ଭୁବନେଶ୍ବର: ସମ୍ପର୍କ- ସଂସାରର ଏକ ଅବିଚ୍ଛେଦ୍ୟ ଅଙ୍ଗ, ମଣିଷ ଓ ସମାଜ ମଧ୍ଯରେ ଏକ ସୁନ୍ଦର ସେତୁ । ସମ୍ପର୍କ- କାହା ସହ ଗଢିହୁଏ, କେତେବେଳେ ଯୋଡ଼ିଯାଏ, କେଉଁ ଯାଏଁ ମାଡ଼ିଯାଏ କେହି ବି କହିପାରେନି । ସମ୍ପର୍କ-ଗଢିବା, ବଢିବା, ଛିଡିବା ସମୟର ଅଦୃଶ୍ୟ ଇଙ୍ଗିତରେ ହୁଏ… ମଣିଷର ଆଚରଣ-ଉଚ୍ଚାରଣ ଉପରେ ନିର୍ଭର କରେ । ସମ୍ପର୍କ ଏକ ବେତାଳ ପରି.. ଯାହା ସ୍ନେହ, ସମ୍ମାନ, ଭଲପାଇବା ଓ ପ୍ରେମର ପିଠିରେ ଲାଉ ହେଇ ବୁଲୁଥାଏ । ସମ୍ପର୍କର ସଂଜ୍ଞା କଣ ? ସମ୍ପର୍କ କାହାକୁ କୁହାଯାଏ ? ସମ୍ପର୍କର ଭାଷା-ପରିଭାଷା କଣ ? ବୋଲି ଯଦି ଆପଣଙ୍କୁ ପଚରାଯାଏ ହୁଏତ ଆପଣ ଏବେ ଭିନ୍ନ ଭିନ୍ନ ମତ ରଖିବେ ଅବା ଚୁପ ରହିବେ । କାରଣ କିଛି ସମ୍ପର୍କ ମଧୁରତାର ପିଠା ପୁଟୁଳିରେ ବନ୍ଧା ହୋଇ ମହମହ ବାସୁଥାଏ ତ ପୁଣି କିଛି ସମ୍ପର୍କ ଘୃଣାର ଘିଅରେ ବତୁରି ଜଳି ଜଳି ଯନ୍ତ୍ରଣା ଦେଉଥାଏ…
ଯେଉଁଠି କହିବା ଆଗରୁ ଭାବ ବୁଝାପଡିଯାଏ… ଯେଉଁଠି ଶବ୍ଦର କମ୍ ଲୋଡା ପଡେ, ମନ କଥା କହେ.. ଆଖି ବି ସମ୍ପର୍କର ଶବ୍ଦାକ୍ଷର ସାଜେ… ଯେଉଁଠି ପାଇବା କମ୍ ତ୍ୟାଗର ତୁରୀଭେରୀ ଅଧିକ ବାଜୁଥାଏ… ଯେଉଁଠି ସନ୍ଦେହ ଅଳପ ବିଶ୍ବାସ ବେଶି ଥାଏ… ଅସମ୍ମାନ କମ୍ ସମ୍ମାନ ଏଭରେଷ୍ଟ ଶିଖର ଛୁଏଁ… ବୋଧହୁଏ କେହି କେହି ତାକୁ ସମ୍ପର୍କ ବୋଲି କୁହେ । ହଁ ‘ସମ୍ପର୍କ’ ନିର୍ଭେଜାଲ ତେଲରେ ଛଣା ହେଉଥିବା ଗୋଟେ ଏମିତି ବରା… ଯାହାକୁ ଜୀବନର ବର୍ଷା-ବୈଶାଖ-ବସନ୍ତରେ ଖାଇହୁଏ । ସମ୍ପର୍କ- ଉତ୍ସାହ, ଉଦାଶ, ନିରାଶ, ହସ ଜୀବନ ଗଛର ଗୋଟେ ଗୋଟେ କଢ । ଲୋକଙ୍କ ସହ ସମ୍ପର୍କ ଯୋଡିବା କିଛି ଖରାପ ନୁହେଁ କିନ୍ତୁ କେବେକେବେ ଏମିତି ଲୋକଙ୍କ ସହ ସମ୍ପର୍କ ଯୋଡ଼ିଯାଏ ଯେ ତମାମ ଜୀବନ ଲୁହର ନଈରେ ବୁଡ଼ିବାକୁ ପଡେ । ଯିଏ ସମ୍ପର୍କର ମୂଲ ବୁଝେ ତା ସହ ସମ୍ପର୍କ ଗଢିବା ଉଚିତ । ମାନ ଅଭିମାନରେ ସମ୍ପର୍କ ଭାଙ୍ଗେନି ବରଂ ଆହୁରି ମଜବୁତ ହୁଏ । କିନ୍ତୁ ସମ୍ପର୍କରେ ଅହଙ୍କାର ଆସିଲେ ତାହା ଅଗ୍ନିର ଆଁରେ ପତଙ୍କ ପଡିବା ପରେ ପୋଡ଼ିଯାଏ…
ଆଜିକାଲି ସମ୍ପର୍କ ଏକ ମାମୁଲି କଥା ହେଲାଣି… ସମ୍ପର୍କ ଏଠି ନିଇତି ଗଢୁଛି ନିଇତି ଭାଙ୍ଗୁଛି । କିଛି କିଛି ତ ସ୍ବପ୍ନର ସୌଦାଗର ବଦଳରେ ସମ୍ପର୍କର ସୌଦାଗର ସାଜିଲେଣି । କିଛି କିଛି ମଣିଷଙ୍କୁ ଆପଣ ନିଜ ଜୀବନରେ ଭେଟିଥିବେ ଯେଉଁମାନେ ସମ୍ପର୍କର ସୁଆଦ ଚାଖିବାରେ ମାହିର ଥିଲେ । ସମ୍ପର୍କକୁ ନେଇ ଏଇନେ ଯଦି ତର୍କ କରାଯାଏ କି ଗପ, କବିତା, ଉପନ୍ୟାସ ଲେଖାଯାଏ ତେବେ ତାହା ସରିବନି । କାରଣ ସମ୍ପର୍କ ସଂଜ୍ଞାହୀନ, ସମ୍ପର୍କ ଅସରନ୍ତି, ସମ୍ପର୍କର ପରିଭାଷା ସୁଦୀର୍ଘ…
ସମ୍ପର୍କ ଗଢିବା ସହଜ ନୁହେଁ କିନ୍ତୁ ଭାଙ୍ଗିବା ଭାରି ସହଜ… ଏକଥା ଆଜିର ଦୁନିଆରେ ଏକ ନୂଆ ଟ୍ରେଣ୍ଡ ପାଲଟିଥିବା ବେଳେ ରଥ ନିର୍ମାଣ ଏବଂ ରଥ ଭଙ୍ଗାର ପ୍ରକ୍ରିୟା ସମ୍ପର୍କର ମୂଲ୍ୟବୋଧକୁ ବୁଝାଏ । ଆପଣ ଯଦି ଏବେ ପୁରୀ ବୁଲିବାକୁ ଯାଇଥିବେ ତେବେ ସିଂହଦ୍ବାର ସାମ୍ନାରେ ଦେଖିବାକୁ ପାଇବେ କି ଦଣ୍ଡାୟମାନ ୩ ରଥ ଭଙ୍ଗାଯାଉଛି । ଭୋଇ ସେବକମାନେ ଗୋଟେ ପରେ ଗୋଟେ ରଥର ଅଙ୍ଗମାନ ଅଲଗା କରି ସମ୍ପୂର୍ଣ୍ଣରୂପେ ରଥ ତ୍ରୟଙ୍କୁ ଭାଙ୍ଗିଦେବେ । ହେଲେ ଥରେ ଭାବିଲେ ଭାଙ୍ଗିବା ଯେତିକି ସହଜ, ଗଢିବା କଣ ସେତିକି ସହଜ କି ?
ଅକ୍ଷୟ ତୃତୀୟା ଠାରୁ ରଥ ନିର୍ମାଣ କାମର ଶୁଭାରମ୍ଭ ହୁଏ । ହଜାର ହଜାର ସେବକ, ବଢେଇ, ରଥର ଭିନ୍ନ ଭିନ୍ନ କାମରେ ଲାଗିଥାନ୍ତି । କିଏ ରଙ୍ଗକାମରେ, କିଏ ବସ୍ତ୍ରକାମରେ ପୁଣି କିଏ ଲୁହା କଣ୍ଟା ଆଦି ତିଆରିରେ ଲାଗିଥିବା ବେଳେ ଶ୍ରୀଜିଉଙ୍କ ରଥଯାତ୍ରା ପୂର୍ବରୁ ଏକ ବିରାଟ ପ୍ରକ୍ରିୟା ସମ୍ପାଦିତ ହୁଏ । ଅନେକ ପରିଶ୍ରମ ସେହି ବଡଦାଣ୍ଡରେ ଝାଳ ଆକାରରେ ମିଶିଯାଏ… ସେବକଙ୍କ ଭକ୍ତି ଶକ୍ତିରେ ରୂପାନ୍ତରିତ ହୋଇ ଶେଷରେ ରଥ ନିର୍ମାଣ ସରେ । ଶ୍ରୀଜିଉ ରଥାରୂଢ ହୋଇ ନବଦିନାତ୍ମକ ଯାତ୍ରା କରନ୍ତି, ବାହୁଡନ୍ତି, ସୁନାବେଶ, ଅଧରପଣା, ନୀଳାଦ୍ରିବିଜେ ଆଦି ନୀତି ସମ୍ପନ୍ନ ହେବା ପରେ ଚତୁର୍ଦ୍ଧାମୂର୍ତ୍ତି ନୀଳକନ୍ଦରକୁ ଫେରିଯାଆନ୍ତି… ହେଲେ ସେମାନେ ଯିବା ପରେ ଅଲୋଡା ପଡିଯାଏ ରଥ । ଯେଉଁ ରଥର ଗୁରୁତ୍ବ ସେହି ଦୁଇ, ଅଢେଇ ମାସ ଯାଏଁ ଥାଏ । ତାହା ଧିରେଧିରେ କମିଯାଏ ଆଉ ସେ ରଥକୁ କାଳକ୍ରମେ ଭାଙ୍ଗିବା କାର୍ଯ୍ଯ ଆରମ୍ଭ ହୁଏ । ପର୍ଯ୍ଯାୟ ପରେ ପର୍ଯ୍ଯାୟ କରି ଦେବୀ ସୁଭଦ୍ରା, ବଡ ଠାକୁର ବଳଭଦ୍ର ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ଭଙ୍ଗାଯାଏ… ଏବଂ ରଥର ପ୍ରତି ଅଙ୍ଗକୁ ରଥ ଗୋଦାମରେ ରଖାଯାଏ । କିଛି ନିଲାମ ହୁଏ କିଛି ଶ୍ରୀମନ୍ଦିର ରୋଷ ଘରେ ଜାଳେଣି ହୁଏ ।
ଏହି ଗଢିବା-ଭାଙ୍ଗିବାରେ ଲୁଚି ରହିଥାଏ ଜୀବନର ମନ୍ତ୍ର… ସମ୍ପର୍କର ଅବଧି, ପରିମାଣ ଓ ପରିଧି । ରଥ ଗଢିବା-ଭାଙ୍ଗିବା ବି ମାନବ ଜୀବନର ସମ୍ପର୍କର ନିର୍ମାଣ ଏବଂ ଭଗ୍ନ ପ୍ରକ୍ରିୟାକୁ ହିଁ ସୂଚାଏ । ମଣିଷ ତା ଜୀବନରେ ଅନେକ କଷ୍ଟ କରି ନାଁ କମେଇଥିବ.. ଅନେକ ପରିଶ୍ରମ କରି ପରିଚୟ ତିଆରି କରିଥିବ କିନ୍ତୁ ଗୋଟେ ଝଟକାରେ କେବେ କେବେ ସେ ସବୁ ହରାଇଦିଏ । ମାନ ସମ୍ମାନ ପରିଚୟ ସବୁ ମାଟିରେ ମିଶିଯାଏ । ଠିକ୍ ସେମିତି ପ୍ରେମ ହେଉ କି ଅନ୍ୟ ସମ୍ପର୍କ- ବର୍ଷ ବର୍ଷ ଲାଗିଯାଏ ଗଢିବାକୁ । ସୁନ୍ଦର ସମ୍ପର୍କଟିଏ ବି ତୋଳିବାକୁ ସମୟ ନିଏ- କେତେ ଅପେକ୍ଷା କରିବାକୁ ପଡେ, କେତେ ପରୀକ୍ଷା ଦେବାକୁ ପଡେ କିନ୍ତୁ ସେହି ସମ୍ପର୍କ ସାମାନ୍ୟ ଭୁଲ ବୁଝାବଣା ପାଇଁ ଭାଙ୍ଗିରୁଜି ଚୁରମାର ହୋଇଯାଏ । ସଂସାର ବି ଠିକ୍ ସେମିତି ଗଢିବାକୁ, ବୁଝିବାକୁ ସମୟ ଲାଗେ ହେଲେ ଭାଙ୍ଗିବାକୁ ଖୁବ୍ କମ୍ ସମୟ ଲାଗେ…