ନୂଆଦିଲ୍ଲୀ: ପ୍ରତିବର୍ଷ ଏପ୍ରିଲ ୨ରେ ପାଳନ କରାଯାଏ ବିଶ୍ବ ଅଟିଜିମ୍ ସଚେତନତା ଦିବସ। ଅଟିଜିମ୍ ହେଉଛି ଏକ ଜଟିଳ ବିକାଶ ଅକ୍ଷମତା, ଯାହାକି ମଣିଷର ଖେଳ, ଶିକ୍ଷା ଏବଂ ଯୋଗାଯୋଗ ପରି ସାମାଜିକ ଦକ୍ଷତା ଉପରେ ପ୍ରଭାବ ପକାଇଥାଏ। ଅଟିଷ୍ଟିକ୍ ପିଲାମାନେ ସାଧାରଣ ପିଲାମାନଙ୍କ ଅପେକ୍ଷା ଦୁନିଆ ବିଷୟରେ ଭିନ୍ନ ଭାବରେ ଭାବନ୍ତି, ଶିଖନ୍ତି ଏବଂ ଅନୁଭବ କରନ୍ତି। ଅଟିଜିମ୍ ଥିବା ଅନେକ ପିଲା ୬ମାସ ବୟସରୁ ଶୀଘ୍ର ଲକ୍ଷଣ ଦେଖାଇବା ଆରମ୍ଭ କରନ୍ତି। କିଛି କ୍ଷେତ୍ରରେ ଲକ୍ଷଣ ବହୁ ସମୟ ପରେ ଜଣାପଡେ। ଏଥିପାଇଁ ପିତାମାତାଙ୍କୁ ସଚେତନ ରହିବା ଏବଂ ନିଜ ପିଲାମାନଙ୍କ ଲକ୍ଷଣ ଉପରେ ଧ୍ୟାନ ଦେବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି।
ତେବେ ଏହି ରୋଗ ମଣିଷର ଖେଳ, ଶିକ୍ଷା ଏବଂ ଯୋଗାଯୋଗ ପରି ସାମାଜିକ ଦକ୍ଷତା ଉପରେ ପ୍ରଭାବ ପକାଉଥିବା ବେଳେ ଏଭଳି କିଛି ପ୍ରସିଦ୍ଧ ବ୍ୟକ୍ତିତ୍ବ ଅଛନ୍ତି, ଯେଉଁମାନେ ଅଟିଜିମର ଶିକାର ହୋଇ ବି ନିଜ ଲକ୍ଷ୍ୟ ହାସଲ କରିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି…
୧. ପ୍ରସିଦ୍ଧ ହାସ୍ୟ ଅଭିନେତା, କଣ୍ଠଶିଳ୍ପୀ, ଅଭିନେତା ଓ ଲେଖକ ଡାନ୍ ଆକ୍ରୋଏଡ୍। ସେ ୧୯୮୦ଦଶକରେ ଅଟିଜିମର ଶିକାର ହୋଇଥିଲେ। ସେ ବିଶ୍ବାସ କରନ୍ତି ଯେ ତାଙ୍କର ବ୍ଲକବଷ୍ଟର ଫିଲ୍ମ ‘ଘୋଷ୍ଟବଷ୍ଟର’ ପ୍ରମାଣ କରେ କି ସେ ଅଟିଜିମର ଶିକାର ହୋଇଥିଲେ। ସେ କହିଥିଲେ ଯେ, ଭୂତଙ୍କ ପ୍ରତି ଭଲପାଇବା ବଢ଼ିବା ଅଟିଜିମ ସ୍ପେକ୍ଟ୍ରମ ଡିଜଅର୍ଡରର ଏକ ବଡ଼ ଲକ୍ଷଣ ଥିଲା।
୨. ଆମେରିକାନ ସର୍ଫର କ୍ଲେ ମାର୍ଜୋ ଛୋଟ ବେଳେ ଅଟିଜିମର ଶିକାର ହୋଇଥିଲେ। ହେଲେ ତାଙ୍କ ମା’ଙ୍କ ସାହାଯ୍ୟରେ ସେ ଏହାର ମୁକାବିଲା କରିବା ସହ ସୁଇମିଂ ଚାମ୍ପିୟନସିପ ଜିତିଥିଲେ। ପରେ ସେ ସର୍ଫର ଭାବେ ନିଜର ଯାତ୍ରା ଆରମ୍ଭ କରିଥିଲେ ଏବଂ ସଫଳ ହୋଇଥିଲେ।
୩. ଆମେରିକୀୟ କଣ୍ଠଶିଳ୍ପୀ, ଗିଟାରିଷ୍ଟ ଓ ଅଭିନେତ୍ରୀ କୋର୍ଟନେ ଲଭ୍ ୯ବର୍ଷ ବୟସରେ ଅଟିଜିମର ଶିକାର ହୋଇଥିଲେ। ହେଲେ ସେ ଖୁବ ସାହସର ସହ ଏହାର ସାମ୍ନା କରିଥିଲେ। କ୍ୟାରିୟର ଗଢ଼ିବାରେ, ଯୋଗାଯୋଗ କରିବାରେ ଓ ସାଙ୍ଗ କରିବାରେ ତାଙ୍କୁ ସଂଘର୍ଷ କରିବାକୁ ପଡ଼ିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସେ ଏଥିରୁ ମୁକୁଳି ପାରିଥିଲେ।
୪. ଆମେରିକାର ଚେସ୍ ଗ୍ରାଣ୍ଡମାଷ୍ଟର ତଥା ୧୧ତମ ବିଶ୍ବ ଚେସ୍ ଚାମ୍ପିୟନ୍ ବବି ଫିସର ମଧ୍ୟ ଅଟିଜିମର ଶିକାର ଥିଲେ। ଯଦିଓ ସେ ନିଜ କ୍ଷେତ୍ରରେ ସଫଳତାର ଶୀର୍ଷକୁ ଯାଇଥିଲେ କିନ୍ତୁ ଲୋକଙ୍କ ସହ ମିଶିବା, ବନ୍ଧୁତ୍ବ ସୃଷ୍ଟିକରିବା ଆଦିରେ ବିଫଳ ଥିଲେ।
୫. ଇତିହାସର ପ୍ରସିଦ୍ଧ ବୈଜ୍ଞାନିକ ତଥା ଗଣିତଜ୍ଞ ଆଲବର୍ଟ ଆଇନଷ୍ଟାଇନ ମଧ୍ୟ ଅଟିଜିମର ଶିକାର ହୋଇଥିବା କୁହାଯାଏ। ଛୋଟ ଥିବା ବେଳେ ସେ କାହା ସହ ମିଶିପାରୁନଥିବା ସହ କଥା ହେବାରେ ତାଙ୍କୁ ସମସ୍ୟା ହେଉଥିଲା। ତାଙ୍କର ଏଭଳି ଲକ୍ଷଣ ଦେଖି ସେ ଅଟିଜିମର ଶିକାର ହୋଇଥିବା ଅନେକ ବିଶେଷଜ୍ଞ ଦାବି କରିଥିଲେ। କିନ୍ତୁ ତାଙ୍କ ଭଳି ସଫଳତା କଚ୍ବିତ ଲୋକଙ୍କୁ ମିଳିପାରିଥିଲା।