ନୂଆଦିଲ୍ଲୀ: ୨୬/୧୧ ମୁମ୍ବାଇ ଆକ୍ରମଣ ମାଷ୍ଟରମାଇଣ୍ଡ ମନରେ ଫାଶୀର ଭୟ ! କସାବ ପରି ତାକୁ ବି ଭାରତରେ ଦିଆଯିବ କି ଫାଶୀ ? ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରହବୁର ରାଣା ଅଜମଲ କସାବ ପରି ଫାଶୀ ପାଇବାକୁ ଭୟ କରୁଛି । ଆମେରିକୀୟ ଜେଲରେ ପ୍ରାୟ ୧୬ ବର୍ଷ ବିତାଇବା ପରେ, ରାଣା ଏବେ ଭାରତୀୟ ଆଇନ ଏବଂ ନ୍ୟାୟିକ ପ୍ରକ୍ରିୟା ବିଷୟରେ ସୂଚନା ସଂଗ୍ରହ କରୁଛି ।

Advertisment

ଏନଆଇଏର ହେପାଜତରେ ରହି, ସେ ଅଧିକାରୀମାନଙ୍କୁ ନିରନ୍ତର ପଚାରୁଛି ଯେ, ତା ବିରୁଦ୍ଧରେ କେଉଁ ଧାରା ଲାଗୁ କରାଯାଇଛି ଏବଂ ପରବର୍ତ୍ତୀ ଆଇନଗତ ପ୍ରକ୍ରିୟା କ’ଣ ହେବ । ସୂତ୍ର ଅନୁସାରେ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଦୁଇ ସରକାରୀ ଓକିଲ ରାଣାକୁ ଭେଟିଛନ୍ତି । ଯେଉଁଥିରେ ତାକୁ ସମସ୍ତ ଅଭିଯୋଗ ବିଷୟରେ ଅବଗତ କରାଯାଇଛି । ରାଣା ପ୍ରତି ଅଭିଯୋଗ ଏବଂ ଆଇନଗତ ଧାରା ବିଷୟରେ ବିସ୍ତୃତ ଭାବରେ ପଚାରି ବୁଝୁଛି । ସେ ଜାଣିବାକୁ ଚାହୁଁଛି ଯେ ବିଚାର କେବେ ଆରମ୍ଭ ହେବ ଏବଂ ଏହା କେତେ ଦିନ ଚାଲିବ।

ତେବେ ପ୍ରାଥମିକ ପଚରାଉଚରା ସମୟରେ ତଦନ୍ତକାରୀ ସଂସ୍ଥାଗୁଡ଼ିକ ତହବୁର ରାଣାଠାରୁ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ପାଇପାରି ନାହାଁନ୍ତି । ସମ୍ବାଦ ସରବରାହ ସଂସ୍ଥା ପିଟିଆଇ ଅନୁଯାୟୀ, ପଚରାଉଚରା ସମୟରେ ଅଧିକାରୀମାନେ ରାଣା ଠାରୁ ତାର ପରିବାର, ବନ୍ଧୁ ଏବଂ ସମ୍ପର୍କ ବିଷୟରେ ଜାଣିବାକୁ ଚାହିଁଥିଲେ ବି ସେ କୌଣସି ସୂଚନା ଦେଇନାହିଁ । ରାଣା ଜାଣିଶୁଣି ସହଯୋଗ କରୁନଥିବା ଏଜେନ୍ସି କହିଛି । 

୨୬ ନଭେମ୍ବର ୨୦୦୮ରେ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ, ୧୦ ଜଣ ଆତଙ୍କବାଦୀ ତାଜ ହୋଟେଲ, ଓବରୟ ଟ୍ରାଇଡେଣ୍ଟ, ଛତ୍ରପତି ଶିବାଜୀ ଟର୍ମିନସ୍ ଏବଂ ନରିମାନ ହାଉସ୍ ଭଳି ଅନେକ ସ୍ଥାନକୁ ଟାର୍ଗେଟ କରିଥିଲା । ଏହି ଆକ୍ରମଣ ସମଗ୍ର ଦେଶକୁ ଥରାଇ ଦେଇଥିଲା । ତହବୁର ରାଣା ଉପରେ ଲସ୍କର-ଏ-ତୈବା ସହିତ ସହଯୋଗରେ ଆକ୍ରମଣ ଯୋଜନା କରିବାରେ ସକ୍ରିୟ ଭୂମିକା ଗ୍ରହଣ କରିବାର ଅଭିଯୋଗ ଅଛି । ତେଣୁ ଏତେ ବଡ କାଣ୍ଡ ଭିଆଇଥିବା ତହବୁରକୁ ତ୍ରାହି ମିଳିବନି ସେ ଜାଣି ସାରିଛି ତେଣୁ ତାକୁ ଫାଶୀର ଭୟ ଘାରିଥିବା କୁହାଯାଉଛି ।

ଅନ୍ୟପଟେ ଏନଆଇଏ ଅଧିକାରୀଙ୍କୁ ଆତଙ୍କବାଦୀ ତହବୁର ମାଗିଛି ଗୋଟିଏ କଲମ, କିଛି କାଗଜ ଏବଂ କୁରାନ । ଆଉ ତାକୁ ଏସବୁ ଜିନିଷ ମଧ୍ୟ ଯୋଗାଇ ଦିଆଯାଇଛି ।