କରୋନା ଭାଇରସ୍‌: ବଢୁଛି ଆଶା, ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ୩ ଔଷଧ କମ୍ପାନି, ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣରେ ଏହି ସବୁ ଟିକା

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌ ଗତ ୭ ମାସ ମଧ୍ୟରେ ସାରା ବିଶ୍ବରେ ୧୯ ମିଲିୟନ୍‌ ଲୋକଙ୍କୁ ଆକ୍ରାନ୍ତ କରିଥିବା ବେଳେ ପ୍ରାୟ ୭ ଲକ୍ଷରୁ ଊର୍ଧ୍ବ ଲୋକ ଜୀବନ ନେଇ ସାରିଲାଣି। ଏହି ମହାମାରୀକୁ ନେଇ ‌ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଥିବା ବେଳେ ଗବେଷକମାନେ ପ୍ରତିଷେଧକକୁ ନେଇ ସଫଳତାର ନିକଟତର ହେବା ଏକ ଆଶାର କିରଣ ସୃଷ୍ଟି କରିଛି।

କରୋନା ପାଇଁ ପ୍ରତିଷେଧକ ବାହାର କରିବା ଦୌଡ଼ରେ ବିଶ୍ବର ଅନେକ ବଛା ବଛା ଗବେଷଣା ସଂସ୍ଥା ସାମିଲ୍‌ ହୋଇଥିବା ବେଳେ ଟିକା ବାହାର କରିବାର ତୃତୀୟ ପର୍ଯ୍ୟାୟ(ଫେଜ୍‌-୩)‌ ପହଞ୍ଚିଛନ୍ତି ୩ଟି କମ୍ପାନି। ଆହୁରି ଅନେକ କମ୍ପାନି ଦ୍ବିତୀୟ ପର୍ଯ୍ୟାୟରେ ମଧ୍ୟ ରହିଛନ୍ତି।

ତୃତୀୟ ପର୍ଯ୍ୟାୟରେ ପହଞ୍ଚିଥିବା ୩ଟି କମ୍ପାନି ମଧ୍ୟରୁ ଫାଇଜର୍‌-ବାୟୋନ୍‌ଟେକ୍‌ ହେଉଛି ଅନ୍ୟତମ। କ୍ଲିନିକାଲ୍‌ ପରୀକ୍ଷଣରେ ସୁଫଳ ଦେଇଥିବା କମ୍ପାନିର କରୋନା ପ୍ରତିଷେଧକ ଟୀକା ଏମ୍‌ଆର୍‌ଏନ୍‌ଏ ଏବେ  ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟାୟରେ ଥିବା ସୂଚନା ରହିଛି। ଫାଇଜର୍‌-ବାୟୋନ୍‌ଟେକ୍ ଏକାସାଙ୍ଗରେ ୩୦ ହଜାର ସ୍ବେଚ୍ଛାସେବୀଙ୍କ ଉପରେ ତୃତୀୟ ପର୍ଯ୍ୟାୟ ପରୀକ୍ଷା କରିବ ବୋଲି ସୂଚନା ରହିଛି।

The Indian Express

‌ସେହିପରି ତୃତୀୟ ପର୍ଯ୍ୟାୟରେ ପହଞ୍ଚିଥିବା ଅନ୍ୟତମ ସଂସ୍ଥା ହେଉଛି ଇଂଲଣ୍ଡର ଅକ୍ସଫୋର୍ଡ ୟୁନିଭରସିଟି। ଏହାର ପରୀକ୍ଷଣ ତୃତୀୟ ପର୍ଯ୍ୟାୟରେ ଅଛି, ପ୍ରି-କ୍ଲିନିକାଲ୍ ଅଧ୍ୟୟନରେ ସକରାତ୍ମକ ଫଳାଫଳ ଦେଖାଯିବା ପରେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣର ଆରମ୍ଭ ହୋଇଥିଲା।

ଆମେରିକାର ମଡର୍ଣ୍ଣା  ମଧ୍ୟ ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ପ୍ରବେଶ କରିଛି। ଫାଇଜର୍‌-ବାୟୋନ୍‌ଟେକ୍‌ ପରି ଏହି  ଆମେରିକୀୟ ଔଷଧ ନିର୍ମାଣକାରୀ ସଂସ୍ଥା ମଧ୍ୟ ୩୦ ହଜାର ସ୍ବେଚ୍ଛାସେବୀଙ୍କ ଉପରେ ପରୀକ୍ଷା କରିବ ବୋଲି ସୂଚନା ରହିଛି।

ପୁଣେସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ(ଏସ୍‌ଆଇଆଇ) ଅକ୍ସଫୋର୍ଡ ୟୁନିଭରସିଟିର  ପ୍ରତିଷେଧକ ଟିକା ‘କୋଭିସିଲ୍ଡ’ର ଆସନ୍ତା ସପ୍ତାହରେ ଫେଜ୍‌-୩ ପରୀକ୍ଷଣ ଆରମ୍ଭ କରିବ ବୋଲି ସୂଚନା ରହିଛି। ଟିକା ପ୍ରସ୍ତୁତକାରୀ ସଂସ୍ଥାକୁ ଡିଜିସିଆଇ ଏବଂ ବାୟୋ ଟେକ୍ନୋଲୋଜି ବିଭାଗ (ଡିବିଟି) ଦ୍ୱାରା ନିୟାମକ ଲାଇସେନ୍ସ ପ୍ରଦାନ କରାଯିବା ପରେ ଏହି ଖବର ସାମ୍ନାକୁ ଆସିଛି। ଏହାର ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣ ସଫଳ ହୋଇଛି।

ସେହିପରି ଏନ୍‌ଆଇଭି, ପୁଣେ ଓ ଆସିଏମ୍‌ଆର୍‌ ସହ ମିଶି ଭରତ ବାୟୋଟେକ୍ ବାହାର କରିଥିବା କୋଭାକ୍ସିନ୍ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣରେ ଅଛି। ପ୍ରଥମ ପର୍ଯ୍ୟାୟ ପରୀକ୍ଷଣରେ ସକାରାତ୍ମକ ଫଳାଫଳ ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର