ଜାତୀୟ ବୌଦ୍ଧିକ ସଂସ୍କୃତି ଐତିହ୍ୟ ତାଲିକାରେ ଓଡ଼ିଶାର ମାଣବସା, ଛଉନୃତ୍ୟ ଏବଂ ରାବଣଛାୟା

ନୂଆଦିଲ୍ଲୀ: ଏପ୍ରିଲ୍ ୧୮ ତାରିଖ ଦିନ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ (ସ୍ବାଧୀନ ଦାୟିତ୍ବ) ପ୍ରହ୍ଲାଦ ସିଂହ ପଟେଲ୍ ‘ବୌଦ୍ଧିକ ସାଂସ୍କୃତି ଐହିତ୍ୟର ଜାତୀୟ ତାଲିକା’ (ନ୍ୟାସ୍‌ନାଲ୍ ଲିଷ୍ଟ୍‌ ଅଫ୍ ଇଣ୍ଟାଜିବଲ୍ କଲ୍‌ଚର୍ ଅଫ୍ ଇଣ୍ଡିଆ) ଉନ୍ମୋଚନ କରିଛନ୍ତି। ଭାରତର ବିଭିନ୍ନ ରାଜ୍ୟରେ ଥିବା କେତେକ ‘ବୌଦ୍ଧିକ ସାଂସ୍କୃତିକ ଐହିତ୍ୟ’ ସମ୍ବନ୍ଧରେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଜାଗରଣ ସୃଷ୍ଟି ତଥା ସେ ସବୁର ସୁରକ୍ଷାକୁ ନିଶ୍ଚିତ କରିବା ସରକାରଙ୍କର ଉଦ୍ଦେଶ୍ୟ।

ସଙ୍ଗୀତ ନାଟକ ଏକାଡେମି ଏବଂ ଇନ୍ଦିରା ଗାନ୍ଧୀ ଜାତୀୟ କଳା କେନ୍ଦ୍ରଙ୍କ ସହଯୋଗରେ ପ୍ରସ୍ତୁତ ଏହି ତାଲିକାରେ ଓଡ଼ିଶାର ତିନୋଟି ଜିନିଷ ଏଥିରେ ସ୍ଥାନ ପାଇଛି। ସେଗୁଡ଼ିକ ହେଲା ‘ମାଣବସା ଗୁରୁବାର ପ୍ରଥା’, ‘ଛଉ ନୃତ୍ୟ’ ଏବଂ ‘ରାବଣ ଛାୟା’ କଣ୍ଢେଇନାଚ।

ମାଣବସାକୁ ଏକ ସାମାଜିକ ପ୍ରଥା, ଓଷା ଏବଂ ଉତ୍ସବ ଭାବେ ସଂସ୍କୃତି ବିଭାଗ ତାଲିକାଭୁକ୍ତ କରି ଉଲ୍ଲେଖ କରିଛି ଯେ ଦେବୀ ଲକ୍ଷ୍ମୀଙ୍କ ସମ୍ମାନାର୍ଥେ ମାର୍ଗଶୀର ମାସର ପ୍ରତି ଗୁରୁବାର ଦିନ ମାଣଓଷା ଆୟୋଜିତ ହୁଏ। ଏଥିରେ ଷୋଡ଼ଶ ଶତାବ୍ଦୀର କବି ବଳରାମ ଦାସଙ୍କ ରଚିତ ଲକ୍ଷ୍ମୀ ପୁରାଣ ପାଠ କରାଯାଏ। ଏହାକୁ ମୁଖ୍ୟତଃ ଓଡ଼ିଶାର ନାରୀମାନେ ପାଳନ କରନ୍ତି।

Image Source: Mayurbhanj online

ଛଉ ନୃତ୍ୟକୁ ଏହି ତାଲିକାରେ ପରିବେଶଣ କଳା ବର୍ଗରେ ସ୍ଥାନ ଦିଆଯାଇଛି। ଏହାକୁ ସଂସ୍କୃତି ବିଭାଗ ପୂର୍ବ ଭାରତର ଏକ ମୁଖ୍ୟ ନୃତ୍ୟ ପରମ୍ପରା ବୋଲି ଉଲ୍ଲେଖ କରିବା ସହ ଏହାର ତିନୋଟି ପୃଥକ୍ ଶୈଳୀ ରହିଛି ବୋଲି କହିଛି। ସେହି ଶୈଳୀଗୁଡ଼ିକ ହେଉଛି ଶଢ଼େଇକଳା, ମୟୂରଭଞ୍ଜ ଏବଂ ପୁରୁଲିଆ ନାମିତ ମୁଖା। ବସନ୍ତ ଉତ୍ସବ ପାଳନ କରିବାରେ ଛଉନୃତ୍ୟର ବିଶେଷ ଭୂମିକା ରହିଛି ବୋଲି ଏଥିରେ ଉଲ୍ଲେଖ କରାଯାଇଛି। ଜନଜାତି ସମ୍ପ୍ରଦାୟରୁ ଏହି ନୃତ୍ୟର ଆସିଥିବା କଥା ସେଥିରେ ଉଲ୍ଲେଖ ରହିଛି।

Image Source: Wikimedia

ତାଲିକାଭୁକ୍ତ ହୋଇଥିବା ଅନ୍ୟ ପ୍ରଥାଟି ହେଉଛି କଣ୍ଢେଇ ନାଚ ‘ରାବଣଛାୟା’। ଏହାକୁ ମଧ୍ୟ ପରିବେଶଣ କଳା ବର୍ଗରେ ସ୍ଥାନୀତ କରାଯାଇଛି। ଭଟ୍ଟ ସମ୍ପ୍ରଦାୟରେ ପ୍ରଚଳିତ ‘ରାବଣଛାୟା’ରେ ମୁଖ୍ୟତଃ ରାମାୟଣ, ମହାଭାରତ, ପୁରାଣ ଏବଂ ଆଞ୍ଚଳିକ କିଂବଦନ୍ତୀ ଓ ଲୋକକଥାର ବିଭିନ୍ନ ଆଖ୍ୟାୟିକ ପ୍ରଦର୍ଶନ ହୋଇଥାଏ। ଛାୟାରେ ଦୃଶ୍ୟମାନ ହେଉଥିବା କଣ୍ଢେଇଗୁଡ଼ିକ ହରିଣ କିଂବା ଛେଳି ଚର୍ମରେ ପ୍ରସ୍ତୁତ କରାଯାଇଥାଏ।

 

ସମ୍ବନ୍ଧିତ ଖବର