ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଭାଗବତରେ ଅବଧୂତଙ୍କର ଚବିଶ ଗୁରୁ କଥା ବର୍ଣ୍ଣିତ ଅଛି- ପୃଥିବୀ ପବନ ଅନଳ, ଉର୍ଦ୍ଧ୍ୱେ ଯେ ଆକାଶ ମଣ୍ଡଳ। ରବି ଶଶାଙ୍କ ଆପ ସିନ୍ଧୁ, ଭ୍ରମର ସର୍ବପୁଷ୍ପ ବନ୍ଧୁ। କପୋତ ପକ୍ଷୀ ଗୁରୁମୋର, ପତଙ୍ଗ ସର୍ପ ଅଜଗର। ମୀନ ପିଙ୍ଗଳା ବେଶ୍ୟା ନାରୀ, କୁରର କୁମର କୁମାରୀ। ହରିଣ ଉର୍ଣ୍ଣନାଭୀ କରୀ, ଶରକାରକ ମଧୁହାରୀ। ଆବର କୀଟ ପେଶସ୍କାରୀ, ମୁଁ ଏତେ ଗୁରୁ ସେବା କରି। ଅନେକ କ୍ଷେତ୍ରରୁ ଅବଧୂତ ନିଜର ଚବିଶ ଗୁରୁ ପାଇଥିବା ବେଳେ ୨୦୨୪ର ବିଭିନ୍ନ ପରିସ୍ଥିତି ଆମକୁ ଅନେକ ଶିକ୍ଷା ଦେଇଛି। ସେଥିରୁ ଚବିଶଟି ଶିକ୍ଷା।
ଉପସ୍ଥାପନା: ରବିବାର ବ୍ୟୁରୋ
ଆଉ ଦିନ ଦୁଇଟା ପରେ ଅତିକ୍ରାନ୍ତ ହେବ ବର୍ଷ ୨୦୨୪। ଆରମ୍ଭ ହେବ ନୂତନ ବର୍ଷ। ନୂତନ ଆଶା-ଆକାଂକ୍ଷା ଓ ନୂତନ ଉଚ୍ଛ୍ବାସରେ ୨୦୨୫କୁ ସ୍ବାଗତ କରିବା ଭିତରେ ଆମେ ଯେମିତି ବିଗତ ବର୍ଷରେ ଯେଉଁସବୁ ଭୁଲ୍ ତ୍ରୁଟି କରିଥିଲେ, ତାହାର ପୁନରାବୃତ୍ତି ନକରୁ। ପୁଣି ଯାହା ଶିକ୍ଷା ଲାଭ କରିଲେ, ତାହାର ଉପଯୋଗ କରୁ। ସମୟର ଏହି ସନ୍ଧିକ୍ଷଣରେ ଘଟଣାବହୁଳ ୨୦୨୪ ବର୍ଷରୁ ଆମକୁ ମିଳିଥିବା ଶିକ୍ଷାକୁ ଅବଶ୍ୟ ଆମେ ସ୍ମୃତିରେ ସଜାଗ କରି ଆଗକୁ ବଢ଼ିବା ଆବଶ୍ୟକ।
ଅତ୍ୟଧିକ ଅାତ୍ମବିଶ୍ବାସ
ଜୀବନର ସବୁ କ୍ଷେତ୍ରରେ ‘ଅତି’ ଆମକୁ ଅସୁବିଧାରେ ପକାଏ। ଆଉ ଏହି କଥା ୨୦୨୪ର ସବୁଠାରୁ ବଡ଼ ରାଜନୈତିକ ଘଟଣାବଳିରୁ ଆମେ ଶିକ୍ଷା କରିଛେ। ଦୀର୍ଘ ୨୪ ବର୍ଷ ପରେ ଓଡ଼ିଶାରେ ସରକାର ପରିବର୍ତ୍ତନ ଏହାହିଁ ପ୍ରମାଣିତ କରିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଲୋକପ୍ରିୟତା ଥିଲା, ସ୍ବଚ୍ଛ ଭାବମୂର୍ତ୍ତି ବି ଥିଲା। କିନ୍ତୁ ତାଙ୍କର ‘ଅତ୍ୟଧିକ ଆତ୍ମବିଶ୍ବାସ’ ଦୀର୍ଘ ରାଜନୈତିକ ଜୀବନରେ ତାଙ୍କୁ ପ୍ରଥମ ଅସଫଳତାର ସ୍ବାଦ ଚଖାଇଲା। କେବେ ନିର୍ବାଚନ ହାରି ନ ଥିବା ନବୀନ କଣ୍ଟାବାଞ୍ଜିରେ ଜଣେ ନବାଗତ ନେତାଙ୍କ ଠାରୁ ହାରିଗଲେ। ନବୀନ ଓ ତାଙ୍କ ଘନିଷ୍ଠତମ ସହଯୋଗୀ ଭି.କେ. ପାଣ୍ଡିଆନ୍ଙ୍କୁ ନେଇ ପ୍ରସ୍ତୁତ କରାଯାଇଥିବା ସେ ଭିଡିଓ ଏହି ‘ଅତ୍ୟଧିକ ଆତ୍ମବିଶ୍ବାସ’ର ପ୍ରମାଣ ଦିଏ। ବିଜେଡି ହାରିଗଲେ ସନ୍ନ୍ୟାସ ନେବା ସଂକ୍ରାନ୍ତରେ ପାଣ୍ଡିଆନ୍ଙ୍କ ଦମ୍ଭୋକ୍ତି ମଧ୍ୟ ଏହାର ଅନ୍ୟ ଏକ ନମୁନା। ନବୀନବାବୁ ଘରେ ବସିଲେ ବି ଲୋକ ଶଙ୍ଖ ଚିହ୍ନରେ ଭୋଟ ଦେବେ ବୋଲି ଯେଉଁ ବିଶ୍ବାସ ଥିଲା ତାହା ଭୁଲ୍ ପ୍ରମାଣିତ ହେଲା।
ବଡ଼ ଆଶାରୁ ନିରାଶା
ଜାତୀୟ ରାଜନୀତିରୁ ବି ୨୦୨୪ ଗୋଟିଏ ବଡ଼ ଶିକ୍ଷା ଦେଇଛି। ଭାରତୀୟ ଜନତା ପାର୍ଟି ଓ ଏହାର ସର୍ବମାନ୍ୟ ନେତା ନରେନ୍ଦ୍ର ମୋଦୀଙ୍କ ବହୁ ଆଡ଼ମ୍ବରକୁ ଭାରତୀୟ ଭୋଟର ସାଧାରଣ ନିର୍ବାଚନରେ ଲଘୁକ୍ରିୟାରେ ପରିଣତ କରିଦେଇଥିଲେ। ୨୦୧୯ରେ ସଂସଦରେ ୩୦୩ ଆସନ ଜିତିଥିବା ବିଜେପି ‘ଏଥର ୪୦୦ ପାର୍’ ନାରା ଦେଇ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲା। ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ଭଳି ମୌଳିକ ପ୍ରସଙ୍ଗକୁ ଅଣଦେଖା କରି ‘ମୋଦୀ କି ଗ୍ୟାରେଣ୍ଟି’ ଜରିଆରେ ସବୁ ବର୍ଗକୁ ଥଇଥାନ କରିବାକୁ ଉଦ୍ୟମ କରି ବିଜେପି ୨୪୦ ସିଟ୍କୁ ଖସି ଆସିଥିଲା। ମୋଦୀ ଲହର କି ରାମ ମନ୍ଦିର ହାୱାକୁ ନେଇ ଯେଉଁ ହାଇପ୍ ହୋଇଥିଲା, ତାହା କାମ ଦେଇନଥିଲା। ଲୋକଙ୍କୁ ଯେତେ ବଡ଼ ସ୍ବପ୍ନ ଦେଖେଇଲେ ବି ଲୋକଙ୍କ ପେଟ ଯଦି ପୂରୁନି କି ପୂରିବାରେ ଅସୁବିଧା ହେଉଛି, ତେବେ ନିର୍ବାଚନ ହାରିଯିବା ଥୟ।
ଆପଣା କଲା କର୍ମମାନ
୨୦୨୪ରେ ପ୍ରକୃତି ଓ ପରିବେଶ ଆମକୁ ଦେଇଛନ୍ତି ପ୍ରଚଣ୍ଡ ଉତ୍ତାପ, ଅନାବୃଷ୍ଟି-ଅଳ୍ପବୃଷ୍ଟି ଓ ପ୍ରାକୃତିକ ବିପର୍ଯ୍ୟୟ। ଆମର ଅତ୍ୟାଧୁନିକ ଜୀବନଶୈଳୀ ଯୋଗୁଁ ବ୍ୟାପକ ଅଙ୍ଗାରକ ଉତ୍ସର୍ଜନ, ଜଳ-ବାୟୁ ପ୍ରଦୂଷଣ ଆମକୁ ପାରିବେଶିକ ସଂକଟ ଭିତରକୁ ଠେଲି ଦେଇଛି। ବିଶ୍ବ ପାଣିପାଗ ସମ୍ମିଳନୀର ଚର୍ଚ୍ଚା ଅନୁସାରେ ୨୦୨୪ ଏ ଯାବତ୍ ସବୁଠୁ ଉତ୍ତପ୍ତ ବର୍ଷ। ଜଙ୍ଗଲ ନିଅଁାର ବ୍ୟାପକତା ୨୦୨୪ରେ ସର୍ବାଧିକ ସ୍ତରରେ ପହଞ୍ଚିଛି। ବିଶ୍ବତାପନ ହେତୁ ପୃଥିବୀର ସାମଗ୍ରିକ ତାପମାତ୍ରାରେ ୧.୫ ଡିଗ୍ରି ସେଲ୍ସିଅସ୍ ବୃଦ୍ଧି ପାଇଛି। ଆଉ ଏପରି କିଛି ପ୍ରକୃତିକୁ ଦେବା ନାହିଁ, ଯାହା ଆମକୁ ଆହୁରି ସଂକଟଜନକ ସ୍ଥିତିକୁ ଠେଲିଦେବ।
ଚରିତ୍ର ନ ଥିଲେ ସବୁ ଅସାର
ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନ ଥିଲେ ସବୁ ଅସାର। ୨୦୨୧ରେ ପ୍ରଜ୍ଜ୍ବଳ ରେେଭନ୍ନା ଥିଲେ ଲୋକସଭାର ତୃତୀୟ କନିଷ୍ଠ ସଦସ୍ୟ। ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍.ଡି. ଦେବେଗୌଡ଼ାଙ୍କ ନାତି ପ୍ରଜ୍ଜ୍ବଳ ୨୦୨୪ ନିର୍ବାଚନ ଲଢୁଥିବା ବେଳେ ତାଙ୍କ ବିରୋଧରେ ଆସିଲା େଯୗନ କେଳେଙ୍କାରୀ ଅଭିଯୋଗ। ବହୁ ମହିଳାଙ୍କୁ ଦୁଷ୍କର୍ମ ଓ ଯୌନ ଶୋଷଣ କରିବାର ଭିଡିଓ କ୍ଲିପ୍ ବି ଭାଇରାଲ୍ ହୋଇଗଲା। ଜର୍ମାନୀ ଲୁଚି ପଳାଇଲେ ରେଭେନ୍ନା। ଶେଷରେ ଇଣ୍ଟର୍ପୋଲ୍ର ବ୍ଲ୍ୟୁ କର୍ଣ୍ଣର୍ ନୋଟିସ୍ ପରେ ଗିରଫ ହେଲେ। ୨୦୧୯ରେ ଯେଉଁ ହାସନ୍ ନିର୍ବାଚନମଣ୍ଡଳୀର ଲୋକେ ତାଙ୍କୁ ଜିତାଇ ଥିଲେ, ସେଇମାନେ ହିଁ ଦୁଶ୍ଚରିତ୍ର ପ୍ରଜ୍ଜ୍ବଳଙ୍କୁ ହରାଇଦେଲେ।
ତଥାପି ହଟିନାହିଁ ଅନ୍ଧାର
ଅଗଷ୍ଟ ୯, କ୍ରାନ୍ତି ଦିବସରେ କୋଲକାତାର ଆର୍ ଜି କର ମେଡିକାଲ୍ କଲେଜ ହସ୍ପିଟାଲ୍ରେ ଜଣେ ଯୁବ ଡାକ୍ତରାଣୀଙ୍କୁ ଡାକ୍ତରଖାନା ଭିତରେ ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗି ଦିଆଯାଇଥିଲା। ୨୦୨୪ ଅଗଷ୍ଟ ୮ ରାତିର ଏହି ଘଟଣା ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଥିଲା। ଦିଲ୍ଲୀର ‘ନିର୍ଭୟା କାଣ୍ଡ’ ଦେଶବାସୀଙ୍କର ମନେ ପଡ଼ିଯାଇଥିଲା। ସ୍ବାଧୀନତାର ୭୫ ବର୍ଷ ପରେ ବି ନିଜ କର୍ମ ପରିସରରେ ସୁରକ୍ଷିତ ନୁହନ୍ତି ଭାରତୀୟ ନାରୀ। ଦୁଷ୍କର୍ମକାରୀଙ୍କୁ କଠୋର ଦଣ୍ଡବିଧାନ ହେଉଛି, ଆଇନ କଡ଼ା କରାଯାଇଛି, ତଥାପି ନାରୀ ଉପରେ ଯୌନ ନିର୍ଯାତନା ଥମୁନାହିଁ। ଆଇନର ଭୟ ଏଭଳି ଅପରାଧକୁ ବନ୍ଦ କରିପାରିବ ନାହିଁ, ଏଥିପାଇଁ ଲୋଡ଼ା ସାମାଜିକ ସକ୍ରିୟତା ଓ ସଚେତନତା।
ଭବିଷ୍ୟତ ସହ ଚାଲିଛି ଖେଳ
ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଚାଲିଥିବା ଖେଳର ପୂର୍ଣ୍ଣଚ୍ଛେଦ ପଡ଼ିପାରୁନି। ମାଟ୍ରିକ୍ କି ପ୍ଲସ୍-ଟୁ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ହେଉଥିଲା। କିନ୍ତୁ ୨୦୨୪ରେ ଡାକ୍ତରୀ ପାଠ ପଢ଼ିବା ଲାଗି ଅନୁଷ୍ଠିତ ନିଟ୍ ପ୍ରବେଶିକା ପରୀକ୍ଷାରେ ପ୍ରଶ୍ନପତ୍ର ବିକ୍ରି ହେଇଗଲା। ଏହି ପରୀକ୍ଷା ଅତ୍ୟନ୍ତ ସ୍ବଚ୍ଛତା ଓ ପାରଦର୍ଶିତାର ସହ ଅନୁଷ୍ଠିତ ହେବ ବୋଲି ଛାତ୍ର ସମାଜର ଯେଉଁ ବିଶ୍ବାସ ଥିଲା, ତାହାକୁ କତିପୟ ଲାଭଖୋର୍ ବ୍ୟବସାୟୀ-ଅଧିକାରୀଙ୍କ ଅସାଧୁମେଣ୍ଟ ଭାଙ୍ଗିଦେଲା। ବର୍ଷ ବର୍ଷ ଧରି ଅକ୍ଳାନ୍ତ ପ୍ରସ୍ତୁତି ଚଳାଇଥିବା ମେଧାବୀ ଛାତ୍ରଟିଏ ଫେଲ୍ ହୋଇଯାଇଥିବା ବେଳେ ଲକ୍ଷ ଲକ୍ଷ ଟଙ୍କାରେ ପ୍ରଶ୍ନପତ୍ର କିଣିଥିବା ଅସାଧୁ ପରୀକ୍ଷାର୍ଥୀ ପାସ୍ କରୁଛି। ଏଥିପାଇଁ ଦାୟୀ କିଏ? ଏହି ଘଟଣା ଜନମାନସକୁ ଶିଖାଇଲା ଯେ, କୌଣସି ବି ସରକାରୀ ପରୀକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ସ୍ବଚ୍ଛ ନୁହେଁ, ସବୁଠି ଦୁର୍ନୀତିର ମଞ୍ଜି ପୋତା ଯାଇଛି।
ଭୁଲିଗଲେ ହେବନି
କରୋନା କାଳରେ ଚାଲିଥିବା ମାସ୍କ ପିନ୍ଧା, ସାମାଜିକ ଦୂରତ୍ବ ଓ ହାତଧୁଆ ଭଳି ବ୍ୟକ୍ତିଗତ ସ୍ବଚ୍ଛତାକୁ ଭୁଲିଯିବା ଆଦୌ ବୁଦ୍ଧିମାନର କାର୍ଯ୍ୟ ହେବନାହିଁ। କରୋନା ନାହିଁ, କିନ୍ତୁ ସେଭଳି ଅନ୍ୟ ଭୂତାଣୁ ଦ୍ବାରା ଆମେ ୨୦୨୪ରେ ପ୍ରଭାବିତ ହୋଇଛେ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଜୁନ୍ ମାସରେ ପଶ୍ଚିମବଙ୍ଗରେ ଏଚ୍୧ଏନ୍୨ ଭୂତାଣୁର ଉପପ୍ରଜାତି ସକ୍ରିୟ ଥିବା ପ୍ରକାଶ କରିଥିଲା। ଏହି ଭୂତାଣୁ ଯୋଗୁଁ ଇନ୍ଫ୍ଲୁଏଞ୍ଜା ଦୀର୍ଘସ୍ଥାୟୀ ହେଉଥିଲା। ଏବେ ବି ବ୍ୟକ୍ତିଗତ ସ୍ବଚ୍ଛତା ସହ ସାମାଜିକ ଦାୟିତ୍ବ ବଜାୟ ରଖିବା ଦରକାର।
ଶେଷ ଯାଏ ଲଢ଼େଇ
ଜୁନ୍ ୨୯ରେ ୱେଷ୍ଟଇଣ୍ଡିଜ୍ର ବରକାଡୋସ୍ରେ ଟି-୨୦ ବିଶ୍ବକପ୍ ଫାଇନାଲରେ ଭାରତ ଭେଟିଥିଲା ଦକ୍ଷିଣ ଆଫ୍ରିକାକୁ। ଟସ୍ ଜିତି ବ୍ୟାଟିଂ କରି ଅାଫ୍ରିକାକୁ ୧୭୭ ରନ୍ର ଲକ୍ଷ୍ୟ ଦେଲା ଭାରତ। ଏ ଲକ୍ଷ୍ୟ ଆଫ୍ରିକୀୟଙ୍କ ଲାଗି କଠିନ ନ ଥିଲା। ସେମାନେ ଭଲ ପ୍ରଦର୍ଶନ କଲେ। ଶେଷ ଆଡ଼କୁ ଦକ୍ଷିଣ ଆଫ୍ରିକା ଜିତିବାକୁ ୩୦ ବଲ୍ରେ ୩୦ ରନ୍ ଆବଶ୍ୟକ କରୁଥିଲା, ହାତରେ ଥିଲା ୬ ୱିକେଟ୍। ଭାରତ ହାତରୁ ମ୍ୟାଚ୍ ଖସିଗଲା ଭଳି ସ୍ଥିତି ଆସି ଯାଇଥିଲା। କିନ୍ତୁ ରୋହିତଙ୍କ ଟିମ୍ ଧୈର୍ଯ୍ୟ ନ ହରାଇ ସୁଚିନ୍ତିତ ରଣନୀତି ଆପଣେଇ ପରିସ୍ଥିତିର ମୁକାବିଲା କଲେ। ଋଷଭ ପନ୍ତଙ୍କ ଗେମ୍ ସ୍ଲୋ କୌଶଳ, ବୁମ୍ରା ଓ ପାଣ୍ଡ୍ୟାଙ୍କ ମପାଚୁପା ବୋଲିଂ, ସୂର୍ଯ୍ୟକୁମାରଙ୍କ ଦର୍ଶନୀୟ କ୍ୟାଚ୍ ଭାରତକୁ ୧୭ ବର୍ଷ ପରେ ଟି-୨୦ ବିଶ୍ବକପ୍ ବିଜୟୀ କରାଇଥିଲା। ପ୍ରତିକୂଳ ପରିସ୍ଥିତିରେ ଧୈର୍ଯ୍ୟର ସହ ସକାରାତ୍ମକତା ନେଇ ଖେଳିଲେ ବିଜୟ ସୁନିଶ୍ଚିତ।
ସଂପର୍କରେ ସଇତାନୀ
ବେଙ୍ଗାଲୁରୁ ସହରରେ ଡିସେମ୍ବର ୯ ତାରିଖ ରାତିରେ ଘଟିଥିବା ଘଟଣା ସାରା ଦେଶକୁ ମର୍ମାହତ କରିଥିଲା। ୩୪ ବର୍ଷୀୟ ଇଞ୍ଜିନିୟର୍ ଅତୁଲ ସୁଭାଷ ୨୪ ପୃଷ୍ଠାର ସୁଇସାଇଡ୍ ନୋଟ୍ ଏବଂ ୮୧ ମିନିଟ୍ର ଭିଡିଓ କରି ଆତ୍ମହତ୍ୟାର ରାସ୍ତାକୁ ବାଛି ନେଇଥିଲେ। ସ୍ତ୍ରୀ ନିକିତା କରିଥିବା ମିଛ ଯୌତୁକ ନିର୍ଯାତନା ମାମଲାରେ ସେ ଆଇନ ଅଦାଲତର ଜାଲରେ ଏମିତି ଛନ୍ଦି ହୋଇପଡ଼ିଥିଲେ ଯେ ବଞ୍ଚିବାର ରାହା ପାଇ ନ ଥିଲେ। ଭିଡିଓରେ ସୁଭାଷ ପ୍ରକାଶ କରିଥିଲେ କି ମାମଲା ଉଠାଇବାକୁ ସ୍ତ୍ରୀଙ୍କ ପରିବାର ୩ କୋଟି ଟଙ୍କା ଓ ମାସିକ ୨ ଲକ୍ଷ ଟଙ୍କା ଭରଣପୋଷଣ ଦାବି କରୁଥିଲେ। ସୁଭାଷ ଜୀବନ ହାରିବା ପରେ ଦେଶରେ ପୁଣିଥରେ ପୁରୁଷ ଅଧିକାରର ସୁରକ୍ଷା ନେଇ ଆନ୍ଦୋଳନ ମୁଣ୍ଡ ଟେକିଛି। ଏହି ଘଟଣା ‘ଆଇନଗତ ଆତଙ୍କବାଦ’ ବା ‘ଲିଗାଲ୍ ଟେରରିଜିମ୍’ ପ୍ରସଙ୍ଗକୁ ଆଲୋଚନାକୁ ଆଣିଛି।
ଧର୍ମ ବିଶ୍ବାସରେ ବିଷ
ତିରୁପତିସ୍ଥିତ ଶ୍ରୀଭେଙ୍କଟେଶ୍ବର ମନ୍ଦିରରେ ଭୋଗ ହେଉଥିବା ଲଡୁରେ ବ୍ୟବହୃତ ଘିଅରେ ପଶୁଚର୍ବି ଓ ମାଛ ତେଲ ମିଶୁଛି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ନ୍ୟାସ୍ନାଲ୍ ଡାଇରି ଡେଭଲପ୍ମେଣ୍ଟ ବୋର୍ଡର ରିପୋର୍ଟକୁ ଆଧାର କରି ଏହି ଅଭିଯୋଗ ଆଣିଥିଲେ। ଯଦିଓ ଏହି ଅଭିଯୋଗକୁ ୱାଇଏସ୍ଆର୍ କଂଗ୍ରେସ ପକ୍ଷରୁ ପ୍ରତ୍ୟାଖ୍ୟାନ କରାଯାଇଥିଲା, କିନ୍ତୁ ମାମଲା ସୁପ୍ରିମ୍ କୋର୍ଟକୁ ଯାଇଥିଲା। ସାରା ଦେଶର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପ୍ରିୟ ପ୍ରସାଦମ୍ ‘ତିରୁପତି ଳଡୁ’କୁ ନେଇ ଏପରି ଅଭିଯୋଗ ଆସିବା ସମସ୍ତଙ୍କୁ ବିସ୍ମିତ କରିଥିଲା। ଏହା ପଛରେ ରାଜନୈତିକ ଅଭିସନ୍ଧି ଥିବା ବି ଚର୍ଚ୍ଚା ହେଉଛି। ଆମ ଧର୍ମପୀଠଗୁଡ଼ିକର ପରିଚାଳନା ସ୍ବଚ୍ଛ ହେବା ଆବଶ୍ୟକ, ଯାହା ଏ ଯାବତ୍ ହୋଇପାରିନାହିଁ।
ଲୋକେ ବୁଝିଲେ ହେଲା
ଗୋଟିଏ ରାଜ୍ୟର ମୁଖ୍ୟମନ୍ତ୍ରୀ ଗିରଫ ହେବା ଛୋଟିଆ କଥା ନୁହେଁ। ୨୦୨୪ରେ ଏମିତି ଦୁଇଟି ଉଦାହରଣ ଦେଶବାସୀ ଦେଖିବାକୁ ପାଇଛନ୍ତି। ଜାନୁଆରି ୩୧ରେ ବେଆଇନ ଅର୍ଥ କାରବାର ଓ ଜମି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କୁ ଗିରଫ କରି ଜେଲ୍ରେ ପୁରାଇଥିଲା। ସେହିପରି ମାର୍ଚ୍ଚ ୧୯ ତାରିଖରେ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ଙ୍କୁ ବି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରି ଜେଲ୍ ପଠାଇଥିଲା। ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ହେମନ୍ତ ସୋରେନ୍ଙ୍କ ନେତୃତ୍ବକୁ ଲୋକେ ସମର୍ଥନ ଦେଇଛନ୍ତି। ଦିଲ୍ଲୀରେ ଆଗକୁ ନିର୍ବାଚନ, କ’ଣ ହେଉଛି ଦେଖାଯାଉ। କେନ୍ଦ୍ର ସରକାରଙ୍କ ଏଜେନ୍ସିର କାର୍ଯ୍ୟାନୁଷ୍ଠାନକୁ ବୋଧହୁଏ ଭୋଟର ରାଜନୈତିକ ଆକ୍ରୋଶ ଭାବୁଛନ୍ତି।
ପୁଣି ଅସହଯୋଗ ଆନ୍ଦୋଳନ
ପୁଣି ଏକ ଅସହଯୋଗ ଆନ୍ଦୋଳନ ଗୋଟିଏ ସରକାରର ପତନ ଘଟାଇଛି। ବାଂଲାଦେଶରେ ଛାତ୍ର-ଜନତାଙ୍କ ଅସହଯୋଗ ଆନ୍ଦୋଳନ ଯୋଗୁଁ ଶେଖ୍ ହସିନା ସରକାର ଭାଙ୍ଗିବା ସହ ଶାସନ କ୍ଷମତା ଏକ ମଧ୍ୟବର୍ତ୍ତୀକାଳୀନ ସରକାର ହାତକୁ ଚାଲିଯାଇଛି। ଏହି ଆନ୍ଦୋଳନର ମଞ୍ଜି ହେଉଛି ସରକାରୀ ଚାକିରିରେ ସ୍ବାଧୀନତା ସଂଗ୍ରାମୀ ପରିବାରର ଦାୟଦଙ୍କୁ ୩୦ ପ୍ରତିଶତ ସଂରକ୍ଷଣ। ୨୦୨୪ ଜୁନ୍ରେ ବାଂଲାଦେଶ ସୁପ୍ରିମ୍ କୋର୍ଟ ଏହା ସପକ୍ଷରେ ରାୟ ଦେବା ପରେ ଆରମ୍ଭ ହୋଇଥିଲା ଛାତ୍ର ଅଶାନ୍ତି। ଏହା ଶେଷରେ ବିରାଟ ଜନଆନ୍ଦୋଳନର ରୂପ ନେଇ ଦେଶକୁ ରାଜନୈତିକ ଅସ୍ଥିରତା ଭିତରକୁ ଠେଲି ଦେଇଛି। ଯୋଗ୍ୟ ପ୍ରାର୍ଥୀଙ୍କ ଲାଗି ସରକାରୀ ଚାକିରିର ସୁଯୋଗ ସଂକୁଚିତ ହେବା ଏହି ଅସନ୍ତୋଷର ମୂଳ କାରଣ। ଏହା ସଂରକ୍ଷଣ ବ୍ୟବସ୍ଥା ଥିବା ସବୁ ରାଷ୍ଟ୍ର ଲାଗି ସତର୍କ ଘଣ୍ଟି।
ଦେଖିଚାହିଁ କାମ କଲେ
ବିଦାୟୀ ବର୍ଷରେ ଅସଂଖ୍ୟ ଅଘଟଣ ଘଟିଛି। ଅସାବଧାନତା ହେତୁ ଆମେ ଆର୍ଥିକ, ଶାରୀରିକ ଓ ମାନସିକ କ୍ଷତି ସହିଛେ। ସାଇବର୍ ଲୁଟେରା ଆମର ଅଜ୍ଞାନତା ଓ ଅସାବଧାନତା ହେତୁ ଆମକୁ ସର୍ବସ୍ବାନ୍ତ କରିଛନ୍ତି, ପୁଣି ନିଜର ଓ ଅପରର ଅସାବଧାନତା ହେତୁ ବଡ଼ ବଡ଼ ଦୁର୍ଘଟଣା ଘଟି ହଜାର ହଜାର ଜୀବନ ଯାଇଛି ଏବଂ ଅନେକଙ୍କର ଅଙ୍ଗହାନୀ ଘଟିଛି। ପୁଣି ସଂପର୍କର ମୋହରେ ପଡ଼ି ଲକ୍ଷ ଲକ୍ଷ ମଣିଷ ପ୍ରତାରଣାର ଶିକାର ହୋଇ ମାନସିକ ସ୍ତରରେ କ୍ଷତିଗ୍ରସ୍ତ ହୋଇଛନ୍ତି। ଏହି ଧାରା ସମାଜରେ ଜାରି ରହିବ। କିନ୍ତୁ ଆମେ ଏଥିରୁ ଶିକ୍ଷା ନେଇ ଜୀବନର ସବୁ କ୍ଷେତ୍ରରେ ସଚେତନ ଓ ସାବଧାନ ହେଲେ ଅନେକାଂଶରେ ଭଲରେ ରହିପାରିବା। ଦେଖିଚାହିଁ କାମ କଲେ, ବିପଦ ନ ପଡ଼ଇ ଭଲେ।
ଜଗନ୍ନାଥ ଭରସା
୨୪ ବର୍ଷ ଧରି ଓଡ଼ିଶାରେ ନିରଙ୍କୁଶ ଶାସନ କରିଆସୁଥିବା ବିଜେଡି ଗତ ନିର୍ବାଚନରେ ଜିତିବା ସମ୍ଭାବନା ଥାଇ ବି ହାରିଯାଇଛି। ହେଲେ ବିଜେଡି ସରକାରର ବହୁଚର୍ଚ୍ଚିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ଅର୍ପଣ ରଥ ଜରିଆରେ ପରୋକ୍ଷ ପ୍ରଚାର ଓଡ଼ିଶାବାସୀଙ୍କୁ ପ୍ରଭାବିତ କରିପାରିଲା ନାହିଁ। କିନ୍ତୁ ଅନ୍ୟପକ୍ଷରେ ବିଜେପିର ନେତୃବୃନ୍ଦ ରତ୍ନଭଣ୍ଡାର ଓ ଶ୍ରୀମନ୍ଦିରର ଚାରିଦ୍ବାର ଖୋଲିବା ପ୍ରସଙ୍ଗକୁ ଲୋକଙ୍କ ପାଖକୁ ଆଣି ଭୋଟରଙ୍କୁ ପ୍ରଭାବିତ କଲେ। ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ ‘ଜୟ ଜଗନ୍ନାଥ’ ଧ୍ବନିରୁ ଭାଷଣ ଆରମ୍ଭ ବି ସଭାରେ ଉପସ୍ଥିତ ଓଡ଼ିଆଙ୍କୁ ଆମୋଦିତ କରିଥିଲା। ବିଜେଡି ହେଉକି ବିଜେପି, ଉଭୟ ଜଗନ୍ନାଥଙ୍କୁ ପ୍ରଚାର ମଇଦାନରେ ରଖିଥିଲେ।
ମାଗିଆଣିଥିବା ତିଅଣ
୨୦୨୪ରେ ଓଡ଼ିଶାରେ ଯୋଗାଣରେ ଅଭାବ ହେତୁ ‘ଆଳୁ’ର ଦାମ୍ ଆକାଶ ଛୁଇଁଥିଲା। ଆଳୁ ଚାଷରେ ଦୁର୍ବଳ ହୋଇଥିବାରୁ ଓଡ଼ିଶା ପଶ୍ଚିମବଙ୍ଗ ଉପରେ ନିର୍ଭରଶୀଳ। ତେଣୁ ଆମ ଅବସ୍ଥା ‘ମାଗିଆଣିଥିବା ତିଅଣ ସୁଡୁକାଏ’ ଭଳି। ଠିକ୍ ସେମିତି ଭାରତ ଡାଲି, ତେଲ ପାଇଁ ବିଦେଶ ଉପରେ ନିର୍ଭରଶୀଳ। ପୁଣି ପେଟ୍ରୋଲିୟମ୍ ଆବଶ୍ୟକତାର ୮୦ ପ୍ରତିଶତ ବିଦେଶରୁ ଆମଦାନୀ ହେଉଛି। ଏଥିଯୋଗୁଁ ଦେଶରେ ପେଟ୍ରୋଲ୍, ଡିଜେଲ୍ ଦର ବି ତଳକୁ ଖସୁନାହିଁ। ତେଣେ ଦେଶରେ ମୁଦ୍ରାସ୍ଫୀତି ଉଚ୍ଚସ୍ତରରେ ରହିଛି। ଏଥିପାଇଁ ଅର୍ଥନୀତିକୁ ବହୁମୂଲ୍ୟ ଦେବାକୁ ପଡ଼ିଛି। ଓଡ଼ିଶାର ଆଳୁସଂକଟ ହେଉ ବା ଦେଶରେ ଖାଦ୍ୟଶସ୍ୟ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି, ୨୦୨୪ ଆମକୁ ଏସବୁ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବାକୁ ଶିକ୍ଷା ଦେଇଛି।
ପରିଶ୍ରମର ଫଳ ମିଠା
କୁହାଯାଏ, ପରିଶ୍ରମର ଫଳ ମିଠା। ଏକଥା କଂଗ୍ରେସ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ କ୍ଷେତ୍ରରେ ବେଶ୍ ପ୍ରାସଙ୍ଗିକ। ୨୦୨୪ ଜାନୁଆରିରେ ତାଙ୍କ ନେତୃତ୍ବରେ ମଣିପୁରରୁ ଆରମ୍ଭ ହୋଇଥିଲା ‘ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା’। ସେ ୬୬ ଦିନରେ ୬୭୧୩ କି.ମି. ଯାତ୍ରା କରି ଦେଶର ୧୦୯ ଜିଲ୍ଲାର ଲୋକଙ୍କୁ ଭେଟିବା ସହ ସେମାନଙ୍କ ଦୁଃଖସୁଖ ବୁଝିଥିଲେ। ଏହା ତାଙ୍କ ଲୋକପ୍ରିୟତା ବଢ଼ାଇଥିଲା। ୨୦୨୪ ସାଧାରଣ ନିର୍ବାଚନରେ ଦୁଇଟି ଲୋକସଭା ଆସନରୁ ରାହୁଲ ଗାନ୍ଧୀ ବିଶାଳ ବିଜୟ ହାସଲ କରିଥିଲେ। ୨୦୧୯ରେ ସଂସଦରେ ୫୨ଟି ଆସନ ଥିବା କଂଗ୍ରେସ ୨୦୨୪ରେ ୯୯ଟି ଆସନରେ ବିଜୟ ହାସଲ କରିଥିଲା।
ତିନି ତୁଣ୍ଡରେ ଛେଳି କୁକୁର
୨୦୨୪ ଫେବ୍ରୁଆରି ୨ ତାରିଖ ଅଭିନେତ୍ରୀ ପୁନମ୍ ପାଣ୍ଡେଙ୍କ ଆକସ୍ମିକ ମୃତ୍ୟୁ ଖବର ସାମ୍ନାକୁ ଆସିଥିଲା। ସର୍ଭାଇକାଲ୍ କ୍ୟାନ୍ସର୍ରେ ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଥିଲା। ହେଲେ ଏହା ପର ଦିନ ସେ ନିଜେ ଇନଷ୍ଟାରେ ଭିଡିଓ ସେୟାର କରି ପ୍ରକାଶ କରିଥିଲେ ଯେ ସେ ଜୀବିତ ଅଛନ୍ତି। କର୍କଟରେ ତାଙ୍କ ମୃତ୍ୟୁ ହୋଇନାହିଁ। ସେ କ୍ୟାନସର ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ମୃତ୍ୟୁର ମିଥ୍ୟା ଖବର ଦେଇଥିଲେ। କେବଳ ପୁନମ ପାଣ୍ଡେଙ୍କ କଥା ନୁହେଁ, ସାମାଜିକ ଗଣମାଧ୍ୟମରେ ଏମିତି ମିଥ୍ୟା ଖବର ଓ ଗୁଜବ ପ୍ରସାରିତ ହେଉଛି। ଏଣୁ ଶୁଣା କଥା ଓ ସାମାଜିକ ଗଣମାଧ୍ୟମକୁ ବିଶ୍ବାସ ନ କରି ନିର୍ଭରଯୋଗ୍ୟ ଉତ୍ସକୁ ଭରସା କରିବା ଉଚିତ।
ସ୍ବାସ୍ଥ୍ୟ ହିଁ ସମ୍ପଦ
୨୦୨୪ରେ ହୃଦ୍ରୋଗରେ ଭାରତୀୟଙ୍କର ମୃତ୍ୟୁସଂଖା ଚିନ୍ତାଜନକ ସ୍ଥିତିକୁ ଯାଇଛି। ଇନ୍ସୁରାନ୍ସ ଏଗ୍ରିଗେଟର୍ ‘ପଲିସି ବଜାର ଡଟ୍ କମ୍’ର ତଥ୍ୟ ଅନୁଯାୟୀ, ୨୦୨୯-୨୦ରେ ୯-୧୨% ଲୋକ ହୃଦ୍ରୋଗରେ ପୀଡ଼ିତ ହେଉଥିବା ବେଳେ ୨୦୨୩-୨୪ ମସିହାରେ ଏହା ୧୮-୨୦%କୁ ବୃଦ୍ଧିପାଇଛି। ଏଥିସହ ପ୍ରତିବର୍ଷ ଭାରତର ୫ରୁ ୬ ଲକ୍ଷ ଲୋକ ଆକସ୍ମିକ ହୃଦ୍ଘାତରେ ମୃତ୍ୟୁବରଣ କରୁଥିବା ବେଳେ ଅଧିକାଂଶଙ୍କ ବୟସ ୫୦ ବର୍ଷରୁ କମ୍। ଏ ବର୍ଷ ଅନେକ ଶିକ୍ଷା ଦେଇ ଯାଉଥିବା ବେଳେ ‘ସ୍ବାସ୍ଥ୍ୟ ହିଁ ସମ୍ପଦ’ ଏବଂ ଏହାର ଯତ୍ନ ଜରୁରି ବୋଲି ସୂଚାଇ ଦେଇଛି।
ଡିଜିଟାଲ୍ ଆରେଷ୍ଟକୁ ଡରନ୍ତୁ ନାହିଁ
ଏବେ ସାଇବର ଅପରାଧୀମାନେ ଲୋକମାନଙ୍କୁ ଭିଡିଓ କଲ୍ କରି ନିଜକୁ ସିବିଆଇ, ଇଡି ଭଳି ସଂସ୍ଥାର ଅଧିକାରୀ ଦର୍ଶାଇ ଗିରଫ ଧମକ ଦେଉଛନ୍ତି। ଭୟ ଦେଖାଇ ଗିରଫରୁ ସୁରକ୍ଷା ଦେବେ କହି ମୋଟା ଅଙ୍କର ଟଙ୍କା ଅନଲାଇନ୍ ଜରିଆରେ ଠକି ନେଉଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଡିଜିଟାଲ ଆରେଷ୍ଟ୍ ଜରିଆରେ ୨୦୨୪ର ପ୍ରଥମ ୪ ମାସରେ ୧୨୦ କୋଟି ଟଙ୍କା ଲୋକ ହରାଇଛନ୍ତି। ସାଇବର ଅପରାଧର ଏହି ନୂଆ ଦିଗକୁ କିଭଳି ଯଥାସମ୍ଭବ ରୋକାଯାଇ ପାରିବ ସେ ସଂପର୍କରେ ସରକାର ଲୋକଙ୍କୁ ସଚେତନ କରୁଛନ୍ତି। ଚଳିତବର୍ଷ ସାମ୍ନାକୁ ଆସିଥିବା ଏହି ଠକେଇ ଲୋକଙ୍କୁ ବଡ଼ ଶିକ୍ଷା ଦେଇଛି। ଡରି ନଯାଇ ତୁରନ୍ତ କଲ୍କୁ ବିଚ୍ଛିନ୍ନ କରି ୧୯୩୦କୁ କଲ୍ କରି ଜଣାଇବାକୁ ପରାମର୍ଶ ଦିଆଯାଉଛି।
ଜଳଠୁ ତରଳ କ୍ଷମତା
କୁହାଯାଏ, ଜଳରୁ ପତଳା ହେଉଛି ଜ୍ଞାନ। ଆଉ ଜ୍ଞାନୀମାନେ କ୍ଷମତାରେ ରହିଲେ ଅନ୍ଧ ହୋଇଯାଆନ୍ତି। ପୁଣି କ୍ଷମତା ଜ୍ଞାନଠାରୁ ବି ତରଳ ହୋଇଥିବାରୁ ଟିକିଏ ଏପଟ ସେପଟ ହେଲେ ହାତରୁ ଖସିଯାଏ। ଏଭଳି ଅବସ୍ଥା ହୋଇଛି ଆମର କିଛି ବଡ଼ବଡ଼ିଆ ଅଧିକାରୀମାନଙ୍କର। ଭି କେ ପାଣ୍ଡିଆନ୍ ଜଣେ ପ୍ରାଶାସନିକ ଅଧିକାରୀ ଭାବେ ବେଶ୍ ସୁନାମ ଅର୍ଜନ କଲେ। ମୁଖ୍ୟମନ୍ତ୍ରୀଙ୍କ ଖାସ୍ ଅଧିକାରୀ ହୋଇ କ୍ଷମତାଶାଳୀ ହେଲେ। ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଅଧିପତି ହେବା ପରେ ଆହୁରି କ୍ଷମତା ପାଇଁ ରାଜନୀତିରେ ପଶିଲେ। ବିଜେଡି ମୁଖିଆ ହୋଇ ନିର୍ବାଚନ ପ୍ରଚାର କଲେ। କିନ୍ତୁ ଦଳ ହାରିଲା ଏବଂ ନିଜ କଥା ମୁତାବକ ସେ ରାଜନୀତିରୁ ସନ୍ୟାସ ନେଲେ। ନା ସେ ଏବେ ରାଜନୀତିରେ ନା ବରିଷ୍ଠ ଅଧିକାରୀ! ତାଙ୍କର ଦୁଇ ସହଯୋଗୀ ତଥା ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଦୁଇ କ୍ଷମତାଶାଳୀ ଆଇପିଏସ୍ ଅଧିକାରୀ ଆଶିଷ ସିଂହ ଓ ଡିଏସ୍ କୁଟେଙ୍କ ଅବସ୍ଥା ବି ଊଣାଅଧିକେ ସେୟା । ଏକଦା ସରକାରୀ ଦଳକୁ ଓ ପୂରା ରାଜ୍ୟକୁ ଅାଙ୍ଗୁଠି ମୁନରେ ନଚାଉଥିବା ଏହି ଦୁଇ ଅଧିକାରୀ ଏବେ କେନ୍ଦ୍ରୀୟ ଡେପୁଟେସନ୍ରେ ଅଛନ୍ତି। କ୍ଷମତାର ଯେଉଁ ସ୍ବାଦ ସେମାନେ ଚାଖିଛନ୍ତି, ସେଠି ତ ତାହା ମିଳିବା ଆଦୌ ସମ୍ଭବ ନୁହେଁ।