ଏସେକ୍‌ସ୍‌: ଗୋଟାଏ ଘରୁ ସାହାଯ୍ୟ ପାଇଁ ‘ମହିଳାଙ୍କ ଚିତ୍କାର’ ଶୁଭୁଥିବା ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ପରେ ବ୍ରିଟସ୍‌ ପୁଲିସ ଆଚମ୍ବିତ ‌ହୋଇଯାଇଥିବା କଥା ‘ମେଟ୍ରୋ’ ସମ୍ବାଦପତ୍ର ରିପୋର୍ଟ କରିଛି।

Advertisment

‘ମେଟ୍ରୋ’ ରିପୋର୍ଟ ଅନୁସାରେ, ସାହାଯ୍ୟ ପାଇଁ ଜଣେ ମହିଳା ଚିତ୍କାର କରୁଛନ୍ତି ‌ବୋଲି ଜଣେ ପଡ଼ୋଶୀଙ୍କଠାରୁ ଖବର ପାଇ ଇସେକ୍ସ୍‌ ପୁଲିସ ଷ୍ଟିଭ୍‌ ଉଡ୍‌ ନାମକ ଜଣେ ବ୍ୟକ୍ତିଙ୍କ ଘରକୁ ୩ଟି ପୁଲିସ ଗାଡ଼ି ପଠାଇଥିଲା।

ରିପୋର୍ଟ ଅନୁସ‌ାରେ, ୨୨ଟି ଶୁଆ ପାଳିଥିବା ୫୪ ବର୍ଷିୟ ଷ୍ଟିଭ୍‌ ଘର ବାହାରେ ଏତେଗୁଡ଼ିଏ ପୁଲିସ ଗାଡ଼ି ଦେଖି ଛାନିଆ ହୋଇଯାଇଥିଲେ। ଭାବିଲେ, ହେ ପ୍ରଭୁ ମୁଁ କି ଅପରାଧ କଲି କି? ସେ କବାଟ ଖୋଲି ଦେବାରୁ ହସ ହସ ମୁହଁରେ ଦୁଇଜଣ ପୁଲିସ ଅଫିସର୍‌ ଆସି କହିଲେ, ଚିନ୍ତାର କାରଣ ନାହିଁ। ମନେହୁଏ ଆମେ ଠିକ୍‌ ସୂଚନା ପାଇଛୁ।

Police rush to home to reports of 'screaming woman' only to find loud parrot : r/offbeat Image Courtesy of Reddit

ଷ୍ଟିଭ୍‌ ପଚାରିଲେ, ମୋର ଅପରାଧ କ’ଣ? ପୁଲିସ ଅଧିକାରୀମାନେ କହିଲେ, ଆପଣଙ୍କ ଘରେ ଜଣେ ମହିଳା ସାହାଯ୍ୟ ପାଇଁ ଚିତ୍କାର କରୁଥିବା ରିପୋର୍ଟ ପାଇଲୁ। ଆମେ ତଲାସ କରିବାକୁ ଆସିଛୁ।

କିନ୍ତୁ, ପୁଲିସ ଚାକିରି କରି ଅବସର ଗ୍ରହଣ କରିଥିବା ଷ୍ଟଭ୍‌ କହିଲେ, ସ୍ତ୍ରୀଲୋକ ନୁହେଁ, ‘ଫ୍ରେଡି’ ନାମରେ ଗୋଟାଏ ୩ ବର୍ଷର ହଳଦିମୁଣ୍ଡିଆ  ‘ଆମାଜନ୍‌ ଶୁଆ’ ଏମିତି ଚିତ୍କାର କରୁଛି। ତାଙ୍କ କଥାର ସତ୍ୟତା ଦର୍ଶାଇବାକୁ ସେ ପୁଲିସ ଅଧିକାରୀଙ୍କୁ ଘର ତଲାସ କରିବାକୁ ଛାଡ଼ିଲେ। ଏହି ମଜାଦାର ଘଟଣାର ଭିଡିଓ ବି ସେ ସୁଟିଙ୍ଗ୍‌ କଲେ।

ଏସେକ୍‌ସ୍‌ ପୁଲିସର ଜଣେ ମୁଖପାତ୍ର ମଧ୍ୟ କହିଛନ୍ତି, ଗୋଟାଏ ଶୁଆ ଏଭଳି ଚିତ୍କାର କରୁଥିବା କଥା ଘର ଯାଞ୍ଚ କରିବା ପରେ ପୁଲିସ ଅଧିକାରୀମାନେ ସୁନିଶ୍ଚିତ ହୋଇଛନ୍ତି।

ସୂଚନାଯୋଗ୍ୟ, ଷ୍ଟିଭ୍‌ ଉଡ୍‌ ୨ଟି ‘ଆମାଜନ୍‌ ଶୁଆ’, ବେକରେ ନାଲି ଗାର ଥିବା ୮ଟି ଭାରତୀୟ ଶୁଆ, ସବୁଜପଖିଆ ଶୁଆ, ନୀଳ-ସୁନେଲୀ ଶୁଆ, ହାନ୍‌ସ୍‌ ଶୁଆ ଆଦି ପାଳିଛନ୍ତି। ସକାଳ ଓ ସନ୍ଧ୍ୟାରେ ସେମାନେ ଖୁବ୍‌ ଜୋର୍‌ରେ ରାବ ଦିଅନ୍ତି।