ ଆମର ମାନବୃଦ୍ଧି ନିମନ୍ତେ ପ୍ରୟାସ ଜାରି ରହିବ । ଏହା ସହ ସାମାଜିକ କାର୍ଯ୍ୟକ୍ରମ ମାଧ୍ୟମରେ ଆମର ସାମାଜିକ ପ୍ରତିବଦ୍ଧତାକୁ ସୁଦୃଢ଼ କରିବା ସହ ଭାରତକୁ ଆଗକୁ ଆଗେଇ ନେବାପାଇଁ ଆମର ଯୋଗଦାନକୁ ସୁନିଶ୍ଚିତ କରିବୁ ।
ପ୍ରତିଷ୍ଠାତା, କିଟ୍, କିସ୍ ଓ କିମ୍ସ