ମଙ୍ଗଳ ଗ୍ରହରେ ଜୀବନ କିପରି ହୋଇପାରେ ତାହାକୁ ଅନୁଭବ କରିବା ପାଇଁ ଚାରି ଜଣ ମହାକାଶଚାରୀ ଏକ ବର୍ଷବ୍ୟାପୀ ପ୍ରଶିକ୍ଷଣ ଅଭିଯାନରେ ସାମିଲ ହେବାକୁ ପ୍ରସ୍ତୁତ ହେଉଛନ୍ତି। ମଙ୍ଗଳ ଅନୁରୂପ ପରିବେଶର ଅଭିଜ୍ଞତା ହାସଲ ପାଇଁ ଆମେରିକାର ହ୍ୟୁଷ୍ଟନ୍ ସ୍ଥିତ ଜନ୍ସନ୍ ମହାକାଶ କେନ୍ଦ୍ର ଭିତରେ ଆମେରିକୀୟ ମହାକାଶ ଗବେଷଣା କେନ୍ଦ୍ର(ନାସା)ର ଏକ ୧,୭୦୦ ବର୍ଗଫୁଟ ୩ଡି ପ୍ରିଣ୍ଟେଡ୍ ବାସସ୍ଥାନ ‘ମାର୍ସ ଡ୍ୟୁନ୍ ଆଲଫା’କୁ ପ୍ରସ୍ତୁତ କରାଯାଇଛି। ଆସନ୍ତା ମାସ ୧୯ ତାରିଖରେ ରସ୍ ଏଲ୍ଡର, ଏଲେନ୍ ଏଲିସ୍, ମାଥ୍ୟୁ ମଣ୍ଟଗୋମେରି ଓ ଜେମ୍ସ ସ୍ପାଇସର୍ ଆଦି ମହାକାଶଚାରୀ ‘ମାର୍ସ ଡ୍ୟୁନ୍ ଆଲଫା’ରେ ପ୍ରବେଶ କରିବେ। ସେମାନେ ତାହା ଭିତରେ ୩୭୮ ଦିନ ବିତାଇ ଆସନ୍ତା ବର୍ଷ ଅକ୍ଟୋବର ୩୧ ତାରିଖରେ ବାହାରକୁ ଆସିବେ।
ମହାକାଶଚାରୀମାନେ ଅନ୍ୟ ଗ୍ରହରେ ସମ୍ମୁଖୀନ ହେବାକୁ ଥିବା ଆହ୍ବାନଗୁଡ଼ିକୁ ବୁଝିବା ପାଇଁ ‘ନାସା’ର ଏହି ସିମୁଲେସନ୍ ଅଭିଯାନ ଉଦ୍ଦିଷ୍ଟ। ଏ ପରୀକ୍ଷଣ ଦ୍ବାରା ମଣିଷ କିପରି ମହାକାଶ ଯାତ୍ରାର ମୁକାବିଲା କରିପାରୁଛି, ତାହା ମୂଲ୍ୟାଙ୍କନ କରାଯାଇପାରିବ।
‘ନାସା’ର ଏହି ସିମୁଲେସନ୍ ଅଭିଯାନ ହେଉଛି ‘କ୍ରୁ ହେଲ୍ଥ ଆଣ୍ଡ୍ ପରଫର୍ମାନ୍ସ ଏକ୍ସପ୍ଲୋରେସନ୍ ଆନାଲଗ୍’ (ଚାପିଆ)ର ଏକ ଅଂଶବିଶେଷ। ଦ୍ବିତୀୟ ଥର ପାଇଁ ଏଭଳି ମିସନର ଆୟୋଜନ କରାଯାଇଛି। ଏପରି ପୃଥିବୀ-ଆଧାରିତ ପରୀକ୍ଷଣ ଦ୍ବାରା ମଣିଷ କିପରି ଶାରୀରିକ ଓ ମାନସିକ ଚାହିଦା ସହିତ ସୁଦୂର ମହାକାଶ ଯାତ୍ରାର ମୁକାବିଲା କରିପାରୁଛି, ତାହା ମୂଲ୍ୟାଙ୍କନ କରାଯାଇପାରିବ। ଲାଲ ଗ୍ରହରେ ରହିବା ସମୟରେ ମହାକାଶଚାରୀମାନେ ସମ୍ମୁଖୀନ ହେଉଥିବା ଗୁରୁତ୍ୱପୂର୍ଣ୍ଣ ଆହ୍ବାନଗୁଡ଼ିକୁ ବୁଝିବା ପାଇଁ ‘ନାସା’ର ଏହି ସିମୁଲେସନ୍ ଅଭିଯାନ ଉଦ୍ଦିଷ୍ଟ। ସ୍ୱେଚ୍ଛାସେବୀ ମହାକାଶଚାରୀମାନେ ସେଠାରେ ଅନ୍ୟ ଗ୍ରହରେ ଥିବା ଭଳି ସୀମିତ ସମ୍ବଳ, ବିଚ୍ଛିନ୍ନତା, ଯୋଗାଯୋଗ ବିଳମ୍ବ, ଉପକରଣ ତ୍ରୁଟି ଆଦି ପ୍ରତିକୂଳ ପରିସ୍ଥିତିର ସାମନା କରିବେ।
ସିମୁଲେସନ୍ ସମୟରେ କ୍ରୁମାନେ ଦୈନନ୍ଦିନ ଗବେଷଣା ଓ ସେଭଳି କାର୍ଯ୍ୟକଳାପ କରିବେ, ଯେଉଁଥିରେ ସିମୁଲେଟେଡ୍ ମଙ୍ଗଳ ପଦଯାତ୍ରା, ରୋବୋଟିକ୍ କାର୍ଯ୍ୟ ଓ ଏକ ପନିପରିବା ଉଦ୍ୟାନରେ ଚାଷ ଅନ୍ତର୍ଭୁକ୍ତ। ସେମାନେ ମଙ୍ଗଳରେ ଦୀର୍ଘ ସମୟ ରହିବା ପାଇଁ ଡିଜାଇନ୍ ହୋଇଥିବା ପାନୀୟ ଜଳ ବିତରକ ଏବଂ ଡାଇଗ୍ନୋଷ୍ଟିକ୍ ଚିକିତ୍ସା ଡିଭାଇସ୍ ପରି ନୂତନ ପ୍ରଯୁକ୍ତିବିଦ୍ୟାର ମଧ୍ୟ ପରୀକ୍ଷା କରିବେ। ଏହି ଅନ୍ତର୍ଦୃଷ୍ଟି ‘ନାସା’କୁ ଭବିଷ୍ୟତର ମହାକାଶଚାରୀମାନଙ୍କୁ ସୁରକ୍ଷିତ ଓ ମିସନ-ପ୍ରସ୍ତୁତ ରହିବାରେ ସାହାଯ୍ୟ କରିବ ବୋଲି ଆଶା କରାଯାଉଛି। ‘ନାସା’ର ‘ଚାପିଆ’ ଅଧୀନରେ ଏହା ହେଉଛି ଦ୍ବିତୀୟ ବାର୍ଷିକ ପରୀକ୍ଷଣ। ଏହାର ପ୍ରଥମ ପରୀକ୍ଷଣଟି ଗତ ବର୍ଷ ଜୁଲାଇ ମାସରେ ସରିଥିଲା। ପୃଥିବୀରେ ମଙ୍ଗଳ ଅନୁରୂପ ପରିବେଶରେ ଅଧ୍ୟୟନ କରିବାରେ ‘ନାସା’ ଏକା ନୁହେଁ। ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ମଧ୍ୟ ସମ୍ପ୍ରତି ନିଜର ଆନାଲଗ୍ ମିସନ ଜାରି ରଖିଛି। ପ୍ରୋଟୋପ୍ଲାନେଟ୍ ନେତୃତ୍ୱରେ ‘ଇସ୍ରୋ’ ଲଦାଖରେ ‘ହିମାଳୟାନ୍ ଆଉଟପୋଷ୍ଟ ଫର୍ ପ୍ଲାନେଟାରି ଏକ୍ସପ୍ଲୋରେସନ୍’ (ହୋପ୍) ନାମକ ଏକ ଆନାଲଗ୍ ବାସସ୍ଥାନରେ ମାନବ ମନ ଓ ଶରୀରକୁ କିପରି ପ୍ରଭାବିତ କରେ ତାହା ଅଧ୍ୟୟନ କରିଛି।