ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ସତ୍ତ୍ୱେ ଏପର୍ଯ୍ୟନ୍ତ ପ୍ରଦୂଷଣମୁକ୍ତ ହୋଇପାରିଲା ନାହିଁ ଗଙ୍ଗା ନଦୀ; ଦିନକୁ ଦିନ ବିଷାକ୍ତ ହେବାରେ ଲାଗିଛି ଏହାର ପାଣି!

ଦିନକୁ ଦିନ ପ୍ରଦୂଷିତ ହେବାରେ ଲାଗିଛି ପବିତ୍ର ଗଙ୍ଗା ନଦୀ। ଗଙ୍ଗାକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ଗଙ୍ଗା ନଦୀକୁ ପ୍ରଦୂଷଣମୁକ୍ତ କରାଯାଇ ପାରିନାହିଁ। ପରିତାପର ବିଷୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ସରକାର ଆସିବା ପରେ ଗଙ୍ଗା ନଦୀକୁ ସଫା କରିବା ଅଭିଯାନ ମୋଦି ସରକାରଙ୍କ ପ୍ରାଥମିକତା ସୂଚୀରେ ରହିଥିଲା। ଏପରିକି ନମାମୀ ଗଙ୍ଗା ନାମରେ ଏକ ପରିଯୋଜନା ମଧ୍ୟ ଆରମ୍ଭ କରାଯାଇଥିଲା। ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଥିବା କୁହାଯାଉଥିଲେ ମଧ୍ୟ ଏପର୍ଯ୍ୟନ୍ତ ଗଙ୍ଗା ନଦୀ ପ୍ରଦୂଷଣମୁକ୍ତ ହୋଇପାରିନାହିଁ। ଦିନକୁ ଦିନ ଏହାର ପାଣି ବିଷାକ୍ତ ହେବାରେ ଲାଗିଛି।

ଗଙ୍ଗା ନଦୀରେ ପ୍ରଦୂଷଣ ବଢିଚାଲିଥିବା ବେଳେ ଏହାର ସ୍ୱଚ୍ଛତା ଦିଗରେ କେହି ଧ୍ୟାନ ଦେଉନାହାନ୍ତି। ଏବେ ଯେତେବେଳେ ସରକାରଙ୍କ ୫ ବର୍ଷ ପୂରଣ ହେବାକୁ ଯାଉଛି, ସେତେବେଳେ ସମସ୍ତଙ୍କୁ ପଛକୁ ବୁଲି ଦେଖିବା ଆବଶ୍ୟକ ଯେ, ଗଙ୍ଗାନଦୀର ସୁରକ୍ଷାକୁ ନେଇ ଗତ ୪ ବର୍ଷରେ ସରକାର କି କି ପଦକ୍ଷେପ ନେଇଛନ୍ତି। ତେବେ ଏହା ଜାଣିବା ପାଇଁ ଯେତେବେଳେ ଏକ ଆରଟିଆଇ ତଥ୍ୟ ଦାଖଲ କରାଗଲା ସେତେବେଳେ ଉତ୍ତରରେ ସରକାର କହିଲେ ଯେ, ସେ ଜାଣିନାହାନ୍ତି କି ଗଙ୍ଗାନଦୀ କେତେ ସଫା ହୋଇଛି।

ତେବେ ନିକଟରେ ଏକ ଆରଟିଆଇ ତଥ୍ୟରୁ ଜଣାପଡିଛି ଯେ, ଗଙ୍ଗା ନଦୀକୁ ସଫା କରିବା ପାଇଁ ସରକାର ଏପର୍ଯ୍ୟନ୍ତ ୩,୮୦୦ କୋଟି ଟଙ୍କା ଖର୍ଚ୍ଚ କରିସାରିଲେଣି। ତେବେ ପ୍ରଶ୍ନ ଉଠୁଛି ଏତେ ଟଙ୍କା କେଉଁ ଦିଗରେ ଖର୍ଚ୍ଚ କରାଯାଇଛି। କାରଣ ଗଙ୍ଗାର ବର୍ତ୍ତମାନର ସ୍ଥିତି ଦେଖିଲେ ଯେକେହିବି ଏହାର ବାସ୍ତବତା ବିଷୟରେ ଅନୁମାନ ଲଗାଇପାରିବେ। ତେବେ ସବୁଠାରୁ ବଡ କଥା ହେଉଛି ସରକାର ନିଜେ ମଧ୍ୟ ଜାଣିନାହାନ୍ତି ଯେ, ଗଙ୍ଗାକୁ କେତେ ସ୍ୱଚ୍ଛ କରାଯାଇଛି। ପ୍ରକୃତ ଘଟଣା ହେଉଛି ନାଳ ନର୍ଦ୍ଦମାର ସମସ୍ତ ବର୍ଜ୍ୟବସ୍ତୁ ଏବଂ ପାଣି ସିଧାସଳଖ ଯାଇ ଗଙ୍ଗାରେ ମିଶୁଥିବା କାରଣରୁ ଏହାର ପାଣି ଦିନକୁ ଦିନ ବିଷାକ୍ତ ହେବାରେ ଲାଗିଛି । ଏହାକୁ ବନ୍ଦ କରାନଗଲେ ଗଙ୍କାକୁ ସ୍ୱଚ୍ଛ କରିବା ଅସମ୍ଭବ ଅଟେ।

ସେପଟେ ଗଙ୍ଗା ନଦୀକୁ ନେଇ ରାଜନୀତି ବଢିବାରେ ଲାଗିଛି। ଗତ ନିର୍ବାଚନରେ ଗଙ୍ଗାକୁ ସ୍ୱଚ୍ଛ କରିବା ପାଇଁ ପ୍ରତିଶୃତି ଦିଆଯାଇଥିବା ବେଳେ ସମାନ କଥା ଏଥର ମଧ୍ୟ ଶୁଣିବାକୁ ମିଳୁଛି। ୨୦୨୦ ମସିହା ପର୍ଯ୍ୟନ୍ତ ଗଙ୍ଗାର ୮୦ ପ୍ରତିଶତ ସଫା କରିବା ପାଇଁ କୁହାଯାଇଥିଲେ ହେଁ ଏଯାବତ କିଛି କାମ ହୋଇନାହିଁ। ଯୋଜନା କେବଳ ଯୋଜନାରେ ରହିଯାଇଛି। କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି ସତ କିନ୍ତୁ ବାସ୍ତବରେ ଏହି ଟଙ୍କା କୁଆଡେ ଯାଉଛି ତାକୁ ନେଇ ଏବେ ସୃଷ୍ଟି ହୋଇଛି ବଡ ପ୍ରଶ୍ନବାଚୀ।

ସମ୍ବନ୍ଧିତ ଖବର