ଭୁବନେଶ୍ବର: ରୋଷେଇ ଏକ କଳା, ତାହା ସଭିଙ୍କ ଦ୍ବାରା ହୁଏ ନାହିଁ। ମାତ୍ର ଠିକ୍‌ ଉପାୟରେ ରାନ୍ଧିଲେ ସୁସ୍ବାଦୁ ଖାଦ୍ୟ ରାନ୍ଧିବା କୌଣସି ରକେଟ୍‌ ସାଇନ୍ସ ନୁହେଁ। ସଭିଙ୍କୁ ସବୁ ପ୍ରକାରର ରାନ୍ଧଣା ଆସିନଥାଏ। ଆପଣ ଯଦି ଭିନ୍ନ ଭିନ୍ନ ପ୍ରକ‌ାରର ଖାଦ୍ୟ ବା ଡିସ୍‌ ବନାଇବାର ଇଚ୍ଛା ରଖିଛନ୍ତି ତ ଆପଣଙ୍କୁ ତାହା ଶିଖିବାକୁ ପଡ଼ିବ। ରୋଷେଇ କଳା ଶିଖିବା ପାଇଁ ଆପଣଙ୍କୁ ବେଶି କଷ୍ଟ କରିବାକୁ ପଡ଼ିବନି, କାରଣ ଆମ ପାଖରେ ଅଛି ଏକ ସୁନ୍ଦର ରୋଷେଇ ଶିକ୍ଷା ପୁସ୍ତକ, ଯେଉଁଥିରେ ବର୍ଣ୍ଣିତ ହୋଇଛି ୨୫୯ ପ୍ରକାରର ଓଡ଼ିଆ ରାନ୍ଧଣାର କଳାକୌଶଳ।

Advertisment

ରିତୁ ପଟ୍ଟନାୟକଙ୍କ ଲିଖିତ ‘୨୫୯ ଇନ୍‌ହରିଟେଡ୍‌‌ ରେସିପିଜ୍‌ ଅଫ୍‌ ଓଡ଼ିଶା’ ଏବେ ଖାଦ୍ୟରସିକ ଓ ଖାଦ୍ୟପ୍ରସ୍ତୁତିକାରୀଙ୍କ ହାତକୁ ଆସିଛି । ଓଡ଼ିଶାର ୨୫୯ ପ୍ରକାରର ରେସିପି (ଖାଦ୍ୟ ଓ ତାହାର ପ୍ରସ୍ତୁତି ପ୍ରଣାଳୀ) ଏହି ପୁସ୍ତକରେ ସନ୍ନିବେଶିତ ହୋଇଛି। ସଂପ୍ରତି ଏହାକୁ ଉନ୍ମୋଚନ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌।

ଏହି ନିଆରା ବହିରେ ଓଡ଼ିଆ ଘରର ସ୍ବାଦିଷ୍ଟ ରାନ୍ଧଣାର ପ୍ରସ୍ତୁତି ପ୍ରଣାଳୀ ଖୁବ୍ ସାବଲୀଳ ଭାବେ ଉପସ୍ଥାପନ କରାଯାଇଛି। ଭାତ, ଖେଚଡ଼ିରୁ ନେଇ ଡାଲି, ଡାଲ୍‌ମା, ଖଟା, ଚଟଣି, ଭର୍ତ୍ତା, ଭଜା, କାଞ୍ଜି, ତରକାରୀ, ଜଳଖିଆ, ପିଠା, ମିଠା, ସନ୍ତୁଳା, ପଣା, ପଖାଳ ପର୍ଯ୍ୟନ୍ତ ଖାଦ୍ୟ ବିଷୟରେ ଉପସ୍ଥାପନା ରହିଛି। ସେହିପରି ମାଛ, ମାଂସ ଓ ଚିଙ୍ଗୁଡ଼ିରୁ ତିଆରି ସ୍ବାଦିଷ୍ଟ ତରକାରୀର ରୋଷେଇ ପ୍ରଣାଳୀ ବି ରହିଛି। ଇଂରାଜୀ ଭାଷାରେ ରଚିତ ଏହି ପୁସ୍ତକଟି ଓଡ଼ିଆ ଖାଦ୍ୟରେ ରୁଚି ରଖୁଥିବା ଅଣଓଡ଼ିଆ ଗୃହିଣୀ ତଥା ଖାଦ୍ୟ ରସିକଙ୍କୁ ଖୁବ୍ ଆକୃଷ୍ଟ କରିବ।

publive-image

ବହି ସଂପର୍କରେ ଲେଖିକା ନିଜର ଅନ୍ତରଙ୍ଗ ଅଭିବ୍ୟକ୍ତି ମୁଖବନ୍ଧରେ ଉପସ୍ଥାପନ କରିଛନ୍ତି । ଦିବଂଗତ ସ୍ବାମୀ ସଂବିତ ମହାନ୍ତିଙ୍କ ପ୍ରେରଣାରେ ହିଁ ସେ ଏହି ପୁସ୍ତକ ଲେଖିବା ଆରମ୍ଭ କରିଥିଲେ। କିନ୍ତୁ ବିଧିର ବିଧାନ ଥିଲା ଭିନ୍ନ। ପତିଙ୍କର ବିୟୋଗ କିଛି ଦିନ ଲାଗି କାମକୁ ଅଟକାଇ ଦେଇଥିଲା। ପରେ ସ୍ବାମୀଙ୍କ ଇଚ୍ଛାକୁ ସାକାର କରିବା ଲକ୍ଷ୍ୟରେ ରିତୁ ଏହି ପୁସ୍ତକକୁ ସଂପୂର୍ଣ୍ଣ କରିଛନ୍ତି। ଆଉ ପ୍ରାରମ୍ଭିକ ଅବସ୍ଥାରେ ଓଡ଼ିଆ ହାଣ୍ଡିଶାଳର ଭଳିକି ଭଳି ସୁଆଦିଆ ରାନ୍ଧଣା ଶିଖିବାର ଶ୍ରେୟ ସେ ତାଙ୍କ ବୋଉ ସରୋଜିନୀ ପଟ୍ଟନାୟକଙ୍କୁ ଦେଇଛନ୍ତି। ସେହିପରେ ବିବାହ ପରେ ଶାଶୂ ବିଜୟଲକ୍ଷ୍ମୀ ମହାନ୍ତିଙ୍କଠାରୁ ରୋଷେଇର କଳାକୌଶଳ ଶିଖିବା ତାଙ୍କ ପାରଦର୍ଶିତାକୁ ଆଗକୁ ନେଇଥିବା କଥା ଉଲ୍ଲେଖ କରିଛନ୍ତି। ଦୀର୍ଘ ୧୦ ବର୍ଷର ନିରବଚ୍ଛିନ୍ନ ପ୍ରଚେଷ୍ଟା ପରେ ଏହି ପୁସ୍ତକଟି ଆତ୍ମପ୍ରକାଶ କରିଛି ବୋଲି କହନ୍ତି ରିତୁ ପଟ୍ଟନାୟକ।

ରିତୁ ପଟ୍ଟନାୟକ ରୋଷେଇ କରି ଲୋକଙ୍କୁ ଖୁଆଇବାରେ ଖୁବ୍ ଆନନ୍ଦ ପାଆନ୍ତି। ଖାଦ୍ୟ ବନାଇବା ପ୍ରଣାଳୀକୁ ଏପରି ଭାବେ ଅନ୍ୟମାନଙ୍କ ସାମ୍ନାରେ ରଖିବା ତାଙ୍କ ପାଇଁ ସେତେଟା ସରଳ ନଥିଲେ ବି, ରୋଷେଇ ପ୍ରତି ତାଙ୍କର ଥିବା ସଉକ ଏହି କାମକୁ ସହଜ କରିଦେଇଛି। ସେ କହନ୍ତି, ଖାଦ୍ୟ ରେସିପି ପୁସ୍ତକ ରଚନା ପାଇଁ ସେ ନିଜ ମାଆ ଓ ସ୍ବାମୀଙ୍କଠାରୁ ପ୍ରେରଣା ପାଇଛନ୍ତି। ନୂଆ ନୂଆ ରାନ୍ଧଣା ଶିଖିବାକୁ ତାଙ୍କୁ ଖୁବ୍‌ ଭଲ ଲାଗେ। ପ୍ରାୟ ୧୦ ବର୍ଷ ହେବ ବିଭିନ୍ନ ପ୍ରକାରର ଖାଦ୍ୟ ତିଆରି କରିବା ଶିଖିଥିବା ବେଳେ ଜୀବନ ଯାକ ଏହି ଯାତ୍ରା ଜାରି ରହିବ।

ପିଲାଟି ଦିନରୁ ତାଙ୍କର ରାନ୍ଧଣା ପ୍ରତି ଆକର୍ଷଣ ରହିଛି। ଯେତେବେଳେ ସେ ସାନ ଥିଲେ, ରୋଷେଇ ଘରେ ଯାଇ ମାଆଙ୍କୁ ରାନ୍ଧିବା ବେଳେ ଦେଖୁଥିଲେ। ଆପଣାର ଲୋକମାନଙ୍କୁ ସ୍ବାଦିଷ୍ଟ ଖାଦ୍ୟ ପରଷିବାକୁ ଭଲ ପାଉଥିଲେ। ଶେଷରେ ସେ କହନ୍ତି, ‘କାହାକୁ ଖୁସି କରିବା ପାଇଁ ଭଲ ଖାଦ୍ୟ ପରଷିବାଠାରୁ ଅଧିକ ଭଲ ଉପାୟ କିଛି ହୋଇପାରେନା। କାରଣ ଖାଦ୍ୟ ହେଉଛି ଏପରି ଏକ ମାଧ୍ୟମ ଯାହା ବ୍ୟକ୍ତିକୁ ବ୍ୟକ୍ତି ସହ ସିଧା ଯୋଡ଼େ।’ ଲେଖିକା ଜଣେ ସମାଜସେବୀ ହୋଇଥିବା ସହ ସଂଗୀତପ୍ରେମୀ ଓ ଫଟୋଗ୍ରାଫର୍‌ ମଧ୍ୟ।