ଅଲିଭ୍ ରିଡଲେଙ୍କ ସୁରକ୍ଷା ପାଇଁ ସମର୍ପିତ ତରୁଣ

ଭୁବନେଶ୍ବର : ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷାରେ ନିଜକୁ ନିୟୋଜିତ କରିଥିବା ପୁରୀ ଜିଲ୍ଲା ଅସ୍ତରଙ୍ଗର ସୌମ୍ୟରଞ୍ଜନ ବିଶ୍ବାଳ ଜାତିସଂଘର ୧୭ ଭାରତୀୟ ତରୁଣ ‘କ୍ଲାଇମେଟ୍ ଲିଡର’ ବା ଜଳବାୟୁ ନେତା ତାଲିକାରେ ସ୍ଥାନ ପାଇଛନ୍ତି ।

ଜାତିସଂଘ ଦ୍ବାରା ଗତ ସେପ୍ଟେମ୍ବର ୨୮ରେ ଆରମ୍ଭ କରାଯାଇଥିବା ପରିବେଶ ଅଭିଯାନ ‘ଉଇ ଦ ଚେଞ୍ଜ’ ବା ‘ଆମେ ସେହି ପରିବର୍ତ୍ତନ’ ଭାରତୀୟ ଯୁବ ପରିବେଶ ଯୋଦ୍ଧା ଓ ପରିବେଶ ସୁରକ୍ଷା ପାଇଁ ସେମାନଙ୍କ ଉଦ୍ୟମକୁ ସ୍ବୀକୃତି ପ୍ରଦାନ କରୁଛି । ଏହି ଅଭିଯାନର ଓ୍ବେବସାଇଟ୍ ମାଧ୍ୟମରେ ଏହି ତରୁଣମାନେ ନିଜ ଦ୍ବାରା କରାଯାଇଥିବା ଉଦ୍ୟମ ସମ୍ପର୍କରେ ଜଣାଇବା ସହ ସେଥିରେ ଯୋଡ଼ିହେବାକୁ ଅନ୍ୟମାନଙ୍କୁ ଅନୁପ୍ରାଣିତ କରିବେ ।

ଶୈଶବରୁ ହିଁ ସୌମ୍ୟ ପରିବେଶ ସୁରକ୍ଷା ପାଇଁ ଉଦ୍ୟମ କରିଚାଲିଛନ୍ତି । ସେ ଓ ତାଙ୍କ ବନ୍ଧୁମାନେ ଅଲିଭ ରିଡଲେଙ୍କ ପ୍ରଜନନ ଋତୁରେ ସେମାନଙ୍କ ଅଣ୍ଡାକୁ ସୁରକ୍ଷା ଦେଉଛନ୍ତି । ରାତିରେ ଉଜାଗର ରହି ସେମାନେ ଅଣ୍ଡାଗୁଡ଼ିକର ସୁରକ୍ଷା କରୁଛନ୍ତି । ସେମାନେ ମଧ୍ୟ ସମୁଦ୍ରକୂଳକୁ ପ୍ଲାଷ୍ଟିକ ମୁକ୍ତ କରିବାକୁ ଉଦ୍ୟମ କରୁଛନ୍ତି ।

ନିକଟ ଅତୀତରେ ସୌମ୍ୟ ଓ ତାଙ୍କ ସାଙ୍ଗ ଦିଲ୍ଲୀପ କୁମାର ବିଶ୍ବାଳ ଗୋଟିଏ ମାସ ଧରି ଅଲିଭ ରିଡଲେ ଅଣ୍ଡା ଦେଉଥିବା ଓଡ଼ିଶାର ବିଭିନ୍ନ ଉପକୂଳ ଯେପରିକି ଋଷିକୂଲ୍ୟା, ପୁରୀ, ଚିଲିକା, ଜଗତସିଂହପୁର, ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡ଼ା ଯାଇ କଇଁଛମାନଙ୍କ ସୁରକ୍ଷା ପାଇଁ ସଚେତନତା ସୃଷ୍ଟି କରିଥିଲେ ।

(ଏହି ଆଲେଖ୍ୟଟି ‘ସମ୍ବାଦ ଡିଜିଟାଲ୍’ର ପରିବେଶ ସଚେତନତା ଅଭିଯାନ ‘ପୁନଶ୍ଚ ପୃଥିବୀ-ୱାନ୍ ଆର୍ଥ, ୟୁନାଇଟ୍ ଫର୍ ଇଟ୍’ର ଅଂଶବିଶେଷ)

ସମ୍ବନ୍ଧିତ ଖବର