ନୂଆଦିଲ୍ଲୀଠାରେ ଆସନ୍ତା ୯ ତାରିଖରୁ ଆରମ୍ଭ ହେବାକୁ ଥିବା ଜି-୨୦ ସମ୍ମିଳନୀ ପାଇଁ ଏକ ୨୮ ଫୁଟ୍‌ ଉଚ୍ଚ ନଟରାଜ ମୂର୍ତ୍ତି ସ୍ଥାପନ କରାଯାଉଛି। ନୃତ୍ୟର ଦେବତା ଭଗବାନ ଶିବ ଏବଂ ତାଙ୍କ ସୃଷ୍ଟି ଓ ଧ୍ବଂସଲୀଳାର ମହାଜାଗତିକ ଶକ୍ତିକୁ ଦର୍ଶାଉଥିବା ନଟରାଜ ମୂର୍ତ୍ତିକୁ ଦିଲ୍ଲୀର ଜି-୨୦ ସମାବେଶ ସ୍ଥଳ ‘ଭାରତ ମଣ୍ଡପମ୍‌’ରେ ପ୍ରତିଷ୍ଠା କରାଯାଉଛି। ପ୍ରାୟ ୧୯ ଟନ୍‌ ଓଜନର ଏହି ପ୍ରତିମାଟି ସୁନା, ରୁପା, ସୀସା, ତମ୍ବା, ଟିଣ, ପାରଦ, ଲୁହା ଓ ଜିଙ୍କ ପରି ଅଷ୍ଟଧାତୁରେ ନିର୍ମିତ। ମୂର୍ତ୍ତିଟିର ମୂଳ ଉଚ୍ଚତା ୨୨ ଫୁଟ୍‌ ହୋଇଥିବା ବେଳେ ୬ ଫୁଟ ଉଚ୍ଚର ଏକ ଗାଦି ଉପରେ ଏହାକୁ ରଖାଯିବ।

Advertisment

publive-image Photo Courtesy: India Today

ତାମିଲନାଡୁର ଏକ ଛୋଟ ସହର ତାଞ୍ଜାଭୁରଠାରେ ସ୍ଥାନୀୟ ସ୍ଥାପତ୍ୟ ଶିଳ୍ପୀମାନେ ଏହାକୁ ପ୍ରସ୍ତୁତ କରିଛନ୍ତି। ମାଟି ଛାଞ୍ଚ ଉପରେ ମହମ ଘେରାଇ ପ୍ରାଚୀନ ପଦ୍ଧତିରେ ଏହାକୁ ଗଢ଼ାଯାଇଛି। ପ୍ରଥମେ କାରିଗରମାନେ କାବେରୀ ନଦୀ ଅବବାହିକାରୁ ଉପଯୁକ୍ତ ମାଟି ସଂଗ୍ରହ କରି ତହିଁରେ ଆବଶ୍ୟକ ଢାଞ୍ଚା ତିଆରି କରିଥିଲେ। ତାହା ଶୁଖିଗଲା ପରେ ସେଥିରେ ଅଷ୍ଟଧାତୁର ତରଳା କାଂସ୍ୟକୁ ଢାଳି ଏପରି ମୂର୍ତ୍ତି ଗଢ଼ାଯାଇଛି। ପ୍ରସିଦ୍ଧ ଭାସ୍କର୍ଯ୍ୟଶିଳ୍ପୀ ଦେବସେନାପତି ଶତପତିଙ୍କ ପୁଅମାନଙ୍କ ଦ୍ବାରା ଉକ୍ତ ନଟରାଜ ମୂର୍ତ୍ତିର ନିର୍ମାଣ କରାଯାଇଛି।